ଭୁବନେଶ୍ବର: ରାଜ୍ୟର ଚାହିଦା ଅନୁସାରେ ପରିବା ଉତ୍ପାଦନ ହେଉନାହିଁ। ଓଡ଼ିଶାବାସୀଙ୍କର ଆବଶ୍ୟକତା ପୂରଣ କରୁଛି ପଡ଼ୋଶୀ ରାଜ୍ୟ ସହ କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟ। କିଛି ମାସ ହେଲା ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ହଠାତ ଆଳୁ ଦର ବୃଦ୍ଧି ନେଇ ଓଡ଼ିଶାବାସୀଙ୍କର ଚିନ୍ତା ବଢ଼ିଛି। ଆଳୁକୁ କେନ୍ଦ୍ର କରି ଗାଁରୁ ସହର ଓ ମୁଦ୍ରିତ ମିଡିଆ ଠାରୁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ରାଜ୍ୟରେ ଆବଶ୍ୟକତା ଅନୁସାରେ ଉତ୍ପାଦନ ଓ ଶୀତଳଭଣ୍ଡାର ଅଭାବ କାରଣରୁ ଆଳୁ ଦର ବଢ଼ିଛି। କିନ୍ତୁ ଆଜୁ ଦର ବଢ଼ିବା ନୂଆ କଥା ନୁହେଁ। ବର୍ତ୍ତମାନ କ୍ଷେତ୍ରରେ ରାଜ୍ୟରେ ଆଳୁ ଦର କିଲୋ ପିଛା ୪୦ରୁ ୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଅତୀତରେ ରାଜ୍ୟବାସୀ କିଲୋ ପିଛା ୧୦୦ ଟଙ୍କା ଦେଇ ଆଳୁ କିଣିଛନ୍ତି।
ରୋଷେଇଶାଳର ଅନ୍ୟତମ ମୁଖ୍ୟ ପରିବା ଆଳୁ ହୋଇଥିବାରୁ ଏହାରି ଉପରେ ଚର୍ଚ୍ଚା ହେବା ଦରକାର। କେବଳ ଚର୍ଚ୍ଚାରେ ସୀମିତ ନରହି, ଜନସାଧାରଣ ସ୍ଥାନୀୟ ନେତା ଓ ଅଧିକାରୀଙ୍କୁ ଆଳୁ ପ୍ରସଙ୍ଗରେ ଦାବି ମଧ୍ୟ ଜଣାଇବାର ଦରକାର ଅଛି। କାରଣ ଉଭୟ ସରକାର ଓ ପ୍ରଶାସନ ଏହି ପ୍ରସଙ୍ଗକୁ ଗୁରୁତର ସହିତ ନେଲେ ସ୍ଥାୟୀ ସମସ୍ୟାର ସମାଧାନ ହୋଇପାରିବ। ଆଳୁ ସମସ୍ୟା ଦୂର କରିବାକୁ ହେଲେ ପଶ୍ଚିମବଙ୍ଗ, ବିହାର ଓ ଉତ୍ତର ପ୍ରଦେଶ ଭଳି ଆଳୁ ଉତ୍ପାଦନ କରିବାକୁ ପଡ଼ିବ। ପୁଣି ବର୍ଷ ସାରା ଏହାର ଯତ୍ନ ପାଇଁ ଶୀତଳଭଣ୍ଡାରର ବ୍ୟବସ୍ଥା କରିବାକୁ ହେବ। ରାଜ୍ୟରେ ବର୍ତ୍ତମାନ କ୍ଷେତ୍ରରେ ଆବଶ୍ୟକତା ଅନୁସାରେ ଶୀତଳଭଣ୍ଡାର ନାହିଁ। ଫସଲ ଉତ୍ପାଦନ ସମୟରେ ଚାଷୀମାନେ ନିଜର ବଳକା ପରିବା ରଖିବା ପାଇଁ ସମ୍ମୁଖୀନ ହୋଇଥାନ୍ତି। ଫଳରେ ଶସ୍ତାରେ ଦେଇଥାନ୍ତି ଅଥବା ପଚିସଢ଼ି ନଷ୍ଟ ହୋଇଥାଏ।
ଆଳୁ ମିସନ ଫେଲ୍
ବର୍ଷବର୍ଷ ଧରି ଓଡ଼ିଶାବାସୀ ଆଳୁ ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସୁଛନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଅନେକ ସମୟରେ ନାଲି ଆଖି ଦେଖାଉଛି। ଆଉ ମନଇଚ୍ଛା ଆଳୁ ଯୋଗାଣ ବନ୍ଦ କରିଦେଉଛି। ଯେଉଁଥିପାଇଁ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଉଛି। ଏହାର ମୁକାବିଲା ପାଇଁ ବିଜେଡି ସରକାର ୨୦୧୫ରେ ‘ଆଳୁ ମିଶନ୍’ ଆରମ୍ଭ କରିଥିଲେ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟକୁ ଅତିରିକ୍ତ ୫୦ କୋଟି ଟଙ୍କା ଦିଆଯାଇଥିଲା। ଲକ୍ଷ୍ୟ ଥିଲା, ରାଜ୍ୟରେ ମାତ୍ର ୧୫ ହଜାର ହେକ୍ଟର ଜମିରେ ହେଉଥିବା ଆଳୁ ଚାଷକୁ ବଢ଼ାଇ ୩ ବର୍ଷରେ ୬୦ ହଜାର ହେକ୍ଟରରେ ପହଞ୍ଚାଇବା। ଚାଷୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ଉତ୍ପାଦିତ ଆଳୁକୁ ନିକଟସ୍ଥ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯିବ। ସେଥିପାଇଁ ୧୧୨ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବାର ଯୋଜନା କରାଯାଇଥିଲା। ହେଲେ ମିଶନ୍ ଅଧୀନରେ ରଖାଯାଇଥିବା ଗୋଟିଏ ବି ଲକ୍ଷ୍ୟ ପୂରଣ ହୋଇପାରିଲାନି। ୩ ବର୍ଷ ଭିତରେ ମାତ୍ର ୪ଟି ଶୀତଳଭଣ୍ଡାର ନିର୍ମାଣ ହୋଇପାରିଥିଲା। ଆଉ ଆଳୁ ଚାଷଜମି ମାତ୍ର ୨୫ ହଜାର ହେକ୍ଟରରେ ହାମୁଡେଇଲା। ଯାହାର ପରିଣାମ ସ୍ୱରୂପ ଆଳୁ ମିଶନ ମାଟି କାମୁଡିଲା। ଆଳୁ ଚାଷଠାରୁ ମୁହଁ ଫେରାଇ ନେଇଥିଲେ ଚାଷୀ। କେବଳ ଏତିକି ନୁହେଁ ଆଳୁ ଚାଷ ସଂପର୍କରେ ଅଧିକ ଜ୍ଞାନ ଆହୋରଣ ପାଇଁ ସରକାରଙ୍କ ତରଫୁରୁ କିଛି ବିଶେଷଜ୍ଞ ପେରୁ ଯାଇଥିଲେ।
ମାନୁ ନାହାନ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟରେ ଦୋକାନୀମାନେ ଆଳୁ କିଲୋ ୩୨ଟଙ୍କାରେ ବିକ୍ରି କରନ୍ତୁ। ଅଧିକ ଟଙ୍କାରେ ବିକ୍ରିକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତ ଶୁକ୍ରବାର ଦିନ ମନ୍ତ୍ରୀ ଶ୍ରୀ ପାତ ଏଭଳି ତାଗିଦ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ କଥାକୁ ଦୋକାନୀମାନେ ଗୁରୁତ୍ବ ଦେଉନାହାନ୍ତି। ରାଜ୍ୟବ୍ୟାପୀ ଆଲୁ କିଲୋ ପିଛା ୪୫-୫୦ ଟଙ୍କାରେ ବିକ୍ରି ହେଉଛି। ଦୋକାନୀମାନେ ଚଢ଼ା ଦରରେ ଆଳୁ ବିକ୍ରି କରୁଥିଲେ ହେଁ ଯୋଗାଣ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ ହୋଇନାହିଁ କି କାର୍ଯ୍ୟାନୁଷ୍ଠାନ ବି ନିଆଯାଇନି। ମନ୍ତ୍ରୀଙ୍କ ତାଗିଦ୍କୁ ଯୋଗାଣ ବିଭାଗର ଅଧିକାରୀ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ଗତ ୫ଦିନ ହେବ ଓଡ଼ିଶା ଆଳୁ ବଜାରରେ ନିଆଁ ଲାଗିଛି। ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକ୍ଗୁଡ଼ିକୁ ଓଡ଼ିଶା ଆସିବା ଲାଗି ଅନୁମତି ଦେଉ ନ ଥିବାରୁ ରାଜ୍ୟରେ ଦର ଖସୁନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ମନଇଚ୍ଛା ଦରରେ ଆଳୁ ବିକ୍ରି କରୁଛନ୍ତି। ଖାଇବା ପ୍ଲେଟ୍ରୁ ଆଳୁ କମି ଗଲାଣି। ଆଜି ପଶ୍ଚିମବଙ୍ଗରୁ ଲୁଚାଛପାରେ କିଛି ଆଳୁ ଟ୍ରକ୍ ଓଡ଼ିଶାରେ ପହଞ୍ଚିଛି। ହୋଲସେଲ୍ରେ କ୍ବିଣ୍ଟାଲ ପିଛା ୩୨ଶହ ଟଙ୍କାରେ ବିକ୍ରି ହେଉଛି। ମାତ୍ର ଖୁଚୁରା ବଜାରରେ ଆଳୁ ଦର ନିୟନ୍ତ୍ରିତ ହୋଇପାରୁନାହିଁ।
ରାଜନୈତିକ ଲାଭ ଉଠାଇବାକୁ ଉଦ୍ୟମ
ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କ୍ରମାଗତ ଭାବେ ୫ଥର ମୁଖ୍ୟମନ୍ତ୍ରୀ ହୋଇ ୨୦୨୪ ଜୁନ୍ ୪ ତାରିଖ ଯାଏଁ ୨୪ ବର୍ଷ କ୍ଷମତାରେ ରହିଲେ। ରାଜ୍ୟରେ ଆଳୁ, ପିଆଜ, ଟବାଟୋ, ମାଛ, ଅଣ୍ଡା, ଡାଲି ସମସ୍ୟାର ସମାଧାନ କରିପାରିଲେ ନାହିଁ। ୨୦୧୪ ମସିହାରେ ଯେତେବେଳେ ଓଡ଼ିଶାରେ ଆଳୁ କିଲୋ ୧୦୦ ଟଙ୍କା ଓ ୨୦୧୮ରେ କିଲୋ ପିଛା ୫୦ ଟଙ୍କା ଥିଲା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପାରି ନଥିଲେ। କିନ୍ତି କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ହୋଇ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ଲୋକଙ୍କମନରେ ରାଜନୈତିକ ବିଶ୍ବାସ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ। ଚିଠିରେ ସେ କହିଥିଲେ, ଓଡ଼ିଶା ବଜାରରେ ଆଳୁ ନିଅଣ୍ଟ ସାଙ୍ଗକୁ ଦର ବୃଦ୍ଧି ଦେଖାଦେଇଛି। ପଶ୍ଚିମବଙ୍ଗ ସୀମାରେ ଆଳୁ ବୋଝେଇ ଟ୍ରକ ଓଡ଼ିଶା ଆସିପାରୁନଥିବା ଖବର ଗଣମାଧ୍ୟମରୁ ଜାଣିବା ପରେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ ପାଇଁ ଉଦ୍ୟମ କରନ୍ତୁ। ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ବଜାରକୁ ଆସି ପାରିବା ନେଇ ବ୍ୟବସ୍ଥା କରନ୍ତୁ।
ନେତାଙ୍କ ବୟାନ୍
ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ୨୪ ବର୍ଷ ଦରି ରହିଥିଲେ। କୌଣସି ସମସ୍ୟାର ସମାଧାନ କରିପାରିଲେ ନାହିଁ। ଆଳୁ ମିଶନ୍ ଫେଲ୍ ହେଲା। ଆଳୁ ଚାଷ ପାଇଁ କୃଷକଙ୍କୁ ପାଣି ଦେଲେନି। ବିହନ ଦେଲେନି। ପ୍ରୋତ୍ସାହନ ଦେଲେନି। ଶୀତଳଭଣ୍ଡାର କଲେନି। ଆଳୁ ଓ ପିଆଜ, କେଉଁଥିରେ ସ୍ୱୟଂ ସଂପନ୍ନ କରିପାରିଲେ ନାହିଁ। ତାହା ହେଲେ ତୁମେ(ବିଜେଡି) ୨୪ ବର୍ଷ ଧରି କ’ଣ କରୁଥିଲ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଯୋଗାଣ ମନ୍ତ୍ରୀଙ୍କ ଆରୋପର ଉପରେ ପୂର୍ବତନ ବିଧାୟକ ଦେବୀ ମିଶ୍ର କହିଛନ୍ତି, ଅନ୍ୟକୁ ଦୋଷ ଦେବା ସହଜ। କେଉଁ କାରଣରୁ ଆଳୁ ମିଶନ ଆଗେଇ ପାରିଲାନି, ତାହାର କାରଣ ଖୋଜି ଏବେକାର ସରକାର ତା’ର ସଫଳ ରୂପାୟନ କରି ଦେଖାନ୍ତୁ। କିନ୍ତୁ ବିଜେପି ଓ ବିଜେଡିକୁ ସମାଲୋଚନା କରି କଂଗ୍ରେସ। ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟେ ରାଜ୍ୟରେ ୯ ବର୍ଷ ମିଶିକି ଶାସନ କରିଥିଲେ। ତା’ପରେ ବିଜେପି ଏକାକୀ କେନ୍ଦ୍ରରେ ୧୦ରୁ ଅଧିକ ବର୍ଷ ହେଲା କ୍ଷମତାରେ ଅଛି। ତଥାପି କେହି ଓଡ଼ିଶାକୁ ଧ୍ୟାନ ଦେଇନାହାନ୍ତି।