ଭୁବନେଶ୍ବର: ଅଷ୍ଟାଦଶ ଲୋକସଭାର ବାଚସ୍ପତି ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନର କୋଟାରୁ ତିନି ଥର ସାଂସଦ ଓମ୍ ବିର୍ଲା ବାଚନିକ ଭୋଟ ଅନୁଯାୟୀ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ତଥା କେରଳର ମାଭେଲିକାରୁ ୮ ଥର ସାଂସଦ କୋଡିକୁନିଲ ସୁରେଶଙ୍କୁ ପରାସ୍ତ କରିଛନ୍ତି। ଦେଶ ସ୍ବାଧୀନତା ପରେ ୧୯୫୨, ୧୯୬୭ ଏବଂ ୧୯୭୬ ମସିହାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା। ଏହାପର ଠାରୁ ଉଭୟ ଶାସକ ଓ ବିରୋଧୀ ଦଳର ସହମତି ଭିତ୍ତିରେ ବାଚସ୍ପତି ନିର୍ବାଚିତ ହୋଇ ଆସୁଥିଲା। କିନ୍ତୁଭାରତୀୟ ଗଣତନ୍ତ୍ର ଇତିହାସରେ ୪୮ ବର୍ଷ ପରେ ଲୋକସଭାର ବାଚସ୍ପତି ନିର୍ବାଚନ ହୋଇଥିଲା। ତେଣୁ ଏହି ନିର୍ବାଚନ ନିଆରା ଥିଲା। ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଶୁଭେଚ୍ଛା ଜଣାଇଛନ୍ତି।
ଭାରତ ଭଳି ଏକ ବୃହତ୍ ରାଷ୍ଟ୍ରର ଗୃହରେ ଅଧ୍ୟକ୍ଷତା କରିବା ସହଜ ନୁହେଁ। ଗୃହର ଅଧିବେଶନ ସମୟରେ ଶାସକ ଓ ବିରୋଧୀ ଦଳକୁ ସାମ୍ନା କରିବା ନିଶ୍ଚିତ ରୂପେ ଏକ କଡ଼ାଚ୍ୟାଲେଞ୍ଜ କାମ। ବାଚସ୍ପତି ଯଦିଓ କୌଣସି ଏକ ଦଳର ନେତା, ତଥାପି ଏହି ପଦ ଗ୍ରହଣ କରୁଥିବା ବ୍ୟକ୍ତି ନିରପେକ୍ଷ ରହିବାକୁ ପଡ଼ିଥାଏ। ଉଭୟ ଶାସକ ଓ ବିରୋଧୀଙ୍କ କାର୍ଯ୍ୟାକଳାପକୁ ସନ୍ତୁଳିତ ରଖି ଗୃହ ପରିଚାଳନା କରିବାକୁ ପଡ଼ିଥାଏ। କାରଣ ଗୃହରେ ଯେଉଁ ଚର୍ଚ୍ଚା ହୋଇଥାଏ, ଜନତାଙ୍କ ପାଇଁ ହିଁ ହୋଇଥାଏ। ଭାରତର ସଂସଦ ଭବନ କେବଳ କକ୍ଷ ନୁହେଁ ବରଂ ଏହା ୧୪୦ କୋଟି ନାଗରିକଙ୍କ ଆକାଂକ୍ଷାର କେନ୍ଦ୍ର। ତଣେୁ ଗୃହର କାର୍ଯ୍ୟଧାରା, ଆଚରଣ ଓ ଉତ୍ତରଦାୟିତ୍ୱ ଆମ ଦେଶରେ ଗଣତନ୍ତ୍ରର ମୂଳଦୁଆକୁ ମଝବୁତ କରିଥାଏ।
ଅମୃତ କାଳରେ ବିର୍ଲାଙ୍କ ଦାୟିତ୍ବ
ପ୍ରଧାନମନ୍ତ୍ରୀ କହିଥିଲେ ଅମୃତ କାଳରେ ଶ୍ରୀ ବିର୍ଲା ଦ୍ୱିତୀୟ ଥର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର ପାଞ୍ଚ ବର୍ଷର ଅଭିଜ୍ଞତା ଏବଂ ତାଙ୍କ ସହ ସଦସ୍ୟମାନଙ୍କ ଅଭିଜ୍ଞତା ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଗୃହକୁ ମାର୍ଗଦର୍ଶନ କରିବାରେ ସମର୍ଥ ହେବ। ଶ୍ରୀ ଓମ୍ ବିର୍ଲାଙ୍କ ନିର୍ବାଚନମଣ୍ଡଳୀରେ ସୁସ୍ଥ ମା’ ଏବଂ ସୁସ୍ଥ ଶିଶୁର ଯତ୍ନ, ସ୍ୱାସ୍ଥ୍ୟ ସେବା ଓ କ୍ରୀଡ଼ାର ପ୍ରଚାର ପ୍ରସାର କାର୍ଯ୍ୟ ହୋଇଛି। ଗତ ଲୋକସଭାରେ ଆମ ସଂସଦୀୟ ଇତିହାସରେ ଏକ ସୁବର୍ଣ୍ଣ ସମୟ ବୋଲି ଥିଲା। ସେହି ସମୟରେ ନିଆଯାଇଥିବା ପରିବର୍ତ୍ତନମୂଳକ ନିଷ୍ପତ୍ତି ପ୍ରଶଂସନୀୟ ଥିଲା। ନାରୀ ଶକ୍ତି ବନ୍ଦନ ଅଧିନିୟମ, ଜମ୍ମୁ କଶ୍ମୀର ପୁନର୍ଗଠନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ସାମାଜିକ ସୁରକ୍ଷା ସଂହିତା, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍, ମୁସଲିମ୍ ମହିଳା ବିବାହ ଅଧିକାର ସଂରକ୍ଷଣ ବିଧେୟକ, କିନ୍ନରଙ୍କ ଅଧିକାର ସୁରକ୍ଷା ବିଲ୍, ଖାଉଟି ସୁରକ୍ଷା ବିଲ୍, ପ୍ରତ୍ୟକ୍ଷ ଟିକସ – ବିବିଧ ସେ ବିଶ୍ୱାସ ବିଧେୟକ ମନେ ରହିବ। ଶ୍ରୀ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସମସ୍ତ ଐତିହାସିକ ଆଇନ ପାରିତ ହୋଇଥିଲା।
ଓମ୍ ବିର୍ଲାଙ୍କ ରେକର୍ଡ
ଅଷ୍ଟାଦଶ ଲୋକସଭା ପାଇଁ ଓମ୍ ବିର୍ଲା ବାଚସ୍ପତି ହେବା ସହିତ ରେକର୍ଡ କରିଛନ୍ତି। ସେ କ୍ରମାଗତ ଭାବେ ଦ୍ବିତୀୟ ଥର ଲୋକସଭା ବାଚସ୍ପତି ହୋଇଛନ୍ତି। ଓମ୍ ବିର୍ଲା ୨୦୧୯ ଜୁନ ୧୯ରୁ ୨୦୨୪ ଜୁନ ୨୪ ଯାଏଁ ପ୍ରଥମ ଦଫାରେ ଲୋକସଭା ବାଚସ୍ପତି ହୋଇଥିଲେ। ସେ ପୁଣି ଦ୍ବିତୀୟ ଦଫା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଅନ୍ୟ ୫ ଜଣ ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହୋଇଥିଲେ। ସେମାନେ ହେଲେ ଏମ୍ଏ ଆୟଙ୍ଗର (୧୯୫୫ ମାର୍ଚ୍ଚ ୮ରୁ ୧୯୫୭ ମେ ୧୦ ଓ ୧୯୫୭ ମେ ୧୧ରୁ ୧୯୬୨ ଏପ୍ରିଲ ୧୬), ଗୁରଦୟାଲ ସିଂହ ଢିଲ୍ଲୋ (୧୯୬୯ ଅଗଷ୍ଟ ୮ରୁ ୧୯୭୧ ମାର୍ଚ୍ଚ ୧୭ ଓ ୧୯୭୧ ମାର୍ଚ୍ଚ ୨୨ରୁ ୧୯୭୫ ଡିସେମ୍ବର୧), ନୀଲମ ସଂଜୀବ ରେଡ୍ଡୀ (୧୯୬୭ ମାର୍ଚ୍ଚ ୧୭ରୁ ୧୯୬୯ ଜୁଲାଇ ୧୯ ଓ ୧୯୭୭ ମାର୍ଚ୍ଚ ୨୬ରୁ ୧୯୭୭ ଜୁଲାଇ ୧୩), ବଳରାମ ଜାଖଡ଼ (୧୯୮୦ ଜାନୁଆରି ୨୨ରୁ ୧୯୮୫ ଜାନୁଆରି ୧୫ ଓ ୧୯୮୫ ଜାନୁଆରି ୧୬ରୁ ୧୯୮୯ ଡିସେମ୍ବର ୧୮), ଜିଏମ୍ସି ବାଳଯୋଗୀ (୧୯୮ ମାର୍ଚ୍ଚ ୨୪ରୁ ୧୯୯୯ ଅକ୍ଟୋବର ୧୯ ଓ ୧୯୯୯ ଅକ୍ଟୋବର ୨୨ରୁ ୨୦୦୨ ମାର୍ଚ୍ଚ ୩)।
ବାଚସ୍ପତିଙ୍କୁ ସୁବିଧା
ଲୋକସଭାରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ଓ ଗୃହର କାମକାର୍ଯ୍ୟ ପରିଚାଳନା କରିଥାନ୍ତି। ଏଥି ପାଇଁ ତାଙ୍କୁ ଭଲ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇଥାନ୍ତି। ଲୋକସଭା ଅଧ୍ୟକ୍ଷ ୧୯୫୪ର ସଂସଦ ଅଧିନିୟମ ଅନୁସାରେ ଦରମା, ଭତ୍ତା ଓ ପେନ୍ସନ ମିଳିଥାଏ। ଏହି ଅଧିନିୟମ ୨୦୧୦ରେ ସଂଶୋଧନ କରାଯାଇଥିଲା। ଏହି ଅଧିନିୟମ ଅନୁସାରେ ଲୋକସଭା ବାଚସ୍ପତିଙ୍କୁ ୧ ଲକ୍ଷ ଟଙ୍କା ଦରମା ମିଳିଥାଏ। ତାଙ୍କୁ ନିର୍ବାଚନ କ୍ଷେତ୍ର ପାଇଁ ୭୦ ହଜାର ଟଙ୍କା ଭତ୍ତା ପାଇଥାନ୍ତି। ସେ ଯେତିକି ବୈଠକରେ ଯୋଗଦେବେ ସେହି ହିସାବରେ ୨୦୦୦ ଟଙ୍କା ଲେଖାଏଁ ଅତିରିକ୍ତ ଖର୍ଚ୍ଚ ପାଇଥାନ୍ତି। କାର୍ଯ୍ୟକାଳ ସରିବା ପରେ ମାସିକ ୨୦,୦୦୦ ଟଙ୍କା ଭତ୍ତା ପାଇଥାନ୍ତି। ପେନ୍ସନ ବ୍ୟତୀତ ବାଚସ୍ପତିଙ୍କୁ ୧୫୦୦ ଟଙ୍କା ଅତିରିକ୍ତ ଭତ୍ତା ମଧ୍ୟ ମିଳିଥାଏ। ତାଙ୍କୁ ଓ ତାଙ୍କର ପରିବାର ଲୋକଙ୍କୁ ଗୃହର ଅନ୍ୟ ମନ୍ତ୍ରିମଣ୍ଡଳ ଭଳି ଯାତ୍ରା ଭତ୍ତା ମିଳିଥାଏ। ତାଙ୍କୁ ମାଗଣାରେ ନିବାସ, ମାଗଣା ଯାତ୍ରା ଓ ବୋର୍ଡିଙ୍ଗ ସୁବିଧା ମିଳିଥାଏ। ମାଗଣା ବିଦ୍ୟୁତ, ଫୋନ୍, ପିଅନ, କର୍ମଚାରୀ ଆଦି ସୁବିଧା ମିଳିଥାଏ। ଏତଦ ବ୍ୟତୀତ ଚିକିତ୍ସା ମଧ୍ୟ ମାଗଣାରେ ମିଳିଥାଏ।