ଭୁବନେଶ୍ବର: ସମୟ ବଡ଼ ବଳବାନ। ମଣିଷର ସ୍ଥିତି କେତେବେଳେ କେଉଁ ଦିଗରେ ଗତି କରିବ ତାହା କହିବା ମୁସ୍କିଲ। ଭଲ ସମୟ ଆସିଲେ ସାଧାରଣ ମଣିଷ ଅସାଧାରଣ ପାଲଟି ଯାଇଥାଏ। କିନ୍ତୁ ସମୟ ଖରାପ ରାସ୍ତାରେ ଚାଲିଲେ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସାଧାରଣ ଜୀବନ ଜିଇଁବାକୁ ହୋଇଥାଏ। ଏକଥା ଉଣା ଅଧିକେ ସମସ୍ତେ ଜାଣିଛେି। ପରିସ୍ଥିତିରେ ପଡ଼ି ହେଉ ବା ଅନ୍ୟ କୌଲଣସି କାରଣରୁ ଆମ ସମାଜରେ ଅନେକ ବିରଳ ଘଟଣା ଘଟିଥିବା ଆମେ ଅବଗତ ହୋଇଥାଉ, ଯାହାକି ବିଶ୍ବସା ନହେଲେ ମଧ୍ୟ ସତ। ମୃତ ଘୋଷିତ ବ୍ୟକ୍ତିଙ୍କ ଘରବାହୁଡ଼ା ସେଥିରୁ ଏକ ଘଟଣା। ଏଭଳି ଘଟଣା ମଧ୍ୟ ଅନେକ ସ୍ଥାନରେ ଦେଖାଯାଉଛି।
୧୨ ବର୍ଷ ପରେ ସ୍ବାମୀଙ୍କ ପାଖକୁ ପହଞ୍ଚିଲେ ସ୍ତ୍ରୀ
ଉତ୍ତର ପ୍ରଦେଶର ଗୋରଖପୁର ନିବାସୀ ଫୁଲମତି ନାବରେ ଜଣେ ମହିଳା ନିଖୋଜ ହେବାର ୧୨ ବର୍ଷ ପରେ ଘରକୁ ଗତ ଶନିବାର ଦିନ ଫେରିଛନ୍ତି। ବାଂସଗାଁର ଉସ୍କା ନିବାସୀ ରାମସୁମେର ନିଜର ପତ୍ନୀ ଫୁଲମତି ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ। ୧୨ ବର୍ଷ ପୂର୍ବରୁ ସେ ପୁଲିସ ଆଗରେ କହିଥିଲେ, ତାଙ୍କର ସ୍ତ୍ରୀ ଗତ ୧୫ ତାରିଖ ମା’ ଘରକୁ ଯାଇଥିଲେ। ସେହିଦିନ ଠାରୁ ସେ ନିଖୋଜ ଅଛନ୍ତି। ଶେଷ ଥର ପାଇଁ ସେ କହିଥିଲେ ଦାଦାଙ୍କ ସହିତ ଲୁଧିଆନା ଯାଉଛି। ଥାନାରେ ଏତଲା ଦେବାର ଦିନକ ପରେ ପୁଲିସ ଜଣେ ମହିଳାଙ୍କ ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରିଥିଲା ଏବଂ ଏହା ଫୁଲମତିଙ୍କର ଭାବିଥିଲା। ଘଟଣାର ତଦନ୍ତ କରି ଏହାକୁ ରାମସୁମେରଙ୍କୁ ହସ୍ତାନ୍ତର କରିଥିଲା। ସେ ମଧ୍ୟ ମୃତଦେହକୁ ଅନ୍ତିମ ସଂସ୍କାର କରିଥିଲେ। କିନ୍ତୁ ପୁଲିସ ଏହି ଘଟଣା ନେଇ ହତ୍ୟା ସନ୍ଦେହ କରିଥିଲା ଏବଂ ତଦନ୍ତ ଚଲାଇଥିଲା। ଫୁଲମତିଙ୍କ ମୋବାଇଲ ନମ୍ବରରୁ ହତ୍ୟାର ଅଭିଯୁକ୍ତ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଉଦ୍ୟମ କରାଯାଉଥିଲା। ତା’ର ମୋବାଇଲ ଚାଲିଥିଲା। ଟ୍ରାସ କରି ପୁଲିସ ପ୍ରଥମେ ସୁଲତାନପୁର ପହଞ୍ଚି ଥିଲା। ଫୁଲମତି ସେହି ନମ୍ବରରେ ଶୁଭମ୍ ନାମରେ ଜଣେ ଯୁବକଙ୍କ ସହିତ କଥା ହେଉଥିବା ଜାଣିଥିଲା। ଶୁଭମ କହିଥିଲେ ଫୁଲମତି ଗୋରଖପୁରରୁ ଝାନ୍ସି ଆସିଛନ୍ତି।
କରୋନା ବେେଳେ ମୃତ ଘୋଷିତ, ୨ ବର୍ଷ ପରେ ଘରକୁ ଫେରିଲେ
ମଧ୍ୟପ୍ରଦେଶର ଧର ଜିଲ୍ଲା ନିଜ ପୈତୃକ ନିବାସକୁ ଜଣେ ବ୍ୟକ୍ତି ଗତ ଏପ୍ରିଲ ମାସରେ ଯୁବକ ଫେରିଛନ୍ତି, ଯିଏକି ମହାମାରୀ କରୋନାର ଦ୍ୱିତୀୟ ଳହର ସମୟ ୨୦୨୧ରେ ମୃତ ଘୋଷିତ ହୋଇଥିଲେ। ୩୦ ବର୍ଷୀୟ କମଲେଶ ନାମକ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା କୁହାଯାଇଥିଲା। ହେଲେ ସେ କରୋନାରେ ପ୍ରାଣ ହରାଇଥିବାରୁ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନଥିଲା। ସ୍ଥାନୀୟ ପ୍ରଶାସନ ତାଙ୍କର ଅନ୍ତିମ ସଂସ୍କାର କରି ଦେଇଥିବା ମଧ୍ୟ ସେତେବେଳେ ସୂଚନା ଦେଇଥିଲା। କମଲେଶ କରୋନାରେ ପ୍ରାଣ ହରାଇଥିବା ଖବର ପ୍ରଚାର ହେବା ପରେ ତାଙ୍କ ପରିବାର ଓ ପ୍ରିୟଜନମାନେ ପରମ୍ପରା ଅନୁସାରେ ଶୁଦ୍ଧି ମଧ୍ୟ ହୋଇଥିଲେ। କମଲେଶଙ୍କ ବିନା ସେମାନେ ବଞ୍ଚିବା ମଧ୍ୟ ଶିଖି ନେଇଥିଲେ। କିନ୍ତୁ ତଥାକଥିତ ମୃତ୍ୟୁର ୨ ବର୍ଷ ପରେ କମଲେଶ ଫେରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ତାଙ୍କ ପରିବାର ଲୋକ ପୂରା ସ୍ତବ୍ଧ ହୋଇଯାଇଥିଲେ। ତେବେ କମଲେଶ ଦେଇଥିବା ବୟାନ ମଧ୍ୟ ଆହୁରି ସାଂଘାତିକ ଥିଲା। ସେ କହିଥିଲେ ଯେ ଗୁଜରାଟର ଗୋଟିଏ ଗ୍ୟାଙ୍ଗ କବଳରେ ସେ ଫସି ଯାଇଥିଲେ। ତାଙ୍କୁ ସେମାନେ ଦିନେ ଛଡ଼ା ଦିନେ ନିଶା ଇଞ୍ଜେକସନ ଦେଇ କାମ କରାଉଥିଲେ।
୨୩ ବର୍ଷ ପରେ ବାପ-ପୁଅଙ୍କ ଭେଟ
ବ୍ରହ୍ମପୁରସ୍ଥିତ ମିଶନାରୀ ଅଫ ଚାରିଟି ବ୍ରଦର୍ସରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ପାତିଗ୍ରାମର କ୍ରୀତିଚନ୍ଦ୍ର ବରାଳ ଯେତେବେଳେ ନିଜର ବାପାଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ, ସେହି ସମୟର ପାରିପାର୍ଶ୍ବିକ ପରିସ୍ଥିତି ନିଆରା ଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ କହୁଥିଲେ, ପ୍ରଭୁଙ୍କ ଲୀଳା ବିଚିତ୍ର, ଯେଉଁଥି ପାଇଁ ୨୩ ବର୍ଷ ପରେ ବାପା-ପୁଅ ଏକାଠି ଦେଖିବାକୁ ମିଳିଛନ୍ତି। ୧୯୯୯ ମସିହାର ମହାବାତ୍ୟା ସମୟରେ କ୍ରୀତିଚନ୍ଦ୍ର ବରାଳ ନିଖୋଜ ହୋଇଥିଲେ। ଏହା ପରେ ୨୦୧୨ ମସିହା ଜାନୁଆରି ମାସରେ ବିଶାଖାପାଟଣାର ଏକ ସାହିରୁ ସ୍ଥାନୀୟ କର୍ପୋରେଟର କ୍ରୀତିଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ କ୍ରୀତିଙ୍କ ମାନସିକ ସ୍ଵାସ୍ଥ୍ୟ ଭଲ ନଥିଲା। ବିଶାଖାପାଟଣାର ମିଶନାରୀ ଅଫ ଚାରିଟି ମଦର ଟେରେସା ସିଷ୍ଟରରେ ସେ ରହିଥିଲେ। ୨୦୧୪ ମସିହାରେ କ୍ରୀତିଙ୍କୁ ଶ୍ରୀକାକୁଲମର ନିର୍ମଲ ହୃଦୟ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ମିଶନାରୀ ଅଫ୍ ଚାରିଟିକୁ ସ୍ଥାନାନ୍ତର କରାଯାଇଥିଲା। କୋଲକାତାର ମିଶନାରୀ ଅଫ୍ ଚାରିଟି ବ୍ରଦର୍ସର ସାଜନ ଯୋଶେଫ ବ୍ରହ୍ମପୁରରେ ପହଞ୍ଚି କ୍ରୀତିଙ୍କ ପରିବାରକୁ ତାଙ୍କ ସହ ମିଶାଇବା ନେଇ ଉଦ୍ୟମ ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗର ସ୍ବେଚ୍ଛାସେବୀ ସଂଗଠନ ହାମ ରେଡିଓର ସମ୍ପାଦକ ଅମ୍ବିସ୍ ନାଗବିଶ୍ବାସ ସହଯୋଗରେ କ୍ରୀତିଙ୍କ ଠିକଣା ଜଣାପଡିଥିଲା। ଏହାପରେ କ୍ରୀତିଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। ଏହା ୨୦୨୨ ନଭେମ୍ବର ମାସର ଘଟଣା ଥିଲା।