ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟରେ ଦେଶବ୍ୟାପି ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ହୋଇଛି। ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ଗଣେଶ ମହୋତ୍ସବ ପାଳନ କରାଯାଇଥିବାରୁ ଭକ୍ତ ଅଧିକ ଉତ୍ସାହିତ ହୋଇଛନ୍ତି। ଓଡ଼ିଶାର ଦେବଗଡ଼, ତାଳଚେର ଓ ଜଟଣୀରେ ମଧ୍ୟ ୧୧ ଦିବସୀୟ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ପୂଜା ଶେଷ ହେଲା ପରେ ଗଣେଶଙ୍କୁ ଜଳାଶୟରେ ବିଦାୟ ଦିଆଯାଇଛି। ମୁମ୍ବାଇରେ ବିଶ୍ବପ୍ରସିଦ୍ଧ ଗଣେଶ ଭସାଣି ଅନୁଷ୍ଠିତ ହୋଇଯାଇଛି। ଏକାଧିକ ଗଣେଶ ମୂର୍ତ୍ତିକୁ ଆଣି ସମୁଦ୍ର ମଧ୍ୟରେ ବିସର୍ଜନ କରାଯାଇଛି। ଗଣେଶଙ୍କ ବିଦାୟ ବେଳେ ଢୋଲ-ମହୁରୀର ତାଳେ ତାଳେତାଳେ ରୋଷଣୀ କରାଯାଇଛି। ଏହାକୁ ଦେଖିବା ପାଇଁ ମୁମ୍ବାଇର ସମୁଦ୍ରକୂଳ ଜନସମୁଦ୍ର ପାଲଟିଥିଲା। ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ବିଘ୍ନରାଜଙ୍କ ଶେଷ ଦର୍ଶନ କରି ସୌଭାଗ୍ୟ ଲାଭ କରିଥିଲେ। ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମୁମ୍ବାଇ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଏହା ସହ ଅନେକ ସାମାଜିକ ସଂଗଠନ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକମାନଙ୍କୁ ସାହାଯ୍ୟ ସୁବିଧା ଯୋଗାଇ ଦେଇଥିଲେ।
ଭଗବାନ ଗଣେଶଙ୍କୁ ଶ୍ରଦ୍ଧାରେ ପୂଜାର୍ଚ୍ଚନା କରାଯାଇଥାଏ। ଦିନକୁ ଦିନ ଗଣେଶ ପୂଜା ଯେତିକି ଆକର୍ଷଣୀୟ ହେଉଛି, ସେହି ହିସାବରେ ଗଣେଶ ପୂଜାରେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳୁଛି। ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ଦେଶର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ ଓଡ଼ିଶାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ହିଂସାକାଣ୍ଡ ଘଟିଛି।
କର୍ଣ୍ଣାଟକରେ ହିଂସା
କର୍ଣ୍ଣାଟକାର ମାଣ୍ଡ୍ୟରେ ଗତ ୧୧ ତାରିଖ ଦିନ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା। ଗଣେଶ ପେଣ୍ଡାଲ ଉପରକୁ ପଥର ମାଡ଼ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘଟଣାକୁ ସାଧାରଣ କହିବା ପରେ ବିଜେପି କର୍ମୀ ଟାର୍ଗେଟ କରିଥିଲେ। ବିଜେପି କହିଥିଲା ଯେ, କଂଗ୍ରେସ ଶାସିତ ରାଜ୍ୟରେ ହିନ୍ଦୁ ଓ ଭଗବାନଙ୍କୁ ଅପମାନ କରାଯାଉଛି। ଉଭୟ ପକ୍ଷଙ୍କ ପଥର ମାଡ଼ରେ ଜଣେ ପୁଲିସ୍ କର୍ମୀ ଆହତ ହୋଇଥିଲେ। ନାଗମଙ୍ଗଳା ଟାଉନ୍ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ମହୀଶୂର ରୋଡରେ ଶୋଭାଯାତ୍ରା ଉପରକୁ ପଥର ମାଡ଼ ହୋଇଥିଲା। ଏପରିକି ସଂଘର୍ଷ ବେଳେ ଖଣ୍ଡା ବୁଲିଥିଲା। ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଏଯାଏଁ ୫୦ ଜଣଙ୍କୁ ଗିରଫ କରାଯାଇଛି।
ନବରଂଗପୁରରେ ୨ ଆହତ
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମରେ ଗତ ୧୨ ତାରିଖ ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷର ଦୁଇ ଜଣ ଲୋକ ଗୁରୁତର ଆହତ ହୋଇଥିଲେ। କିଛି ଲୋକ ସାମାନ୍ୟ ଆହତ ହୋଇଥିଲେ। ଗ୍ରାମ ପରିକ୍ରମା କରିବା ସମୟରେ ପୂଜା କମିଟିର ଦୁଇ ଜଣ ଯୁବକଙ୍କ ମୋବାଇଲ ରାସ୍ତାରେ ଖସି ଯିବା ପରେ କିଛି ସମୟ ପାଇଁ ମୋବାଇଲ ଖୋଜିବାକୁ ନାଚ ଗୀତ ଓ ବାଜା ବନ୍ଦ କରି ଦେଇଥିଲେ। ଠିକ୍ ଏହି ସମୟରେ ଡଙ୍ଗରିଗୁଡ଼ାର ଧନ ସିଂ ପୂଜାରୀ ନାମକ ଯୁବକ କାହିଁକି ବାଜା ବନ୍ଦ କଲ ଏବଂ ଗଣେଶ ମୂର୍ତ୍ତିକୁ ଅନ୍ୟ ଏକ ସାହିକୁ ପରିକ୍ରମା କର ବୋଲି ଅଯଥା ଯୁକ୍ତି କରିଥିଲେ। ଏହି କଥାକୁ ନେଇ ଗଣେଶ ପୂଜା କମିଟି ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।