Friday, October 4, 2024
Homeଖବରମେନିଫେଷ୍ଟୋ: ଉଲ୍ଲେଖ ନାହିଁ ଦାଦନ ସମସ୍ୟାର ସମାଧାନ 

ମେନିଫେଷ୍ଟୋ: ଉଲ୍ଲେଖ ନାହିଁ ଦାଦନ ସମସ୍ୟାର ସମାଧାନ 

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ବିଜୟ ହାସଲ ପାଇଁ ରାଜ୍ୟର ପ୍ରମୁଖ ତିନିଦଳ ଜୋରଦାର ଉଦ୍ୟମ କରୁଛନ୍ତି। ୨୪ ବର୍ଷର ବିଜେଡି ସରକାର ୬ଷ୍ଠ ଥର ସରକାର ଗଢ଼ିବାକୁ ପ୍ରୟାସ କରୁଥିବା ବେଳେ ବିଜେପି ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସି ରାଜ୍ୟବାସୀଙ୍କୁ ଡବଲ ଇଂଜିନର ଅଭିଜ୍ଞତା ଦେବାକୁ ଚାହୁଁଛି। ଅନ୍ୟପଟରେ ଉଭୟ ବିଜେଡି-ବିଜେପିକୁ ଟାର୍ଗେଟ କରି କଂଗ୍ରେସ ନିର୍ବାଚନ ବୈତରଣୀ ପାରି ହେବାକୁ ରଣନୀତି ପ୍ରସ୍ତୁତ କରିଛି। ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ବିଧାନସଭା ହାତେଇବାକୁ ତିନି ପ୍ରମୁଖ ଦଳ ମେନିଫେଷ୍ଟୋ ଜାରି କରିଛନ୍ତି। କିନ୍ତୁ ତିନି ଦଳ ଦାଦନ ସମସ୍ୟାର ସମାଧାନ କେମିତି କରାଯିବ, ସେଥି ପାଇଁ ଚିନ୍ତିତ ନାହାନ୍ତି। ଅନ୍ୟପଟରେ ରାଜ୍ୟର ପ୍ରମୁଖ ସମସ୍ୟା ହେଉଛି ଦାଦନ।

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ୨୪ ବର୍ଷ କ୍ରମାଗତ ଭାବେ ଶାସନରେ ରହିଲା ପରେ ଦାଦନ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ଅତିକମରେ ରାଜ୍ୟରେ କିଛି କଳକାରଖାନା ଥିଲା। ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ରୋଜଗାର ମିଳୁଥିଲା। ଏହି ୨୪ ବର୍ଷ ମଧ୍ୟରେ ରାଜ୍ୟରେ କଳକାରଖାନା ସଂଖ୍ୟା ବଢ଼ିବା କଥା, କିନ୍ତୁ ସରକାର ସେହିଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ରାଜ୍ୟ ସରକାର କହୁଛନ୍ତି ଯେ, ବଡ଼ବଡ଼ ଆଇଟି କଂପାନୀ ଓଡ଼ିଶାକୁ ଆସିଛନ୍ତି। କିନ୍ତୁ ଜାଣି ରଖିବାକୁ ହେବ ଯେ, ଏଥିରେ ପାଠଶାଠ ପଢ଼ି ନଥିବା ଯୁବବର୍ଗଙ୍କୁ କେତେ ରୋଜଗାର ମିଳିପାରୁଛି? ରାଜ୍ୟରେ ରୋଜଗାର ପ୍ରମୁଖ ସମସ୍ୟା ହୋଇଥିବା କାରଣରୁ ପ୍ରାୟ କୋଟିଏ ଓଡ଼ିଆଯ ଯୁବକ-ଯୁବତୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ବିରୋଧୀମାନେ ସବୁବେଳେ ପ୍ରସଙ୍ଗ କରୁଛନ୍ତି। ସଂଖ୍ୟା କୋଟିଏ ହେବ କି ନାହିଁ, ତାହା ଭିନ୍ନ କଥା। କିନ୍ତୁ କରୋନା ସମୟରେ ଲକ୍ଷଲକ୍ଷ ପ୍ରବାସୀ ଓଡ଼ିଆ ଦାଦନ ଖଟୁଥିବା ଜଣାପଡ଼ିଥିଲାଖ।

ଆନ୍ଧ୍ରପ୍ରଦେଶରେ ଓଡ଼ିଆ ନାବାଳକ ମୃତ

ସମଗ୍ର ଦେଶ ସମେତ ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଦାଦନ ଯନ୍ତ୍ରଣା ନେଇ ଖବର ଆସିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହିଲି ପଞ୍ଚାୟତ ପଲସପାଣି ଗାଁରେ ଦାଦନ ଦୁଃଖ ଦେଖାଦେଇଛି। ଆନ୍ଧ୍ରପ୍ରଦେଶର ନିଜାମଠାରେ ଦାଦନ ଖଟୁଥିବା ଏହି ଗାଁର ଶ୍ରମିକ ପୂର୍ଣ୍ଣଚନ୍ଦ୍ର ପୂଝାରି (୧୬ ବର୍ଷ)ଙ୍କ ମୃତ୍ୟୁ ହୋଇଛି। ଶବ ଭିଟାମାଟିକୁ ଫେରିଛି। ପୂର୍ଣ୍ଣଚନ୍ଦ୍ର ତିନିମାସ ତଳେ ଆନ୍ଧ୍ରପ୍ରଦେଶର ନିଜାମକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୧୯ତାରିଖ ଦିନ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେଠାରେ ଥିବା କିଛି ସାଥୀ ଏକ ବେସରକାରୀ କ୍ଲିନିକ୍ରେ ଚିକିତ୍ସା କରାଇଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନଥିଲା। ଏହାପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।  

ତେଲେଙ୍ଗାନାରେ ଆଖିବୁଜିଲେ ମା-ଝିଅ

ଦାନନ ସମସ୍ୟା କେବଳ କଳାହାଣ୍ଡିର ନୁହେଁ। ବରଂ ରାଜ୍ୟର ପ୍ରମୁଖ ସମସ୍ୟା। ଏପରିକି ପ୍ରତି ଗାଁରୁ ଲୋକ ଦାଦନ ଖଟିବାକୁ ଯାଉଛନ୍ତି କହିଲେ କିଛି ଭୁଲ ହେବ ନାହିଁ। ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ ପକନାଗୁଡା ଗାଁର ବିନ୍ଧାଣିସାହିର ବିଦ୍ୟା ବିନ୍ଧାଣିଙ୍କ ସ୍ତ୍ରୀ ବେନି ବିନ୍ଧାଣି (୩୫) ଝିଅ ବବି ବିନ୍ଧାଣିକୁ (୧୩) ନେଇ ୭ମାସ ତଳେ ଇଟା କାମ କରିବାକୁ ତେଲେଙ୍ଗାନାର ଶାନ୍ତିନଗରକୁ ଇଟା ଗଢ଼ିବାକୁ ଯାଇଥିଲେ। ସେଠାରେ ଗତ ବୁଧବାର ମଧ୍ୟାହ୍ନ ୧୨ଟା ବେଳେ କାଳବୈଶାଖୀରେ କରେଣ୍ଟ ତାର ଛିଣ୍ଡି ଯିବାରୁ ମା-ଝିଅଙ୍କ ମୃତ୍ୟୁ ଘଟିଥିଲା। ଖବର ପ୍ରଚାର ହେବାରୁ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା।

କ’ଣ ରହିଛି ବିଜେଡି ମେନିଫେଷ୍ଟୋ?

ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେଡି ମେନିଫେଷ୍ଟୋ ଜାରି କରିଛି। ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ ବୋଲି କହିଛି। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ  ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି। ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ  ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ  ମେନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୨୩ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବରରାଜ୍ୟର ମାନ୍ୟତା ପ୍ରଦାନ କରିବ। ଏଥି ସହିତ ବିଜେଡି ମେନିଫେଷ୍ଟାରେ ମାଗଣାରେ ବିଜୁଳି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, ମିସନ ଶକ୍ତିକୁ ଅଧିକ ଗୁରୁତ୍ବ ଦେଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments