ଭୁବନେଶ୍ବର: କୌଣସି ସ୍ଥାନକୁ କମ ସମୟ ମଧ୍ୟରେ ପହଞ୍ଚିବା ପାଇଁ ଆକାଶ ପଥ ହେଉଛି ବଡ଼ ମାଧ୍ୟମ। ଉଡ଼ାଜାହାଜ ଓ ହେଲିକପ୍ଟର ମାଧ୍ୟମରେ ଟ୍ରେନ୍, ଜାହାଜ ଓ ସଡ଼କପଥରେ ଯାଇପାରୁଥିବା କୌଣସି ବାହନ ତୁଳନାରେ ଶୀଘ୍ର ପହଞ୍ଚି ହେଉଛି। ତେବେ ଆକାଶପଥରେ ଯାଉଥିବା ବିମାନ ଯେତେବେଳେ ଦୁର୍ଘଟଣାର ସାମ୍ନା କରୁଛି, ଜୀବନ ବଞ୍ଚିବା ଆଶା କ୍ଷୀଣ ହୋଇଯାଉଛି। ଅନ୍ୟ ତିନିଟି ମାଧ୍ୟମରେ ବାହନ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜୀବନ ଜିଇଁବାର ଆଶା ରହୁଛି। ବିଗତ ବର୍ଷଗୁଡ଼ିକରେ ଆମେ ଅନେକ ବିମାନ ଦୁର୍ଘଟଣା ସଂପର୍କରେ ଅବଗତ ହୋଇଛି। ବିମାନ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଯାନ୍ତ୍ରିକ ତ୍ରୁଟି ଅଥବା ଖରାପ ପାଗ। କିନ୍ତୁ ଉଭୟ ଦୁର୍ଘଟଣାକୁ ସତର୍କତାର ସହିତ ଏଡେଇ ହେବ। କିନ୍ତୁ ଏଥି ପାଇଁ ବିମାନର ଫିଟ୍ନେସ ଓ ପାଗର ସ୍ବଚ୍ଛତା ଉପରେ ନଜର ରଖିବାକୁ ହେବ।
ଦୁର୍ଘଟଣାର ଶିକାର ହେଲେ ଇରାନ ରାଷ୍ଟ୍ରପତି
ବିଗତ ଦିନଗୁଡ଼ିକରେ ହେଲିକପ୍ଟର ଦୁର୍ଘଟଣାରେ ବହୁ ବଡ଼ବଡ଼ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ମଧ୍ୟ ଏହିଭଳି ଦୁର୍ଘଟଣାର ଯାତ୍ରୀ ପାଲଟିଛନ୍ତି। ଗତ ୧୯ ତାରିଖରେ ଇରାନ-ଆଜରବୈଜାନ ସୀମାରେ ହେଲିକପଟର ଦୁର୍ଘଟଣାରେଙ୍କ ସମେତ ୯ ଜଣଙ୍କର ପରଲୋକ ହୋଇଛି। ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍ ଆମିର ଅବ୍ଦୁଲ୍ଲାଇନ୍ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଧ୍ୟପ୍ରାଚ୍ୟରେ ଜଣେ ଶକ୍ତିଶାଳୀ ନେତା ରୂପେ ପରିଚିତ ୬୩ ବର୍ଷୀୟ ଇବ୍ରାହିମଙ୍କ ଏଭଳି ମୃତ୍ୟୁ ଯୋଗୁଁ କେବଳ ଇରାନ୍ ନୁହେଁ ମଧ୍ୟପ୍ରାଚ୍ୟର ରାଜନୈତିକ ସ୍ଥିତି ହଠାତ୍ ବଦଳିଯାଇଛି। ତାଙ୍କ ମୃତ୍ୟୁ ସମଗ୍ର ମଧ୍ୟପ୍ରାଚ୍ୟରେ କମ୍ପନ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ଘଟଣାର ତଦନ୍ତରେ ସହାୟତା କରିବାକୁ ରୁଷ୍ ସମେତ ଅନେକ ରାଷ୍ଟ୍ର ପ୍ରସ୍ତାବ ଦେଇଛନ୍ତି। ଏହି ଦୁର୍ଘଟଣା ପଛରେ ଇସ୍ରାଏଲର ହାତ ଥାଇପାରେ ବୋଲି କେତେକ ମହଲରେ ଅଭିଯୋଗ ହେଉଥିବା ବେଳେ ଇସ୍ରାଏଲ ଏହାକୁ ଖଣ୍ଡନ କରିଛି। ଭାରତ ମଧ୍ୟ ରାଷ୍ଟ୍ରପତି ଇବ୍ରାହିମଙ୍କ ଦୁଃଖଦ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବା ସହିତ ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି।
ଦୁର୍ଘଟଣାର ଶିକାର ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ହେଲିକପ୍ଟର ଦୁର୍ଘଟଣା କଥା ଯେତେବେଳେ ଆସେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ରାଜଶେଖର ରେଡ୍ଡୀ ପ୍ରଥମେ ମନେ ପଡ଼ନ୍ତି। ୨୦୦୯ ସେପ୍ଟେମ୍ବର ୨ ତାରିଖର ଘଟଣା। ସ୍ବର୍ଗତ ରେଡ୍ଡୀ ଆନ୍ଧ୍ରପ୍ରଦେଶ ସରକାରଙ୍କ ସ୍ବାମୀତ୍ବରେ ଥିବା ହେଲିକପ୍ଟର ‘ବେଲ୍ ୪୩୦’ ରୁଦ୍ରକୋଣ୍ଡା ହିଲ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ହାଇଦ୍ରାବାଦ୍ର ବେଗୁମପେଟ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା। ପାଗ ଖରାପ ଥିବାରୁ କ୍ରୁ ସଦସ୍ୟ ଯୋଜନା କରାଯାଇଥିବା ମାର୍ଗର ସାମାନ୍ୟ ବାମପାର୍ଶ୍ବରେ ବିମାନକୁ ବଢ଼ାଇବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ଘଟଣା ଦିନ ସକାଳ ୯ଟା ୨ରେ ବେଗମପେଟ ଶମସାବାଦ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଥିଲେ। ଶେଷରେ ବେଲ୍ ୪୩୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଓଡ଼ିଆ ପାଇଲଟ୍ଙ୍କ ମୃତ୍ୟୁ
ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ୨୦୨୨ ମେ’ ମାସ ୧୨ ତାରିଖ ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଓଡ଼ିଆ ପୁଅ କ୍ୟାପେଟେନ୍ ଗୋପାଳକୃଷ୍ଣ ପଣ୍ଡାଙ୍କ ସମେତ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଥିଲେ କ୍ୟାପ୍ଟେନ ଏ ପି ଶ୍ରୀବାସ୍ତବ। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡ଼ିଥିଲା। ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ବଡ଼ ଏବଂ ପୁଅ ସାନ। ନିଜ ପରିବାର ସହ ସେ ରାୟପୁରରେ ରହୁଥିଲେ। କ୍ୟାପଟେନ ପଣ୍ଡା ସୁରଜପୁର ଗସ୍ତରେ କ୍ରମାଗତ ଭାବରେ ହେଲିକପ୍ଟରରେ ଯାତ୍ରା କରୁଥିଲେ।
ମିଲିଟାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଭାରତରେ ମାର୍ଚ୍ଚ ୨୦୧୭ଠାରୁ ୨୦୨୧ ମଧ୍ୟରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏସବୁ ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଲୋକସଭାରେ ଏନେଇ ସରକାର ସୂଚନା ପ୍ରଦାନ କରିଛନ୍ତି। ଚିତା, ଚେତକ, ଏମ୍ଆଇ-୧୭ ସମେତ ୧୫ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦୨୧ ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ସେନାର ଏମ୍ଆଇ-୧୭ ଭି-୫ ଚପରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ମଧ୍ୟରେ ୪ ଆଡଭାନ୍ସ ଲାଇଟ ହେଲିକପ୍ଟର (ଏଏଲଏଚ୍), ୪ ଚିତା, ୨ଟି ଅସ୍ତ୍ରଶସ୍ତ୍ର ଇଣ୍ଟିଗ୍ରେଟେଡ ଏଏଲଏଚ୍, ୩ଟି ଏମ୍ଆଇ-୧୭ ଭି-୫, ଗୋଟିଏ ଏମ୍ଆଇ-୧୭ ଏବଂ ଗୋଟିଏ ଚେତକ ରହିଛି। ଘଟିଥିବା ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଥିଲେ।