ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଜଗନ୍ନାଥଙ୍କ ଦର୍ଶନ ପାଇଁ ସାରା ବିଶ୍ବରୁ ଭକ୍ତ ପୁରୀକୁ ଛୁଟି ଆସୁଛନ୍ତି। ଯେଉଁମାନେ ହିନ୍ଦୁ ଧର୍ମର ନୁହଁନ୍ତି ଅତିକମରେ ରଥଯାତ୍ରା ସମୟରେ ଜଗନ୍ନାଥ ଦର୍ଶନ କରି କୃତାର୍ଥ ହେଉଛନ୍ତି। ଜଗନ୍ନାଥଙ୍କ ପାଇଁ ଓଡ଼ିଆ ପୁଅ ବାହାର ରାଜ୍ୟରେ ଗର୍ବରେ ଛାତି ଫୁଲାଇ ପାରୁଛି। ‘ଭାଗ୍ୟରେ ଥିଲେ ଜଗନ୍ନାଥ ଦର୍ଶନ ମିଳିଥାଏ।’ ମହାପ୍ରଭୁଙ୍କ ଉପରେ ଯଥେଷ୍ଟ ଭକ୍ତି କରୁଥିବା ଶ୍ରଦ୍ଧାଳୁ ଓ ବରିଷ୍ଠ ନାଗରିକମାନେ ଏହା କହିଥାନ୍ତି। ସେଥି ପାଇଁ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ପୁରୀକୁ ଆସୁଛନ୍ତି। ମାତ୍ର କ୍ଷୋଭର ବିଷୟ ହେଲା ଯେ, ଅନେକ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଉଛନ୍ତି। କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତମାନଙ୍କୁ ମଧ୍ୟ ମୋକ୍ଷ ମିଳୁଛି ବୋଲି ବିଶ୍ବାସ ରହୁଛି।
ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେବେ ବୋଲି ଏକ ବଡ଼ ଆଶା ରଖିଥିଲେ। ଏଥି ପାଇଁ ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗରୁ ଏକ ଟିମ୍ ବାହାରିଥିଲେ। ୫୭ ଜଣ ଯାତ୍ରୀଙ୍କୁ ନେଇ ତୀର୍ଥ ଯାତ୍ରୀଙ୍କ ବସ୍ ‘କିଷ୍ଣା’ (ୟୁପି ୫୧ଏଟି୬୨୯୭) ଗତ ୧୮ ତାରିଖ ବାହାରିଥିଲା। ଶ୍ରଦ୍ଧାଳୁମାନେ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ ବାରାଣସୀ, ଗୟା, ଗଙ୍ଗାସାଗର, କୋଲକାତା ଆଦି ସ୍ଥାନ ପରିଦର୍ଶନ କରି ସାରିବା ପରେ ଶୁକ୍ରବାର ରାତିରେ ପୁରୀ ଅଭିମୁଖେ ବାହାରି ଥିଲେ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗର ନିକଟରେ ବସ୍ଟି ମଧ୍ୟ ରାତି ସାଢେ ୧୨ଟା ସମୟରେ ରାସ୍ତା ପାର୍ଶ୍ବସ୍ଥ ବିଲ ଭିତରକୁ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଖସି ପଡ଼ିଥିଲା। ଫଳରେ ତୀର୍ଥଯାତ୍ରୀମାନେ ଦୁର୍ଘଟଣାର ସାମ୍ନା କରିଥିନଲେ। ଏଥିରେ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ଅଛନ୍ତି।
ଅଜଣା ଗାଡ଼ି ଚାପିଦେଲା
ଗତବର୍ଷ ନଭେମ୍ବର ୨୧ ତାରିଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିର ଦୁଇ ଜଣ ଜଗନ୍ନାଥଙ୍କ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ଶ୍ରୀଜଗନ୍ନାଥ ଦର୍ଶନ ଲାଗି ଭଦ୍ରକ ଜିଲ୍ଲାର ତିନି ପରିବାରର ୧୦ଜଣ ସଦସ୍ୟ ଅଟୋରେ ବାହାରିଥିଲେ। ହେଲେ ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ସେହି ଅଟୋକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ହୋଇଥିଲେ। ମୃତକମାନେ ଥିଲେ ବିଷମ କଟକ ଅଞ୍ଚଳର ୧୧ବର୍ଷ ନାବାଳକ ଶିବେନ୍ଦ୍ର ମହାପାତ୍ର ଓ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳର ୨୦ ବର୍ଷୀୟ ବାଳିକା ପୂଜା ସାହୁ। ଏହି ଘଟଣା ପରେ ଗୁରୁତରମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଦିନ ଏମାନଙ୍କର ଜଗାଦର୍ଶନ ଆଉ ହୋଇପାରିଲା ନାହିଁ।
ବସ୍ ସିଟ୍ରେ ଟଳିପଡ଼ିଲେ ମହିଳା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଆଶାନେଇ କନ୍ଧମାଳରୁ ପୁରୀ ଆସୁଥିଲେ ଜଣେ ମହିଳା ଭକ୍ତ। ହେଲେ, ଶ୍ରୀକ୍ଷେତ୍ରରେ ପହଞ୍ଚିବାର ୨୦ କିଲୋମିଟର ପୂର୍ବରୁ ସାକ୍ଷୀଗୋପାଳ ନିକଟରେ ବସ୍ସିଟ୍ରେ ବସିଥିବା ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଥିଲେ। ପ୍ରଭୁଙ୍କ ଦର୍ଶନଲାଭ ତାଙ୍କର ଅଧୁରା ରହିଯାଇଛି। ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏହି ଅପ୍ରୀତିକର ଘଟଣା ୨୦୨୨ ଡିସେମ୍ବର ୮ ତାରିଖରେ ଘଟିଥିଲା। କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଖ୍ରୀଷ୍ଟ କୁମାରୀ ନାୟକ (୪୧)। ଏକ ବସ୍ ଯୋଗେ ପୁରୀ ଅଭିମୁଖେ ବାହାରି ଥିଲେ। ପ୍ରାୟ ୭ଟା ସମୟରେ ବସ୍ଟି ସାକ୍ଷୀଗୋପାଳ ନିକଟରେ ପହଞ୍ଚିଥିଲା। ବସ୍ ମଧ୍ୟରେ ସିଟ୍ ଉପରେ ହଠାତ୍ ସେ ଟଳି ପଡ଼ିଥିଲେ। ଯାତ୍ରୀମାନେ ତୁରନ୍ତ ଜଣାଇବା ପରେ ବସ୍ କଣ୍ଡକ୍ଟର ସତ୍ୟବାଦୀ ଥାନାରେ ଜଣାଇଥିଲେ। ସତ୍ୟବାଦୀ ଥାନା ଏଏସ୍ଆଇ ମହିଳାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।