ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ସିଂହଦ୍ବାରରେ ବିଗତ କିଛି ବର୍ଷ ହେଲା ଦିନ ସମୟରେ ହଜାର ହଜାର ଭକ୍ତମାନଙ୍କର ଧାଡ଼ି ଲମ୍ବି ରହୁଥିଲା। ନୂଆବର୍ଷ, କାର୍ତ୍ତିକ ମାସ, ଦଶହରା ଓ ଅନ୍ୟ ପର୍ବପର୍ବାଣୀରେ ଶ୍ରଦ୍ଧାଳୁମାନଙ୍କୁ ବଡ଼ଦାଣ୍ଡର ବେରିକେଡ ଭିତରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଡୁଥିଲା। ଏପରିକି ଶ୍ରଦ୍ଧାଳୁମାନେ ସିଂହଦ୍ବାର ବେରିକେଡରେ ୬ ଘଣ୍ଟା ଛିଡ଼ା ହେବାର ମଧ୍ୟ ଅଭିଯୋଗ ହେଉଥିଲା। ନୂଆବର୍ଷରେ ଶ୍ରୀମନ୍ଦିର ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଧାଡ଼ିରେ ରହୁଥିଲେ। ଏହି ଅବ୍ୟବସ୍ଥା ପାଇଁ ଜନତା ସରକାର ଓ ପ୍ରଶାସନକୁ ଅଙ୍ଗୁଳି ଦେଖାଉଥିଲେ। କିନ୍ତୁ ୨୦୨୪ ଜୁନ୍ ୧୩ ତାରିଖ ଠାରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ରାଜ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଆସିଲା ପରେ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ କିଛି ପରିବର୍ତ୍ତନ ଆସିବାର ଆଭାସ ମିଳିଛି। ଗୁରୁବାର ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ସିଂହଦ୍ୱାର ସମେତ ଅନ୍ୟ ତିନି ଦ୍ୱାର- (ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଉତ୍ତର ଦ୍ୱାର ବା ହସ୍ତି ଦ୍ୱାର ଓ ଦକ୍ଷିଣ ଦ୍ୱାର ବା ଅଶ୍ୱ ଦ୍ୱାର)କୁ ମଧ୍ୟ ଖୋଲି ଦିଆଯାଇଛି। ତେବେ ଏକକାଳୀନ ୪ ଦ୍ବାର ଖୋଲି ଦିଆଯିବା ଦ୍ବାରା ଭକ୍ତମାନେ ମନ୍ଦିରକୁ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି। ସିଂହଦ୍ବାର ସମ୍ମୁଖରେ ଲାଗିଥିବା ବେରିକେଡରେ ଲୋକଙ୍କର ଆଉ ଭିଡ଼ ନଥିଲା। ସମସ୍ତେ ଆନନ୍ଦରେ କହୁଥିଲେ, ଜୟ ଜଗନ୍ନାଥ…।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲିଲା ୪ ଦ୍ବାର
ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ନେଇ ବୁଧବାର ରାତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ମୋହନ ଚରଣ ମାଝୀ ପ୍ରଥମ କ୍ୟାବିନେଟ୍ ବୈଠକ କରିଥିଲେ। ଏହି ବୈଠକରେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଥିଲା। ପରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ଯେ, ୨୦୨୪ ଜୁନ୍ ୧୩ ତାରିଖ ଠାରୁ ଶ୍ରୀମନ୍ଦିରର ୪ଟି ଦ୍ବାର ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିଦିଆଯିବ। ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ଆଉ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବେ ନାହିଁ। ଘୋଷଣା ଅନୁଯାୟୀ ଶ୍ରୀ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ନୂତନ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିଛି। ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡ଼ିକ ମଧ୍ୟରୁ ପ୍ରଥମଟି ପୂରା ହୋଇଥିବାରୁ ରାଜ୍ୟବାସୀ ଧନ୍ୟବାଦ ଜଣାଇଛନ୍ତି।
କ’ଣ କହିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି। ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ। ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନେବୁ। ଗତକାଲି କ୍ୟାବିନେଟ୍ ପରେ ଶ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜୁନ ୧୩ ତାରିଖ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା। ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହେବ। ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତୀକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।
୪ବର୍ଷ ବନ୍ଦ ରହିଲା ୩ ଦ୍ବାର
ପୂର୍ବତନ ସରକାର କରୋନା ମହାମାରୀ ପରଠୁ ଶ୍ରୀମନ୍ଦିରର ୩ଟି ଦ୍ୱାର ବନ୍ଦ କରିଥିଲେ। ଏହା ପୂର୍ବରୁ ଧର୍ମ, ଅର୍ଥ, କାମ, ମୋକ୍ଷର ଧାର୍ମିକ ବିଶ୍ୱାସ ରଖି ଭକ୍ତ ଶ୍ରୀମନ୍ଦିର ଯାଉଥିଲେ। ୨୦୨୧ ନଭେମ୍ବର ୨୪ ତାରିଖରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ୩ ଦ୍ୱାର। ୨୦୨୨ ଫେବ୍ରୁଆରି ୩ ତାରିଖରେ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବା ନେଇ ନିଷ୍ପତ୍ତି ହୋଇଥିଲା। କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯିବାରୁ ଅକଥନୀୟ ଯନ୍ତ୍ରଣା ଭୋଗିବାକୁ ପଡୁଥିଲା। ପୁରୀ ବାସିନ୍ଦା ଓ ମଠ ମନ୍ଦିର ଅନ୍ତେବାସୀ ସବୁଠୁ ବେଶୀ କଲବଲ ହୋଇଥିଲେ। ୪ ଦ୍ୱାର ଖୋଲାଯିବା ଦାବିରେ ଆନ୍ଦୋଳନ ଓ ବିକ୍ଷୋଭ ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହୋଇଥିଲେ ପୁରୀ ବାସିନ୍ଦା, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ। ୨୦୨୩ ଜୁଲାଇ ୨୪ରେ କେବଳ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲିଥିଲେ। ହେଲେ ସିଂହଦ୍ୱାର ପଟେ ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିଥିଲେ ବୃଦ୍ଧ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ। ୨୦୨୪ ଜାନୁଆରି ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ବି ଖୋଲି ନଥିଲା ସବୁ ଦ୍ୱାର। ପଶ୍ଚିମ ଦ୍ୱାରବାଟେ ଲାଞ୍ଚ ନେଇ ଭକ୍ତଙ୍କୁ ଛଡ଼ା ଯିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା। ଶ୍ରୀମନ୍ଦିର ସେବାୟତ ଓ ପରିଚାଳନା କମିଟି ସଭ୍ୟ ବି ୪ ଦ୍ୱାର ଖୋଲିବାକୁ ଦାବି କରିଥିଲେ। କିଛି ଫଳପଦ ହୋଇନଥିଲା। ସବୁ ଜାଣି ବି ଅଜଣା ଥିଲା ପୂର୍ବତନ ନବୀନ ସରକାର। ସାଧାରଣ ନିର୍ବାଚନ-୨୦୨୪ ପ୍ରଚାର ବେଳେ ବିଜେପି ଏହାକୁ ମଧ୍ୟ ପ୍ରସଙ୍ଗ କରିଥିଲା। ଦଳ କ୍ଷମତାକୁ ଆସିବାର ୬ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବୁ ବୋଲି କହିଥିଲା।