କାର୍ଗିଲ ବିଜୟ ଦିବସ ହେଉଛି ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। ଭାରତୀୟ ଯବାନମାନେ ୧୯୯୯ ମସିହା ମେ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଜୁଲାଇ ୨୬ରେ ଶେଷ କରିବା ସହିତ କାର୍ଗିଲଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲେ। କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ସଲାମ ଜଣାଇବା ପାଇଁ ଏହା ଏକ ସ୍ମରଣୀୟ ଦିନ। ଭାରତୀୟ ଯବାନମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। କାର୍ଗିଲ ବିଜୟ ଦିବସ ୨୫ ବର୍ଷ ଅତିକ୍ରମ କରିସାରିଛି। କାରର୍ଗିଲ ଯୁଦ୍ଧରେ ଯେଉଁ ଭାରତୀୟ ଯବାନମାନେ ମୁତୟନ ଥିଲେ, ସେମାନେ ଏବେ ଚାକିରିରୁ ଅବସର ନେଇସାରିଛନ୍ତି। କିନ୍ତୁ ସେହି ସମୟରେ ସ୍ମୁତିକୁ ଭୁଲି ପାରୁନାହାନ୍ତି। ସେହି ସମୟର ଦୃଶ୍ୟ ଯେଉଁ ଭାରତୀୟମାନେ ଟେଲିଭିଜନ ମାଧ୍ୟମରେ ଦେଖିଛନ୍ତି, ଆଜି ସେମାନେ ବୟସର ମଧ୍ୟାହ୍ନ ବା ସାୟାହ୍ନରେ ପହଞ୍ଚି ସାରିଛନ୍ତି।
୧୯୯୯ ମସିହା ଓ ୨୦୨୪ର ଜମ୍ମୁ କଶ୍ମୀର ମଧ୍ୟରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଛି। ସେହି ସମୟରେ ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ଘର କରି ରହୁଥିଲେ। ଆଜିର ଦିନରେ କିନ୍ତୁ ଯାହା ଘଟୁଛି ଲୁଚିଲୁଚି ଚାଲିଛି। ଆତଙ୍କବାଦୀମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିବାକୁ ସାହାସ କରିାପାରୁ ନାହାନ୍ତି। ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି। ଲୋକେ ସାହାସ ଦେଖାଇ ବାହାରେ ବୁଲି ପାରୁଛନ୍ତି। ଆଗାମୀ ଦିନରେ ଜମ୍ମୁ କଶ୍ମୀରରୁ ଆତଙ୍କବାଦୀମାନଙ୍କୁ ସଫା କରିବା ପାଇଁ ସରକାର ଯୋଜନା କରୁଛନ୍ତି। କାର୍ଗିଲ ଯୁଦ୍ଧ ହେଉଛି ମାତୃଭୂମିର ପ୍ରସଙ୍ଗ। ଦେଶମାତୃକାର ପ୍ରସଙ୍ଗ ହୋଇଥିବାରୁ ଏହାକୁ ଅଣଦେଖା କରିହେବ ନାହିଁ। ଭାରତର ମୁଣ୍ଡ କୁହାଯାଉଥିବା କଶ୍ମୀରର ସୁରକ୍ଷା ଦେଶର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହୋଇଛି।
ଶିଙ୍କୁ ଲା ସୁଡ଼ଙ୍ଗ ପ୍ରକଳ୍ପର ଶିଳାନ୍ୟାସ
୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ ଗସ୍ତ କରି ଓ ନିଜର କର୍ତ୍ତବ୍ୟ କାଳରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥି ସହିତ ଶିଙ୍କୁ ଲା ସୁଡ଼ଙ୍ଗ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଖରାପ ପାଣିପାଗ ସମୟରେ ଲେହ ଠାରୁ ସଂଯୋଗୀକରଣକୁ ସ୍ବାଭାବିକ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସୁଡଙ୍ଗ ସୀମା ପର୍ଯ୍ୟସ୍ତ ଶୀଘ୍ର ପହଞ୍ଚାଇବାରେ ତୃତୀୟ ଓ ସବୁଠୁ ସୁରକ୍ଷିତ ବିକଳ୍ପ ହେବ। ବର୍ତ୍ତମାନ ସମୟରେ ଲଦ୍ଦାଖ ପାଇଁ ପ୍ରଥମ ବିକଳ୍ପ ଜୋଜିଲା ନିକଟ, ଯାହା ପାକିସ୍ତାନ ସୀମା କ୍ଷେତ୍ରକୁ ଲାଗି ରହିଛି। ଦ୍ବିତୀୟ ବିକଳ୍ପ ବାରାଳାଚା ନିକଟରେ, ଯାହା ଚୀନ ସୀମାକୁ ଲାଗି ରହିଛି। ପ୍ରଧାନମନ୍ତ୍ରୀ ଶିଙ୍କୁ ଲା ଶୁଡଙ୍ଗ ପ୍ରକଳ୍ପ ପାଇଁ ପ୍ରଥମ ବ୍ଳାଷ୍ଟ କରିଛନ୍ତି। ୪.୧ କିମିର ଏହି ଯମଜ ଟନେଲ ସମୁଦ୍ର ଜଳପତ୍ତନ ଠାରୁ ୧୫,୮୦୦ ଫୁଟ ଉପରେ ନିର୍ମିତ ହେବ। ନିମୁ-ପାଦୁମ-ଦରଛା ରୋଡରେ ଏହା ଲେହକୁ ସଂଯୋଗ କରିବ। ଏହି ଟନେଲ ନିର୍ମାଣ ସରିଲା ପରେ ବିଶ୍ବର ସର୍ବୋଚ୍ଚ ଟନେଲ ହେବ। ଏହା ଦ୍ବାରା ଲଦ୍ଦାଖର ସାମାଜିକ ଓ ଆର୍ଥିକ ବିକାଶ ହେଇପାରିବ।
ରୌପ୍ୟ ଜୟନ୍ତୀରେ ଏକାଧିକ କାର୍ଯ୍ୟକ୍ରମ
ଭାରତୀୟ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ କାର୍ଗିଲ ଯୁଦ୍ଧ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା। ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା। କାର୍ଗିଲ ବିଜୟ ଦିବସର ରଜତ ଜୟନ୍ତୀ ମହୋତ୍ସବ ପାଳନ ପାଇଁ ସାରା ଦେଶ ପ୍ରସ୍ତୁତ ଥିବା ବେଳେ କାର୍ଗିଲ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱପୂର୍ଣ୍ଣ ବିଜୟକୁ ଉତ୍ତର କମାଣ୍ଡ ସମ୍ମାନିତ କରୁଛି। ଗତ ବର୍ଷକ ମଧ୍ୟରେ ଜମ୍ମୁ-କଶ୍ମୀରର ଜନସାଧାରଣ, ସ୍କୁଲ ପିଲା, ନାଗରିକ ବିଶିଷ୍ଟ ବ୍ୟକ୍ତି ଏବଂ ପୂର୍ବତନ ସୈନିକମାନଙ୍କୁ ସାମିଲ କରି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ସ୍ମରଣ ଏବଂ ଧନ୍ୟବାଦ ଦେବା ପାଇଁ ଏକାଧିକ କାର୍ଯ୍ୟକ୍ରମ କରାଯାଇଛି।
ସଫଳ ହେବନି ପାକିସ୍ତାନ: ମୋଦୀ
କେନ୍ଦ୍ରଶାସିତ ରାଜ୍ୟ ଲଦ୍ଦାଖର ଦ୍ରାସରେ ପହଞ୍ଚି କାର୍ଗିଲ ବିଜୟ ଦିବସ ଅବସରରେ ଯୁଦ୍ଧ ସ୍ମାରକୀରେ ପାକିସ୍ତାନ ବିରୋଧରେ ଲଢ଼େଇ କରି ସହିଦ ହୋଇଥିବା ବୀର ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ପାକିସ୍ତାନର ଖରାପ ଚିନ୍ତାଧାରା ସଫଳ ହେବ ନାହିଁ। ୧୯୯୯ର ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ମନେ ପକାଇ ଆଜି ଦେଶରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। କାର୍ଗିଲ ବିଜୟ ଦିବସ ଆମକୁ କହୁଛି, ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନ ଅମର ହୋଇଥାଏ। ଦିନ, ମାସ ଓ ବର୍ଷ ବିତିଯାଏ। ଦଶନ୍ଧି ଅତିକ୍ରମ କରିଯାଏ ଓ ଶତାଦ୍ଦୀ ପୂରା ହୋଇଯାଏ। କିନ୍ତୁ ରାଷ୍ଟ୍ରର ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଲୋକଙ୍କ ନାମ କେବେ ଲିଭି ନଥାଏ। କାର୍ଗିଲରେ ଆମେ ଯୁଦ୍ଧ ଜିତିବା ସହିତ ସତ୍ୟ, ସୟମ ଓ ସାମର୍ଥର ଅଦ୍ଭୁତ ପରିଚୟ ପାଇପାରିଛେ। ମୋର ସୌଭାଗ୍ୟ ଯେ, କାର୍ଗିଲ ଯୁଦ୍ଧ ସମୟରେ ମୁଁ ଜଣେ ସାଧାରଣ ଦେଶବାସୀ ଭଳି ନିଜର ସୈନିକଙ୍କ ସହିତ ଥିଲି। ଆଜି ଯେତେ ବେଳେ କାର୍ଗିଲ ମାଟିରେ ପାଦ ରଖିଛି, ସ୍ବାଭାବିକ ଭାବେ କିଛି ଗର୍ବ ଅନୁଭବ ହେଉଛି। ଏତେ ଉଚ୍ଚ, ଏତେ କଠନି ଯୁଦ୍ଧ ଅପରେଶନକୁ ସଫଳ କରାଯାଇପାରିଥିଲା। ମୁଁ ସେହି ସହିଦଙ୍କୁ ପ୍ରଣାମ କରୁଛି, ଯେଉଁମାନେ କାର୍ଗିଲରେ ମାତୃଭୂମିର ରକ୍ଷା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ। ପାକିସ୍ତାନ ଆତଙ୍କବାଦୀମାନଙ୍କ ସମର୍ଥନ ଜଣାଉଛି। ପାକିସ୍ତାନ ନିଜର ଅତିତରେ ଯେତେ ଦୁଷ୍ପ୍ରୟାସ କରିଛି, କେବେ ସଫଳ ହୋଇପାରି ନାହିଁ। ପାକିସ୍ତାନ ନିଜର ଅତିତରୁ କିଛି ଶିଖିପାରିଲା ନାହିଁ।