ଭୁବନେଶ୍ବର: ଓଡ଼ିଶାରେ ୨୪ ବର୍ଷ ପରେ ସରକାର ବଦଳିଛି। ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବି୍ଜେଡି)ର ଶୋଚନୀୟ ପରାଜୟ ପରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ନିର୍ଦ୍ଦେଶରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର କ୍ଷମତାକୁ ଆସିବାର ଗୋଟିଏ ମାସ ପୂରା ହୋଇନାହିଁ। କିନ୍ତୁ ଏହାରି ମଧ୍ୟରେ ଅନେକଗୁଡ଼ିଏ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇ ସାରିଛି। ନୂଆ ସରକାରଙ୍କ କାର୍ଯ୍ୟକଳାପକୁ ସମ୍ଭବତଃ ଅନ୍ୟ ରାଜନୈତିକ ଦଳ ସମର୍ଥନ କରୁଛନ୍ତି। ଏହି କାରଣରୁ ମୋହନ ମାଝୀ ଯାହାବି କରୁଛନ୍ତି, ବିରୋଧୀମାନେ ବିରୋଧ କରୁନାହାନ୍ତି।
ସାଧାରଣ ନିର୍ବାଚନ ପାଇଁ ଯେତେବେଳେ ପ୍ରଚାର ଚାଲିଥିଲା, ସେହି ସମୟରେ ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଥିଲା। ଏହାକୁ ଓଡ଼ିଶାବାସୀ ପସନ୍ଦ ମଧ୍ୟ କରିଥିଲେ ଏବଂ ଭୋଟ ଦେଇ ବିଜେପିକୁ ବିଜୟୀ କରିଥିଲେ। ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ ବିଜେପି ସରକାର ପ୍ରଥମ ପଦକ୍ଷେପ ଭାବେ ଶ୍ରୀମନ୍ଦିରର ୪ଦ୍ବାର ଖୋଲି ଦେଇଥିଲା। ରତ୍ନଭଣ୍ଡାର ଖୁବ ଶୀଘ୍ର ଖୋଲିବ ବୋଲି ମଧ୍ୟ କୁହାଯାଇଛି। ସମ୍ଭବତଃ ଆସନ୍ତା ୭ ଦିନ ଭିତରେ ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ଥାନଟି ଖୋଲାଯିବ। ଅନେକ ବର୍ଷ ହେଲା ଏହା ବନ୍ଦ ଥିବାରୁ ସ୍ଥିତି କ’ଣ ରହିଛି ଏବାବଦରେ ସରକାର ଓ ଶ୍ରୀମନ୍ଦିର ଜାଣିବାର ଅଛି। ମୋହନ ମାଝୀଙ୍କ ସରକାର ବିକାଶ ସହିତ ଓଡ଼ିଆ ଅସ୍ମିତାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆରେ ନଥିପତ୍ର
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ଶପଥ ନେବା ପରେ ସେ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଖରେ ଉପସ୍ଥାପିତ ସମସ୍ତ ନଥି ଓଡ଼ିଆରେ କରାଯାଉ। ଓଡିଶାର ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରକାଶ କରିବା ସହିତ ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ଵ ଦିଆଯିବ ବୋଲି ସେ କହିଥିଲେ। ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ, ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ, ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ, ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବେରି ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ।
ଉଦ୍ୟମ ସଫଳ ହେବ ତ?
ତେବେ ଓଡ଼ିଆ ଭାଷାରେ ରାଜ୍ୟ ଚଳାଇବା ନେଇ ଅତୀତରେ ମଧ୍ୟ ମୁଖ୍ୟମନ୍ତ୍ରୀମାନେ ଉଦ୍ୟମ କରିଥିଲେ। ପୂର୍ବ ସରକାରଗୁଡ଼ିକରେ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ କରିବା ନେଇ ଘୋଷଣା କରିଥିଲେ। କିନ୍ତୁ ଏହା ଘୋଷଣାରେ ସୀମତି ରହି ଯାଇଥିଲା। ତାହାକୁ କାର୍ଯକାରୀ କରାଯାଇ ନଥିଲା। ମୋହନ ମାଝୀଙ୍କ ଘୋଷଣା କେବଳ ଘୋଷଣାରେ ରହିବ ନା ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ ହେବ ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। କାରଣ ଓଡ଼ିଆ ଭାଷା ଆନ୍ଦୋଳନ ଆଜି କିମ୍ବା କାଲିର ନୁହେଁ। ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଜାତିର ଭାଷା ପ୍ରେମୀ ମହାନ ସଂଗ୍ରାମୀମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡ଼ିଆ ଭାଷାକୁ ଓଡ଼ିଶାର ସମସ୍ତ ସରକାରୀ କାମରେ ବ୍ୟବହାର କରିବା ପାଇଁ ଓଡ଼ିଶା ବିଧାନସଭାରେ ୧୯୫୪ ଓଡ଼ିଶା ରାଜଭାଷା ଆଇନ ଗୃହୀତ ହୋଇଥିଲା। କିନ୍ତୁ ସେତେବେଳେ ପ୍ରଣୀତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇ ନଥିବାରୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷାର ବ୍ୟବହାର ହୋଇପାରିନଥିଲା। ସେହିପରି ରାଜେନ୍ଦ୍ର ନାରାୟଣ ସିଂହଦେଓ ମଧ୍ୟ ଓଡ଼ିଆ ଭାଷାରେ ସରକାର କାର୍ଯ୍ୟ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ।
ଓଡ଼ିଆ ଭାଷା ପାଇଁ ପଦକ୍ଷେପ
ରାଜ୍ୟ ସରକାର ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ବାରା ଭାଷା ପାଇଁ ଆଧୁନିକ, ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପାଇଁ ବ୍ୟବସ୍ଥା ହେବ। ଓଡ଼ିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ। ଭାଷା କମିସନ ଗଠିତ ହେବ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ। ଓଡ଼ିଆ ଅସ୍ମିତା କ୍ଷେତ୍ରରେ ଆଉ କଣ କରାଯିବା ଦରକାର, ସେଥିପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କର ପ୍ରସ୍ତାବ ଆହ୍ୱାନ କରିଛନ୍ତି। ରାଜ୍ୟ ପରିଚାଳନା ରାଜ୍ୟ ଭାଷା ଓଡ଼ିଆରେ ହିଁ ହେବ । ଏଥି ନିମନ୍ତେ ପ୍ରଣୀତ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦରକାର ପଡିଲେ ଏଥିରେ ଆବଶ୍ୟକ ସଂଶୋଧନ କରି ଆଇନକୁ ଆହୁରି ସଶକ୍ତ କରାଯିବ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯିବ ।
ଓଡ଼ିଆ ଭାଷାରେ ଡାକ୍ତରୀ ପାଠ
ରାଜ୍ୟ ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରି ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଧାରରେ ରାଜ୍ୟ ସରକାର ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି କମିଟି ୧୫ଦିନ ମଧ୍ୟରେ ତାଙ୍କର ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ଦେବେ। ଓଡ଼ିଆ ଭାଷାରେ ଏମବିବିଏସ୍ ଶିକ୍ଷାଦାନ ପାଇଁ ଅତ୍ୟାବଶ୍ୟକ ପାଠ୍ୟକ୍ରମର ଓଡ଼ିଆରେ ଅନୁବାଦ, କେତେ ସମୟ ଲାଗିବ ଓ ଏସବୁ ନିମନ୍ତେ ଆବଶ୍ୟକ ପାଣ୍ଠି ଆଦି ନେଇ ଏହି କମିଟି ତାଙ୍କର ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।