Wednesday, October 9, 2024
Homeଖବର୧୦ରୁ ଓଡ଼ିଶାରେ ଡବଲ ଇଂଜିନ ସରକାର

୧୦ରୁ ଓଡ଼ିଶାରେ ଡବଲ ଇଂଜିନ ସରକାର

ଭୁବନେଶ୍ବର: ୨୪ ବର୍ଷର ସ୍ଥିର ବିଜେଡି ସରକାର ଉପରେ ଓଡ଼ିଶାର ଜନତା ଆଉ ଅଧିକ ବିଶ୍ବାସ କରିନାହାନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ ମତଦାତା ଭାରତୀୟ ଜନତା ପାର୍ଟି(ବିଜେପି) ସପକ୍ଷରେ ମତଦାନ କରିଛନ୍ତି। ବିଜୁ ଜନତା ଦଳ(ବିଜେଡି)ର ମାଳମାଳ ମାଗଣା ଯୋଜନାକୁ ଲୋଭ କରି ନାହାନ୍ତି। ୨୧ରୁ ୧୯ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି। ଓଡ଼ିଶା ବିଧାନସଭାରେ ବିଜେପି ୮୦ଟି ଆସନରେ ବିଜୟୀ ହୋଇଛି। କେବଳ ଯାଜପୁରରେ ବିଜେଡି ଓ କୋରାପୁଟରେ କଂଗ୍ରେସ ବାଜିମାତ ମାରିଛି। ସେହିପରି ଓଡ଼ିଶା ବିଧାନସଭାରେ ୬ଷ୍ଠ ଥର ସରକାର ଗଢ଼ିବା ପାଇଁ ସ୍ବପ୍ନ ଦେଖିଥିବା ବିଜେଡି ରସାତଳକୁ ଖସିଛି। ଗତ ନିର୍ବାଚନରେ ୧୧୨ଟି ଆସନରେ ଜିତିଥିବା ବେଳେ ଏଥର ୪୯ଟି ଆସନରେ ଅଟକି ଯାଇଛି।

ବିଜେଡି ଏଥର ପୁଣି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହୋଇ ସରକାର ଗଢ଼ିବ ବୋଲି ଯୋଜନା କରିଥିଲା। ଜୁଲାଇରୁ ଲୋକଙ୍କୁ ମାଗଣାରେ ୧୦୦ ୟୁନିଟ ବିଦ୍ୟୁତ ଦେବାକୁ କହିଥିଲା। ସେହିପରି ପିଲାମାନଙ୍କୁ ସ୍କଲାରସିପ ଦେବ ବୋଲି ମଧ୍ୟ କହିଥିଲା। ମିସନ ଶକ୍ତି ମହିଳାଙ୍କୁ ପେନ୍ସନ। ବିଜୁ ସ୍ବାସ୍ଥ୍ୟ କାର୍ଡରେ ସମସ୍ତଙ୍କୁ ସୁବିଧା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଓଡ଼ିଶାବାସୀ ମାଗଣା ଯୋଜନା ପ୍ରତି ଆକର୍ଷିତ ହୋଇନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ମଧ୍ୟ କାମ କଲା ନାହିଁ। ରାଜ୍ୟବାସୀ ତାମିଲନାଡୁରେ ଜନ୍ମିତ ଓ ନିଜକୁ ବିଜେଡିର ସର୍ବେସର୍ବା ଭାବୁଥିବା ତଥା ସ୍ବେଚ୍ଛାକୃତ ଭାବେ ଅବସର ନେଇଥିବା ଭିକେ ପାଣ୍ଡିଆନ୍ଙ୍କ କାର୍ଯ୍ୟକଳାପ ଯୋଗୁ ବିଜେଡିର ପରାଜୟ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆସନ୍ତା ୧୦ ତାରିଖ ଦିନ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ।

ହାରିଗଲେ ମା’-ପୁଅ, ସ୍ବାମୀ-ସ୍ତ୍ରୀ

ରାଜ୍ୟର ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଯାଏଁ ପଦ୍ମ ଫୁଟିଛି। ଚଳିତ ନିର୍ବାଚନରେ ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଓ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ୧ଲକ୍ଷ ୧୭ ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ସେହିପରି ତାଙ୍କର ମା’ ସନ୍ଧ୍ୟାରାଣୀ ଦାସ ମଧ୍ୟ କୋରେଇ ବିଧାନସଭା ଆସନରୁ ହାରି ଯାଇଛନ୍ତି। କୋରେଇରେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ବିଜୟୀ ହୋଇଛନ୍ତି। କେବଳ ଏତିକି ନୁହେଁ। ମୟୂରଭଂଜ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଣିଂ ମଧ୍ୟ ବିଜେପି ପ୍ରାର୍ଥୀ ନବଚରଣ ମାଝୀଙ୍କ ଠାରୁ ୨ଲକ୍ଷ ୧୫ ହଜାର ୯ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ରଂଜିତା ମାର୍ଣ୍ଣିଂ ୩୪,୪୩୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

୨୪ ବର୍ଷର ରେକର୍ଡ ଭାଙ୍ଗିଲା

ଚଳିତ ନର୍ବାଚନରେ ସବୁଠାରୁ ରୋଚକ ଖବର ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ହାରିଯିବା। ଯଦିଓ ନବୀନ ହିଞ୍ଜିଳିରୁ ହାରିଛନ୍ତି, ତଥାପି ଓଡ଼ିଶାରେ ଅଢେଇ ଦଶନ୍ଧିର ପରମ୍ପରା ଭାଙ୍ଗିଛି।  ଓଡ଼ିଶାରେ ଭୁଷିଡ଼ିଛି ବିଜେଡି ଗଡ଼। ଷଷ୍ଠ ଥରର ରେକର୍ଡ ନୁହେଁ, ଔପଚାରିକତା ଏବେ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ କାହାଣୀ। ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୟଯାତ୍ରାରେ ଏବେ ଲାଗିଛି ବିରାମ, ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ। ରାଜନୀତିର ସାଗୁଆ ଦୁର୍ଗ ଓଡିଶା ଏବେ ଗେରୁଆ। ଓଡ଼ିଶାରେ ପରିବର୍ତ୍ତନ ବି ଏମିତି ପରିବର୍ତ୍ତନ ଆସିପାରେ, ଅନେକଙ୍କୁ ବିଶ୍ବାସ ନହେଲେ ମଧ୍ୟ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ନବୀନ ପଟ୍ଟନାୟକ ହିଞ୍ଜିଳିରେ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜିରେ ପଛୁଆ ଅଛନ୍ତି।

ଓଡ଼ିଆ ଅସ୍ମିତାର ବିଜୟ: ଧର୍ମେନ୍ଦ୍ର

ଓଡ଼ିଶାରେ ବିଜେପି ବିଜୟୀ ହେଲା ପରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆଜି ଓଡିଶାରେ ନୂଆ ଇତିହାସ ଲେଖାଗଲା। ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ବିଜେପିକୁ ଗୋଟେ ଥର ସୁଯୋଗ ଦେବାକୁ କହିଥିଲେ, ଜନତା ମଧ୍ୟ ସହମତି ଦେଇ ବଡ଼ ଆଶୀର୍ବାଦ ଦେଇଛନ୍ତି। ରାଜ୍ୟରେ ବିଜେପି ବହୁମତରେ ସରକାର କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଜୁନ ୧୦ରେ ବିଜେପି ସରକାର କରିବାକୁ ଶପଥ ନେବେ ବୋଲି ଯାହା କହିଥିଲେ, ଏବେ ତାହା ସତ ହୋଇଛି। ଏହା ବିଜେପିର ବିଜୟ ନୁହେଁ ଓଡିଆ ଲୋକଙ୍କ ବିଜୟ। ଏହାସହ ଓଡ଼ିଆ ଅସ୍ମିତା, ଭାଷା ଓଡ଼ିଆ ପରିଚୟର ବିଜୟ।  

ପରାଜୟ ସ୍ବୀକାର କଲା ବିଜେଡି

ରାଜ୍ୟରେ ବିଜେଡି ପରାଜିତ ହୋଇଛି। ବିଜେଡି ଏହାକୁ ସ୍ବୀକାର ମଧ୍ୟ କରିଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ରାଜ୍ୟବାସୀ ୨୪ ବର୍ଷ ଧରି ସେବା କରିବାର ସୁଯୋଗ ଦେଇଛନ୍ତି। ଓଡ଼ିଶାବାସୀ ୪୦ ପ୍ରତିଶତ ଭୋଟ ଦେଇଛନ୍ତି। ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦ ଯୋଗୁଁ ୪୯ରୁ ୫୦ ଆସନରେ ବିଜେଡିକୁ ବିଜୟୀ କରିଛନ୍ତି। ଭାରତୀୟ ଜନତା ପାର୍ଟିକୁ ଏହି ସମୟରେ ଅନେକ ଶୁଭେଚ୍ଛା ଜଣାଉଛୁ। ଓଡ଼ିଶାବାସୀ ଯେଉଁ ସେବା ପାଇଁ ଆମକୁ ରଖିବେ, ସେହି ହିସାବରେ ସେବା କରୁଥିବୁ। ସେହିପରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଆଗାମୀ ଦିନରେ ମଧ୍ୟ ଆମେ ଓଡ଼ିଶାବାସୀଙ୍କ ସେବା କରିବୁ।    

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments