ଭୁବନେଶ୍ବର: ମାଓବାଦୀମାନେ ହ୍ରିଂସ ହୋଇଛନ୍ତି। ସୀମାନ୍ତରେ ଉତ୍ପାତ ଦେଖାଯାଉଛନ୍ତି। ସରକାର ଓ ସାଧାରଣ ଧନଜୀବନକୁ କ୍ଷତି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖୁଛନ୍ତି। ମାଓବାଦୀମାନେ ଓଡ଼ିଶା-ଛତିଶଗଡ଼-ଆନ୍ଧ୍ରପ୍ରଦେଶ ସୀମା, ଛତିଶଗଡ଼-ଓଡ଼ିଶା-ଝାଡ଼ଖଣ୍ଡ ସୀମା ଓ ଛତିଶଗଡ଼-ମହାରାଷ୍ଟ୍ରର ସୀମାରେ ନକ୍ସଲ ଗିତିବିଧି ଜାରି ରହିଛି। ସୁରକ୍ଷାବାହିନୀର ଯବାନମାନେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ସେହି ସମୟରେ ନକ୍ସଲମାନେ ଜଙ୍ଗଲ ଭିତରେ ରହୁଛନ୍ତି। ମାତ୍ର ସର୍ଚ୍ଚଅପରେଶନରେ ସାମାନ୍ୟ ଅବହେଳା ମାତ୍ର ସୁଯୋଗ ଦେଖି ଲକ୍ଷ୍ୟ ପୂରା କରୁଛନ୍ତି। ନିରୀହ ଜନତାଙ୍କୁ ହତ୍ୟା ଓ ଲୁଟ୍ କରିବାକୁ ପଛାଉନାହାନ୍ତି।
ନକ୍ସଲମାନେ ଆସନ୍ତା ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ଦିବସ ପାଳନ କରିବେ। ଏହି ଅବସରରେ ଗାଁ ଗାଁରେ ଏବେ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି। ସହିଦ ଦିବସ ପୂର୍ବରୁ ମହାରାଷ୍ଟ୍ର, ଛତିଶଗଡ଼ ଓ ଝାଡ଼ଖଣ୍ଡର ଜଙ୍ଗଲରେ ନକ୍ସଲମାନେ ସକ୍ରିୟ ଅଛନ୍ତି। ନକ୍ସଲ ସହିଦ ଦିବସରେ ଯୋଗ ନଦେଲେ ଗ୍ରାମବାସୀଙ୍କୁ ଗାଁରୁ ତଡିବେ। ଗ୍ରାମବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହିଁଛନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ମଧ୍ୟ ପରିସ୍ଥିତିରେ ପଡ଼ି ନକ୍ସଲ ଶିବିରକୁ ସମର୍ଥନ କରୁଛନ୍ତି।
୧୨ ନକ୍ସଲ ନିପାତ
ଏହାରି ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ବୁଧବାର ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଣ୍ଟ ଜଙ୍ଗଲ ଭିତରେ ଅତର୍କିତ ଚଢ଼ାଉ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ଶୀଘ୍ର ପହଞ୍ଚିବା ପାଇଁ ସୁରକ୍ଷାବାହିନୀର ଯବାନମାନେ ହେଲିକପ୍ଟରରେ ଯାଇଥିଲେ। ଜଙ୍ଗଲ ଭିତରେ ହେଲିକପ୍ଟର ଦେଖି ମାଓମାଦୀମାନେ ଛାନିଆ ହୋଇଯାଇଥିଲେ। ଏହା ପରେ କାଳ ବିଳମ୍ବ ନକରି ନକ୍ସଲମାନେ ବନ୍ଧୁକ ଉଠାଇଥିଲେ। କିନ୍ତୁ ପୂର୍ବ ଯୋଜନା ଅନୁସାରେ ସୁରକ୍ଷାବାହିନୀର ଯବାନମାନେ ଅତର୍କିତ ଗୁଳି କରିଥିଲେ। ଏଥିରେ ୧୨ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏନକାଉଣ୍ଟରରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ପୁଲିସକୁ ଘଟଣାସ୍ଥଳରୁ ୧୨ ନକ୍ସଲଙ୍କ ମୃତଦେହ ମିଳିଥିଲା। ଏହା ବ୍ୟତୀତ ପୁଲିସ ୩ଟି ଏକେ-୪୭, ୨ଟି ଇନସାସ ରାଇଫଳ, ଗୋଟିଏ କାର୍ବାଇନ୍ ଓ ଗୋଟିଏ ଏସ୍ଏଲ୍ଆର ସହିତ ୭ ଅଟୋମେଟି ଅସ୍ତ୍ର ଜବତ କରିଛି।
୨ ଯବାନ ସହିଦ, ୪ ଆହତ
ନକ୍ସଲମାନେ ମହାରାଷ୍ଟ୍ରର ପ୍ରତିଶୋଧ ଛତିଶଗଡ଼ରେ ନେଇଛନ୍ତି। ବିଜାପୁର ଜିଲ୍ଲାରେ ବର୍ବର କାଣ୍ଡ ଘଟାଇଛନ୍ତି। ମଣ୍ଡମିରକା ଜଙ୍ଗଲରେ ବୁଧବାର ନକ୍ସଲମାନଙ୍କ ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣ ଘଟଣାରେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ନକ୍ସଲ ଆକ୍ରମଣରେ ଆହତ ହୋଇଥିବା ୪ ଜଣ ଯବାନଙ୍କୁ ଏୟାରଲିଫ୍ ମାଧ୍ୟମରେ ରାୟପୁର ସ୍ଥାନାନ୍ତର କରାଯାଇଛି। ସହିଦ ଯବାନମାନେ ହେଲେ ଏସଟିଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଓ ସତେର ସିଂହ କାଙ୍ଗେ। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ, କୋମଳ ଯାଦବ, ସିୟାରମ ସୋରି ଓ ସଞ୍ଜୟ କୁମାର। ସୁରକ୍ଷାବାହିନୀର ସର୍ଚ୍ଚଅପରେଶନ ଜାରି ଥିଲେ ବି ମାଓବାଦୀମାନଙ୍କର ଟେର ମିଳୁନାହିଁ।
ବ୍ୟାପକ ମାଓ ସାମଗ୍ରୀ ଜବତ
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ମଧ୍ୟ ନକ୍ସଲ ଉପଦ୍ରବ ଥମିନାହିଁ। ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂଭୂମ ଜିଲ୍ଲା ଜରେଇକେଲା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଇଛି। ଏଥିରେ ମାଓବାଦୀମାନେ ବିଫଳ ହୋଇ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ତେବେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରୁ ରାଇଫଲ, ପିସ୍ତଲ, ଗୁଳିଗୋଳା ସମେତ ବିପୁଳ ମାଓସାମଗ୍ରୀ ଜବତ କରିଛନ୍ତି। ଜରେଇକେଲା ସରଣ୍ଡା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ, କୋବ୍ରା ବାଟାଲିୟନ ଓ ସିଆର୍ପିଏଫ୍ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା। ସୁରକ୍ଷାବାହିନୀ ମିଳିତ ଭାବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଯାଇଥିଲେ।