Monday, October 14, 2024
Homeଖବରହାଥରସ୍‌ ସତ୍‌ସଙ୍ଗ ନେଲା ୧୩୦ ଜୀବନ

ହାଥରସ୍‌ ସତ୍‌ସଙ୍ଗ ନେଲା ୧୩୦ ଜୀବନ

ଭୁବନେଶ୍ବର ଉତ୍ତର ପ୍ରଦେଶର ହାଥରସରେ ମଙ୍ଗଳବାର ନାରାୟଣ ସାକାର ବିଶ୍ବ ହରି (ଭୋଲେ ବାବା)ଙ୍କ ସତ୍‌ସଙ୍ଗ୍‌ ଶେଷ ହେଲା ପରେ ଭୟଙ୍କର ଦଳାଚକଟା ଘଟଣା ଦେଖିବାକୁ ମିଳିଛି। ଏହି ଅପ୍ରୀତିକର ଘଟଣାରେ ୧୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ମୃତକମାନଙ୍କ ମଧ୍ୟରେ ଶତାଧିକ ମହିଳା ଅଛନ୍ତି। ଏହି ଘଟଣାରେ ଆହତ ଶତାଧିକ ଲୋକଙ୍କର ଚିକିତ୍ସା ଜାରି ରହିଛି। ହାଥରସ, ଏଟା ଓ କାସଗଂଜ ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରୁ ମଧ୍ୟ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ। ପ୍ରାୟ ୧ ଲକ୍ଷ ଲୋକଙ୍କର ସମାଗମ ହୋଇଥିଲା ବୋଲି କୁହାଯାଉଛି। ତେବେ ଶ୍ରଦ୍ଧାଳୁଙ୍କ ଦେଢ଼ଲକ୍ଷ ଭିଡ଼ ତୁଳନାରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ଦୁର୍ଘଟଣା ଘଟିଥାଇ ପାରେ। ବିଶେଷ ଭାବରେ ଗୁଳୁଗୁଳି ଓ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ କାର୍ଯ୍ୟକ୍ରମ ଶେଷ ହେଲା ପରେ ଏଣେତେଣ ପଳାୟନ କରୁଥିଲେ।
ହାତଥର ଦଳାଚକଟା ମାମଲା‌ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ସମ୍ବେଦନଶୀଳ ଘଟଣା‌କୁ ଉତ୍ତରପ୍ରଦେଶ ସରକାର ଗୁରୁତର ସହିତ ନେଇଛନ୍ତି। ଘଟଣା ପାଇଁ ଦାୟୀ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ହାଥରସ ଗସ୍ତ କରିବା ସହ ପୀଡିତ ପରିବାରକୁ ଭେଟିଛନ୍ତି। ସ‌େହିପରି ଚିକିତ୍ସାଧୀନ ଆହତଙ୍କୁ ଭେଟି କଥା ହୋଇଛନ୍ତି। ପୂର୍ବରୁ ସେ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ। ସେହିପରି ଆହତମାନଙ୍କ ମାଗଣାରେ ଚିକିତ୍ସା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ୍‌ କରି କହିଛନ୍ତି, ହାଥରସ ଦୁର୍ଘଟଣାରେ ମହିଳା ଓ ଶିଶୁମାନଙ୍କ ସମେତ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସମାଚାର ହୃଦୟ ବିଦାରକ। ନିଜର ପରିବାର ଲୋକଙ୍କୁ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହିତ ସମବେଦନା ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାକୁ ନେଇ କହିଛନ୍ତି, ଉତ୍ତରପ୍ରଦେଶର ହାଥରସରେ ଦୁଃଖଦ ମୃତ୍ୟୁ ସଂପର୍କରେ ଅବଗତ ହୋଇଛି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ କାମନା। ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୀଡିତଙ୍କ ଯଥା ସମ୍ଭବ ସହଯୋଗ କରାଯିବ। ହାଥରସର ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାରେ ହୋଇଥିବା ଜନହାନୀ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଏବଂ ହୃଦୟ ବିଦାରକ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସମ୍ବନ୍ଧିତ ଅଧିକାରୀମାନେ ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ସମୁଚିତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋହନ ଚରଣ ମାଝୀ କହିଛନ୍ତି, ଉତ୍ତରପ୍ରଦେଶରେ ସତ୍‌ସଙ୍ଗ ସମୟରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ବ୍ୟଥିତ କରିଛି। ଦଳଚକଟାରେ ଜୀବନ ହରାଇଥିବା ଲୋକଙ୍କର ସଂପର୍କୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ମହାପ୍ରଭୁ ଜଗନ୍ନାଥ, ପୀଡିତ ପରିବାରକୁ ଅସୀମ କଷ୍ଟ ସହିବା ପାଇଁ ଶକ୍ତି ଦିଅନ୍ତୁ। ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

ଛଟପଟ ହୋଇ ଜୀବନ ହାରିଲା ଝିଅ

ସତ୍‌ସଙ୍ଗ ଶେଷ ହେଲା ପରେ ଭିଡ଼ ଭିତରେ ଲୋକେ ଯାଉଥିଲେ। ଅଚାନକ ପଛପଟରୁ ଲୋକେ ଚାପି ହୋଇଯାଇଥିଲେ। ଭିଡ଼ ଅନିୟନ୍ତ୍ରିତ ଥିଲା ଏବଂ ଲୋକେ ତଳେ ପଡ଼ିଯାଇଥିଲେ। ଭିଡ଼ ନିୟନ୍ତ୍ରଣ କରିବାର ସହଜ ନଥିଲା। ଜଣକ ପରେ ଜଣେ ଟଳିପଡ଼ିଲେ। ପୋଷ୍ଟମର୍ଟମ ହାଉସକୁ ଯାଇଥିବା କାସଗଂଜର ଗୁଡ୍ଡୋ ଦେବୀ ନିଜର ୨୦ ବର୍ଷୀୟ ଝିଅ ‌ପ୍ରିୟଙ୍କାଙ୍କ ସହିତ ସତ୍‌ସଙ୍ଗ୍‌ ଶୁଣିବାକୁ ଯାଇଥିଲେ। ସତ୍‌ସଙ୍ଗ ଶେଷ ହେଲା ପରେ ସମସ୍ତେ ସେଠାରୁ ଫେରୁଥିଲେ। ଏହି ସମୟରେ ଦଳଚକଟା ହୋଇଥିଲା। ଝିଅ ନିଜର ଚପଲ ଉଠାଇବା ସମୟରେ ଭିଡ଼ରେ ଫସିଯାଇଥିଲା। ଲୋକେ ଏହାରି ଭିତରେ ଆଗକୁ ବଢୁଥିଲେ। ତେବେ ଏହି ଘଟଣାରେ ଝିଅ ଆହତ ହୋଇଥିଲା। ତାର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାର ସାମ୍ନା କରିଛନ୍ତି ପୂଜାନାମ୍ନୀ ଜଣେ ମହିଳା। ଧୀର ସ୍ବରରେ ସେ କହୁଛନ୍ତି। ପୂଜା ମୃତ୍ୟୁର ତାଣ୍ଡବକୁ ଆଖି ଆଗରେ ଦେଖିଛନ୍ତି।  

ରଥଯାତ୍ରାରେ ମହାପ୍ରଭୁଙ୍କ ଆଶୀର୍ବାଦ  

ଯେଉଁଠି କାର୍ଯ୍ୟକ୍ରମର ଭୌଗଳିକ ସୀମା ତୁଳନାରେ ଲୋକଙ୍କର ଅଧିକ ଭିଡ଼ ହୋଇଥାଏ, ସେଠାରେ ଦଳଚକଟା ହେବାର ଆଶଙ୍କା ରହିଛି। ହାତରସରେ ସ୍ଥାନ ତୁଳନରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ହୋଇଥିଲା। ତେବେ ମହାପ୍ରଭୁଙ୍କ ରଥଯାତ୍ରା ଏହି ସପ୍ତାହରେ ହେବାକୁ ଥିବାରୁ ସରକାର, ପ୍ରଶାସନ ଓ ଶ୍ରୀମନ୍ଦିରର ଚିନ୍ତା ବଢ଼ିଯାଇଛି। ପ୍ରତିବର୍ଷ ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କର ଆଗମନ ହେଉଥିଲେ ବି ସୁରୁଖୁରୁରେ ଯାତ୍ରା ସଂପନ୍ନ ହେଉଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ମଧ୍ୟ ଭଲରେ ଭଲରେ ଶେଷ ହେଉ ଏହା ସମସ୍ତଙ୍କର କାମନା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments