Tuesday, September 10, 2024
Homeଖବରପ୍ରମୁଖ ଖବରଭିଜିଲାନ୍ସ ଫାସରେ ପୁଲିସବାବୁ

ଭିଜିଲାନ୍ସ ଫାସରେ ପୁଲିସବାବୁ

ଭୁବନେଶ୍ବର: ଓଡ଼ିଆରେ ଏକ ଢଗ ‘ଚାକିରି କରିବ ପୁଲିସି, ମାଛ ଖାଇବ ଇଲିସି‘ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସିଛି। ଏହି ବାକ୍ୟଟି ଯେଉଁ ବ୍ୟକ୍ତି ଜଣକ ପ୍ରଥମେ ଯିଏ କହିଥିଲେ, ନିଶ୍ଚିତ ଭାବେ ବହୁ ଚିନ୍ତା କରିଥିଲେ। ଆଶା କରାଯାଉଛି, ସେହି ସମୟରେ ପୁଲିସ ଚାକିରିର ପ୍ରଭାବ ବହୁତ ଥିବ। ଲୋକେ ପୁଲିସକୁ ଦେଖିଲେ ବହୁତ ଭୟଭୀତ ହୋଇଯାଉଥିବେ। ଆଜି ମଧ୍ୟ ଅନେକ ଲୋକ ଅଛନ୍ତି ପୁଲିସକୁ ଦେଖିଲେ ଚିନ୍ତା ବଢ଼ିଯାଇଥାଏ। ମାତ୍ର ଫରକ ଏତିକି ଯେ, ଆଜିର ଦିନରେ ଅଭିଯୁକ୍ତ ହିଁ ପୁଲିସକୁ ଡରୁଛି। ଅଭିଯୁକ୍ତମାନେ ନିଜର କଳାକାରନାମା ଲୁଚାଇବା ପାଇଁ ଅଥବା ମାମଲାରୁ ଖସିଯିବା ପାଇଁ ପୁଲିସକୁ ହାତ ଗୁଞ୍ଜା ଦେଉଛନ୍ତି। ତେବେ କିଛି ଅଭିଯୁକ୍ତ ଅଥବା ବ୍ୟକ୍ତି ପୁଲିସକୁ ଭିଜିଲାନ୍ସ ଜାଲରେ ଫସାଇ ଦେବାକୁ ମଧ୍ୟ ଚାହୁଁଛନ୍ତି।

ମଣିଷ ମାତ୍ରକେ ଲୋଭ ହେବା ସାଧାରଣ କଥା। ଆଉ ଯେଉଁମାନେ ସରକାରୀ ଚାକିରିରେ ପଦବଦବିରେ ଅଛନ୍ତି, ସେମାନଙ୍କର ଭାଉ ଆଉ ଟିକେ ଅଧିକ। ଏହି କ୍ଷେତ୍ରରେ ପୁଲିସ କର୍ମଚାରୀମାନେ ବା ପଛରେ ରହିବେ କାହିଁକି।  ବେନାମୀ ସମ୍ପତ୍ତି ଠୁଳ କରିଥିବା ଅସାଧୁ ପୁଲିସ କର୍ମଚାରୀମାନେ ବାର୍, ମଦ ବ୍ୟବସାୟ, ସୁଧ କାରବାର, ଜମି ବେପାର, ବ୍ୟବସାୟିକ ପ୍ରତିଷ୍ଠାନ, ସେୟାର ମାର୍କେଟରେ କଳାଧନ ବିନିଯୋଗ କରୁଛନ୍ତି। ଏପରିକି ରାଜ୍ୟ ବାହାରେ କୋଠା, ଜମି ଭଳି ବେନାମୀ ସମ୍ପତ୍ତି ମଧ୍ୟ ରହିଛି। ବେପାର, ସମ୍ପତ୍ତି ସବୁ କିଛି ବେନାମୀ ବୋଲି ଜଣାପଡ଼ିଛି। ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ନିଯୁକ୍ତି ଦୁର୍ନୀତିର ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି

୬ ହଜାର ପାଇଁ ଏଏସ୍ଆଇ ହରଡ଼ଘଣାରେ

ବାରିପଦା ଟାଉନ ଥାନା ଏଏସଆଇ ରାମଚନ୍ଦ୍ର ସୋରେନ ଶନିବାର ଭିଜିଲାନ୍ସ ଜାଲରେ ଫସିଛନ୍ତି। ବାପା-ମା’ କେତେ ଉତ୍ସାହର ସହ ରାମଚନ୍ଦ୍ର ନାମ ରଖିଥିଲେ। କିନ୍ତୁ ବାବୁ ଜଣକ ବେଆଇନ ଭାବେ ରୋଜଗାର କରିବାରେ ମାହିର। ଚୋର ଘର ସବୁଦିନ ଅନ୍ଧାର ନଥିଲା ଭଳି ଶନିବାର ଏହି ବାବୁ ଜଣକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଲଙ୍କୁ ଭିଜିଲାନ୍ସ ଟିମ୍  ମାଡ଼ିବସିଥିଲା। ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ଲାଗି  ସେ ଲାଞ୍ଚ ନେଉଥିଲେ। ଅଭିଯୁକ୍ତ ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସାମାନାରେ ଏହି ଟଙ୍କା ନେଉଥିଲେ।

୧୫  ହଜାର ନେଉଥିଲେ ଏଏସ୍ଆଇ

ତିନି ଦିନ ପୂର୍ବରୁ ଅର୍ଥାତ ଗତ ୨୭ ତାରିଖ ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସ୍ଆଇ ରଜନୀକାନ୍ତ ଦାଶ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏକ ମାମଲାରେ ସହଯୋଗ କରିବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲନସ୍ ଟିମ୍ ତାଙ୍କୁ କାବୁ କରି ନେଇଥିଲେ। ଅଭିଯୋଗକାରୀ ଓ ତାଙ୍କ ବନ୍ଧୁଙ୍କ ନାମରେ କୋଟଗଡ଼ ଥାନାରେ ଥିବା ଏକ ମାମଲାର ସମାଧାନ ପାଇଁ ଗିରଫ ଏଏସ୍ଆଇ ୧୫ ହଜାର ଟଙ୍କା ଉତ୍କୋଚ ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଏଏସ୍ଆଇ ରାଜନୀକାନ୍ତଙ୍କୁ ସନ୍ଧ୍ୟାରେ ସ୍ଥାନୀୟ କାଳୀମନ୍ଦିର ନିକଟରେ ଅଭିଯୋଗକାରୀ ଟଙ୍କା ଦେବା ସଙ୍ଗେ ସଙ୍ଗେ ଭିଜିଲାନସ୍ ଟିମ୍ ଗିରଫ କରିବାରେ ସକ୍ଷମ ହୋଇଥିଲେ।  

୪୩ମାସରେ ୫୬ ଧରାପଡ଼ିଲେ

ପୁଲିସ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଛି। ଅଭିଯୁକ୍ତମାନେ ମାମଲାରୁ ଖସିବା ପାଇଁ ପୁଲିସବାବୁଙ୍କ ଟଙ୍କା ଯାଚିବାରେ ପଛଘୁଞ୍ଚା ଦେଉନାହାନ୍ତି। ବାବୁମାନେ ମଧ୍ୟ ନିଜର କର୍ତ୍ତବ୍ୟ ଓ ଦାୟିତ୍ବକୁ ଅଣଦେଖା କରି ଲାଞ୍ଚ ନେବାରେ ମାହିର। ୨୦୨୦ ଜାନୁଆରିରୁ ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ପ୍ରାୟ ୪୩ ମାସରେ ୫୬ ଜଣ ଦୁର୍ନୀତିଖୋର ଖାକି ବାବୁ ଧରାପଡ଼ିଥିଲେ। ଏହି ସମୟ ଭିତରେ ୩୫ ଜଣ ଲାଞ୍ଚ ମାମଲାରେ ଧରା ପଡ଼ିଥିବା ଗିରଫ ହୋଇଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୨ ଜଣ ପୁଲିସ ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଲାଞ୍ଚ ମାମଲାରେ ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୭ ଜଣ ଏସ୍ଆଇ, ୧୫ ଜଣ ଏଏସ୍ଆଇ ଓ ଜଣେ କନଷ୍ଟେବଳ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ। ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, ୫ ଜଣ ଇନ୍ସପେକ୍ଟର, ୪ ଜଣ ଏସ୍ଆଇ, ୬ ଜଣ ଏଏସ୍ଆଇ, ୫ ଜଣ କନଷ୍ଟେବଳ ଜାଲରେ ପଡ଼ିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments