Tuesday, September 10, 2024
Homeଖବରପ୍ରମୁଖ ଖବରବିଦେଶୀ ଛାତ୍ରଛାତ୍ରୀଙ୍କୁ ଅଷ୍ଟ୍ରେଲିଆ-କାନାଡାରେ କମ୍ ପ୍ରବେଶ

ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅଷ୍ଟ୍ରେଲିଆ-କାନାଡାରେ କମ୍ ପ୍ରବେଶ

ଜନସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ବର ସର୍ବବୃହତ୍ ଦେଶ। ବିଶ୍ବର କୋଣ-ଅଣୁକୋଣରେ ଭାରତର ଲୋକ ରହୁଛନ୍ତି। ବିଦେଶରେ ରହିବା ନିଶା ହେଉ ଅଥବା ଭାରତର ଶିକ୍ଷା ଠାରୁ ବାହାରେ ଭଲ ବ୍ୟବସ୍ଥା ଥିବା ମନେ କରି ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶ ଯାଉଛନ୍ତି। ଅନେକ ଅଭିଭାବକଙ୍କ ଚିନ୍ତା ଯେ, ବିଦେଶରେ ପାଠ ପଢ଼ିଲେ ସେମାନଙ୍କର ପିଲା ଭଲ କରିବେ। ତେବେ କିଛି ପାଶ୍ଚ୍ୟାତ ରାଷ୍ଟ୍ର ସେମାନଙ୍କର ଶିକ୍ଷା ଓ ଚାକିରି କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିଛନ୍ତି। ଏହା ଦ୍ବାରା ସେମାନେ ଅନ୍ୟ ଦେଶର ପିଲାଙ୍କୁ ସେଠାରେ ପାଠ ପଢ଼ିବାର ପର୍ଯ୍ୟାପ୍ତ ସୁଯୋଗ ଦେବେ ନାହିଁ। ଫଳରେ ଭାରତ ଭଳି ଜନବହୁଳ ରାଷ୍ଟ୍ରର ପିଲାମାନଙ୍କୁ ଏହିଭଳି ଦେଶରେ ପାଠ ପଢ଼ିବାରେ ଅସୁବିଧା ହେବ।

ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢ଼ିବା ନେଇ ସଂକଟ ଆରମ୍ଭ ହୋଇଯାଇଛି। ମେଧା ଓ ଆର୍ଥିକ ରୂପେ ସ୍ବଚ୍ଛଳ ପରିବାରର ପିଲାମାନେ ବିଦେଶ ପଢ଼ିବା ପାଇଁ ସ୍ବପ୍ନ ଦେଖୁଥିବା ବେଳେ ଅନେକ ଦେଶ ସେମାନଙ୍କର ନୀତିରେ ପରିବର୍ତ୍ତନ ଆଣୁଛନ୍ତି। ଏହି କାରଣରୁ କିଛି ଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଗାମୀ ପାଠ ପଢ଼ିବା ଅସୁବିଧା ହୋଇପାରେ। ନିକଟରେ କାନାଡା ଓ ଅଷ୍ଟ୍ରେଲିଆ ସରକାର ଉଚ୍ଚଶିକ୍ଷା ନେଇ ଯେଉଁଭଳି ଭାବେ ପଦକ୍ଷେପ ନେଇଛନ୍ତି, ଏହା ଦ୍ବାରା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେଠାରେ ଅଧ୍ୟୟନ କରିବା ଅସୁବିଧା ହେବ ବୋଲି ଆଶା କରାଯାଉଛି। ଆଗାମୀ ଦିନରେ କାନାଡା ଓ ଅଷ୍ଟ୍ରେଲିଆକୁ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅନୁସରଣ କରିପାରନ୍ତି।
୨,୭୦,୦୦୦ରେ ସୀମିତ ରଖିବ ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ୨୦୨୫ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୨,୭୦,୦୦୦କୁ ସୀମିତ ରଖିବ ବୋଲି କହିଛି। ଶିକ୍ଷାମନ୍ତ୍ରୀ ଜେସନ କ୍ଲେୟାର କହିଛନ୍ତି, ଆମ ବିଶ୍ୱବିଦ୍ୟାଳୟଗୁଡ଼ିକରେ କରୋନା ପୂର୍ବ ତୁଳନାରେ ପ୍ରାୟ ୧୦% ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଥିବା ବେଳେ ଘରୋଇ ଧନ୍ଦାମୂଳକ ଏବଂ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥାରେ ପ୍ରାୟ ୫୦% ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ତେଣୁ ଏହା ଉପରେ କଠୋର ହେବାକୁ ଯୋଜନା କରାଯାଇଛି। ପ୍ରବାସ ବୃଦ୍ଧିକୁ ରୋକିବା ପାଇଁ ସରକାର ଗତ ମାସରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଭିସା ଫି’ ଦୁଇଗୁଣାରୁ ଅଧିକ କରିଥିଲେ। କୋଭିଡ୍-୧୯ ମହାମାରୀ କାରଣରୁ ବିଦେଶୀ ଛାତ୍ର ଓ ଶ୍ରମିକମାନେ ୨ ବର୍ଷ ପାଇଁ ବାଦ୍ ପଡ଼ିଥିବାରୁ କର୍ମଚାରୀଙ୍କ ଅଭାବକୁ ପୂରଣ କରିବା ପାଇଁ କମ୍ପାନିଗୁଡ଼ିକୁ ନିଯୁକ୍ତି ଦେବାରେ ସାହାଯ୍ୟ କରିବା ପାଇଁ ଅଷ୍ଟ୍ରେଲିଆ ୨୦୨୨ରେ କୋଭିଡ୍ ସମୟରେ ଏହାର ବାର୍ଷିକ ଦେଶାନ୍ତର ସଂଖ୍ୟା ବୃଦ୍ଧି କରିଥିଲା। ଭାରତ, ଚାଇନା ଏବଂ ଫିଲିପାଇନ୍ସରୁ ଛାତ୍ରଛାତ୍ରୀଙ୍କ ରେକର୍ଡ ସ୍ଥାନାନ୍ତର ଯୋଗୁଁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ମଜୁରି ଚାପ ମଧ୍ୟ ନିୟନ୍ତ୍ରଣ ହୋଇଛି, କିନ୍ତୁ ସମ୍ପତ୍ତି ବଜାରରୁ ଚାହିଦା ବଢ଼ୁଥିବାରୁ ଏହା ଏବେ କଷ୍ଟକର ହୋଇପଡ଼ିଛି।
ଅଷ୍ଟ୍ରେଲିଆରେ ବିଦେଶୀ ଛାତ୍ରଛାତ୍ରୀ ବୃଦ୍ଧି
୨୦୨୩ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ବର୍ଷରେ ଇମିଗ୍ରେସନ ରେକର୍ଡ ସ୍ତରରେ ପହଞ୍ଚିଛି, ଯାହା ୬୦% ବୃଦ୍ଧି ପାଇ ରେକର୍ଡ ୫,୪୮,୮୦୦ରେ ପହଞ୍ଚିଛି, ଯାହା କି ଜୁନ୍ ୨୦୨୩ରେ ଶେଷ ହୋଇଥିବା ବର୍ଷରେ ୫୧୮,୦୦୦ ଲୋକଙ୍କ ତୁଳନାରେ ଅଧିକ। ୨୦୨୫ରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୧,୪୫,୦୦୦ ନୂତନ ଛାତ୍ରଛାତ୍ରୀ ଏବଂ ବୃତ୍ତିଗତ ଅନୁଷ୍ଠାନରେ ପ୍ରାୟ ୯୫,୦୦୦ ନୂତନ ଛାତ୍ରଛାତ୍ରୀ ରହିବେ। ପ୍ରାରମ୍ଭିକ ସଂଖ୍ୟା ପୂର୍ବ ତୁଳନାରେ ପ୍ରାୟ ୭,୦୦୦ କମ୍ ଏବଂ ଗତବର୍ଷ ତୁଳନାରେ ପ୍ରାୟ ୫୩,୦୦୦ କମ୍ ହେବ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଶିକ୍ଷାମନ୍ତ୍ରୀ ଜେସନ କ୍ଲେୟାର ଏକ ବିବୃତିରେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ନାମଲେଖା ସଂଖ୍ୟା ୧,୪୫,୦୦୦ ବା ପ୍ରାୟ ୨୦୨୩ ସ୍ତରକୁ ହ୍ରାସ କରାଯିବ। ୨୦୨୫ରେ ୩୦ ହଜାର ନୂଆ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ନାମ ଲେଖାଇପାରୁଥିବା ବେଳେ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରଦାନକାରୀଙ୍କ ସଂଖ୍ୟା ମାତ୍ର ୯୫ ହଜାରରେ ସୀମିତ ରହିବ। ଜୁଲାଇରେ ମଧ୍ୟ ୨୦୨୨-୨୦୨୩ରେ ଇମିଗ୍ରେସନ୍ ୫,୨୮,୦୦୦ ଥିବା ବେଳେ ୨୦୨୪-୨୫ ସୁଦ୍ଧା ଏହା ୨,୬୦,୦୦୦କୁ ହ୍ରାସ କରିବା ପାଇଁ ଭିସା ଫି କୁ ଦୁଇଗୁଣରୁ ଅଧିକ ବୃଦ୍ଧି କରାଯାଇଛି।

କାନାଡାରେ ପ୍ରଭାବିତ  ହେବେ ଭାରତୀୟ
କାନାଡାରେ ଅସ୍ଥାୟୀ ଚାକିରି କରୁଥିବା ବିଦେଶୀଙ୍କ ସଂଖ୍ୟା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ  ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିର ପ୍ରଭାବ ଦେଶର ଲକ୍ଷ ଲକ୍ଷ କମ୍ ବେତନ ଏବଂ ଅସ୍ଥାୟୀ ଚାକିରି ଉପରେ ପଡିବ, ଯେଉଁଥିରେ ସର୍ବାଧିକ ସଂଖ୍ୟକ ଭାରତୀୟ ଛାତ୍ର ଅଛନ୍ତି । କାନାଡାରେ ପାଠ ପଢ଼ିବାକୁ ଯାଇଥିବା ଭାରତୀୟ ଛାତ୍ରମାନେ ମଧ୍ୟ ମୁଦ୍ରାସ୍ଫୀତି କାରଣରୁ ପାଠପଢ଼ା ବାହାରେ ଛୋଟ ଛୋଟ କାମ କରନ୍ତି। ନିର୍ବାଚନ ବିଶେଷଜ୍ଞମାନେ କହିଛନ୍ତି ଯେ ଜଷ୍ଟିନ ଟ୍ରୁଡୋଙ୍କ ଏହି ନିଷ୍ପତ୍ତି ପ୍ରବାସୀ ଏବଂ ଯୁବକମାନଙ୍କ ମଧ୍ୟରେ ବେକାରୀ ବୃଦ୍ଧି କରିବ। ଟ୍ରୁଡୋ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଶ୍ରମ ବଜାର ବଦଳିଯାଇଛି। ଆମେ କାନାଡାରେ କମ୍ ଦରମାରେ ଅସ୍ଥାୟୀ ବିଦେଶୀ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରିବାକୁ ଯାଉଛୁ। କାନାଡାର ଶ୍ରମିକ ଏବଂ ଯୁବକମାନଙ୍କ ଠାରେ ନିବେଶ କରିବା ପାଇଁ ବର୍ତ୍ତମାନ ଆମର ବ୍ୟବସାୟ ପାଇଁ ସମୟ ଆସିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments