ଭୁବନେଶ୍ବର: ଭାରତକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି। କେରଳରେ ଏହା ୧୨ ଦିନ ପୂର୍ବରୁ ପହଞ୍ଚି ସାରିଛି। ମୌସୁମୀ ବାୟୁ ଉତ୍ତର ଦିଗରେ ଧୀରେ ଧୀରେ ଅଗ୍ରସର ହେଉଛି। ପୂରା ଭାରତରେ ଏହା ବ୍ୟାପିବା ପାଇଁ ଆହୁରି ୧୫ ଦିନ ଲାଗିପାରେ। ମୌସୁମୀ ବାୟୁର ଉପସ୍ଥିତି ନଥିବାରୁ ଦେଶରେ ଆଜି ଗ୍ରୀଷ୍ମଲହର ଜାରି ରହିଛି। ଉତ୍ତର ଭାରତରେ ଗ୍ରୀଷ୍ମଲହରି ଜାରି ରହିଛି। ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରାଯାଉଛି। ଗ୍ରୀଷ୍ମଲହରିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ। ପଶ୍ଚିମ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଉପକୂଳବର୍ତ୍ତୀ ଓଡ଼ିଶାରେ ଖରା ସାଙ୍ଗକୁ ଗୁଳୁଗୁଳି ଭାରୀ ହଇରାଣ କରୁଛି। ଦକ୍ଷିଣ ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିଥିବା ବେଳେ ଏହା ଧୀରେ ଧୀରେ ଉତ୍ତର ଦିଗରେ ଅଗ୍ରସର ହେଉଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ମଧ୍ୟ ରାଜ୍ୟରେ ଅସ୍ବାଭାବିକ ପାଗ ଦେଖାଦେଇଛି। କେଉଁଠି ତତଲା ତ ଆଉ କେଉଁଠି କୋହଲା ପାଗ। କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ଲଗାତାର ଗୋଟିଏ ସପ୍ତାହ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଏଭଳି ପାଗ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କଲାଣି। ହଠାତ୍ ଗ୍ରୀଷ୍ମ ପ୍ରବାହ ବଢ଼ିବା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଉପକୂଳରେ ଗରମ ସହ ଗୁଳୁଗୁଳି ଲାଗିରହିଥିବାରୁ ଲୋକେ ଅଣନିଶ୍ବାସୀ ଅନୁଭୂତ କରୁଛନ୍ତି। ଏହାରି ଭିତରେ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି।
ଏସ୍ଆରସିର ସତର୍କ ସୂଚନା
ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ବଦଳୁଥିବା ପାଣିପାଗ ସ୍ଥିତିକୁ ଦେଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆର୍ସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ବରିଷ୍ଠ ନାଗରିକ ଓ ଅସୁସ୍ଥ ବ୍ୟକ୍ତି ଆବଶ୍ୟକତା ନ ଥିଲେ ପଦାକୁ ନ ବାହାରିବା, ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଘରୁ ବାହାରିବା ସମୟରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା, ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ସେପଟେ କାଳବୈଶାଖୀ, ବଜ୍ରପାତ, ଘଡ଼ଘଡ଼ି, ପ୍ରବଳ ବର୍ଷା ଆଦି ପ୍ରଭାବରେ ଯଦି କୌଣସି ସ୍ଥାନରେ କ୍ଷୟକ୍ଷତି ହେଉଛି ତାହାହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଂଶୁଘାତ ଜନିତ ମୃତ୍ୟୁ
ଚଳିତ ଥର ଗ୍ରୀଷ୍ମ ଋତୁରେ ସର୍ବାଧିକ ଅଂଶୁଘାତ ଜନିତ ମୃତ୍ୟୁ ହୋଥିବା କୁହାଯାଉଛି। ସରକାରୀ ଭାବେ ଯଦିଓ ଅଂଶୁଘାତଜନିତ ମୃତ୍ୟୁ ୪୧ ବୋଲି କୁହାଯାଉଛି। ବାସ୍ତବରେ ଏହା ଅଧିକ ହେବ। ଅଳ୍ପ କିଛି ଦିନ ପୂର୍ବରୁ ରାଉରକେଲା ସମେତ ସୁନ୍ଦରଗଡ଼ରେ ଯେଉଁଭଳି ଭାବେ ଲୋକଙ୍କର ଅସ୍ବାଭାବିକ ମୃତ୍ୟୁ ହେଲା, ରାଜ୍ୟବାସୀଙ୍କର ଚିନ୍ତା ବଢ଼ିବା ସ୍ବାଭାବିକ। ରାଉରକେଲା ସରକାରୀ ଡାକ୍ତରଖାନାରେ ଅଳ୍ପ କିଛି ସମୟରେ ମଧ୍ୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଏଥି ପାଇଁ ଚିନ୍ତାରେ ପଡ଼ି ଯାଇଥିଲେ। କେବଳ ରାଉରକେଲା ନୁହେଁ। ବରଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, ଯାଜପୁର ଓ ସୁବର୍ଣ୍ଣପୁରରେ ମଧ୍ୟ ଚଳିତ ବର୍ଷ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଛି। ରାଜ୍ୟବ୍ୟାପୀ ଗ୍ରୀଷ୍ମଲହରି ଆହୁରି କିଛି ଦିନ ଜାରି ରହିଲେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି।