ଭୁବନେଶ୍ୱର: ମହାରାଷ୍ଟ୍ରର ବୁଲଢ଼ାନା ଜିଲ୍ଲା ସିନ୍ଦଖେଡ ରାଜା ସହର ନିକଟର ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ‘ସମୃଦ୍ଧି ଏକ୍ସପ୍ରେସ୍ ୱେ’ରେ ବିଳମ୍ବିତ ରାତିରେ ହୋଇଛି । ସିଟି ଲିଙ୍କ ଟ୍ରାଭେଲ୍ସର ବିଳାସମୟ ବସ୍ ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା । ବସ୍ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଏଥିରେ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ଅଳ୍ପ ସମୟ ମଧ୍ୟରେ ଯାତ୍ରୀବାହୀ ବସ୍ଟି ଜଳିଯାଇଥିଲା । ବସ୍ ଭିତରେ ଥିବା ଲୋକମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି ବୋଲି ଜାଣିଲା ବେଳକୁ ୨୬ ଜଣଙ୍କର ଜୀବନ ଦୀପ ଲିଭି ସାରିଥିଲା ।
ବୁଲଢାଣା ଏସ୍ପି ସୁନୀଲ କଡାସେନ୍ କହିଛନ୍ତି ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବିଳାସମୟ ଯାତ୍ରୀବାହୀ ଶୀତତାପ ନିୟନ୍ତ୍ରିତ ବସ୍ରେ ମୋଟ ୩୩ ଜଣ ଲୋକ ଥିଲେ । ପିମ୍ପଲଖୁଣ୍ଟା ଗାଁ ନିକଟରେ ରାତି ପ୍ରାୟ ୧ଟା ୩୦ରେ ବସ୍ର ଟାୟାର ଫାଟିଯିବାରୁ ଦୁର୍ଘଟଣା ଘଟିଥିଲା । ଏହା ପରେ ବସ୍ଟି ନିୟନ୍ତ୍ରଣ ହରାଇ ଡିଭାଡରକୁ ଧକ୍କା ଦେଇଥିଲା ଏବଂ ଓଲଟିପଡ଼ିଥିଲା । ୩ ଜଣ ଶିଶୁଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
ମହାରାଷ୍ଟ୍ର ବସ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ନିକଟତର ସଂପର୍କୀୟଙ୍କୁ ୨-୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେହିପରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘଟଣାକୁ ନେଇ ଶୋକ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିବାସ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ବୁଲଢ଼ାନାରେ ବସ୍ ଦୁର୍ଘଟଣାରେ ମୃତକଙ୍କ ସଂପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମିଳିବ । ଆହତଙ୍କୁ ମାଗଣା ଚିକିତ୍ସା ଦିଆଯିବ ।
ଅଶୁଭ ଶୁକ୍ରବାର
କେନିଆର ଲୋଣ୍ଡିୟାନିରେ ଶୁକ୍ରବାର ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ କି ୪୯ ଜଣଙ୍କର ମୃତ୍ୟୁ ହୋଇଛି । ଶିପିଂ କଣ୍ଟେନର ନେଇ ଯାଉଥିବା ଏକ ଟ୍ରକ୍ ସଡ଼କରୁ ଖସି ପଡ଼ି ଦୁର୍ଘଟଣା ଘଟିଛି । ଟ୍ରକ୍ଟି ପ୍ରଥମେ ବସ୍ ଷ୍ଟପରେ ମିନି ବସ୍କୁ ଧକ୍କା ଦେଲା ପରେ ପଥଚାରୀଙ୍କ ଉପରେ ଚଢ଼ିଯାଇଥିଲା । କେନିଆର ରାଜଧାନୀ ନାଇରୋବି ଠାରୁ ୨୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ପୁଲିସ କମାଣ୍ଡର ଜେଫ୍ରି ମାୟେକ ଗଣମାଧ୍ୟମକୁ କହିଛନ୍ତି, ଏହି ଦୁର୍ଘଟଣା କେରୀଚୋ ଓ ନାକୁରୁ ସହର ମଝିରେ ରାଜପଥରେ ଘଟିଛି । ୩୦ ଜଣ ଗୁରୁତରଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।
ଦିଗପହଣ୍ଡିରେ ୧୧ ମୃତ
ବସ୍ ଦୁର୍ଘଟଣା ନେଇ ଯେତେବେଳେ ଚର୍ଚ୍ଚା ହୋଇଥାଏ, ଗଂଜାମ ଜିଲ୍ଲା ଦିଗପହଣ୍ଡିକୁ ଭୁଲିହେବ ନାହିଁ । ଗତ ଜୁନ୍ ୨୫-୨୬ ତାରିଖ ରାତିରେ ରାୟଗଡ଼ାର ଗୁରାଡ଼ି ଠାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ଏକ ବସ୍ ଖେମୁଣ୍ଡି କଲେଜ ନିକଟରେ ବ୍ରହ୍ମପୁରଠାରୁ ବିବାହ କାର୍ଯ୍ୟରେ ଯୋଗଦେଇ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଖଣ୍ଡଦେଉଳିକୁ ୨୫ ଜଣ ଯାତ୍ରୀଙ୍କୁ ନେଇ ଫେରୁଥିବା ଯାତ୍ରୀବାହୀ ମିନି ବସ୍କୁ ଶକ୍ତ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଭିଏଲଟିଡି ବ୍ୟବସ୍ଥା
ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ରାଜ୍ୟ ସରକାର ସଡ଼କ ସୁରକ୍ଷା ନେଇ ପଦକ୍ଷେପ ନେଇଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଯାତ୍ରୀବାହୀ ଯାନବାହନ ଚଳାଚଳ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ୨ଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରିବାକୁ ନେବେ । ବିନା ଅନୁମତିରେ ପରମିଟ ମିଳିଥିବା ରୁଟ ଓ ଟାଇମିଂ ବାହାରେ ଯାତ୍ରୀବାହୀ ବସ ଚଳାଚଳ କରିପାରିବ ନାହିଁ । ସେହିପରି ଗାଡ଼ିଗୁଡ଼ିକୁ ଟ୍ରାକ କରିବା ପାଇଁ ଖୁବ ଶୀଘ୍ର ଭେଇକିଲ ଲୋକେସନ ଟ୍ରାକିଙ୍ଗ୍ ଡିଭାଇସ (ଭିଏଲଟିଡି) ବ୍ୟବସ୍ଥା ଲାଗୁ ହେବ ।