ଭୁବନେଶ୍ବର: ବର୍ଷାଋତୁ ଆରମ୍ଭ ହୋଇଛି। ଘର ଚାରିପାଖରେ ଅନାବନା ଗଛ ଉଠିଛି। ରାସ୍ତାକଡ଼ର ଡ୍ରେନ୍ ସନ୍ତସନ୍ତିଆ ହୋଇଛି। ଭୂପୃଷ୍ଠ ଓଦା ହୋଇଛି। ଏହି ସବୁ କାରଣରୁ ମଶାମାନଙ୍କର ବଂଶବୃଦ୍ଧି ହେଉଛି। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେଉଥିଲେ ମଧ୍ୟ ଏଥିରେ ବ୍ରେକ୍ ଲାଗୁନାହିଁ। ବରଂ ମଶାଙ୍କ ପାଇଁ ଲୋକେ ଡେଙ୍ଗୁ, ମ୍ୟାଲେରିଆ ଓ ଜିକା ଭାଇରସରେ ସଂକ୍ରମିତ ହେଉଛନ୍ତି। ମଶା କାମୁଡ଼ାରେ ସଂକ୍ରମିତ ହୋଇ ଜନତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହେବାକୁ ପଡୁଛି। ଯେତେ ସତର୍କମୂଳକ ପଦକ୍ଷେପ ନେଲେ ମଧ୍ୟ ମଶାମାନେ ଏହା ବିଫଳ କରୁଛନ୍ତି। ଅତି ଛୋଟ ଜୀବ ହୋଇଥିଲେ ମଧ୍ୟ ମଶାମାନେ ମାରାତ୍ମକ ବୋଲି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।
ଓଡ଼ିଶାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ୪୮୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ମୋଟ ୩୫ ହଜାର ୪୭୦ ଟେଷ୍ଟିଂରୁ ୪୮୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବୁଧବାର ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କଟକରେ ମଧ୍ୟ ଡେଙ୍ଗୁରେ ରୋକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଡେଙ୍ଗୁ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ସୁନ୍ଦରଗଡ଼ରେ ମୋଟ ୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କେବଳ ରାଉରକେଲା ସହରରେ ୫୭ ରୋଗୀ ସାମିଲ ଅଛନ୍ତି। ଡେଙ୍ଗୁ ବ୍ୟାପିବାରେ ରୋକ ଲଗାଇବା ପାଇଁ ଡେଙ୍ଗୁ ସଚେତନତା ରଥ ଭଳି ବିକଳ୍ପ ପନ୍ଥା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି ।
ସୁନ୍ଦରଗଡ଼ରେ ଡେଙ୍ଗୁ
ବସ୍ତି ଓ କଲୋନିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରୁ ଦିନକୁ ଦିନ ସହରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଡେଙ୍ଗୁରୋଗୀ ସହରବାସୀଙ୍କ ଚିନ୍ତା ବଢ଼ାଇଥିଲାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମିତି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଡେଙ୍ଗୁରୋଗୀ ଚିହ୍ନଟ ହେବା ପରେ ମଧ୍ୟ କଲୋନି ଓ ବସ୍ତିରେ ମଶା ଧୂଆଁ ଛଡ଼ା ଯାଉନାହିଁ। ସହରର ପ୍ରମୁଖ ଡ୍ରେନ୍ ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡ଼ିଥିବାରୁ କେବଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉ ନାହିଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି। ସେପଟେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସେକ୍ଟର ଅଞ୍ଚଳରେ ସଫାସୁତୁରାକୁ ପ୍ରାଥମିକ ଦିଆଯାଉଛି। ଡେଙ୍ଗୁ ବ୍ୟାପିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖାଯାଇଛି। ଆବଶ୍ୟକ ଔଷଧ ସମସ୍ତ ଡାକ୍ତରଖାନାରେ ମହଜୁତ ରଖାଯାଇଛି। ଟେଷ୍ଟିଂକୁ ବୃଦ୍ଧି କରାଯାଇଛି ବୋଲି ଡାକ୍ତର ସ୍ବାଇଁ କହିଛନ୍ତି।
କର୍ଣ୍ଣାଟକରେ ମଧ୍ୟ ଡେଙ୍ଗୁ
କର୍ଣ୍ଣାଟକବାସୀଙ୍କୁ ଡେଙ୍ଗୁ ଡରାଉଛି। ଏଠାରେ ଜୁଲାଇ ୭ ତାରିଖ କେବଳ ଗୋଟିଏ ଦିନରେ ପୁଣି ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂରା ରାଜ୍ୟରେ ଜୁଲାଇ ମାସରେ ୭ ତାରିଖ ସୁଦ୍ଧା ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ପୂରା ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇସାରିଛି। କେବଳ ବେଙ୍ଗାଲୁରୁରେ ଜୁଲାଇ ୬ ତାରିଖ ଯାଏଁ ୧,୯୦୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ସ୍ଥାନରେ ଏହା ରାଜ୍ୟର ସର୍ବାଧିକ। କେବଳ ବେଙ୍ଗାଲୁରୁ ନୁହେଁ। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଡେଙ୍ଗୁର ପ୍ରକୋପ ରହୁଛି।
ପୁନେରେ ଜିକା ଭାଇରସ
ମହାରାଷ୍ଟ୍ରର ପୁନେ ସହରରେ ଜିକା ଭାଇରସ୍ ମୁଣ୍ଡ ଟେକିଛି। ଏହି ସଂକ୍ରମଣ ଦିନକୁ ଦିନ ବ୍ୟାପୁଛି। ପୁନେରେ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ଏଥିରେ ତିନି ଜଣ ଗର୍ଭବତୀ ମଧ୍ୟ ଅଛନ୍ତି। ପୁନେରେ ପ୍ରଥମେ ଜିକା ଭାଇରସ ଦ୍ବାରା ଜଣେ ଡାକ୍ତର ଆକ୍ରାନ୍ତ ହୋଇଥିଲେ। ଏହା ପରେ ଡାକ୍ତରଙ୍କ ଶିଶୁକନ୍ୟା ଏହି ସଂକ୍ରମଣର ସଂସ୍ପର୍ଶରେ ଆସିଥିଲେ। ଉଭୟ ବାପ-ଝିଅଙ୍କ ରକ୍ତ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଲା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ଭାବିତ ଅଞ୍ଚଳରୁ ପ୍ରଭାବିତ ଲୋକଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତେବେ ଜିକା ଭାଇରସ ସଂକ୍ରମଣ ବ୍ୟାପିବା ନେଇ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ନେଇଛି। ପୁନେ ମହାନଗର ନିଗମ (ପିଏମ୍ସି)ର ଅଧିକାରୀ ଡ. କଳ୍ପନା ବଲିୱନ୍ତଙ୍କ ନେତୃତ୍ବରେ ମେଡିକାଲ ନମୁନା ସଂଗ୍ରହ କରିଛନ୍ତି। ସଂକ୍ରମଣ ନ ବଢ଼ିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।