Tuesday, October 8, 2024
Homeଖବରପ୍ରମୁଖ ଖବରନେତା ଖାଉଛନ୍ତି ଗୁଳିମାଡ଼

ନେତା ଖାଉଛନ୍ତି ଗୁଳିମାଡ଼

ସରକାରୀ ବାବୁମାନେ ଆଜିକାଲି ଉତ୍ସାହିତ ହୋଇ ଜନସାଧାରଣଙ୍କ କାମ କରିବାକୁ ଚାହୁଁ ନାହାନ୍ତି। ଦୁଃଖୀ ଦରିତ୍ରଙ୍କ ପାଇଁ ସହାୟତା କରିବାକୁ ଏକ ଧର୍ମକାମ ବୋଲି ମନେ କରୁନାହାନ୍ତି। ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଟେବୁଲ ତଳେ ହାତ ଗୁଞ୍ଜା ଦେବାକୁ ପଡୁଛି। ଏପରି କ୍ଷେତ୍ରରେ ନେତାମାନେ ଆଗକୁ ଆସିବାର ଆବଶ୍ୟକତା ରହିଛି। ନେତା ହୋଇ ସମାଜ ସେବା କରିବା ନିଶ୍ଚିତ ଭାବେ ଭଲ କାମ। କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ସରକାରୀ ବାବୁଙ୍କ ଅପେକ୍ଷା ନେତାଙ୍କ ପାଖରେ କ୍ଷମତା ଅଧିକ ରହୁଥିବାରୁ ନେତାମାନେ ମଧ୍ୟ ଟଙ୍କା ଲୋଭୀ ହୋଇଯାଉଛନ୍ତି। ସେବା ତୁଳନାରେ କ୍ଷମତା ପଛରେ ଅଧିକ ଗୋଡାଉଛନ୍ତି। ଏପରିକି କ୍ଷମତା ହାତେଇବା ପାଇଁ ଗୁଳିମାରିବାକୁ ମଧ୍ୟ ପଛାଉ ନାହାନ୍ତି।

ନବଦାସଙ୍କୁ ଗୁଳିମାଡ଼

ଗତବର୍ଷ ଜାନୁଆରି ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ପିଏସଓ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳିକରି ହତ୍ୟା କରିଥିଲା। ଏହି ମାମଲାରେ ପିଏସଓ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର କାରଣ ଉପରୁ ଏଯାଏଁ ପରଦା ହଟିନାହିଁ। ରାଜ୍ୟର ବିଜେପି ସରାକାର ବହୁଚର୍ଚ୍ଚିତ ଏହି ହତ୍ୟା ମାମଲାର ପୁଣି ଥରେ ତଦନ୍ତ କରିବ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଅନ୍ୟପଟରେ କୋର୍ଟରେ ଦାଖଲ ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗୋପାଳ ପାଗଳ ନଥିଲା। ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା କରିଥିବା ନେଇ କ୍ରାଇମବ୍ରାଞ୍ଚ କହି। ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ। ତଦନ୍ତ ଅନୁଯାୟୀ ଗୋପାଳ ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରିଛି। ନବଙ୍କ ପ୍ରତି ଗୋପାଳ ମନରେ ବ୍ୟକ୍ତିଗତ ଆକ୍ରୋଶ, ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରଖିଛି।  

ମାହାଙ୍ଗା ମାମଲାରେ ୯ ଜଣଙ୍କୁ ଆଜୀବନ

୨୦୨୧ ଜାନୁଆରି ୨ ତାରିଖରେ କଟକ ଜିଲ୍ଲା ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଦାୟର ଏତଲାରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସମେତ ଅନ୍ୟ ୧୪ ଜଣଙ୍କର ନାମ ସ୍ଥାନ ପାଇଥିଲା। ଘଟଣାପରେ ମାମଲାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଥିଲା। ତିନି ଜଣ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି। ଅବଶିଷ୍ଟ ୧୦ଜଣଙ୍କ ବିରୋଧରେ ଅଦାଲତରେ ମାମଲାର ଶୁଣାଣି ନିକଟରେ ହୋଇଛି। ସାଲେପୁର ଅତିରିକ୍ତ ଦୌରା ଜଜ୍ ସରୋଜ କୁମାର ଦାଶ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟପକ୍ଷରେ ଉପଯୁକ୍ତ ପ୍ରମାଣ ଅଭାବରୁ ଅରୁ ଓରଫ ଅରବିନ୍ଦ ଖଟୁଆଙ୍କୁ ନିର୍ଦ୍ଦୋ‌ଷରେ ଖଲାସ କରିଛନ୍ତି। ସମସ୍ତ ୯ଜଣଙ୍କୁ ଅଦାଲତ ଆର୍ମସ ଆକ୍ଟର ଧାରା ୨୭ରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରିଛନ୍ତି। ଏହା ଏକ ବିରଳ ମାମଲା ହୋଇ ନଥିବାରୁ ଏଥିରେ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ବିହାରରେ ୨ ନେତାଙ୍କୁ ଗୁଳିମାଡ଼

ଗତମାସରେ ବିହାରରେ ୨ ଜଣ ନେତାଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା। ସହରସା ଜିଲ୍ଲାରେ ଜେଡିୟୁ ନେତା ଜବାହର ଯାଦବ ଓ ପାଟନାରେ ଜଣେ ବିଜେପି ନେତା ଅଜୟ ଶାହ ଗୁଳିମାଡ଼ରେ ପ୍ରାଣ ହାରିଥିଲେ। ଉଭୟ ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ କହିଥିଲା ଜବାହର ଯାଦବ ବରିଆହିର ଏକ ସେଲୁନକୁ ଯାଇଥିଲେ। ଏହି ସମୟରେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜେପି ନେତା ଓ ଦୁଗ୍ଧ ବୁଥ୍ ଅପରେଟରଙ୍କୁ  ଆଲମଗଞ୍ଜ ଥାନା ଅନ୍ତର୍ଗତ ବଜରଙ୍ଗପୁରୀ କେନାଲ ନିକଟରେ ଗୁଳି କରାଯାଇଥିଲା। ଗୁଳିମାଡ଼ ପରେ ବାଇକରେ ଆସିଥିବା ଉଭୟ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା

ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ମୁଣ୍ଡ ଗଡ଼ିବା ନୂଆ କଥା ନୁହେଁ। ପଞ୍ଚାୟତିରାଜ ହେଉ ବା ସାଧାରଣ ନିର୍ବାଚନ ହେଉ, ପ୍ରତ୍ୟେକ ଥର ପଶ୍ଚିମବଙ୍ଗରେ ରାଜନୈତିକ ହିଂସା‌ ଦେଖିବାକୁ ମିଳୁଛି। ଗୁଳିମାଡ଼, ବୋମାମାଡ଼, ଅଗ୍ନିକାଣ୍ଡ ଭଳି ଅଘଟଣ ଘଟୁଛି। ଆକ୍ରମଣର ଶିକାର ହେଉଛନ୍ତି ଶାସକ ତୃଣମୂଳ କଂଗ୍ରେସ, ସିପିଆଇ ଓ ଭାରତୀୟ ଜନତା ପାର୍ଟିର ନେତାମାନେ। ପଶ୍ଚିମବଙ୍ଗ ଭଳି ଏହାର ପଡେଶୀ ଝାଡ଼ଖଣ୍ଡ, ବିହାର ଓ ଆସାମରେ ମଧ୍ୟ ନିର୍ବାଚନୀ ହିଂସା ଅତୀତରେ ଦେଖିବାକୁ ମିଳିଛି। ନିର୍ବାଚନୀ ହିଂସା ମାମଲାରେ ଉତ୍ତର ପ୍ରଦେଶ ମଧ୍ୟ ପଛରେ ନାହିଁ।

ଏନ୍‌ସିପି ନେତାଙ୍କୁ ଗୁଳିଚୋଟ

ମହାରାଷ୍ଟ୍ରର ପୁଣେରେ ପୂର୍ବତନ ଏନସିପି କର୍ପୋରେଟର ବନରାଜ ଆଣ୍ଡଡେକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୂର୍ବତନ କାଉନସିଲରଙ୍କ ଉପରକୁ ୫ଟି ଗୁଳି ମାଡ଼ ହୋଇଥିଲା। ଗୁଳିକାଣ୍ଡ ପରେ ବନରାଜ ଆଣ୍ଡଡେକରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପାରିବାରିକ କଳହ କାରଣରୁ ରାତି ପ୍ରାୟ ସାଢ଼େ ୮ଟାବେଳେ ନାନା ପେଠର ଡୋକେ ତାଲିମ ସମ୍ମୁଖରେ ବନରାଜ ଆଣ୍ଡେକରଙ୍କୁ ଗୁଳି କରାଯାଇଥିଲା। ପୁଣେ ଯୁଗ୍ମ ପୁଲିସ କମିଶନର ରଞ୍ଜନ କୁମାର ଶର୍ମା କହିଛନ୍ତି, ସେପ୍ଟେମ୍ବର ୧ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ବନରାଜ ଆନ୍ଦେକର (ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀର ପୂର୍ବତନ କାଉନସିଲର) ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ଇମାଣ୍ଡର ଛକରେ ଠିଆ ହୋଇଥିଲେ। କିଛି ଲୋକ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments