ନୂଆଦିଲ୍ଲୀ: ବିଗତ ୭ ଦିନ ଭିତରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଅନେକ ପରିବାର ଶେଷ ହୋଇଯାଇଛି। କିଛି ପରିବାରକୁ ବଞ୍ଚିଥିବା ପର୍ଯ୍ୟନ୍ତ ଲୁହ ପିଇପିଇ ବଞ୍ଚିବାକୁ ପଡ଼ିବ। କେବଳ ସେତିକି ନୁହେଁ ଅଗ୍ନିକାଣ୍ଡ ଯୋଗୁଁ ବହୁ ଧାନସଂପତ୍ତି ନଷ୍ଟ ହୋଇଛି, ଯେଉଁଥି ପାଇଁ ପୀଡିତଙ୍କୁ ଅଣ୍ଟା ସଳଖ କରି ଛିଡ଼ା ହେବା ପାଇଁ ଅନେକ ବର୍ଷ ମଧ୍ୟ ଲାଗିଯାଇପାରେ। ଗୁଜରାଟର ରାଜକୋଟ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ଅଗ୍ନିକାଣ୍ଡ ଜନିତ ଘଟଣା ଘଟିଛି। ଉତ୍ତର ଓ ପଶ୍ଚିମ ଭାରତରେ ଏବେ ଗ୍ରୀଷ୍ମଲହରୀ ଜାରି ରହିଛି। ପ୍ରବଳ ଗ୍ରୀଷ୍ମ ଲହରୀ କାରଣରୁ ଅଗ୍ନିକାଣ୍ଡ ଘଟଣା ବଢ଼ୁଥିବା କୁହାଯାଉଛି।
ଗୁଜରାଟର ରାଜକୋଟସ୍ଥିତ ଟିଆରପି ଗେମିଂ ଜୋନ୍ରେ ଗତ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଗେମିଂ ଜୋନ୍କୁ ସମସ୍ତେ ଖୁସି ପାଇଁ ଯାଇଥିଲେ। କିନ୍ତୁ ଭାବି ନଥିଲେ ଯେ, ଏମିତି ଏକ ଅଘଟଣର ଶିକାର ହେବେ। ଏଥିରେ ଆନକ ଶିଶୁ ଓ ମହିଳାଙ୍କ ସମେତ ୨୮ ଜଣ ଆଖିବୁଜିଥିଲେ। ଏପରିକି କୋର୍ଟ ମ୍ୟାରେଜ୍ ପରେ ରୀତିନୀତି ଅନୁଯାୟୀ ବିବାହ କରିବାକୁ ସ୍ବପ୍ନ ଦେଖିଥିବା ଭାରତୀୟ ମୂଳ କାନାଡାରୁ ଆସିଥିବା ଯୁବକ ମଧ୍ୟ ଏହି ଅଗ୍ନିକାଣ୍ଡର ଶିକାର ହୋଇଥିଲେ। ଘଟଣା ଦିନ ଅପରାହ୍ଣରେ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମିଳିବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା। କିନ୍ତୁ ସେତେବେଳକୁ ସବୁ କିଛି ସରିଯାଇଥିଲା।
କାରଖାନାରେ ଅଗ୍ନିକାଣ୍ଡ
ଉତ୍ତରପ୍ରଦେଶର ଆଲୀଗଡ ତାଲାନଗରୀ ଅଂଚଳରେ ଥିବା ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଆଲୀଗଡର ତାଲାନଗରୀ ଅଂଚଳରେ ବାଲକାମେଶ୍ୱର ନାମକ ଏକ ଲୁହା ତରଳା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ସେହିପରି ଛତିଶଗଡ଼ର ସର୍ବବୃହତ୍ତ ବାରୁଦ କାରଖାନାରେ ଶନିବାର ଦିନ ସକାଳୁ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ୬ ଜଣ ଲୋକ ଆହତ ହୋଇଥିଲେ। ବେମତରାସ୍ଥିତ କାରଖାନାରେ ବିସ୍ଫୋରଣ ପରେ ଅଳ୍ପ ସମୟ ମଧ୍ୟରେ କାରଖାନାରେ ଅଗ୍ନିକାଣ୍ଡ ଦେଖାଯାଇଥିଲା। ବିସ୍ଫୋରଣର ମାତ୍ରା ଅତି ଭୟଙ୍କର ଥିଲା। କାରଣ ଏହି ବିସ୍ପୋରଣ ବହୁ ଦୂରକୁ ଶୁଭାଯାଇଥିଲା।
ଦିଲ୍ଲୀ ଅଗ୍ନିକାଣ୍ଡରେ ୧୦ ମୃତ, ୨୨ ଆହତ
ପୂର୍ବ ଦିଲ୍ଲୀର ବିବେକ ବିହାରରେ ଶନିବାର ରାତିରେ ଘଟିଥିବା ଅଗ୍ନିକାଣ୍ଡରେ ୭ ଜଣ ନବଜାତଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୧୨ ଜଣ ଶିଶୁଙ୍କୁ ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଥିଲା। ବିବେକ ବିହାର ଅଞ୍ଚଳର ବ୍ଲକ-୧, ଆଇଟିଆଇ ନିକଟରେ ଥିବା ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଥିଲା। ଦମକଳ ବାହିନୀର ୯ଟି ଗାଡ଼ି ନିଆଁଲିଭା କାମରେ ନିୟୋଜିତ ଥିଲେ। ଜାତୀୟ ଗଣମାଧ୍ୟମକୁ ଜଣେ ଅଧିକାରୀ କହିଛନ୍ତି, ବେବି କେୟାର ସେଣ୍ଟରରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଦିଲ୍ଲୀର ବିବେକ ବିହାର ପରେ କୃଷ୍ଣାନଗରରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୧୦ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୪ ମହଲା କୋଠା ନିକଟସ୍ଥ ପାର୍କିଂରେ ଥିବା ୧୧ଟି ବାଇକ୍ରେ ଏହି ଅଗ୍ନିକାଣ୍ଡ ହୋଇଥିଲା, ଯାହାକି ପ୍ରଥମ ମହଲାକୁ ବ୍ୟାପିଥିଲା । ଏହା ପରେ ପ୍ରଥମ ମହଲାକୁ ନିଆଁ ବ୍ୟାପିଥିଲା।