ଭୁବନେଶ୍ବର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ପ୍ରତିଦିନ ଘଟୁଛି। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ। ପୁରା ଭାରତର ବଡ଼ ସମସ୍ୟା। ଦୁଇ ବର୍ଷ ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଭାରତରେ ସର୍ବାଧିକ ସଡ଼କଦୁର୍ଘଟଣାରେ ଜୀବନ ହାରୁଛନ୍ତି। ପ୍ରତିବର୍ଷ ହଜାର ହଜାର ଲୋକଙ୍କର ମୃତ୍ୟୁ। ଓଡ଼ିଶାରେ ମଧ୍ୟ ଶହଶହ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଜୀବନ ହାରୁଛନ୍ତି। ସଡ଼କ ଦୁର୍ଘଟଣାର କାରଣ ରହିଛି ଏକାଧିକ। ଗାଡ଼ି ଠିକ୍ରେ ନଚଳାଇବା, ଗାଡ଼ିର ଫିଜିକାଲ ଫିଟ୍ନେସ ନରହିବା, ରାସ୍ତା ନିର୍ମାଣରେ ତ୍ରୁଟି, ରାସ୍ତାରେ ସୂଚନାର ଅଭାବ ଆଦି ପ୍ରମୁଖ। ଦେଶରେ ୨୪ ଘଣ୍ଟା ମଧ୍ୟରେ ସାନ-ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଓଡ଼ିଶା ସାମିଲ ରହିଛି। ୪ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି।
ପୁରା ପରିବାରଙ୍କ ମୃତ୍ୟୁ
ରାଜସ୍ଥାନରେ ହନୁମାନଗଡ଼ରୁ ବିକାନେର ଆଡ଼କୁ ଯାଉଥିବା ଏକ କାର ଗୁରୁବାର-ଶୁକ୍ରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଆଗରେ ଯାଉଥିବା ଟ୍ରକ୍କୁ ପଛପଟରୁ କାର୍ ଧକ୍କା ଦେଇଛି। ଦୁର୍ଘଟଣା ପୂର୍ବରୁ କାରଟି ଦ୍ରୁତଗତିରେ ଆଗକୁ ବଢୁଥିଲା। କିନ୍ତୁ ଚାଳକ ଭାରସାମ୍ୟ ହରାଇଥିଲେ। ହରିୟାଣାର ନମ୍ବର ଥିବାର କାରରେ ୬ ଜଣ ଲୋକ ଥିଲେ। ଏମାନେ ସମସ୍ତେ ଗୋଟିଏ ପରିବାର ସଦସ୍ୟ ଥିଲେ। ଆଖପାଖର ଲୋକଙ୍କ କହିବା ଅନୁସାରେ କାର ଦ୍ରୁତଗତିରେ ଯାଉଥିଲା। ରାତି ସମୟ ହୋଇଥିବାରୁ ଆଗରେ ଥିବା ଟ୍ରକ୍କୁ ଏହାର ଚାଳକ ଠିକ୍ରେ ଦେଖିପାରି ନଥିଲେ। ସୂଚନା ମିଳିବା ପରେ ଲୁଣକରଣସର ସିଓ ନରେନ୍ଦ୍ର ପୁନିଆ ପୁଲିସ ଟିମ୍ ସହିତ ପହଞ୍ଚି ଥିଲେ। କ୍ରେନ୍ ମାଧ୍ୟମରେ କାରକୁ ଉଦ୍ଧାର କରାଯାଇଥିଲା। ବହୁ କଷ୍ଟରେ ମୃତକମାନଙ୍କୁ କାର ଭିତରୁ ବାହାର କରାଯାଇଥିଲା।
ଜୀବନ ହାରିଲେ ୫ ସାଙ୍ଗ
ଉତ୍ତରପ୍ରଦେଶର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ୱେରେ ଶୁକ୍ରବାର ଏକ ଦ୍ରୁତଗାମୀ ସ୍କୋର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସ୍କୋର୍ପିଓ ଖଣ୍ଡବିଖଣ୍ଡ ହୋଇଥିବା ବେଳେ ଘଟଣାସ୍ଥଳରେ ୩ ଓ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ କହିଛି ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ଯାଉଥିବା ଲକ୍ଷ୍ନୌ ନମ୍ବର ବିଶିଷ୍ଟ ଏକ କଳାରଂଗର ସ୍କୋର୍ପିଓ ପଛପଟରୁ ଟ୍ରକ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବୈଭବ ପାଣ୍ଡେ (୩୫), ମନୋଜ ସିଂହ (୪୫), ଅମିତ ତିୱାରୀ (୪୦) ଓ ଅନୁଜ ପାଣ୍ଡେ (୪୦)। ଅନ୍ୟ ଜଣେ ମୃତକ ବସ୍ତୀ ନିବାସୀ। କିନ୍ତୁ ତାଙ୍କର ପଚିଚୟ ଜଣାପଡ଼ି ନାହିଁ। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ସ୍କୋର୍ପିଓ ଦ୍ରୁତଗତିରେ ଯାଉଥିଲା। ଟ୍ରକଟି ଆଗରେ ଯାଉଥିଲା। ଘଟଣାସ୍ଥଳରେ ନିୟନ୍ତ୍ରଣ ହରାଇ ଟ୍ରକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଛି। ପୁଲିସ ଉଭୟ ଟ୍ରକ୍ ଓ ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓକୁ ଜବତ କରିଛି।
କୂଅ ଭିତରକୁ ପଶିଗଲା ଟ୍ୟାକ୍ସି
ମହାରାଷ୍ଟ୍ରର ଜାଲନାରେ ଗୁରୁବାର ସନ୍ଧ୍ୟାରେ ଏକ ଟ୍ୟାକ୍ସି କୂଅରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଆହତ ଅଛନ୍ତି। ଟ୍ୟାକ୍ସିରେ ଯାତ୍ରା କରୁଥିବା ଲୋକେ ପଢ଼ରପୁରର ତୀର୍ଥଯାତ୍ରାରୁ ଫେରୁଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ବଦନାପୁର ତହସିଲର ବସନ୍ତନଗରରେ ସନ୍ଧ୍ୟା ସାଢ଼େ ୫ଟାରେ ଟ୍ୟାକ୍ସିରେ ଯାଉଥିବା ଲୋକେ ପଢ଼ରପୁରରୁ ଫେରୁଥିଲେ। ବଦନାପୁର ତହସିଲର ଚନେଗାଓ ନିବାସୀ ନାରାୟଣ ନିହାଳ (୪୫), ପ୍ରହ୍ଲାଦ ବିଟେଲ (୬୫), ପ୍ରହ୍ଲାଦ ମହାଜନ (୬୫), ନନ୍ଦା ତାୟଡେ (୩୫), ଚନ୍ଦ୍ରଭାଗା ଧୁଗେ ଓ ଭୋକରଦାନ ନିବାସୀ ତାରାବାଇ ମାଲୁସରେ ଏବଂ ରଂଜନା କାମ୍ବଲେ (୩୫)ଙ୍କ ମୃତ୍ୟୁ ହୋଇଛି। ତିନି ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୩ଶ୍ରମିକଙ୍କୁ ଧକ୍କା ଦେଲା ଟ୍ରକ୍
ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ଶ୍ରମିକଙ୍କୁ ଧକ୍କା ଦେଇ ଜୀବନ ନେଇଛି ଦ୍ରୁତଗାମୀ ହାଇୱା। ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍ ଛକ ନିକଟରେ ୨୧୫/୫୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣା ସମୟରେ ଶ୍ରମିକମାନେ ଏକ ପୋଲ ନିର୍ମାଣ କାମରେ ନିୟୋଜିତ ଥିଲେ। ଟ୍ରକ୍ଟି ଦ୍ରୁତଗତିରେ ଆସି କାମ କରୁଥିବା ଶ୍ରମିକଙ୍କ ଉପରେ ଚଢ଼ିଯିବା ସହ ଛିଡ଼ା ହୋଇଥିବା ଏକ କ୍ୟାମ୍ପରକୁ ଶକ୍ତି ଧକ୍କା ଦେଇଥିଲା। ମୃତକମାନେ ହେଲେ ଡିଲୁ ପାତ୍ର, ମଦନ ମୁଣ୍ଡାରୀ ଓ ଶୁକ୍ରା ମୁଣ୍ଡାରୀ। ରାଜାମୁଣ୍ଡା ବାଇପାସ୍ ଛକଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଏକ ପୋଲ ଅଛି। ସେହି ପୋଲର ଛାତରୁ କଂକ୍ରିଟ୍ ଗଳି ପଡ଼ିଥିଲା। ଫଳରେ ଉକ୍ତ ସ୍ଥାନକୁ ଠିକା ସଂସ୍ଥା ପକ୍ଷରୁ ରାତି ପ୍ରାୟ ସାଢ଼େ ୭ଟା ବେଳେ ମରାମତି କରାଯାଉଥିଲା। ଉକ୍ତ ସ୍ଥାନକୁ ମରାମତି କରିବା ପାଇଁ ଠିକାସଂସ୍ଥା ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵରେ ମସଲା ମିଶା ମେଟାଲ ଗଦାକରି ଦିଆଯାଇଥିଲା। ଗୋଟିଏ ପାର୍ଶ୍ଵରେ ସୂଚନାଫଳକ ଦିଆଯାଇଥିଲା। ସେଠାରେ ପ୍ରାୟ ୧୧ ଜଣ ଶ୍ରମିକ କାମ କରୁଥିବାବେଳେ ସେଥିମଧ୍ୟରୁ ୩/୪ ଜଣ ଶ୍ରମିକ ବ୍ରେକର ମେସିନ ମାଧ୍ୟମରେ ପୋଲର ଛାତକୁ ଫଟାଉଥିଲେ ଏବଂ ଅନ୍ୟମାନେ କାମ କରୁଥିଲେ।