Tuesday, September 17, 2024
Homeଅଲୋଡ଼ା ନୁହଁନ୍ତି ଝିଅ
Array

ଅଲୋଡ଼ା ନୁହଁନ୍ତି ଝିଅ

ଭୁବନେଶ୍ୱର: ଦୁହିତା ଦୁଇ କୁଳକୁ ହିତା । ଏକଥା ସମସ୍ତେ ଜାଣିଛନ୍ତି । ଝିଅଟିଏ ବାପା-ମା’ଙ୍କୁ ଯେତିକି ଭଲ ପାଇଥାଏ, ପୁଅ ପାଖରୁ ତାହା ଆଶା କରାଯାଇ ପାରିବ ନାହିଁ । ଅନେକ ଉଚ୍ଚ ଶିକ୍ଷିତମାନେ କୁହନ୍ତି, ପୁଅ ତୁଳନାରେ ଝିଅ ୮ ଗୁଣ ଭଲ । ପୁଣି ପୁଅ ପାଇଁ ବାପାଙ୍କୁ ଯେତିକି ଟଙ୍କା ଅଥବା ସଂପତ୍ତି ରଖିବାକୁ ପଡ଼ିଥାଏ, ଝିଅ ପାଇଁ ସେତିକି କରିବାକୁ ପଡ଼ି ନଥାଏ । ତଥାପି ଆମ ସମାଜରେ ଅନେକ ଜହ୍ଲାଦ ବାପା ଅଛନ୍ତି, ଯେଉଁମାନେ କି ଝିଅକୁ ଭଲ ପାଆନ୍ତି ନାହିଁ । ଝିଅଟି ଜନ୍ମ ହେଲା ପରେ ମୁହଁ ସୁଖାଇ ଦେଇଥାନ୍ତି । ପୁଅର ଜନ୍ମଦିନ ପାଇଁ ଯେତିକି ଉତ୍ସାହ ଥାନ୍ତି, ଝିଅ ପାଇଁ ସେତିକି ନଥାନ୍ତି ।

ସୃଷ୍ଟିର ମୂଳ ନାରୀ । ଶିଶୁକନ୍ୟାକୁ ଯଦି ନାରୀ ରୂପରେ ପରିଣତ ନକରିବା, ତା’ହେଲେ ଆମ ସମାଜ ଗଢ଼ିହେବ କେମିତି । କେବଳ ପୁରୁଷଙ୍କୁ ନେଇ ଆମ ସମାଜ ଗଢ଼ି ହେବ କି? ଆମକୁ ଯେପରି ବାପା ଦରକାର ଅଛି, ସେମିତି ମା’ର ମଧ୍ୟ ଆବଶ୍ୟକତା ରହିଛି । ଭାଇ ଯେମିତି ଦରକାର ଠିକ୍ ସେହିପରି ଭଉଣୀର ମଧ୍ୟ ଆବଶ୍ୟକତା ରହିଛି । କିନ୍ତୁ କ୍ଷୋଭର ବିଷୟ ଯେ, ଅତ୍ୟାଧୁନିକ ସମାଜରେ ଲିଙ୍ଗ ଭେଦଭାବ ଏକ ବଡ଼ ସମସ୍ୟା ପାଲଟିଛି । ନବଜାତ ଶିଶୁକନ୍ୟାକୁ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେବା, ମହିଳା ତଥା ଯୁବତୀଙ୍କୁ ଦୁଷ୍କର୍ମ କରିବା ନିର୍ଯାତନା ଦେବା ସଭ୍ୟ ମଣିଷର ଅସଭ୍ୟ ପ୍ରକୃତିକୁ ଦର୍ଶାଉଛି । ସବୁଠାରୁ କ୍ଷୋଭର କଥା ହେଲା ଯେ, ବାପା ହାତରେ ଝିଅର ଜୀବନ ଯିବା ।

୨୦ ଦିନର ଶିଶୁକନ୍ୟାକୁ ବିଷ ଇଞ୍ଜେକସନ

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକୋଶିଆ ପୂର୍ବରୁ ଝିଅକୁ ବିଷାକ୍ତ ଇଞ୍ଜେକସନ ଦେବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅମାନୁଷିକ ଘଟଣାରେ ସଂପୃକ୍ତ ଜହ୍ଲାଦ ବାପାକୁ ପୁଲିସ ଗିରଫ କରିଛି । ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି । ମଲ୍ଲିକାଶପୁର ଗାଁର କାର୍ତ୍ତିକ ମହାର୍ଣ୍ଣାଙ୍କ ପୁଅ ଚନ୍ଦନ ୨୦୨୨ରେ ସିଙ୍ଗିରୀ ଗ୍ରାମର ତନ୍ମୟା ସିଂହଙ୍କୁ ବିବାହ କରିଥିଲା । ଗତ ମେ’ ମାସ ୯ ତାରିଖରେ ତନ୍ମୟା ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ତନ୍ମୟା ଝିଅ ଜନ୍ମକଲେ ବୋଲି ଚନ୍ଦନ ଖୁସିରେ ନଥିଲେ । ଡାକ୍ତରଖାନାରେ ୭ ଦିନ ରହିଲା ପରେ ନବଜାତକନ୍ୟାକୁ ନେଇ ତନ୍ମୟା ବାପ ଘରକୁ ଯାଇଥିଲେ । ମେ’ ୩୦ ତାରିଖରେ ଏକୋଶିଆ ଥିଲା । ଏଥି ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଥିବା ବେଳେ ଚନ୍ଦନ ନିଜ ନବଜାତଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଏବଂ ଅନ୍ୟମାନଙ୍କର ଅନୁପସ୍ଥିତିରେ ଝିଅକୁ ବିଷାକ୍ତ ଇଞ୍ଜେକସନ ଦେଇଥିଲା ।

୧୯ ବର୍ଷୀୟ ଝିଅକୁ ଛୁରୀ ଭୁସିଲା ବାପା

ପାରିବାରିକ ବିବାଦକୁ ନେଇ ୧୯ ବର୍ଷୀୟ ଝିଅକୁ ଜଣେ ବାପା ଛୁରୀ ଭୁସି ହତ୍ୟା କରିଥିଲା । ଗୁଜୁରାଟର ସୁରାଟରେ ଗତମାସ ୧୯ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା । ସୁରତ ଜିଲ୍ଲା କାଦୋଦର ଥାନା ଅନ୍ତର୍ଗତ ପଲସାନା ତାଲୁକା ନିକଟ ସତ୍ୟନାରାୟଣ ନଗରରେ ଜହ୍ଲାଦ ପାଲଟିଥିଲା ବାପା ରାମାନୁଜ ସାହୁ(୪୫) । ବିହାରର ସିୱାନ ଜିଲ୍ଲା ମୂଳ ନିବାସୀ ରାମାନୁଜ ଓ ସ୍ତ୍ରୀ ରେଖାଦେବୀଙ୍କ ମୃତ ଚନ୍ଦ୍ରମୁଖୀଙ୍କ ସମେତ ୩ ସନ୍ତାନ । ସୁରଟରେ ସେମାନେ ଏକ କାରଖାନାରେ କାମ କରୁଥିଲେ । ଘଟଣା ଦିନ କାର୍ଯ୍ୟସ୍ଥଳରୁ ଫେରି ଏକ ବେଡସିଟ ନେଇ ଘର ବାହାରେ ମା’ଓ ଝିଅ ଶୋଇଥିଲେ । ରାମାନୁଜ ଏହାକୁ ବିରୋଧ କରିଥଲା । ଶେଷରେ ବିରକ୍ତ ହୋଇ ମା’ ଓ ଝିଅକୁ ହତ୍ୟା କରିଦେଇଥିଲା ।

ଅନର କିଲିଂ ଚିନ୍ତା ବଢ଼ାଉଛି

ଆମ ସମାଜରେ ଅନର କିଲିଂ ସବୁଠାରୁ ଅନ୍ୟ ଏକ ବଡ଼ ଚିନ୍ତା ବଢ଼ାଉଛି । ଝିଅ ପିଲାମାନେ ପାଠପଢ଼ି ବଡ଼ ହୋଇଗଲା ପରେ ସେମାନେ ନିଜର ଜୀବନସାଥୀ ଖୋଜୁଛନ୍ତି । ଶିକ୍ଷିତ ପିଲମାନେ ଜାତି, ଧର୍ମ, ବର୍ଣ୍ଣ, ସଂପତ୍ତିକୁ ତୁଳନା ନକରି ଭଲ ଜୀବନସାଥୀ ଖୋଜନ୍ତି । ଅନ୍ୟପଟରେ ପାଳିପୋଷି ବଡ଼ କରିଥିବା ଝିଅକୁ ନିଜ ଇଚ୍ଛାରେ ବାହା ଦେବା ପାଇଁ ପରିବାର ତଥା ବାପାମାନେ ଚାହିଁଥାନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ବାପାମାନେ ଯେତେବେଳେ ନିଜ ଆଶା ପୂରଣ କରିପାରନ୍ତି ନାହିଁ, ସେହି ସମୟରେ ସେମାନେ ଜହ୍ଲାଦ ପାଲଟିବାକୁ ପଛାନ୍ତି ନାହିଁ । ଏକଦା ଝିଅକୁ ଦେଖିଲେ ଭୋକଶୋଷ ଭୁଲିଯାଉଥିବା ବାପାମାନେ ଅପରାଧୀ ହୋଇଯାଆନ୍ତି । ସେହିପରି ଅନେକ ଝିଅ ନିଜ ଜିଦ୍‌ରେ ବିବାହ କରିଥିବାରୁ ପରିବାର ସଂସାର ରଥକୁ ଠିକ୍‌ରେ ଚଳାଇ ନପାରିବାରୁ ଶେଷରେ ଜୀବନ ହାରିଥାନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments