Thursday, December 5, 2024
Homeଖବରରଥଯାତ୍ରା: ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସେବା

ରଥଯାତ୍ରା: ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସେବା

ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୪ ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟା ଅବସରରେ ରବିବାର ଆରମ୍ଭ ହୋଇଯାଇଛି। ୯ଦିନିଆ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ନିଜ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରମନ୍ଦିରର ରତ୍ନବେଦୀ ଛାଡ଼ି ମାଉସୀମନ୍ଦିର ଅଭିମୁଖେ ବାହାରିଛନ୍ତି। ପୂର୍ବାହ୍ଣରେ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ହୋଇଥିଲା। ଅପରାହ୍ଣରେ ରଥ ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ। ସେହିପରି ରଥଉପରେ ଗଜପତି ମହାରାଜ ଛେରାପହଁରା କରିଥିଲେ। ଶେଷରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥର ମହାପ୍ରଭୁଙ୍କ ରଥକୁ ଟାଣିଥିଲେ। ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ନିଜର ଉପସ୍ଥିତି ନେଇ ମହାମହିମା ଭାବବିହ୍ବଳ ହୋଇଯାଇଥିଲେ। ବଡ଼ଦାଣ୍ଡରେ ମୁଣ୍ଡିଆ ମାରି କାଳିଆ ଠାକୁରଙ୍କ ଆଶୀର୍ବାଦ ନେଇଥିଲେ। ବଡ଼ଦାଣ୍ଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥାରୂଢ଼ ଠାକୁରଙ୍କ ଦର୍ଶନ କରିଥିଲେ। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ପବିତ୍ର ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ରଥ ଟାଣିଥିଲେ। ଶରଧାବାଲି ଅଭିମୁଖେ ରଥଗଡ଼ିଛି। ପୂର୍ବ ବର୍ଷଗୁଡ଼ିକରେ ଗୋଟିଏ ଦିନରେ ପ୍ରାୟତଃ ରଥଗୁଡ଼ିକ ଶରଧାବାଲିରେ ପହଞ୍ଚି ଯାଉଥିଲା। ୫୩ ବର୍ଷ ପରେ ଏଥର ବିରଳ ରଥଯାତ୍ରା ହୋଇଥିବାରୁ ଗୋଟିଏ ଦିନରେ ନେତ୍ରୋତ୍ସବ, ନବୌବବନ ବେଶ ଓ ଘୋଷଯାତ୍ରା ଥିବାରୁ ରଥ ଟଣା କାର୍ଯ୍ୟ ବିଳମ୍ବରେ ହୋଇଥିଲା। ପୂର୍ବ ବର୍ଷଗୁଡ଼ିକ ଭଳି ଏଥରର ରଥଯାତ୍ରାରେ ମଧ୍ୟ ଭକ୍ତିମୟ ହୋଇ ଉଠିଛି ବଡ଼ଦାଣ୍ଡ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ପୁରୀରେ ରୁଣ୍ଡ ହୋଇଛନ୍ତି। ଦେଶ-ବିଦେଶରୁ ମଧ୍ୟ ଭକ୍ତମାନଙ୍କ ସମାଗମ ହୋଇଛି। ଭକ୍ତମାନେ ନିଜନିଜ ଶୈଳୀରେ ଭକ୍ତି କରିଛନ୍ତି। କିଏ କାଳିଆ ଠାକୁରଙ୍କ ସମର୍ପଣରେ ବେଶ ହୋଇଛନ୍ତି, କିଏ ସମୁଦ୍ର କୂଳରେ ବାଳୁକା କରା କରିଛନ୍ତି। କିଏ ଦାନ କରି ପୂଣ୍ୟ ଅର୍ଜନ କରୁଛନ୍ତି ତ ଆଉ କିଏ ସେବା କରି ଖୁସି ଅନୁଭବ କରୁଛନ୍ତି।

ବଡ଼ଦାଣ୍ଡରେ ରୁଷିଆର ଶ୍ରଦ୍ଧାଳୁ

କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଭକ୍ତମାନେ ଧାଇଁ ଆସିଛନ୍ତି। ମହାପ୍ରଭୁଙ୍କ ଭଜନ, ହାତରେ ମୃଦଙ୍ଗ ସହ ଝାଞ୍ଜ, ରଥାରୂଢ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି। କେବଳ ଭାରତର ନୁହେଁ। ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ କାଳିଆ ପ୍ରେମରେ ଅଛନ୍ତି। ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସାତ ଦରିଆ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ବିଦେଶୀ ଭକ୍ତ। ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବାକୁ ଋଷର ନତାଲିଆ ନାମରେ ଜଣେ ମହିଳା ଶ୍ରଦ୍ଧାଳୁ ପୁରୀ ଆସିଛନ୍ତି। ସେ ପୁରୀରେ ୧୦ ଦିନ ରହିବେ। ସେ ପ୍ରଥମ ଥର ରଥଯାତ୍ରାରେ ଯୋଗଦେଇଛନ୍ତି।

ନେପାଳି ଭକ୍ତଙ୍କ ନାମକୀର୍ତ୍ତନ

ଶ୍ରୀମନ୍ଦିର ସହିତ ନେପାଳର କାହିଁ କେଉଁ କାଳରୁ ସମ୍ପର୍କ ରହିଛି। ସେଥିପାଇଁ ବହୁ ନେପାଳି ଶ୍ରଦ୍ଧାଳୁ ପଶ୍ଚିମବଙ୍ଗର ମାୟାପୁରୀ ଦେଇ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି। ସେମାନେ ଗତ ୩ ଦିନ ହେଲା ବଡ଼ଦାଣ୍ଡରେ ନାମ ସଂକୀର୍ତ୍ତନ କରୁଛନ୍ତି। ଆଉ ରଥାରୂଢ଼ ତିନି ଠାକୁରଙ୍କୁ ଦେଖି ଗଦ୍ଗଦ୍ ହୋଇଛନ୍ତି। ନିଜ ଆଖିରେ ମହାପ୍ରଭୁଙ୍କୁ ଦେଖି କୃତକୃତ୍ୟ ହୋଇଛନ୍ତି। ନେପାଳି ଶ୍ରଦ୍ଧାଳୁମାନେ ପ୍ରଥମ ଥର ଶ୍ରୀକ୍ଷେତ୍ର ଆସିଥିବାରୁ ନିଜକୁ ଧନ୍ୟ ମଣୁଛନ୍ତି। ଆଗାମୀ ବର୍ଷରେ ନିଶ୍ଚିତ ଆସିବେ ବୋଲି କହିଛନ୍ତି। ଜଣେ ଶ୍ରଦ୍ଧାଳୁ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସମଗ୍ର ବିଶ୍ୱରେ ପରିଚିତ। ପ୍ରଭୁ ସମସ୍ତଙ୍କୁ କୃପା କରନ୍ତୁ। ବଡ଼ଦାଣ୍ଡରେ ନାମ ସଂକୀର୍ତ୍ତନ କଲା ବେଳେ ଆମେ ମହାପ୍ରଭୁ ଜଗନ୍ନାଥଙ୍କର ଅଲୌକିକ ଶକ୍ତିକୁ ମର୍ମେ ମର୍ମେ ଅନୁଭବ କରିଛୁ। ଅନ୍ୟ ଜଣେ ନେପାଳି ଭକ୍ତି ବଡ଼ଦାଣ୍ଡରେ ରଥାରୂଢ଼ ମହାପ୍ରଭୁଙ୍କୁ ବହୁତ ଖୁସି ଅନୁଭବ କରିଛନ୍ତି।

ଭକ୍ତଙ୍କୁ ପରଷା ଗଲା ଭୋଜନ

ପୁରୀର ଲୋକପ୍ରିୟ ଖାଦ୍ୟ କହିଲେ ମନକୁ ବାଡିଆ ଡାଲମା। ଏହି ରଥଯାତ୍ରା ଭିଡରେ ବାଡିଆ ଡାଲମା ମହମହ ବାସ୍ନା ବାହାରକୁ ଆସିଛି। କାରଣ କେହି ବି ଭକ୍ତ ଯେମିତି ଭୋକିଲା ନ ରୁହନ୍ତି ସେଥିପାଇଁ ବିଭିନ୍ନ ଅନୁଷ୍ଠାନ ଓ ପୁରୀ ବାସିନ୍ଦା ଭକ୍ତଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି। ଭକ୍ତଙ୍କ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେଇଛନ୍ତି ପୁରୀବାସୀ। ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ପିଇବା ପାଣି ସହ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ଯେମିତି କେହି ବି ଭକ୍ତ ପୁରୀରୁ ଉପବାସରେ ନ ଫେରନ୍ତି ବିଭିନ୍ନ ସ୍ଥାନରେ ବସିଛି ହଣ୍ଡାହାଣ୍ଡି। ବିଭିନ୍ନ ସଙ୍ଗଠନ ଓ ପୁରୀ ବାସିନ୍ଦା ହଣ୍ଡା ବସାଇ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ସକାଳର ଜଳଖିଆଠୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ସବୁକିଛି ସେମାନେ ପ୍ରସ୍ତୁତ କରୁଥିଷଲ। ଲକ୍ଷାଧିକ ଭକ୍ତଙ୍କ ସମାଗମଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇ ପରାଷା ଯାଇଥିଲା।

ବଡ଼ଦାଣ୍ଡରେ ଗଲା ଭକ୍ତଙ୍କ ଜୀବନ

ରବିବାର ସନ୍ଧ୍ୟା ୫ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ସର୍ବ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟଣାଯାଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ତାଳଧ୍ବଜ ମରିଚିକୋଟ ଛକରେ ପହଞ୍ଚିବା ପରେ ବାଟରେ ଅଘଟଣ ଘଟିଥିଲା। ଜଣେ ଶ୍ରଦ୍ଧାଳୁ ଭିଡ଼ ଭିତରେ ଅଚେତ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା। ରଥ ଟଣା ବେଳେ ବଡ଼ଦାଣ୍ଡରେ ଭକ୍ତଙ୍କର ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। କେହିକେହି କହୁଛନ୍ତି, ବହୁ ପୂଣ୍ୟ କାମ କରିଥିଲେ ବଡ଼ଦାଣ୍ଡରେ ଜଗା ସାମ୍ନାରେ ସ୍ବର୍ଗାରୋହଣ ହୋଇପାରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments