ଭୁବନେଶ୍ବର: ଗୋଟିଏ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ପୁରସ୍କାରପ୍ରାପ୍ତ ହେବା ନିଶ୍ଚିତ ଭାବେ ସମଗ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଗୌରବର ମୁହୂର୍ତ୍ତ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦିନକୁ ଦିନ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ସିନେମା ହଲ୍ର ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ଥିବା ଜଡ଼ିତ ବ୍ୟକ୍ତିମାନଙ୍କ ମନରେ ନୂଆ ଆଶା ସଂଚାର ହୋଇଛି। ଓଡ଼ିଆ ଚଳଚ୍ଚିତ୍ରକୁ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଜାତୀୟସ୍ତରରେ ପୁରସ୍କାର ମିଳିବାକୁ ଯାଉଛି। ଗତବର୍ଷ ‘ପ୍ରତୀକ୍ଷା’ ପାଇଁ ଜାତୀୟ ପୁରସ୍କାର ମିଳିଥିଲା। ଏଥର ‘ଦମନ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିବ। ଗୋଟିଏ ପଟେ ରାଜ୍ୟର ବହୁ ସଂଖ୍ୟାରେ ଚଳଚ୍ଚିତ୍ର ହଲ୍ଗୁଡ଼ିକ ବନ୍ଦ ହୋଇ ସେଠାରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାଯାଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିବାକୁ ନେଇ ଚଳଚ୍ଚିତ୍ରପ୍ରେମୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।
୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ଓଡିଆ ସିନେମା ‘ଦମନ’ ସ୍ଥାନ ପାଇଛି। ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ ଦମନ ସିନେମାକୁ ମନୋନୀତ କରାଯାଇଛି। ଏହି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି କି, ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି। ଏହି ସିନେମା ପାଇଁ ଅନେକ କଷ୍ଟ କରିବାକୁ ପଡିଛି। ସିନେମା ରିଲିଜ ହେବା ପରେ ଓଡିଶାରେ ହଲ ମିଳିବା ମଧ୍ୟ କଷ୍ଟ ହୋଇପଡିଥିଲା। ଏହାସହ ଏହି ସିନେମା ହିନ୍ଦୀରେ ରିଲିଜ ହେବା ପରେ ଜାତୀୟସ୍ତରରେ ହଲ ପାଇବାକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା।
ଦମନ ପାଇଁ ଶୁଭେଚ୍ଛା
୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ରେ ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇଥିବାରୁ ରାଜ୍ୟପାଳ ଏହାର ନିର୍ମାତା, ନିର୍ଦ୍ଦେଶକ ଓ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ଦମନ’ ବେଷ୍ଟ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବାରୁ ଦମନର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ଅନୁଭବ କରିଛନ୍ତି। ସେ କହିଛନ୍ତି ଦମନ ସିନେମାକୁ କେବଳ ଓଡ଼ିଶାବାସୀ ନୁହେଁ ସାରା ଭାରତର ଲୋକ ପସନ୍ଦ କରିଥିଲେ । ଏଥିରେ ପ୍ରଦର୍ଶିତ ମ୍ୟାଲେରିଆ ରୋଗ ଦମନ ପାଇଁ ବିଚ୍ଛିନ୍ନାଞ୍ଚଳରେ ଏକ ଯୁବ ଡାକ୍ତରଙ୍କର ପ୍ରୟାସ ପ୍ରେରଣାଦାୟୀ। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ। ଚଳଚ୍ଚିତ୍ରର ସମସ୍ତ ଅଭିନେତା, ନିର୍ଦ୍ଦେଶକ, ନିର୍ମାତା ତଥା ଏହାକୁ ସଫଳ କରିବା ପଛରେ ଥିବା ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଗାମୀଦିନରେ ସମସ୍ତଙ୍କର ଆହୁରି ସଫଳତା କାମନା କରୁଛି।
ପ୍ରଶଂସା ସାଉଟିଥିଲା ପ୍ରତୀକ୍ଷା
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପୁରସ୍କାର ସମାରୋହରେ ଗତବର୍ଷ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ଏହି ସମ୍ମାନ ମିଳିଥିଲା। ‘ପ୍ରତୀକ୍ଷା’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମିଳିଥିଲା। ‘ପ୍ରତୀକ୍ଷା’ ଲୋକଙ୍କର ହୃଦୟ ଜିତିବା ସହିତ ସିନେମା ଘରେ ତା’ର ଜଲୱା ଦେଖାଇଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ଏହି ଫିଲ୍ମ ରିଲିଜ ହୋଇଥିଲା। ସେହିପରି ବିଦେଶରେ ମଧ୍ୟ ଏହି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି। ଏହି ଫିଲ୍ମର କାହାଣୀ ଏତେ ମନଛୁଆଁ ହୋଇଥିଲା ଯେ ଦର୍ଶକଙ୍କ ଆଖି ଲୁହ ଦେଖବାକୁ ମିଳିଥିଲା। ଦୀର୍ଘଦିନ ଧରି ଓଡ଼ିଆ ଫିଲ୍ମକୁ ହଲ ମିଳୁନଥିବା ବେଳେ ‘ପ୍ରତୀକ୍ଷା’ ମାଧ୍ୟମରେ ଦର୍ଶକମାନେ ଓଡ଼ିଆ ଫିଲ୍ମକୁ ପୁଣି ଥରେ ଭଲପାଇବା ଦେଇଥିଲେ। ଚଳଚ୍ଚ୍ରିତରେ ଜଣେ ବାପା ଓ ପୁଅର ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ନିକଟରେ ଉପସ୍ଥାପିତ କରାଯାଇଛି। ଫିଲ୍ମରେ ଦୀପନ୍ୱିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ପ୍ରଥମ ଚଳଚ୍ଚିତ୍ର ସୀତାବିବାହ
ଓଡ଼ିଆ ଚଳଚ୍ଚିତ୍ରର ଯାତ୍ରା ୧୯୩୬ ମସିହା ସୀତାବିବାହ ଠାରୁ ଆରମ୍ଭ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ୨୦୨୪ ମସିହାରେ ୮୮ ବର୍ଷରେ ପାଦ ଥାପିଛି। ସୀତାବିବାହରୁ ଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ ଆରମ୍ଭ ହୋଇଛି। ଓଡ଼ିଶା ସମ୍ରଗ ଭାରତ ବର୍ଷରେ ସର୍ବପୁରାତନ ସିନେମା ଜଗତ। ମାତ୍ର ଆଉ ୧୧ ବର୍ଷ ପରେ ଶତବାର୍ଷିକ ଉତ୍ସବ। ଓଡ଼ିଆ ସିନେମାର ଇତିହାସ ବେଶ୍ ରୁଦ୍ଧିମନ୍ତ ହୋଇଛି। ସୀତାବିବାହ ସିନେମା କହେ ଆଜି ଓଡିଶା ସିନେମାର ଇତିହାସ। ମୋହନ ସୁନ୍ଦର ଦେବ ଗୋସ୍ବାମୀ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ୧୯୩୬ ମସିହା ଏପ୍ରିଲ ୨୮ରେ ମୁକ୍ତିଲାଭ କରିଥିଲା। ଏହା ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା ପରେ ଏହା କଟକର ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ଟି ପ୍ରଭୁ ରାମ ଓ ମାତା ସୀତାଙ୍କ ବିବାହ ବିଷୟକୁ ନେଇ ନିର୍ମାଣ ହୋଇଥିଲା। ଚଳଚ୍ଚିତ୍ରରେ ରାମ ଭୂମିକାରେ ମାଖନଲାଲ୍ ବାନାର୍ଜୀ ଅଭିନୟ କରିଥିଲେ। ପ୍ରଭାବତୀ ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ଆଦିତ୍ୟ ବଲ୍ଲଭ ମହାନ୍ତି ଅଭିନୟ କରିଥିଲେ।