ହିନ୍ଦୁ ଧର୍ମରେ ୧୨ ମାସରେ ଅନେକଗୁଡ଼ିଏ ପର୍ବ ପାଳନ ହୋଇଥାଏ। ଭାରତରେ ପାଳନ ହେଉଥିବା ପର୍ବପର୍ବାଣୀଗୁଡ଼ିକ ମଧ୍ୟରୁ ଅନେକ ଜଳାଶୟରେ ପାଳିତ ହୋଇଥାଏ। ଜଳାଶୟରେ ପାଳନ ହେଉଥିବା ପର୍ବ ଯୋଗୁଁ ଅନେକ ସମୟରେ ଅଘଟଣ ଘଟୁଛି। ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଦେଶବ୍ୟାପି ଶ୍ରାବଣରେ ବୋଲବମ, କାର୍ତ୍ତିକ ମାସରେ ଉତ୍ତର ଭାରତରେ ଛଟ୍, ଓଡ଼ିଶାରେ ପୂର୍ଣ୍ଣିମା ବେଳେ ଡଙ୍ଗା ଭସାଇବା, କେରଳର ଓଣାମ ବେଳେ ଡଙ୍ଗା ବୁଡ଼ିବା ସମେତ ଅନ୍ୟ ସ୍ଥାନରେ ଜଳାଶୟରେ ଅଘଟଣ ଘଟି ଲୋକଙ୍କର ମୃତ୍ୟୁ ହେଉଛି। ତେବେ ମୃତ୍ୟୁର କାରଣ ହେଉଛି ଅସାବଧାନତା। ସେହିପରି ପ୍ରଶାସନିକ ଅବହେଳା ଯୋଗୁଁ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କର ମୃତ୍ୟୁ ଘଟୁଛି।
ବିହାରରେ ‘ଜୀବିତପୁତ୍ରିକା’ ଉତ୍ସବ ବେଳେ ବଡ଼ଧରଣର ଅଘଟଣ ଘଟିଛି। ପୂର୍ବ ଏବଂ ପଶ୍ଚିମ ଚମ୍ପାରନ, ନାଳନ୍ଦା, ଔରଙ୍ଗାବାଦ, କୈମୁର, ବକ୍ସାର, ସିୱାନ, ରୋହତସ, ସାରଣ, ପାଟନା, ବୈଶାଳୀ, ମୁଜାଫରପୁର, ସମସ୍ତିପୁର, ଗୋପାଳଗଞ୍ଜ ଏବଂ ଅରୱଲ ଜିଲ୍ଲାୁରେ ପାଣିରେ ବୁଡ଼ିଯାଇ ୩୭ ଶିଶୁଙ୍କ ସମେତ ୪୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏମାନେ ସମସ୍ତେ ନଦୀ ଓ ପୋଖରୀମାନଙ୍କରେ ପବିତ୍ର ବୁଡ଼ ପକାଉଥିବା ବେଳେ ପାଣିରେ ବୁଡ଼ି ଯାଇଛନ୍ତି। ଉତ୍ସବରେ ମହିଳାମାନେ ସେମାନଙ୍କ ପିଲାଙ୍କ ମଙ୍ଗଳ କାମନା କରି ଉପବାସ ରଖନ୍ତି। ଉଭୟ ମା’ ଏବଂ ସେମାନଙ୍କ ପିଲା ବୁଡ଼ ପକାନ୍ତି। ରାଜ୍ୟର ୧୫ଟି ଜିଲ୍ଲାରେ ପୃଥକ୍ ଘଟଣାରେ ପାଣିରେ ବୁଡ଼ି ୪୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି। ଏହା ସହିତ ୩ ଜଣ ନିଖୋଜ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
ମନେ ରହିବ ମୋରବି ଅଘଟଣ
୨୦୨୨ ଅକ୍ଟୋବର ୩୦ରେ ଗୁଜରାଟର ମଚ୍ଛୁ ନଦୀରେ ବ୍ରିଟିଶ ଅମଳରେ ନିର୍ମିତ ମୋରବି ଝୁଲାପୋଲ ଛିଣ୍ଡିଯିବାରୁ ମହିଳା ଏବଂ ଶିଶୁ ସମେତ ୧୩୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତୁର ମରାମତି ପାଇଁ ସାତ ମାସ ଏହାକୁ ବନ୍ଦ କରାଯାଇଥିଲା। କିନ୍ତୁ ଦୀପାବଳି ସମୟରେ ସେତୁକୁ ପୁଣି ଥରେ ଖୋଲା ଯାଇଥିଲା। ହେଲେ ଏହାର ପାଞ୍ଚ ଦିନ ପରେ ଏହି ଦୁଃଖଦାୟକ ଘଟଣା ଘଟି ଯାଇଥିଲା। ଘଟଣା ଦିନ ପୋଲ ଉପରେ ବ୍ୟାପକ ଶ୍ରଦ୍ଧାଳୁ ଯାଉଥିଲେ। ଭାରସାମ୍ୟ ହରାଇ ଅଘଟଣ ଘଟିଥିଲା। ଘଟଣାରେ ସେତୁର ସଞ୍ଚାଳନ ଦାୟିତ୍ଵରେ ଥିବା ଓରେଭା କମ୍ପାନିର ୪ ଜଣଙ୍କ ସହିତ ମୋଟ୍ ନଅ ଜଣଙ୍କୁ ଗିରଫ କରାଯାଇଛି। ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଏହାର ତଦନ୍ତ କରୁଛି।
ଓଡ଼ିଶାରେ ଅଘଟଣ
ଓଡ଼ିଶାରେ ଶ୍ରାବଣ ମାସରେ ଶିବଭକ୍ତମାନେ ଜଳାଶୟରୁ ପାଣି ଭାର ନେଇ ମହାଦେବଙ୍କ ଠାରେ ଜଳାଭିଷେକ କରନ୍ତି। ଏହି ସମୟରେ ଅନେକ ଶ୍ରଦ୍ଧାଳୁ ପାଣିର ଗଭୀରତା ସଂପର୍କରେ ନଜାଣି ବୁଡ଼ି ଯାଇ ମୃତ୍ୟୁବରଣ କରିଥାନ୍ତି। ସେହିପରି ଗଣେଶ ପୂଜା ପରେ ମୂର୍ତ୍ତି ବସିର୍ଜନ ସମୟରେ ମଧ୍ୟ ଅଘଟଣ ଘଟୁଥିବା ନଜିର ରହିଛି। ଗଣେଶ ପୂଜା ପରି ଦୁର୍ଗାପୂଜା ସମୟରେ ମୂର୍ତ୍ତି ଭସାଣି ବେଳେ ଭକ୍ତମାନେ ମାତାଲ ଥାଆନ୍ତି। ଉତ୍ସାହର ସହିତ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ଜୀବନ ହାରିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଓ ହୋଲି ପରେ ଜଳାଶୟରେ ଯୁବପିଢ଼ିଙ୍କ ମୃତ୍ୟୁ ସାଧାରଣ ଘଟଣା ହୋଇଯାଇଛି। ପ୍ରତିବର୍ଷ ରାଜ୍ୟରେ ଧାର୍ମିକ ପର୍ବ ପରେ ଜଳାଶୟରେ ମୃତ୍ୟୁଜନିତ ଅଘଟଣ ଘଟୁଛି। ଏତଦ୍ ବ୍ୟତୀତ ବଣଭୋଜି ସମୟରେ ମଧ୍ୟ ଯୁବପିଢ଼ି ଗାଧୋଇବା ସମୟରେ ପ୍ରାଣ ହାରୁଛନ୍ତି।
ନାବାଳକ ଅଘଟଣର ଶିକାର
ପର୍ବ ପରେ ନାବାଳକମାନେ ଜଳାଶୟରେ ଅଧିକ ମୃତ୍ୟୁ ହେଉଛନ୍ତି। ଗଣେଶ ପୂଜା ପରେ ମୂର୍ତ୍ତି ଭସାଣୀ, ଡଙ୍ଗା ଭସାଣୀ ଓ ହୋଲିରେ ପ୍ରତିବର୍ଷ ନାବାଳକମାନେ ପାଣିରେ ବୁଡ଼ି ମୃତ୍ୟୁ ହେଉଛନ୍ତି। ଚଳିତ ବର୍ଷ ହୋଲି ସମୟରେ ଜଗତସିଂହପୁର ଜିଲ୍ଲା ପାରାଦୀପ, ବାଲେଶ୍ବର ଜିଲ୍ଲା ସୋର ଓ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ୩ ଜଣ ନାବାଳକ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ଯଥାକ୍ରମେ ରାଜକିଶୋର ରାଉତ (୧୨), ଆୟୁଷ ପାତ୍ର (୧୦) ଓ ଆଶିଷ କୁମାର ଦାସ(୧୭)।