Tuesday, September 10, 2024
Homeଖବରପ୍ରମୁଖ ଖବରନବୀନଙ୍କ ନିର୍ବାଚନ ମଣ୍ଡଳୀରେ ସାମାଜିକ ସ୍ଥିତି

ନବୀନଙ୍କ ନିର୍ବାଚନ ମଣ୍ଡଳୀରେ ସାମାଜିକ ସ୍ଥିତି

ଭୁବନେଶ୍ବର: ଓଡ଼ିଶା ଇତିହାସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ସେବା ଦେଇଛନ୍ତି। ଶତାଦ୍ଦୀର ପ୍ରାୟ ଏକ ଚତୁର୍ଥାଂଶ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲା ହିଂଜିଳି ବିଧାନସଭା ଆସନରୁ ବିଧାୟକ ହୋଇଛନ୍ତି। ହିଂଜିଳିବାସୀଙ୍କୁ ୬ଥର ବିଧାନସଭା ନିର୍ବାଚନରେ ବିଜୟୀ କରାଇଛନ୍ତ। କିନ୍ତୁ ନବୀନ ପଟ୍ଟନାୟକ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସୁନାର ଅଞ୍ଚଳ କରିପାରି ନାହାନ୍ତି। ଗଂଜାମ ଜିଲ୍ଲାର ଲୋକେ ରାଜ୍ୟର ସବୁଠାରୁ ପଛୁଆ ଭାବେ ଗଣତି ହୋଇଥାନ୍ତି। ନବୀନ ପଟ୍ଟନାୟକ ଚାହିଁଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀରେ ସୁନାର ଫସଲ ଫଳାଇ ପାରିଥାନ୍ତେ। କିନ୍ତୁ କରିପାରିଲେ ନାହିଁ। ନିର୍ବାଚନ ସମୟରେ ହିଂଜିଳିବାସୀଙ୍କୁ ନବୀନ ମନେ ପକାନ୍ତି। ହିଂଜିଳିବାସୀ ମଧ୍ୟ ନିର୍ବାଚନ ପ୍ରଚାର ଶୁଣି ଖୁସି ହୋଇଯାଆନ୍ତି। ବାରମ୍ବାର ସମର୍ଥନ ଦିଅନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଶହେଟି ହତ୍ୟା ଘଟଣା ଘଟିଛି। ସେହି ହତ୍ୟା ଘଟଣାରେ ମୋଟ୍ ୩୨୮ ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରାଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ମୋଟ୍ ଶହେଟି ମାମଲା ମଧ୍ୟରୁ ୨ ଗୋଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି। ୨୨ଗୋଟି ମାମଲା ଦୋଷମୁକ୍ତ ହୋଇଛି ଏବଂ ୬୯ଟି ମାମଲା ବିଚାରାଧୀନ ଅଛି। ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୁଲିସ ଉପରକୁ ୩୭ଟି ମାମଲାରେ ଅପରାଧୀ ଚଳାଇଛନ୍ତି ଗୁଳି। ଅପରାଧୀଙ୍କ ଗୁଳି ଚାଳନା ସମୟରେ ୬୩ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ୩୭ଟି ମାମଲାରେ ୪୧ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି।

ନବୀନଙ୍କୁ ନେଇ କ’ଣ କହିଲେ ମୋହନ

ଗଂଜାମ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ଅବସ୍ଥା ଉନ୍ନତ ସ୍ଥିତିରେ ପହଞ୍ଚି ପାରି ନାହିଁ। ପାନୀୟ ଜଳ ହେଉଛି ଗଂଜାମବାସୀଙ୍କର ବଡ଼ ସମସ୍ୟା, ଯାହା ଦୀର୍ଘ ଦିନ ହେଲା ସମାଧାନ ହୋଇପାରି ନାହିଁ। ଲୋକଙ୍କର ଚାଷ ଜମି କମ୍‌ ଥିବାରୁ ରୋଜଗାର ପାଇଁ ଅନ୍ୟ ଉତ୍ସ ଉପରେ ନିର୍ଭର କରିଥାନ୍ତି। କୃଷି ବ୍ୟତୀତ ଲୋକଙ୍କୁ ରୋଜଗାର ଦେବାରେ ଶିଳ୍ପର ବଡ଼ ଭୂମିକା ରହିଥାଏ। କିନ୍ତୁ ଗଂଜାମ ହେଉଛି ଶିଳ୍ପ ବିହୀନ ଜିଲ୍ଲା। ନବୀନ ସରକାରରେ ଆସିକାସ୍ଥିତ ବୃହତ୍‌ ଚିନିକଳ ବନ୍ଦ ହୋଇଯାଇଛି। ଅନ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ନବୀନ ସରକାର ଉଦ୍ୟମ କରିପାରିଲେ ନାହିଁ। ପ୍ରତିଦିନ ଜିଲ୍ଲାରୁ ହଜାର ହଜାର ଲୋକ ପେଟପାଳିବା ପାଇଁ ବାହାର ରାଜ୍ୟକୁ ଯାଉଛି। ପୁରୀ-ଅହମଦାବାଦ ଟ୍ରେନ୍‌ଟି ସତେ ଯେପରିକି ଦାଦନ ଶ୍ରମିକମାନଙ୍କ ପାଇଁ ପରିଚାଳିତ ହେଲା ଭଳି ଲାଗୁଛି।

ନିର୍ବାଚନ ବେଳେ ହିଂସା

ଗଂଜାମ ଜିଲ୍ଲାରେ ସାମାନ୍ୟ କଥାରେ ହିଂସା ଦେଖିବାକୁ ମିଳିଥାଏ। କଥା କଟାକଟି ହେଲେ ଛୁରି ବାହାରେ ଓ ବନ୍ଧୁକରୁ ଗୁଳି ଫୁଟେ। ବିଗତ ଦିନରେ ଏହିପରି ଅଘଟଣ ଅନେକ ଦେଖିବାକୁ ମିଳିଛି। ଲୋକଙ୍କର ମନରେ ବୁଝିବାର ଶକ୍ତି ବହୁତ କମ୍‌, ଯେଉଁଥି ପାଇଁ ଛୋଟ କଥା ବଡ଼ରେ ପରିଣତ ହୋଇଯାଇଥାଏ। ସାଧାରଣ ନିର୍ବାଚନ-୨୦୨୪ରେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ମେ’ ମାସରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏଥି ସହିତ ଅନ୍ୟ ୪ ଜଣ ବିଜେପି କର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।   ଖଲ୍ଲିକୋଟ ବ୍ଲକର ବେଗୁନିଆପଡା ଥାନା ଅଧୀନ ସୁମଣ୍ଡଳ ଗାଁରେ ପୁଣି ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିଲା। ଆକ୍ରମଣରେ ବିଜେପି କର୍ମୀ ତପନ ବିଶ୍ବାଳ ଆହତ ହୋଇଥିଲେ। ଏହି ଘଟଣାରେ ତିନି ଜଣ ବିଜେଡି କର୍ମୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସାହୁ, ସୁଶାନ୍ତ ଦୋରା ଓ ସାଗର ମହାନ୍ତି। ତପନ ବିଶ୍ବାଳ ସୁମଣ୍ଡଳ ଛକରେ ବସିଥିବା ବେଳେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ତପନଙ୍କୁ ବିଜେଡ଼ି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ଅଭାବ ପାଇଁ ହିଂସା!

ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଗଂଜାମରେ ଅଧିକ ହିଂସା ହେଉଥିବା ମନେ କରାଯାଇଥାଏ। ଏଥି ପାଇଁ ଏକାଧିକ କାରଣ ରହିଛି। ଅଭାବ ହେଉଛି ଅନ୍ୟତମ ପ୍ରମୁଖ କାରଣ। ଜିଲ୍ଲାରେ ରୋଜଗାରର ଉତ୍ସ କମ ଥିବାରୁ ଲୋକେ ଆର୍ଥିକ ସମସ୍ୟାର ସାମ୍ନା କରିଥାନ୍ତି। ପ୍ରାୟତଃ ଅଧିକାଂଶ ପରିବାରରୁ ଅନ୍ୟ ରାଜ୍ୟକୁ ଯାଇ ପେଟପାଳିଥାନ୍ତି। ବୁଝାମଣା ଅଭାବରୁ ମଧ୍ୟ ଲୋକଙ୍କ ମଧ୍ୟରେ ହିଂସା ହୋଇଥାଏ, ଯାହା ଗଂଜାମ ଜିଲ୍ଲାରେ ମଧ୍ୟ ପରିଲକ୍ଷିତ ହୋଇଥାଏ। ଗଂଜାମରେ ପାରିବାରିକ ବିବାଦ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ଦୃଷ୍ଟିଗୋଚର ହୋଇଥାଏ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments