Thursday, March 20, 2025
Homeଖବରଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ଦୁର୍ଘଟଣା

ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ବର: ଏକ୍ସପ୍ରେସ୍‌ୱେ ହେଉଛି ଭାରତୀୟ ସଡ଼କର ସବୁଠାରୁ ଉନ୍ନତମାନର ରାସ୍ତା। ଲୋକେ କମ ସମୟରେ ଓ ସୁରକ୍ଷିତ ଭାବେ ଦୂରରେ ଥିବା ସ୍ଥାନକୁ ପହଞ୍ଚିବେ ବୋଲି ସରକାର କୋଟିକୋଟି ଟଙ୍କା ବିନିଯୋଗରେ ଏହି ଭଳି ରାସ୍ତା ନିର୍ମାଣ କରିଛନ୍ତି। ୨୦୨୩ ଜୁଲାଇ ପର୍ଯ୍ୟନ୍ତ ଭାରତରେ ୫,୯୩୦ କିଲୋମିଟର ଏକ୍ସପ୍ରେସ୍‌ୱେ ରହିଛି। ସେହିପରି ୬,୯୧୪.୪୩ କିଲୋମିଟର ଏକ୍ସପ୍ରେସ୍‌ୱେର ନିର୍ମାଣ କାମ ଚାଲିଥିଲା। ଏହି ରାସ୍ତା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଠାରୁ ଭିନ୍ନ। ଜାତୀୟ ରାଜପଥ ଗୁଡ଼ିକ ସର୍ବାଧିକ ୬ ଥାକିଆ ହେଉଥିବା ବେଳେ ଏକ୍ସପ୍ରେସ୍‌ୱେ ସର୍ବାଧିକ ୧୪ ଥାକିଆ ହୋଇଛି। ଦିଲ୍ଲୀ-‌ମିରଟ ଏକ୍ସପ୍ରେସୱେ ୧୪ ଥାକିଆ ହୋଇଛି। ଏହା ୨୦୨୧ରେ ଉଦ୍‌ଘାଟନ ହୋଇଥିଲା। ଉତ୍ତରପ୍ରଦେଶରେ ଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ରେ ବିମାନ ଅବତରଣ କରିବା ପାଇଁ ବ୍ୟବସ୍ଥା ହୋଇଛି।

୨୦୦୧-୨୦୦୨ରେ ଭାରତରେ ମାତ୍ର ୩୩କିଲୋମିଟର ଏକ୍ସପ୍ରେସ୍‌ୱେ ଥିଲା। ୨୦୧୩-୧୪ ବେଳକୁ ଏହା ୧୦୦୪ କିଲୋମିଟରରେ ପହଞ୍ଚିଲା। କିନ୍ତୁ ୧୦ ବର୍ଷର ମୋଦୀ ସରକାରରେ ୫ଗୁଣ ବଢ଼ିଛି। ଏବେ ଦେଶରେ ୫,୯୩୦ କିଲୋମିଟର ଏକ୍ସପ୍ରେସ୍‌ୱେ ନିର୍ମାଣ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧୫୦୦ କିଲୋମିଟର ଏକ୍ସପ୍ରେସ୍‌ୱେ ନିର୍ମାଣ ହୋଇଛି। ଦେଶରେ ଏବେ ମୋଟ ୪୭ଟି ଏକ୍ସପ୍ରେସ୍‌ୱେ ରହିଥିବା ବେଳେ ଦିଲ୍ଲୀରେ ମାତ୍ର ଏହି ବର୍ଗର ୨୬ କିଲୋମିଟର ରାସ୍ତା ଅଛି। ଓଡ଼ିଶାରେ ଜାତୀୟ ଏକ୍ସପ୍ରେସ୍‌ୱେ ନାହିଁ। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଜୁ ଏକ୍ସପ୍ରେସ୍‌ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ରହିଛି।  

ଦୁଇ ଦିନରେ ୨୩ ମୃତ, ୪୦ ଗୁରୁତର

ଏକ୍ସପ୍ରେସ୍‌ୱେରେ ଲୋକଙ୍କ ଗନ୍ତବ୍ୟପଥକୁ ହ୍ରାସ କରିବା ଏବଂ କମ ସମୟ ମଧ୍ୟରେ ଲକ୍ଷ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଥିବା ବେଳେ ସବୁଠାରୁ ଚିନ୍ତା ପାଲଟୁଛି ଦୁର୍ଘଟଣା। ଅନେକ ସମୟରେ ଏକ୍ସପ୍ରେସ୍‌ୱେରେ ସଡ଼କ ଦୁର୍ଘଟଣା ଘଟୁଛି। ଫଳରେ ଧନ-ଜବୀନକୁ କ୍ଷତି ପହଞ୍ଚାଉଛି। ପ୍ରତିବର୍ଷ ଏକ୍ସପ୍ରେସ୍‌ୱେରେ ବଡ଼ବଡ଼ ଦୁର୍ଘଟଣା ଘଟୁଛି। ବିଗତ ଦୁଇ ଦିନ (୨୦୨୪ ଜୁଲାଇ ୯ ଓ ୧୦)ରେ ଉତ୍ତର ପ୍ରଦେଶ ଓ ବିହାରରେ ୨ଟି ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଥିରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି।  

ଡବଲଡେକର ବସ୍‌-ଟ୍ୟାଙ୍କର ଧକ୍କା

ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲା ଅଧିନ ‘ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେ’ରେ ବୁଧବାର(ଜୁଲାଇ ୧୦) ଭୋର ସକାଳୁ ଟ୍ୟାଙ୍କର ଓ ଡବଲ ଡେକର ବସ୍‌ (ୟୁପି ୯୫ଟି ୪୭୨୦) ଧକ୍କା ହୋଇଛି। ଏଥିରେ ବସ୍‌ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ବିହାରର ସୀତାମଢ଼ୀରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଭୋର ସକାଳ ପ୍ରାୟ ସାଢ଼େ ୪ଟାରେ ଉନ୍ନାଓର ବେହଟା ମୁଜାବର ଥାନା ଅଧୀନ ଗଢ଼ା ଗାଁ ନିକଟରେ ପହଞ୍ଚିଥିଲା। ସେହି ସମୟରେ ଦ୍ରୁତଗତିରେ ଆସୁଥିବା ଦୁଗ୍ଧ ବୋଝେଇ ଟ୍ୟାଙ୍କର ଓଭରଟେକ୍‌ କରୁଥିଲା। ଏହି ସମୟରେ ବସ୍‌ ସହିତ ଟ୍ୟାଙ୍କର ଧକ୍କା ହୋଇଥିଲା।  

ଅଜଣା ଗାଡ଼ି ଧକ୍କାରେ ୫ ମୃତ

ସେହିପରି ଉତ୍ତର ପ୍ରଦେଶର ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେ’ରେ ସୋମବାର (ଜୁଲାଇ ୯) ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନିଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏକ ଘରୋଇ ଯାତ୍ରୀବସ୍‌ ଦିଲ୍ଲୀରୁ ସିୱାନ ଯାଉଥିଲା। ଏଥିରେ ୫୫ରୁ ୬୦ ଜଣ ଯାତ୍ରୀ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments