ଭୁବନେଶ୍ବର: ଭାରତୀୟ ରାଜନୀତିଜ୍ଞ ନରେନ୍ଦ୍ର ମୋଦୀ ୨୦୧୪ ମେ’ ୨୬ ତାରିଖ ଦିନ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଗୁଜରାଟରେ ୧୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ପରେ ଉତ୍ତରପ୍ରଦେଶର ବାରାଣସୀ ଆସନରୁ ସାଂସଦ ମୋଦୀ ଏହାରି ମଧ୍ୟରେ କ୍ରମାଗତ ୩ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରଠାରୁ ୭୭ଥର ବିଦେଶ ଗସ୍ତ କରିଛନ୍ତି ଏବଂ ୬୭ଟି ଦେଶ ବୁଲିସାରିଛନ୍ତି। ଅର୍ଥାତ ସେ କିଛି ଦେଶକୁ ଦ୍ବିତୀୟ ଥର ଗସ୍ତ କରିଛନ୍ତି। ପଡୋଶୀକୁ ପ୍ରାଥମିକତା ଆଇନ ଅନୁଯାୟୀ ମୋଦୀ ଏହାରି ମଧ୍ୟରେ ଆମେରିକାରେ ମିଳିତ ଜାତିସଂଘରେ ମଧ୍ୟ ଉଦ୍ବୋଧନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଗତମାସ ୧୦ତାରିଖରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲା ପରେ ଗୋଟିଏ ମାସ ମଧ୍ୟରେ ତିନିଟି ଦେଶକୁ ଗସ୍ତ କରିଛନ୍ତି। ସେ ଗତମାସ ୧୩ରୁ ୧୫ ତାରିଖ ଇଟାଲି ଗସ୍ତ କରିଥିଲେ। ଆପୁଲିଆ ଠାରେ ଆୟୋଜିତ ୫୦ତମ ଜି୭ ସମ୍ମିଳନୀ ରେ ଯୋଗ ଦେଇଥିଲେ। ଏହି ଗସ୍ତରେ ସେ ଇଟାଲୀରେ ତାଙ୍କର ସମକକ୍ଷ ଜର୍ଜିଆ ମେଲୋନି, କାନାଡାରେ ସମକକ୍ଷ ଜଷ୍ଟିନ ଟ୍ରୁଡୋ ଓ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଥିଲେ। ତୃତୀୟ ପାଳିରେ ୨ୟ ଗସ୍ତ ଅବସରରେ ରୁଷିଆର ରାଜଧାନୀ ମସ୍କୋ ଓ ଅଷ୍ଟ୍ରିୟାର ରାଜଧାନୀ ଭିଏନାରେ ଏକାଧିକ ବିକାଶମୂଳକ କାର୍ଯ୍ୟରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ନ୍ୟୁକ୍ଲିୟର ବୁଝାମଣା ଉପହରେ ଦସ୍ତଖତ ଏଥିରୁ ଅନ୍ୟତମ।
ସହଭାଗୀ ସ୍ୱାର୍ଥ ଦ୍ୱାରା ସମ୍ପର୍କ ସୁଦୃଢ଼ ହେବ: ମୋଦୀ
ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ମିଳିତ ବିଶ୍ୱାସ ଆମ ସମ୍ପର୍କର ମଜଭୁତ ଭିତ୍ତିଭୂମି। ପାରସ୍ପରିକ ବିଶ୍ୱାସ ଏବଂ ସହଭାଗୀ ସ୍ୱାର୍ଥ ଦ୍ୱାରା ଆମର ସମ୍ପର୍କ ସୁଦୃଢ଼ ହୋଇଥାଏ। ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ନୂତନ ସମ୍ଭାବନା ଚିହ୍ନଟ କରିଛୁ। ଆମେ ନିଷ୍ପତ୍ତି ନେଇଛୁ ଯେ ସମ୍ପର୍କକୁ ରଣନୀତିକ ଦିଗକୁନିଆଯିବ। ଆଗାମୀ ଦଶନ୍ଧି ପାଇଁ ସହଯୋଗର ଏକ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା କେବଳ ଅର୍ଥନୈତିକ ସହଯୋଗ ଓ ନିବେଶରେ ସୀମିତ ନୁହେଁ। ଭିତ୍ତିଭୂମି ବିକାଶ, ଉଦ୍ଭାବନ, ଅକ୍ଷୟ ଶକ୍ତି, ଉଦଜାନ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ ଆଦି କ୍ଷେତ୍ରରେ ପରସ୍ପରର ସାମର୍ଥ୍ୟକୁ ଯୋଡ଼ିବା ପାଇଁ କାର୍ଯ୍ୟ କରାଯିବ।
ଭାରତ ହେଉଛି ବିଶ୍ୱବନ୍ଧୁ
ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ୧୪୦ କୋଟି ଭାରତୀୟଙ୍କ ତରଫରୁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ବିଗତ ଦଶ ବର୍ଷ ମଧ୍ୟରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଭାରତର ଆର୍ଥିକ ଅଭିବୃଦ୍ଧି ବିଶ୍ୱ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଶତ ହାସଲ କରିଛି। ଦେଶର ଡିଜିଟାଲ ଏବଂ ଫିନଟେକ୍ ସଫଳତା; ସବୁଜ ବିକାଶ କ୍ଷେତ୍ରରେ ସଫଳତା; ଏବଂ ଏହାର ପ୍ରଭାବଶାଳୀ ସାମାଜିକ-ଆର୍ଥିକ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଶକ୍ତ କରୁଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଠାରୁ ଆରମ୍ଭ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ପ୍ରୟାସ ମାଧ୍ୟମରେ ଭାରତ ଜଣେ ବିଶ୍ୱବନ୍ଧୁ ଭାବରେ ଦୁନିଆର ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି। ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ ଶାନ୍ତି, ଆଲୋଚନା ଏବଂ କୂଟନୀତି ପାଇଁ ଭାରତର ଆହ୍ୱାନକୁ ଅଧିକ ସମର୍ଥନ ମିଳିଛି।
ସମୃଦ୍ଧ ବିଶ୍ୱ ବ୍ୟବସ୍ଥା
ପ୍ରଧାନମନ୍ତ୍ରୀ ମୋଦୀ ଗତମାସ ଯେତେବେଳେ ଇଟାଲି ଗସ୍ତ କରିଥିଲେ, ସେଠାରେ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ଙ୍କୁ ଭେଟିଥିଲେ। ଇଟାଲୀର ଆପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଦୁଇ ନେତା ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ‘ହରାଇଜନ ୨୦୪୭’ ରୋଡମ୍ୟାପ୍ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ରୋଡ୍ ମ୍ୟାପ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା, ପରମାଣୁ, ମହାକାଶ, ଶିକ୍ଷା, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଯୋଗାଯୋଗ ଏବଂ ସାଂସ୍କୃତିକ ପଦକ୍ଷେପ ଯଥା ଜାତୀୟ ସଂଗ୍ରହାଳୟ ଭାଗିଦାରୀ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା। ‘ମେକ୍ ଇନ୍ ଇଣ୍ଡିଆ’ ଉପରେ ଅଧିକ ଗୁରୁତ୍ୱ ଦେବା ସହ ରଣନୈତିକ ପ୍ରତିରକ୍ଷା ସହଯୋଗକୁ ଆହୁରି ତୀବ୍ର କରିବାକୁ ସେମାନେ ରାଜି ହୋଇଥିଲେ। ଉଭୟ ନେତା ପ୍ରମୁଖ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଏକ ସ୍ଥିର ଏବଂ ସମୃଦ୍ଧ ବିଶ୍ୱ ବ୍ୟବସ୍ଥା ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଦୃଢ଼ ଏବଂ ବିଶ୍ୱସନୀୟ ରଣନୈତିକ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ।