Tuesday, October 15, 2024
Homeଖବରସଂସଦରେ ଓଡ଼ିଆ ଅସ୍ମିତା

ସଂସଦରେ ଓଡ଼ିଆ ଅସ୍ମିତା

ଭୁବନେଶ୍ବର: ସଂସଦର ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଅଧିବେଶନ ଆସନ୍ତା ଜୁଲାଇ ୩ ତାରିଖ ଯାଏଁ ଜାରି ରହିବ। ଅଧିବେଶନର ପ୍ରଥମ ଦିନରେ ପ୍ରୋଟେମ୍‌ ସ୍ପିକର ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ଶପଥ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭବନରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇଥିଲେ। ଏହା ପରେ ଶ୍ରୀ ମହତାବ ସଂସଦ ଭବନକୁ ଯାଇଥିଲେ ଏବଂ ସେଠାରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ଭାବେ ଶପଥ ଗ୍ରହଣ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କଲା ପରେ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଶପଥ ନେଇଥିଲେ।

ପ୍ରତ୍ୟେକ ଥର ସାଧାରଣ ନିର୍ବାଚନ ପରେ ଲୋକସଭାକୁ ୫୪୩ ଜଣ ସାଂସଦ ନିର୍ବାଚିତ ହୋଇଥାନ୍ତି। ଏଥିରେ ୨୧ ଜଣ ଓଡ଼ିଶାର ହୋଇଥାନ୍ତି। କିନ୍ତୁ ବିଗତ ଥରର ନିର୍ବାଚନ ଓ ଚଳିତ ନିର୍ବାଚନ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି। ଦେଶର ପ୍ରଥମ ନାଗରିକ ହେଉଛନ୍ତି ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ, ଯିଏକି ଲୋକସଭାର ପ୍ରୋଟେମ୍‌ ବାଚସ୍ପତି ଭାବେ ଓଡ଼ିଆ ପୁଅ ଭର୍ତ୍ତୃହରି ମହତାବଙ୍କୁ ଶପଥ କରାଇଛନ୍ତି। ପରେ ପୁଣି ଭର୍ତ୍ତୃହରି ମହତାବ ଲୋକସଭା ଅଧିବେଶନର ପ୍ରଥମ ଦିନରେ ୨୮୦ ଜଣ ସାଂସଦଙ୍କୁ ଶପଥ କରାଇଛନ୍ତି ଏବଂ ବାକି ନବ ନିର୍ବାଚିତ ସାସଂଦମାନଙ୍କୁ ସେ ଶପଥ ଗ୍ରହଣ କରାଇବେ। ଏହି ମୁହୂର୍ତ୍ତ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ।

ଓଡ଼ିଆରେ ଧର୍ମେନ୍ଦ୍ର, ଜୁଏଲଙ୍କ ଶପଥ

ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ ଶପଥ ଗ୍ରହଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଉଭୟ ମନ୍ତ୍ରୀ ଓଡ଼ିଆ ଭାଷାରେ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଥିଲେ। ଦ୍ବିତୀୟ ଦିନରେ ମଙ୍ଗଳବାର ଦିନରେ ଭୁବନେଶ୍ବରର ଅପରାଜିତା ଷଡ଼ଙ୍ଗୀ, ଢେଙ୍କାନାଳର ରୁଦ୍ର ନାରାୟଣ ପାଣି, ବରଗଡ଼ର ପ୍ରଦୀପ ପୁରୋହିତ, ବଲାଙ୍ଗୀରର ସଂଗୀତା କୁମାରୀ ସିଂହଦେହ, କଳାହାଣ୍ଡିର ମାଳବିକା କେଶରୀ ଦେଓ, ନବରଂଗପୁରର ବଳଭଦ୍ର ମାଝୀ, କେରାପୁଟର କାଳୀରାମ ମାଝୀ, କନ୍ଧମାଳର ସୁକାନ୍ତ ପାଣିଗ୍ରାହୀ, ବ୍ରହ୍ମପୁରର ପ୍ରଦୀପ ପାଣିଗ୍ରାହୀ, ଆସିକାର ଅନିତା ଶୁଭଦର୍ଶିନୀ, ପୁରୀର ସମ୍ବିତ ପାତ୍ର, ଜଗତସିଂହପୁରର ବିଭୂ ପ୍ରସାଦ ତରାଇ, କେନ୍ଦ୍ରାପଡ଼ାର ବୈଜୟନ୍ତ ପଣ୍ଡା, ଯାଜପୁରର ରବୀନ୍ଦ୍ର ବେହେରା, ଭଦ୍ରକର ଅଭିମନ୍ୟୁ ସେଠୀ, ବାଲେଶ୍ବରର ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝରର ଅନନ୍ତ ନାୟକ ଓ ମୟୂରଭଂଜର ନବଚରଣ ମାଝୀ ସାଂସଦ ଭାବେ ଶପଥ ଗ୍ରହଣ କରିବେ।

ଜୁଲାଇ ୨୮ରେ ଅଭିଭାଷଣ

ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ‌ତଥା ମୟୂରଭଂଜ ଜିଲ୍ଲା ରାଇରଂଗପୁରର ଝିଅ ଦ୍ରୌପଦୀ ମୁର୍ମୁ ୨୦୨୨ ଜୁଲାଇ ୨୫ ତାରିଖରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେ ନବ ନିର୍ମିତ ସଂସଦ ଭବନରେ ପ୍ରଥମ ଥର ପାଇଁ ନବନିର୍ବାଚିତ ଲୋକସଭାର ୫୪୩ ଜଣ ସାଂସଦଙ୍କୁ ସମ୍ବୋଧିକ କରିବେ। ରାଷ୍ଟ୍ରପତିଙ୍କର ଏହି ସମ୍ବୋଧନ ଜୁନ ୨୭ରେ ହେବ। ରାଷ୍ଟ୍ରପତି ସଂସଦର ଉଭୟ ଗୃହର ସଦସ୍ୟଙ୍କ ଯୁଗ୍ମ ବୈଠକକୁ ସମ୍ବୋଧିତ କରିବେ। ଏହି ବୈଠକରେ ଆଗାମୀ ୫ ବର୍ଷ ପାଇଁ ସରକାରଙ୍କ ରୋଡମ୍ୟାପ୍‌ ସଂପର୍କରେ କହିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଜୁନ ୨୮ ତାରିଖରେ ଧନ୍ୟବାଦ ପ୍ରସ୍ତାବ ନେଇ ଚର୍ଚ୍ଚା ହେବ।  

ଓଡ଼ିଶାର ବହୁ ଆଶା

ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଅଛି। ବହୁ ବର୍ଷର ବ୍ୟବଧାନ ପରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ସରକାର ରହିଛି। ତେଣୁ କୌଣସି ବିକାଶମୂଳକ କାର୍ଯ୍ୟରେ ବାଧା ପହଞ୍ଚିବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଅନ୍ୟପକ୍ଷରୁ ଦେଖିବାକୁ ଗଲେ ଗତ ସାଧାରଣ ନିର୍ବାଚନରେ ମଧ୍ୟ କେନ୍ଦ୍ରୀୟ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ଯେ, ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିଲେ ବିକାଶ ଅନେକଗୁଣରେ ବଢ଼ିବ। ସେହି ଆଧାରରେ କେନ୍ଦ୍ର ସରକାର ଯଦି ପ୍ରତିଶ୍ରୁତି ପୂରଣ କରନ୍ତି, ତା’ହେଲେ ରାଜ୍ୟର ବିକାଶ ନେଇ ଅନେକ ଆଶା କରାଯାଇପାରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments