Wednesday, September 18, 2024
Homeଖବରରେକର୍ଡ ମତଦାନ କଲେ ଭାରତୀୟ

ରେକର୍ଡ ମତଦାନ କଲେ ଭାରତୀୟ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଗତ ଏପ୍ରିଲ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ମତଦାନ ଜୁନ୍‌ ୧ ତାରିଖରେ ଶେଷ ହୋଇଛି। ଫଳାଫଳ ନେଇ ପୂରା‌ ଦେଶବାସୀ ଅପେକ୍ଷାରତ। ଜୁନ୍ ୪ତାରିଖରେ ଲୋକସଭା ସହିତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଫଳାଫଳ ପ୍ରକାଶ ପାଇବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବୁଥ୍‌ ବାହୁଡ଼ା ମତ ପ୍ରକାଶ ପାଇସାରିଥିବାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସେହି ହିସାବରେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ନିର୍ବାଚନ ଫଳ ଆସିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଭୋଟରଙ୍କୁ ଅଭିବାଦନ ଜଣାଇ କହିଛନ୍ତି।

ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି, ସାଧାରଣ ନିର୍ବାଚନ-୨୦୨୪ରେ ୬୪.୨କୋଟି ଲୋକ ମତଦାନ କରିଛନ୍ତି। ପୂର୍ବରୁ ବିଶ୍ବର କୌଣସି ସ୍ଥାନରେ ଏତେ ପରିମାଣରେ ‌ମତଦାନ ହୋଇନାହିଁ। ଆମେ ୬୪.୨ କୋଟି ଭୋଟରଙ୍କ ମତଦାନକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛୁ। ଏହି ସଂଖ୍ୟା ସମସ୍ତ ଜି୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ୟୁରୋପୀୟ ସଂଘର ୨୭ଟିଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ  ଅଧିକ ରହିଛି। ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି, ଯାହାକି ପୂର୍ବରୁ ଏମିତି ହୋଇ ନଥିଲା। ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ କର୍ମଚାରୀଙ୍କ ସାବଧାନତାପୂର୍ଣ୍ଣ କାର୍ଯ୍ୟ ଓ ନିର୍ବାଚନ ପୂର୍ବରୁ ଭୋଟ ପ୍ରତି ଲୋକଙ୍କୁ କ୍ରମାଗତ ଜାଗ୍ରତ କରିବାର ଅଭିଯାନ ହେତୁ ଭାରତ ମତଦାନରେ ଏହି ଐତିହାସିକ ରେକର୍ଡ ସୃଷ୍ଟି କରିଛି।

ଓଡ଼ିଶାରେ ମତଦାନ

ଓଡ଼ିଶାରେ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନ ପାଇଁ ମତଦାନ ହୋଇଛି। ଗତ ମେ’ ମାସ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ମତଦାନ ୪ଟି ପର୍ଯ୍ୟା‌ୟରେ ଜୁନ୍‌ ୧ ତାରିଖରେ ଶେଷ ହୋଇଛି। ରାଜ୍ୟରେ ଏଥର ୭୩.୦୬ ପ୍ରତିଶତ ମତଦାନ ହୋଇଛି, ଯାହାକି ଉତ୍ସାହପୂର୍ଣ୍ଣ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧର ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟରେ ୭୪.୪୧ ପ୍ରତିଶତ ମତଦାନ ହୋଇଛି। ଅନ୍ତିମ ପର୍ଯ୍ୟାୟରେ ମୟୂରଂଭଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଏବଂ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ‌ଭୋଟ୍‌ ଗ୍ରହଣ କରାଯାଇଥିଲା। ରାଜ୍ୟରେ ଗତ ୨୫ ତାରିଖ ଦିନ ତୃତୀୟ ପର୍ଯ୍ୟାୟରେ ୭୪.୪୫ ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ ୬୯.୪୧ ପ୍ରତିଶତ ଏବଂ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ମତଦାନ ହୋଇଥିଲା।

ନିର୍ବାଚନୀ ହିଂସା ସୀମା ଟପିଲା

ଚଳିତ ସାଧାରଣ ନିର୍ବାଚନରେ ହିଂସାର ମାତ୍ରା ସୀମା ଟପିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକାରେ ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡରେ ୧୭ ଜଣ ଆହତ ହୋଇଛନ୍ତି। ଚାନ୍ଦବାଲିରେ ଗତ ୩୦ ତାରିଖ ସନ୍ଧ୍ୟାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାକୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗଂଜାମ ଜିଲ୍ଲା ଆସିକା ଲୋକସଭା ଆସନ ଅଧୀନ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ବିଜେପି କର୍ମୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣ ବ‌ିଜେପି କର୍ମୀ ଆହତ ହୋଇଥିଲେ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଇଭିଏମ୍‌ ଭଙ୍ଗାରୁଜା ହୋଇଥିଲା। ଇଭିଏମ୍‌ କିଏ ଭାଙ୍ଗିଲା ଯଦିଓ ତାହାର ଭିଡିଓ ଗଣମାଧ୍ୟମ ପାଖରେ ନାହିଁ, କିନ୍ତୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏହି ଘଟଣାରେ ଫସାଇ ଦିଆଯାଇଛି। ପ୍ରଶାନ୍ତ ଜଗଦ୍ଦେବ ଏବେ ଜେଲ ଯାଇ ସେଠାରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ନିର୍ବାଚନ ହାରିବା ଭୟରେ ଆକ୍ରମଣ

ଚଳିତ ସାଧାରଣ ନିର୍ବାଚନ ଓଡ଼ିଶାକୁ ଅଧିକ ବିଶୃଙ୍ଖଳା ଶିଖାଇଲା। ପ୍ରତିଥର ନିର୍ବାଚନରେ ପଡୋଶୀ ପଶ୍ଚିମବଙ୍ଗରେ ଯେଉଁଭଳି ଭାବେ ହିଂସା ଦେଖିବାକୁ ମିଳିଥାଏ, ଓଡ଼ିଶାରେ ଏଥର ଏହାର ଝଲକ ଦେଖିବାକୁ ମିଳିଥିଲା। ରାଜ୍ୟର ନିର୍ବାଚନ ମାହୋଲ ଏଥର ଭିନ୍ନ ଥିବାରୁ ଏମିତି ହୋଇଥିଲା ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ପୂର୍ବାପେକ୍ଷା ଲୋକପ୍ରିୟତା ରଖିନାହିଁ। ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମାହୋଲ ଚାରିଆଡ଼େ ଦେଖାଯାଇଛି। ନିର୍ବାଚନ ସମୟରେ ରାଜ୍ୟରେ ଯେତିକି ରାଜନୈତିକ ହିଂସା ଦେଖାଯାଇଛି, ସେଥିରୁ ଅଧିକାଂଶ ବିଜେଡିର କର୍ମୀ ଅଭିଯୁକ୍ତ ଦେଖାଯାଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments