ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ଶେଷ ହେବା ଏବଂ ଫଳାଫଳ ପ୍ରକାଶ ପାଇବାକୁ ଅଢ଼େଇ ମାସ ବିତି ସାରିଛି। ଓଡ଼ିଶାରେ ନିକଟରେ ପଞ୍ଚାୟତିରାଜ ଅଥବା ପୌର ନିର୍ବାଚନ ମଧ୍ୟ ହେବାର ନାହିଁ। ତଥାପି ନେତାଙ୍କ ଦଳ ଛାଡ଼ିବା ଓ ଦଳବଦଳାଇବା ଆଶ୍ଚର୍ଯ୍ୟ କରୁଛି। ବିଶେଷ କରି ରାଜ୍ୟରେ ନିରବଚ୍ଛିନ୍ନ ଭାବେ ୨୪ ବର୍ଷ ଶାସନ କରିଥିବା ବିଜୁ ଜନତା ଦଳ (ବିଜେଡି) ପ୍ରତି ଦଳୀୟ ନେତାଙ୍କର ଆତ୍ମବିଶ୍ବାସ ହ୍ରାସ ପାଉଛି। ବିଜେଡିର ବରିଷ୍ଠ ନେତାଙ୍କ ସମେତ କର୍ମୀମାନେ ଦଳ ପରିତ୍ୟାଗ କରୁଛନ୍ତି। ବିଗତ ଏକ ମାସ ମଧ୍ୟରେ ବିଜେଡିର ୫୦ରୁ ଅଧିକ କର୍ମୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।
ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଆସିଥିଲେ। ସେହିପରି ଆସାମ, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରୁ ମୁଖ୍ୟମନ୍ତ୍ରୀ ଆସିଥିଲେ। ଓଡ଼ିଶାରେ ଜୋରଦାର ପ୍ରଚାର କରିବା ସହିତ ଜନତାଙ୍କର ମନ କିଣିଥିଲେ। ଓଡ଼ିଶାର ଜନତା ମଧ୍ୟ ବିଜେପିକୁ ସମର୍ଥନ ଦେଇ ସରକାର ଆଣିଥିଲେ। ତେବେ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରାପଡ଼ା ସଭାମଂଚରୁ ବିଜେଡିକୁ ପ୍ରଧାନମନ୍ତ୍ରୀ ମୋଦୀ ଶାଣିତ ଆକ୍ରମଣ କରିଥିଲେ। ସେ କହିଥିଲେ, ୨୫ ବର୍ଷ ପରେ ଓଡ଼ିଶାବାସୀ ପରିବର୍ତ୍ତନ ପାଇଁ ଭୋଟ୍ କରିଛନ୍ତି। ଦାଦନ ସରକାର ହଟାଇବା ପାଇଁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଭୋଟ୍ ଦେଇଛି ଓଡ଼ିଶା। ଓଡ଼ିଶାରେ ବିଜେପି ପାଇଁ ଲୋକ ବମ୍ପର ଭୋଟିଂ କରିଛନ୍ତି। ବିଜେଡିରେ ଯେଉଁଭଳି ଭାବେ ରାଜନୀତି ଚାଲିଛି, ସେହି ଦଳରେ ବିସ୍ଫୋରଣ ହେବ।
ବିନା ନିର୍ବାଚନରେ ଦଳ ଅଦଳବଦଳ
ବିଗତ ୨୦ ଦିନର ଘଟଣା ଯଦି ଦେଖିବା ମୋଦୀଙ୍କ ଭାଷଣ ସତରେ ପରିଣତ ହେବାକୁ ଯାଉଛି କି? ଶଙ୍ଖ ଶିବିର ମଳିନ ପଡ଼ିବାକୁ ଯାଉଛି। ଅନ୍ୟପଟରେ ପଦ୍ମ ଫୁଲ ସତେଜ ହେଉଛି। ବିନା ନିର୍ବାଚନରେ ଦଳବଦଳ ପ୍ରକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଅଳ୍ପ ଦିନ ଭିତରେ ମୟୂରଭଂଜ, କେନ୍ଦୁଝର, ଯାଜପୁର ଓ ଭୁବନେଶ୍ବରର କିଛି ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକଗୁଡ଼ିଏ ନେତା ବିଜେଡି ଛାଡ଼ିବେ ବୋଲି ବିଜେପି ବିଧାୟକ ବାବୁ ସିଂହ ବୟାନ ଦେଇଛନ୍ତି। ଭୁବନେଶ୍ବର ଏକାମ୍ରରୁ ବିଧାୟକ ଶ୍ରୀ ସିଂହ କହିଛନ୍ତି, ଅନେକ ବିଜେଡି ନେତା ଓ କର୍ମୀ ବିଜେପିର ସଂପର୍କରେ ଅଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନଙ୍କୁ ସମର୍ଥନ
ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଓ ବିଜେଡିର ଗଡ଼ ଯାଜପୁରରେ କର୍ମୀମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଆଉ ପସନ୍ଦ କରିନାହାନ୍ତି। କେନ୍ଦୁଝର ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା, ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଲକ୍ଷ୍ମୀ ନାଏକ, ବରିଷ୍ଟ ନେତା ତଥା ବ୍ଲକ ଓ ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ଜଗନ୍ନାଥ ସିଂହଙ୍କ ସମେତ ବହୁ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଯାଜପୁରରେ ବିଜେଡି ସ୍ଥିତି ଏବେ ଗଡ଼ବଡ଼ ଥିବା ଜଣାଯାଇଛି। ଗତ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୪ଟି ବିଧାନସଭା ଆସନରେ ପରାଜୟ ଲଭିବା ପରେ ବିଜେପି ଶକ୍ତିବୃଦ୍ଧି ଆରମ୍ଭ କରିଛି। ତୃଣମୂଳସ୍ତରରୁ ସଂଗଠନ ହାତମୁଠାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଧର୍ମଶାଳା ବ୍ଲକ୍ର ଏକାଧିକ ସମିତିସଭ୍ୟ, ସରପଞ୍ଚ ବିଜେଡି ଛାଡ଼ି ବିଜେପି ହାତ ଧରିବାର ଦିନ କେଇଟା ପରେ ବିଜେଡି ବିଧାୟକ ଜିତିଥିବା ବରୀ ବ୍ଲକ୍ରେ ସମାନ ସ୍ଥିତି ଉପୁଜିଛି। ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ିଙ୍କ ସମେତ ୭ ପଞ୍ଚାୟତର ସରପଞ୍ଚ ଓ ୧୧ ପଞ୍ଚାୟତର ସମିତିସଭ୍ୟ ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଏମାନେ ବିଜେପିରେ ମିଶିବା ଘଟଣା ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି କରିଛି।
ନେତାଙ୍କୁ ଗୁରୁତ୍ବ ଦେଉନି ବିଜେଡି?
ରାଜ୍ୟସଭା ସାସଂଦ ପଦରୁ ଇସ୍ତଫା ଦେବା ସହିତ ମମତା ମହାନ୍ତ ବିଜେଡି ଛାଡ଼ିଥିଲେ। ସେ ବିଜେପିରେ ସାମିଲ ହୋଇଥିବା ବେଳେ ଭୁବନେଶ୍ୱର ୩୭ ନମ୍ବର ଓ୍ୱାର୍ଡର କର୍ପୋରେଟର ବନ୍ଦିତା ପାଲ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ଛାଡିବା ପରେ ସେ ପଦ୍ମ ଶିବିରରେ ସାମିଲ ହେଇଛନ୍ତି। ତାଙ୍କ ସହ ତାଙ୍କ ସ୍ଵାମୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ଓ ଛାତ୍ର ବିଜେଡ଼ିର ଉପସଭାପତି ପ୍ରଭୁ ଦତ୍ତ ସାମଲ ମଧ୍ୟ ବିଜେପିରେ ସାମିଲ ହେଇଛନ୍ତି। ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଲା ପରେ ବନ୍ଦିତା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି। ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ ଲୋକଙ୍କ କାମ କରିବା ପାଇଁ ଅନନ୍ତ ତାଙ୍କୁ ସମର୍ଥନ କରୁନଥିଲେ। ବିଜେଡ଼ି ମଧ୍ୟ ଲୋକଙ୍କ କାମ କରିବା ପାଇଁ ସୁଯୋଗ ଦେଉନଥିଲା ବୋଲି କହିଛନ୍ତି। ଏହାସହ ତଳସ୍ତରର ଜନ ପ୍ରତିନିଧିଙ୍କ ପ୍ରତି ଉପରସ୍ତରର ଜନ ପ୍ରତିନିଧିଙ୍କ ସମର୍ଥନ ରହୁ ନଥିଲା। ଯେଉଁ ଦଳ ଲୋକାଭିମୁଖୀ କାର୍ଯ୍ୟରେ ବାଧା ଦେଉଛି, ସେ ଦଳ ଛାଡ଼ି ଦେବା ଉଚିତ।