Sunday, April 20, 2025
Homeଖବରପ୍ରଚାରରେ ସୀମିତ ବିକାଶ

ପ୍ରଚାରରେ ସୀମିତ ବିକାଶ

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ), ମିସନ ଶକ୍ତି, ୫ଟି ସ୍କୁଲ, ମାଗଣାରେ ବିଦ୍ୟୁତ ବିଲ, ୨୦ ଲକ୍ଷ ଗୃହ ଋଣ ଲୋଗ ଦେଖାଇ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ପ୍ରଚାର କରୁଛି। କ୍ରମାଗତ ଭାବେ ୨୪ ବର୍ଷ ସରକାରରେ ରହିଲା ପରେ ମଧ୍ୟ ଲୋକେ ମୌଳିକ ସୁବିଧା ପାଇପାରୁ ନଥିବା ଅଭିଯୋଗ ହେଉଛି। ନିର୍ବାଚନ ପ୍ରଚାରରେ ବିଜେଡି ବିଧାୟକ ପ୍ରାର୍ଥୀମାନେ ଯେତେବେଳେ ଗାଁକୁ ଯାଉଛନ୍ତି, ସେହି ସମୟରେ ସେମାନେ ହଟହଟ୍ଟା ହେଉଛନ୍ତି। ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ ବିକାଶର ଉଦାହରଣ ଦେଉ କେବଳ ପ୍ରଚାର କରୁଛନ୍ତି। କିନ୍ତୁ ବାସ୍ତବରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା, ରୋଜଗାର, ଚାକିରି ଆଦି ବହୁ ଅସୁବିଧା ରହିଛି। 

ମହିଳା ବିଧାୟିକା ହଟହଟ୍ଟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଂଜାମରେ ବିକାଶ ପହଞ୍ଚି ପାରିନାହିଁ। ଏହାର ଜ୍ବଳନ୍ତ ଉଦହାରଣ ହେଉଛି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିରୋଧ କରାଯିବା। ଯଦି ବିଜେଡି ସରକାରରେ ପ୍ରଚାର ତୁଳନାରେ ବିକାଶ କାମ କରାଯାଇଥାନ୍ତା, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କାହିଁକି ବିରୋଧ ହୁଅନ୍ତା। ଲତିକା ପ୍ରଧାନଙ୍କୁ ପ୍ରଚାର ବେଳେ ଭୋଟରଙ୍କ ପ୍ରଶ୍ନରେ ଘାଇଲା କରିଛନ୍ତି। ବେଗୁନିଆପଡ଼ା ଠାରେ ଶ୍ରୀ ପ୍ରଧାନଙ୍କୁ  ଗ୍ରାମବାସୀ ବିରୋଧ। ୫ ବର୍ଷରେ କ’ଣ କରିଛ ବୋଲି ପ୍ରଶ୍ନ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶାରେ ୫୦ ଲକ୍ଷ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ପ୍ରଚାର ସମୟରେ ପାଣି ସମସ୍ୟା ନେଇ ଗରା, ବାଲଟି ଧରି ସୂର୍ଯ୍ୟମଣି ବୈଦ୍ୟଙ୍କୁ ଶୁକ୍ରବାର ଭଟକୁମରଡା ଗ୍ରାମବାସୀ ବିରୋଧ କରିଛନ୍ତି। ୫ ବର୍ଷ ହେଲା ଲୋକମାନେ ସମସ୍ୟା ଘେରରେ ରହିଥିବା ବେଳେ କୁଆଡେ ଯାଇଥିଲେ ବୋଲି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି। ପୂର୍ବରୁ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଖଲ୍ଲିକୋଟର ବଣିଆ ଓ କାଞ୍ଚନାରେ ମଧ୍ୟ ବିରୋଧ କରାଯାଇଥିଲା।

ସମ୍ବଲପୁର, ସୁବର୍ଣ୍ଣପୁରରେ ବିରୋଧ

କେବଳ ଗଂଜାମ ନୁହେଁ। ବରଂ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଧାୟକମାନଙ୍କୁ ବିରୋଧର ଶିକାର ହେବାକୁ ପଡ଼ିଛି। ଚଳିତଥର ରେଢ଼ାଖୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡିଛି। କେଉଁଠି ଚେୟାରରେ ବସାଇ ଲୋକେ ତାଙ୍କୁ ପ୍ରଶ୍ନ କଲେଣି ତ ପୁଣି କେଉଁଠି ସଭା ମଞ୍ଚରୁ ତଡ଼ିବା ପାଇଁ ଉଦ୍ୟମ କଲେଣି। ଏହାର କାରଣ ହେଲା ଅତୀତରେ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ବିଧାୟକ ହୋଇଥିଲେ ମଧ୍ୟ ଆଖିଦୃଶିଆ ବିକାଶମୂଳକ କାମ କରି ନାହାନ୍ତି। ସେହିପରି ଦୀର୍ଘ ୧୫ ବର୍ଷ କ୍ରମାଗତ ବିଧାୟକ ପଦରେ ରହିଲା ପରେ ମଧ୍ୟ ପଦ୍ମନାଭ ବେହେରାଙ୍କ ପ୍ରତି ବୀରମହାରାଜପୁରବାସୀ ଅସନ୍ତୁଷ୍ଟ ଅଛନ୍ତି।  

ବିଧାୟକ ଅମରଙ୍କୁ ବିରୋଧ

ଗତମାସ ୧ ତାରିଖର ଘଟଣା। ଯାଜପୁର ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥୀ ଯେଉଁ ମାନଙ୍କୁ ରାଜନୀତିକୁ ଆଣି ହାତ ଧରି ରାଜନୈତିର ଗୋଟି ଚଳାଇବା ଶିଖାଇ ଥିଲେ, ରାଜନୀତିର ସ୍ୱାଦ ଚଖାଇ ଥିଲେ ସେହି ନେତା ଓ ସେମାନଙ୍କର ସମର୍ଥକମାନେ ତାଙ୍କ ବିରୋଧରେ ଖୋଲାଖୋଲି ବିରୋଧ କରିଥିଲେ। ବଡଚଣାରେ ଠିକାଦାରୀ ରାଜନୀତି ଚାଲିଛି। ବଡଚଣା ବିକାଶ ଅଧପନ୍ତରିଆ ଭାବେ ପଡ଼ି ରହିଛି ବୋଲି ଅଭିଯୋଗ କରିଥିଲେ। ବଡଚଣାକୁ ଆଗକୁ ନେବାକୁ ହେଲେ ନେତୃତ୍ୱର ପରିବର୍ତ୍ତନ ଦରକାର ଅଛି ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ କହିଥିଲେ। ବିଧାୟକ ଶ୍ରୀ ଶତପଥୀଙ୍କୁ ଖୋଲିଖୋଲି ଭାବେ ବିରୋଧ କରିଥିଲେ।

ଭୋଟ୍ ଦେବେନି ୪୫୦୦ ମତଦାତା

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅଥୀନ ରାଶୋଳ ପଞ୍ଚାୟତର ଆଲତୁମା, ପଞ୍ଚମ ଓ ଖସାପଦା ଗାଁରେ ୪୫୦୦ରୁ ଅଧିକ ଭୋଟ୍ର ଅଛନ୍ତି। ଏମାନଙ୍କର ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜନଜାତି ସମ୍ପ୍ରଦାୟର। ଚାଷବାସ ଓ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ପୁଣି ବଜାରରେ ବିକି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଦୁଃଖର ବିଷୟ ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନାହିଁ, ଯେଉଁଥିପାଇଁ ଲୋକମାନେ ଯିବା ଆସିବାରେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ଗାଁର ଗର୍ଭବତୀ ଓ ରୋଗୀଣା ବ୍ୟକ୍ତି। ଗାଁକୁ ଆମ୍ୱୁଲାନ୍ସ ଆସିପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ବୁହା ହେଉଛନ୍ତି। ତେଣୁ ଚଳିତ ନିର୍ବାଚନରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments