Wednesday, October 9, 2024
Homeଚିନ୍ତା ବଢ଼ାଉଛି ପରିବା ଦର 
Array

ଚିନ୍ତା ବଢ଼ାଉଛି ପରିବା ଦର 

ଭୁବନେଶ୍ବର: ଦରବୃଦ୍ଧି ଚିନ୍ତା ବଢ଼ାଇଛି। ଖାଦ୍ୟ, ବସ୍ତ୍ର ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ଘଟିଛି। ଦର ବୃଦ୍ଧି ନାମରେ ଖୁଚୁରା ବ୍ୟବସାୟୀମାନେ ଗ୍ରାହକଙ୍କୁ ଅଧିକ ଶୋଷଣ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ ଭାବରେ ଡାଲି, ତେଲ ବୃଦ୍ଧିକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ପରିବା ଦରକୁ ନେଇ ପରିବାର ମୁଖିଆ ଅଧିକ ଚିନ୍ତାରେ ପଡ଼ିଯାଇଛି। ହଠାତ୍‌ ଗୋଟିଏ ସପ୍ତାହ ମଧ୍ୟରେ ଆକାଶଛୁଆଁକୁ ସହଜରେ ଗ୍ରହଣ କରାଯାଇପାରୁ ନାହିଁ। ପରିବା ଦର ବୃଦ୍ଧି ଯୋଗୁଁ ସିଧାସଳଖ ରୋଷେଇ ଘର ଉପରେ ମାଡ଼ ହେଉଛି।  

ପରିବା ଦର ହଠତ୍‌ ବୃଦ୍ଧି ଘଟିବା ଦ୍ବାରା କେବଳ କେବଳ ଗରିବ ଓ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ି ନାହାନ୍ତି। ବରଂ ଧନୀ ଶ୍ରେଣୀର ଲୋକଙ୍କୁ ମଧ୍ୟ କଷ୍ଟ ହେଉଛି। ଯେଉଁ ଲୋକ ଗତ ସପ୍ତାହରେ ଟାମାଟୋ କିଲୋ ୪୦ ଟଙ୍କା ଦେଇ କିଣିଥିଲେ ଏବେ ୧୦୦ ଟଙ୍କା ଦେଇ କିଣିବା ନିଶ୍ଚିତ ଭାବେ କଷ୍ଟ ଲାଗିବ। କେବଳ ଟମାଟେ କାହିଁକି? ଅନ୍ୟ ପରିବା ଦର ମଧ୍ୟ ଆକାଶଛୁଆଁ ରହିଛି। ଓଡ଼ିଶାରେ ଆବଶ୍ୟକତା ଅନୁସାରେ ପରିବା ଚାଷ ହେଉନଥିବାରୁ ତଥା ଅନ୍ୟ ରାଜ୍ୟ ଉପରେ ନିର୍ଭର କରାଯାଉଥିବାରୁ ଜନତା ଦରବୃଦ୍ଧିର ଶିକାର ହେଉଛନ୍ତି। ଅନ୍ୟପଟରେ ଚଳିତ ବର୍ଷ ମାତ୍ରାଧିକ ଖରାକୁ ପରିବା ଦର ବୃଦ୍ଧିର କାରଣ ବୋଲି କୁହାଯାଉଛି।

ବହୁତ ଅଧିକ ଦର

ଓଡ଼ିଶାରେ ଧାନ ବ୍ୟତୀତ ଅନ୍ୟ ଖାଦ୍ୟଶସ୍ୟ ସାମଗ୍ରୀ ଉତ୍ସାହଜନକ ନୁହେଁ। ପୁଣି ଯାହା ବି ଉତ୍ପାଦିତ ହେଉଛି, ବଳକା ସାମଗ୍ରୀକୁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ନାହିଁ। ଅଳ୍ପ କିଛି ଘରୋଇ ଶୀତଳଭଣ୍ଡାର ରହିଛି। ସରକାରୀ ବ୍ୟବସ୍ଥାରେ ଶୀତଳଭଣ୍ଡାର ଥିଲେ, ପରିବା ଦରଦାମ ଏକ ପ୍ରକାର ନିୟନ୍ତ୍ରଣ ରହିଥାନ୍ତା। ମାତ୍ର‌ ସେହି ବ୍ୟବସ୍ଥା ନଥିବାରୁ ଦର ବୃଦ୍ଧି ହେଉଛି। ଅନ୍ୟପଟରେ ପ୍ରବଳ ଖରା ଯୋଗୁଁ ଭେଣ୍ଡି, ବାଇଗଣ, ଟମାଟୋ, ଝୁଡ଼ୁଙ୍ଗ, କୁନ୍ଦୁରୁ, ଗୁଆଁର ଭଲ ହୋଇନାହିଁ। ଗଛରୁ ଫୁଲ ଝଡ଼ି ପଡ଼ିବାରୁ ଉତ୍ପାଦନ ହ୍ରାସ ପାଇଛି। ସେହିପରି ମାତ୍ରଧିକ ଖରା ମାଟି ପ୍ରଦୂଷଣ ପିଆଜ ଚାଷ ଘୋର ପ୍ରଭାବିତ ହୋଇଛି। କଞ୍ଚା ପରିବା ବ୍ୟବସାୟୀ ସଂଘ କହିବା ଅନୁସାରେ, ବର୍ତ୍ତମାନ ସମୟରେ ପରିବା ଦର ଯେତିକି ରହିବା କଥା, ଚଳିତ ବର୍ଷ ବହୁତ ଅଧିକ ବଢିଛି। ଏହାର ବଡ଼ କାରଣ ଖରା ଯୋଗୁଁ ଯେଉଁ ଅଳ୍ପ ସ୍ଥାନୀୟ ଖରାଦିନିଆ ପରିବା ଆସୁଥିଲା, ତାହା ଉଭାନ ହୋଇ ଯାଇଛି। ଓଡ଼ିଶା ବଜାର ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି।  

ସରକାରୀ ରେକର୍ଡରେ ଭଲ ଉତ୍ପାଦନ

ସରକାରୀ ରେକର୍ଡ କହୁଛି ୨୦୧୩ ମସିହା ତୁଳନାରେ ରାଜ୍ୟରେ ପରିବା ଉତ୍ପାଦନ ଉତ୍ସାହଜନକ। ୨୦୨୩ରେ ରାଜ୍ୟରେ ବାର୍ଷିକ ୯୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ୍‌ ପରିବା ଉତ୍ପାଦିତ ହେଉଥିଲା। ୧୦ ବର୍ଷ ମଧ୍ୟରେ ଏହା ୪.୫୧% ବୃଦ୍ଧି ପାଇ ୯୮ ଲକ୍ଷ ୫୧ ହଜାର ମେଟ୍ରିକ ଟନ୍‌ରେ ପହଞ୍ଚିଛି। କନ୍ଦମୂଳ, ଛତୁ ଉତ୍ପାଦନରେ ଓଡ଼ିଶା ପ୍ରଥମ, ବାଇଗଣ, ବନ୍ଧାକୋବି, ପଣସ ଉତ୍ପାଦନରେ ରାଜ୍ୟ ଦ୍ବିତୀୟ, ଟମାଟୋରେ ପଞ୍ଚମ ଓ ଫୁଲକୋବିରେ ଷଷ୍ଠସ୍ଥାନରେ ରହିଥିବା ନେଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ଦାବି କରା ଯାଉଛି। ଜୁନ୍‌ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ପରିବା ଦର ଅଧିକ ଥାଏ। କିନ୍ତୁ କୁନ୍ଦୁରି, ଜହ୍ନି, ପୋଟଳ, ଭେଣ୍ଡି, କାକୁଡ଼ି, ବାଇଗଣ, ତରଭୁଜ, କଖାରୁ, ସଛିନ୍ଦ୍ରା ଭଳି କିଛି ଖରାଦିନିଆ ସ୍ଥାନୀୟ ପରିବା ବଜାରକୁ ଆସିଲେ ଗ୍ରାହକଙ୍କୁ ଭିନ୍ନ ସୁଆଦ ସହିତ ବିକଳ୍ପ ମିଳେ ଏବଂ ଦର ନିୟନ୍ତ୍ରିତ ହୋଇଯାଏ। ଏଥର କିନ୍ତୁ ତାହା ହୋଇପାରିଲା ନାହିଁ।  କିନ୍ତୁ ଚଳିତ ବର୍ଷ ଏତେ ଖରା ହୋଇଛି ଯେ ଜଳସେଚିତ ଓ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଅଞ୍ଚଳକୁ ବାଦ୍‌ଦେଇ ଅଧିକାଂଶ ଅଞ୍ଚଳରେ ଏହି ପରିବା ଭଲ ହୋଇ ପାରିନାହିଁ। ଉଦାହରଣ ସ୍ବରୂପ ବାରଙ୍ଗ, ବାଙ୍କି ଓ ନୟାଗଡ଼ରୁ ଭୁବନେଶ୍ବରକୁ ଆସୁଥିବା ଖରାଦିନିଆ ପରିବା ଏଥର ଆସି ପାରିନାହିଁ। ଜଳ ଅଭାବ ଥିବା ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବୌଦ୍ଧ, ଫୁଲବାଣୀ, ନୁଆପଡ଼ା, ଗଜପତି ଓ କଳାହାଣ୍ଡିରେ ପରିବା ଫସଲ ମାତ୍ରାଧିକ ତାପମାତ୍ରା ଯୋଗୁଁ ପ୍ରଭାବିତ ହୋଇଛି। ତେବେ କିଛିଦିନ ବର୍ଷା ହେବାପରେ ଅଗଷ୍ଟ ମାସରେ ପରିବା ଆସିବ। ଗୋଟିଏ ମାସ ପରେ ବିଭିନ୍ନ ପ୍ରକାର ଶାଗ ମଧ୍ୟ ବଜାରକୁ ଆସିବା ନେଇ ଅନୁମାନ ରହିଛି।

ଦରବୃଦ୍ଧିର କାରଣ ନିର୍ବାଚନ !

ସାଧାରଣ ନିର୍ବାଚନ ପାଇଁ ମାର୍ଚ୍ଚ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଲା। ସେହିଦିନ ଠାରୁ ଓଡ଼ିଶା ସମେତ‌ ଦେଶର ଜନତା ନିର୍ବାଚନ କଲେ। ଏଥିରେ ଚାଷୀମାନେ ମଧ୍ୟ ଅଂଶଗ୍ରହଣ କରୁଥିଲେ। ଅନେକ ‌ଚାଷୀ ତୃଣମୂଳ ସ୍ତରରେ ଦଳୀୟ କାମରେ ନିୟୋଜିତ ରହିଲେ। ଏହି କାରଣରୁ ଅନେକ ଚାଷୀ ନିଜର ଚାଷକୁ ଅବହେଳା କରଥିଲେ ବୋଲି କୁହାଯାଉଛି। ଓଡ଼ିଶାର ଲୋକେ ବାହାର ରାଜ୍ୟରେ ଉତ୍ପାଦିତ ହେଉଥିବା ଚାଷୀଙ୍କ ଉପ‌ରେ ନିର୍ଭରଶୀଳ। ଓଡ଼ିଶାକୁ କର୍ଣ୍ଣାଟକରୁ ବନ୍ଧାକୋବି, ଫୁଲକୋବି, ବିଟ, ସିମଲାଲଙ୍କା, ବିନ୍ସ, ଟମାଟୋ, ରାଜସ୍ଥାନ ଓ ଇନ୍ଦୋରରୁ ଗାଜର, ତାମିଲନାଡ଼ରୁ ସଜନା ଛୁଇଁ, ଆନ୍ଧ୍ରପ୍ରଦେଶରରୁ କଖାରୁ, ଅମୃତଭଣ୍ଡା, ତାମିଲନାଡୁରୁ କଖାରୁ, ପଶ୍ଚିମବଙ୍ଗରୁ ଆଳୁ, ପୋଟଳ, ବାଇଗଣ, ଅମୃତଭଣ୍ଡା, କାଙ୍କଡ଼ ଆସିବା ପରେ ହିଁ ସ୍ଥାନୀୟ ଲୋକଙ୍କ ପେଟ ପୂରୁଛି।

କର୍ଣ୍ଣାଟକରେ ବି ଦର ବୃଦ୍ଧି

ଓଡ଼ିଶାକୁ ବାହାର ରାଜ୍ୟରୁ ଅଧିକାଂଶ ପରିବା ଆସିଥାଏ। ଚଳିତ ବ‌ର୍ଷ ପୂରା ଦେଶରେ ଗ୍ରୀଷ୍ମଲହରି ଜାରି ରହିଛି। କେବଳ ଓଡ଼ିଶାରେ ପରିବା ଦର ବୃଦ୍ଧି ହୋଇନାହିଁ। ବରଂ ବାହାର ରାଜ୍ୟରେ ମଧ୍ୟ ସମାନ ସ୍ଥିତି। କର୍ଣ୍ଣାଟକ‌ ବଜାର କଥା ଯଦି କହିବା,ସେଠାରେ ଟମାଟୋ କିଲୋ ୧୦୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଛି। ବିନ୍ସ କିଲୋ ୧୮୦ରୁ ୨୨୦ ଟଙ୍କାରେ ଗ୍ରାହକ କିଣୁଛନ୍ତି। ଶିମଲାଲଙ୍କା ୧୦୦ରୁ ୧୨୦, ମୂଳା ୬୦ରୁ ୯୦, ଅଦା ୧୯୦ରୁ ୨୬୦, ରସୁଣ ୨୯୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments