ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ବଡ଼ ବିପର୍ଯ୍ୟୟ ହୋଇଛି। ୨୪ର ସରକାର, ନବୀନ ପଟ୍ଟନାୟକଙ୍କ ନିଷ୍କପଟ ମନୋଭାବ, ବିକାଶ ମୂଳକ କାମକୁ ଓଡ଼ିଶାବାସୀ ପ୍ରତ୍ୟାଖାନ କରିଛନ୍ତି। ଓଡ଼ିଶାର ମତଦାତା ୨୦୨୪ ନିର୍ବାଚନରେ ବିଜେଡିର ପ୍ରାର୍ଥୀଙ୍କ ଉପରେ ଭରସା ରଖି ନାହାନ୍ତି। ବିଜେଡିକୁ ଲୋକସଭା ନିର୍ବାଚନ-୨୦୧୯ରେ ୧୨ଟି ଆସନ ମିଳିଥିଲା ବେଳେ ଏଥର ଜଣେ ମଧ୍ୟ ଜିତିପାରିଲେ ନାହିଁ। ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେଡି ୧୧୩ଟି ଆସନ ହାତେଇଥିବା ବେଳେ ଏଥର ମାତ୍ର ୫୧ ଜଣ ପ୍ରାର୍ଥୀ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ବିଜେଡିର ଏହି ବିପର୍ଯ୍ୟୟ ପାଇଁ ଦଳର ବରିଷ୍ଠ ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ ଦାୟୀ ବୋଲି ବିଜେଡି ନେତା, କର୍ମୀ, ଓଡ଼ିଶାର ଜନତା କହୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଅଧିକ ଆଲୋଚନା ହେଉଛି।
ବିଜେଡି ପରାଜିତ ହେବାର ମୁଖ୍ୟ କାରଣ ହେଉଛନ୍ତି ଭିକେ ପାଣ୍ଡିଆନ ବୋଲି ଚର୍ଚ୍ଚା ହେଉଛି। ଏହାର ଯଥାର୍ଥତା ମଧ୍ୟ ରହୁଛି। ପ୍ରଥମତଃ ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା। ଏଥିରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିଆନ୍ଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ, ବିଧାୟକ ପ୍ରମୁଖ ସାମିଲ ଥିଲେ। କିନ୍ତୁ ନିର୍ବାଚନ ପ୍ରଚାର ବେଳେ ନବୀନ ଓ ପାଣ୍ଡିଆନ୍ଙ୍କୁ ଦେଖିବାକୁ ମିଳୁଥିଲା। ଏପରିକି ପାଣ୍ଡିଆନ ଯେଉଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିଲେ, ସେଠାକାର ପ୍ରାର୍ଥୀଙ୍କୁ ମଧ୍ୟ ମଂଚରେ ସ୍ଥାନ ମିଳୁ ନଥିଲା।
ଦିଲ୍ଲୀରେ ଅଛନ୍ତି ପାଣ୍ଡିଆନ!
ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ଏବେ ରାଜ୍ୟର ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଭିକେ ପାଣ୍ଡିଆନ୍ କେଉଁଠି ଅଛନ୍ତି। ଏହାର କାରଣ ହେଲା ଜୁନ ୫ରୁ ୬ ତାରିଖ ମଧ୍ୟରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ତିନି ଥର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଦୀର୍ଘ କିଛି ବର୍ଷ ହେଲା ପ୍ରତ୍ୟେକ ସମୟରେ ନବୀନଙ୍କ ସହିତ ପାଣ୍ଡିଆନ୍ଙ୍କୁ ଦେଖିବାକୁ ମିଳୁଥିଲା। ମାତ୍ର ନିର୍ବାଚନ ଫଳାଫଳ ପରଠାରୁ ପାଣ୍ଡିଆନ ଆଉ ଦେଖାଯାଉନାହାନ୍ତି। ଏହାରି ମଧ୍ୟରେ ଗଣମାଧ୍ୟମରେ ଭିକେ ପାଣ୍ଡିଆନ ବିମାନରେ ରାତିରେ ଯାତ୍ରା କରୁଥିବାର ଫଟୋ ଭାଇରାଲ ହୋଇଛି। ସେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଥିବା ମଧ୍ୟ ସନ୍ଦେହ ହେଉଛି। କିନ୍ତୁ ଦଳର ଏହି ବିପର୍ଯ୍ୟୟ ପାଇଁ କିଏ ଦାୟୀ। ଏହାକୁ ନେଇ ଚର୍ଚ୍ଚା ଚାଲିଛି।
କ’ଣ କହିଥିଲେ ପାଣ୍ଡିଆନ୍
ବିଗତ ଦିନରେ ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ୍ କରୁଥିଲେ। ସେ କହୁଥିଲେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି ବୋଲି ବିଳଜେପି ନେତା ଓ କର୍ମୀମାନେ ଚର୍ଚ୍ଚା କରୁଛନ୍ତି। ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ରାଜନୀତିରୁ ସନ୍ୟାସ ନେବି। ସେ ଆହୁରି କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ। କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ।
ମୁହଁ ଖୋଲିଲେ ବିଜେଡି ନେତା
ନିର୍ବାଚନରେ ପରାଜୟ ଏବଂ ଓଡ଼ିଶାରେ ପାଣ୍ଡିଆନ୍ଙ୍କ ଅନୁପସ୍ଥିତି ନେଇ ବିଜେଡିର ବରିଷ୍ଠ ନେତା ମୁହଁ ଖୋଲିଛନ୍ତି। ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ରମେଶ ଚ୍ୟାଉପଟ୍ଟନାୟକ କହିଛନ୍ତି, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାର କରିବା ଦ୍ୱାରା ବିଜେଡି ବିରୋଧରେ ଭୋଟ୍ ପଡ଼ିଲା । ଗଂଜାବରେ କେବଳ ନୀବନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ହାରିଗଲେ। ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଆସନରୁ ଏଥର ୧୧ଟି ଆସନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଗଲା। ତେଣୁ ଜନତା ତାର ଜବାବ ଦେଲେ।