Thursday, December 5, 2024
Homeଖବରକେରଳରେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ

କେରଳରେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ

କେରଳର ୱାୟନାଡ ଜିଲ୍ଲା ମୁନ୍ଦାକ୍କି, ଛୋରାଲମାଲା, ଆତମାଲା ଓ ନୁଲପୁଝା ଗାଁରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ସୋମବାର-ମଙ୍ଗଳବାର ରାତିରେ ବଡ଼ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ବିଳମ୍ବିତ ରାତିରେ ରାଜ୍ୟବାସୀ ଗଭୀର ନିଦ୍ରାରେ ଶୋଇଥିବା ବେଳେ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ରାତି ପାହିଲା ବେଳକୁ ଅନେକ ପରିବାର ମାଟି ତଳେ ନିଶ୍ଚିହ୍ନ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣର ଶିକାର ହୋଇଥିବା ୫୦ରୁ ଉର୍ଦ୍ଧ୍ବ ଆହତଙ୍କ ଚିକିତ୍ସା ଜାରି ରହିଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

ଉଦ୍ଧାର କାର୍ଯ୍ୟରେ ବାୟୁସେନା

ଭୂସ୍ଖଳନ ପରେ କେରଳ ପୁଲିସ, ଅଗ୍ନିଶମ ବାହିନୀ, ଏସ୍‌ଡିଆରଏଫ୍‌, ଏନ୍‌ଡିଆରଏଫ୍‌, ବାୟୁସେନାର ଯବାନମାନେ ଉଦ୍ଧାର କାମରେ ନିୟୋଜିତ ଥିଲେ। ବାୟୁସେନାର ଦୁଇଟି ହେଲିକପ୍ଟର ଏମଆଇ-୧୭ ଓ ଗୋଟିଏ ଏଏଲଏଚ୍ରେ ଯବାନମାନେ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଝାଲ ବୁହାଇ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ଆହତମାନଙ୍କୁ ଆମ୍ବୁଲାନ୍ସରେ ବୈଥିରି, କଲପଟ୍ଟା, ମେପ୍ପାଡି ଓ ମନ୍ତାୱାଡିରେ ହସ୍ପିଟାଲକୁ ନିଆଯାଇଥିଲା। ସେହିପରି ୱାୟନାଡ଼ରେ ସ୍ୱାସ୍ଥ୍ୟକର୍ମୀଙ୍କ ଅଧିକ ଟିମ୍ ମୁତୟନ କରାଯାଇଥିଲା। ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଲାଗି ପଡ଼ିଥିଲେ।  ଜରୁରୀକାଳୀନ ସହାୟତା ପାଇଁ ହେଲ୍‌ପଲାଇନ ନମ୍ବର (୯୬୫୬୯୩୮୬୮୯ ଏବଂ ୮୦୮୦୦୧୦୮୩୩) ଜାରି କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ୱାୟନାଡରେ ଭୂସ୍ଖଳନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ଓ ଦୁଃଖ ପ୍ରକାଶ କରିଛନ୍ତି।  ମୃତକଙ୍କ ପରିବାରକ ପାଇଁ ସମବେଦନା ଜଣାଇଛନ୍ତି। ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଆତହମାନଙ୍କ ଚିକିତ୍ସା ପାଇଁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହ ମୋର ସମବେଦନା ରହିଛି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛି ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋଦୀ କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି ଏବଂ ସେଠାକାର ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

କେରଳରେ ବର୍ଷା ବିତ୍ପାତ

ଦେଶବ୍ୟାପି ବର୍ଷା ଜାରି ରହିଛି। କେରଳ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ରାଜ୍ୟରେ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଥିବା ବ‌େଳେ ମଙ୍ଗଳବାର ଭୋର୍‌ ସକାଳୁ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ କାରଣରୁ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ। ଫଳରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆହୁରି ଅନେକ ଲୋକ ଆହତ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ କେରଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେଳ ଧାରଣା ଉପରେ ମଧ୍ୟ ବର୍ଷା ପାଣି ଆସିଛି। ଟ୍ରାକ୍‌ରେ ପାଣି ପ୍ରବାହ ଏତେ ଦ୍ରୁତ ଗତିରେ ହେଉଛି ଯେ ଟ୍ରେନ୍ ଚଳାଚଳରେ ମଧ୍ୟ ଅସୁବିଧା ହେଉଛି। ମୋଟ ୧୭ଟି ଟ୍ରେନ୍‌ ବାତିଲ, ଗତିପଥ ପରିବର୍ତ୍ତନ ଓ ଆଶିଂକ ଗତିପଥ ପରିବର୍ତ୍ତନ କରାଯାଇଥିଲା।

ନୂଆ ଘଟଣା ନୁହେଁ

କେରଳରେ ପ୍ରାକୃତିକ ବିପର୍ଯ୍ୟୟ ନୂଆ ଘଟଣା ନୁହେଁ। ପ୍ରାୟତଃ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ହେଉଛି। ବହୁ ଲୋକଙ୍କର ମୃତ୍ୟୁ ହେଉଛି। ୨୦୧୮ରେ ପ୍ରଳଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୩୦ ଜଣଙ୍କ ଜୀବନ ଯାଇଥିଲା। ସେହି ସମୟରେ ମଧ୍ୟ ୨୫ ଜଣ ଲୋକ ଭୁସ୍ଖଳନରେ ପ୍ରାଣ ହରାଇଥିଲେ। ସେହି ସମୟରେ ୪ ଜଣ ବନ୍ୟା ଜଳରେ ଭାସିଯାଇ ପ୍ରାଣ ହରାଇଥିଲେ।  ରାଜ୍ୟରେ ୪୩୯ଟି ରିଲିଫ କ୍ୟାମ୍ପ ପରିଚାଳନା କରାଯାଇଥିଲା। ୫୩ ହଜାର ୫୦୨ ଜଣ ଲୋକଙ୍କୁ ଜଳବନ୍ଦୀରୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟସ୍ଥଳରେ ରଖାଯାଇଥିଲା। ପାହାଡ଼ିଆ ପର୍ଯ୍ୟଟନସ୍ଥଳୀ ମୁନାରରେ ୨୨ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହ ମୋଟ ୫୭ଜଣ ଫଶିରହିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments