ଭୁବନେଶ୍ବର: ଗଣେଶ ଚତୁର୍ଥୀକୁ ନେଇ ଏବେ ଠାରୁ ସ୍କୁଲପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ବିଭିନ୍ନ ଯୁବକ ସଂଘ ଓ ବ୍ୟବସାୟୀ ସଂଗଠାନ ଏଥର ଗଣେଶ ପୂଜାକୁ କିଭଳି ଅଧିକ ଆକର୍ଷଣ କରିପାରିବେ ସେଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ତିନି ସପ୍ତାହ ପରେ ବିଦ୍ୟାଦାତାଙ୍କ ପୂଜା ଆସୁଥିବାରୁ ଅନେକ ସ୍ଥାନରେ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। କେବଳ ମଣ୍ଡପ କି କ୍ଲବ ଘର ନୁହେଁ। ପୂଜା ଦିନ ଲୋକମାନେ ଭଗବାନ ଗଣେଶଙ୍କ ପ୍ରତିମାକୁ ଢୋଲ ଓ ଅନ୍ୟ ପାରଂପରିକ ବାଦ୍ୟଯନ୍ତ୍ର ସହିତ ଘରକୁ ଆଣିଥାନ୍ତି। କୁହାଯାଏ ଯେ ଯେତେବେଳେ ବାପ୍ପା ଘରକୁ ଆସନ୍ତି, ସେତେବେଳେ ସେ ତାଙ୍କ ସହିତ ସୁଖ ଏବଂ ସମୃଦ୍ଧି ଆଣିଥାନ୍ତି। ତେଣୁ ଲୋକମାନେ ଭଗବାନ ଗଣେଶଙ୍କୁ ପୂର୍ଣ୍ଣ ଭକ୍ତି ସହିତ ପୂଜା କରନ୍ତି ଏବଂ ବାପ୍ପାଙ୍କୁ ମୋଦକ୍, ଲଡୁ, ଦୁର୍ଭା, ଫଳ, ଫୁଲ ଇତ୍ୟାଦି ମଧ୍ୟ ଅର୍ପଣ କରନ୍ତି। ବାପ୍ପାଙ୍କ ଠାରୁ ସୁଖ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥାନ୍ତି।
ପ୍ରତିବର୍ଷ ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ଉତ୍ସାହର ସହିତ ଗଣେଶ ପୂଜା ଆୟୋଜନ ହେଉଛି। ଚଳିତ ଥର ମଧ୍ୟ ହର୍ଷୋଲ୍ଲାସରେ ଗଣେଶ ପୂଜା ପାଇଁ ରାଜ୍ୟରେ ଆୟୋଜନ ହେଉଛି। ଜଟଣୀ, ତାଳଚେର ଓ ଦେବଗଡ଼ ସହିତ ବଡ଼ବଡ଼ ସହରରେ ଥିବା ନାମକରା କ୍ଲବ ଓ ସଂଗଠନ ତରଫରୁ ବ୍ୟାପକ ଭାବରେ ଗଣେଶ ପୂଜା ଆୟୋଜନ ହେବ। ତେବେ ଭୁବନେଶ୍ବରର ଯୁବକ ସଂଘଗୁଡ଼ିକରେ ହେବାକୁ ଥିବା ଗଣେଶ ପୂଜାରେ ପୁଲିସ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିବାରୁ ଉତ୍ସାହ ସାମାନ୍ୟ ହ୍ରାସ ପାଇପାରେ। କିନ୍ତୁ ଏହି କଟକଣା ସମସ୍ତଙ୍କର ପାଇଁ ଭଲ। ପୂଜା ଦୁଇ ପ୍ରକାର ସ୍ଥିତିରେ କରାଯାଇଥାଏ। ଯେତେବେଳେ ମଣିଷ ଦୁଃଖରେ ଥାଏ, ସେହି ସମୟରେ ବ୍ୟକ୍ତିଗତ ତଥା ପାରିବାରିକ ପୂଜାର୍ଚ୍ଚନା ହୋଇଥାଏ। କିନ୍ତୁ ସାମୁହିକ ପୂଜା ଉତ୍ସାହକୁ ନେଇ ଆୟୋଜନ ହୋଇଥାଏ।
କମିସନରେଟ୍ ପୁଲିସର କଟକଣା
ପ୍ରଭୁ ଗଣେଶ ହେଉଛନ୍ତି ଆଦ୍ୟ ଦେବତା। ବର୍ଷର ପ୍ରଥମ ବଡ଼ ପୂଜା ଗଣେଶଙ୍କ ଠାରୁ ଆରମ୍ଭ ହୋଇଥାଏ। ସେଥି ପାଇଁ ସମସ୍ତେ ପ୍ରାୟତଃ ଉତ୍ସାହିତ ଥାଆନ୍ତି। ଚଳିତ ବର୍ଷ କମିସନରେଟ୍ ପୁଲିସ୍ ଗଣେଶ ପୂଜାପାଇଁ ମାର୍ଗଦର୍ଶିକା ଜାରି କରିଛି। ପୂଜା ମଣ୍ଡପରେ ଗଜାନନଙ୍କ ବିକୃତ ମୂର୍ତ୍ତିକୁ ସ୍ଥାନ ମିଳିବ ନାହିଁ। ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂଜା ସମୟରେ ପୁଷ୍ପାଞ୍ଜଳି ବେଳେ ପୂଜକ ନିଶାମୁକ୍ତ ଶପଥ କରାଇବେ। ସେହିପରି ଗଣେଶ ପୂଜାରେ କଟକ-ଭୁବନେଶ୍ବରରେ ଡିଜେ ବନ୍ଦ ହେବ। ଗଣେଶ ପୂଜା ନେଇ କଟକରେ ଆୟୋଜିତ ଏକ ବୈଠକ ପରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବଳପୂର୍ବକ ଚାନ୍ଦା ଆଦାୟ ନେଇ ଅଭିଯୋଗ ଆସିଲେ ଜିରୋ ଟଲେରାନ୍ସ ନୀତି ଆପଣେଇବାକୁ ପୁଲିସ ଚେତାଇ ଦେଇଛି। କଟକ ମହାନଗର ନିଗମ ପୂଜା ପୂର୍ବରୁ ସବୁ ବିଭାଗ ସହ ଆଲୋଚନା କରାଯାଇ ସହରର ରାସ୍ତାଘାଟ ମରାମତି, ଅଲୋକୀକରଣ ସହ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖୁଛି।
କଟକଣା କାହିଁକି?
ପୂଜା ହେଉ ବା ପର୍ବପର୍ବାଣୀ ହେଉ, ଉତ୍ସବ ପାଳନ କରିବାରେ ଅସୁବିଧା ନାହିଁ। କିନ୍ତୁ ଉତ୍ସବ ପାଳନ ପାଇଁ ଅନ୍ୟର କ୍ଷତି କରିବା ତାହା ବି ଠିକ୍ ନୁହେଁ। ଆଜିକାଲିର ଯୁବପିଢ଼ି ନିଜେ ଉତ୍ସବ ପାଳନ କରିବା ସମୟରେ ଅନ୍ୟକୁ କ୍ଷତି ପହଞ୍ଚାଉଥିବା ନଜିର ରହିଛି। ପୂଜା ହେଉ ବା ଭସାଣୀ ସମୟରେ ଯୁବକମାନେ ମଦପିଇବା, ଗଣ୍ଡଗୋଳ କରିବା ଏକ ସାଧାରଣ ଘଟଣା ହୋଇଯାଇଛି। ଏପରିକି ପୂଜା ସମୟରେ ହିଂସାତ୍ମକ କାଣ୍ଡ ମଧ୍ୟ ହୋଇଛି। ଭୁବନେଶ୍ବରରେ ଗତ ବର୍ଷ ଗଣେଶ ପୂଜା ସମୟରେ ଡିଜେ ପାଇଁ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ଗଣେଶ ପୂଜା କମିଟି ସହିତ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନେଇଛି।
ପୂଜାରେ ଶ୍ରଦ୍ଧା ଦରକାର
କେବଳ ଗଣେଶ ପୂଜା ନୁହେଁ। ଅନ୍ୟ ପୂଜାରେ ମଧ୍ୟ ଶ୍ରଦ୍ଧା ରହିବା ଦରକାର। ଯେତେବେଳେ କୌଣସି ଅନୁଷ୍ଠାନ ବା ସଂସ୍ଥା ବଡ଼ଧରଣର ପୂଜାର ଆୟୋଜନ କରୁଛି, ଏଥି ପାଇଁ ପ୍ରଥମେ ଶ୍ରଦ୍ଧାର ଏକତା ରହୁଛି। ପୂଜାପାଇଁ ଏକାଧିକ ଲୋକଙ୍କର ମନରେ ଏକତା ଆସିବା ପରେ ବଡ଼ କାମ ମଧ୍ୟ ସହଜ ହେଉଛି। ବ୍ୟାପକ ପୂଜାର ଆୟୋଜନ ପାଇଁ ଯେଉଁଭଳି ଏକଜୁଟ ସମ୍ଭବ ହୋଇପାରୁଛି। ଏହାକୁ ସୁରଖୁରରେ ସଂପନ୍ନ କରିବା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ। ଯେପରିକି ପୂଜାକୁ ନେଇ କୌଣସି ବ୍ୟକ୍ତିଙ୍କର ସମସ୍ୟା ନୁହେଁ, ସେଥି ପ୍ରତି ପୂଜା କମିଟିର ପ୍ରତ୍ୟେକ ସଦସ୍ୟ ସଂକଳ୍ପ ନେବା ଉଚିତ।