Sunday, February 9, 2025
Homeଓଡ଼ିଶାରେ ନିର୍ବାଚନ ବେଳେ ଷ୍ଟାର ପ୍ରଚାରକ
Array

ଓଡ଼ିଶାରେ ନିର୍ବାଚନ ବେଳେ ଷ୍ଟାର ପ୍ରଚାରକ

ଭୁବନେଶ୍ବର: ଦେଶରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଏପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନରେ ମତଦାନ ସରିଛି। ରାଜ୍ୟରେ ଆଗାମୀ ଦିନରେ ଆହୁରି ୩ଟି ପର୍ଯ୍ୟାୟରେ ୧୭ଟି ଲୋକସଭା ଓ ୧୧୯ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ତେବେ ବାକି ଆସନରେ ଭଲ ପ୍ରଦର୍ଶନ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରଚାରକୁ ଜୋରଦାର କରିଛନ୍ତି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଷ୍ଟାର ପ୍ରଚାର ତାଲିକା ଜାରି କରିଥିଲେ।

ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ, ତାମିଲନାଡୁରେ ଜନ୍ମିତ ତଥା ଦଳୀୟ ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ୍, ଶ୍ରୀମୟୀ ମିଶ୍ରଙ୍କ ସମେତ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଡ଼କ ଓ ପରବହନ ମନ୍ତ୍ରୀ ନିତିନ ଗଡ଼କରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ଛତିଶଗଡ଼, ଆସାମ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲ। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ଅଜୟ କୁମାର, ଶରତ ପଟ୍ଟନାୟକ ପ୍ରମୁଖ। ତେବେ ଏଠାରେ ପରିଲକ୍ଷିତ ହେଉଛି ଯେ, ବିଜେଡିରେ କେବଳ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ପ୍ରଚାର କରୁଛନ୍ତି। ବାକି ନେତାମାନେ ହଜି ଯାଇଛନ୍ତି। କିନ୍ତୁ ବିଜେପି ଓ କଂଗ୍ରେ ତାଲିକାରେ ଯେଉଁମାନଙ୍କୁ ସ୍ଥାନ ମିଳିଛି, ସେମାନେ ପ୍ରଚାର ବେଳେ ଦୃଶ୍ୟମାନ ହେଉଛନ୍ତି।

କୁଆଡ଼େ ଗଲେ ଶ୍ରୀମୟୀ ମିଶ୍ର

କିଛି ମାସ ପୂର୍ବରୁ ଭୁବନେଶ୍ବର ଲୋକସଭା ଆସନରେ ଶ୍ରୀମୟୀ ମିଶ୍ର ବିଜେଡି ଟିକେଟରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ଟିକେଟ୍ ଘୋଷଣା ହେବାର ୬ ମାସ ପୂର୍ବରୁ ସେ ସଂସଦୀୟ କ୍ଷେତ୍ରରେ ଜନସଂପର୍କ ଅଭିଯାନ ଚଳାଇଥିଲେ। ଭୁବନେଶ୍ବରବାସୀ ମଧ୍ୟ ଏଥର ବିଜେପି ପ୍ରାର୍ଥୀ ଅପରାଜିତାଙ୍କ ସହିତ ଶ୍ରୀମୟୀଙ୍କର କଡ଼ା ଟକ୍କର ହେବ ବୋଲି ଆକଳନ କରୁଥିଲେ। କିନ୍ତୁ ବିଜେଡି ହଠାତ୍ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ (ସୁର)ଙ୍କ ସାନପୁଅ ମନ୍ମଥ ରାଉତଙ୍କୁ ବିତଜେଡି ଟିକେଟ ଦେଇଥିଲା। ସାମାଜିକ ଗଣମାଧ୍ୟମରେ ସବୁବେଳେ ସକ୍ରିୟ ରହୁଥିବା ଶ୍ରୀମୟୀ ଗତ ମାର୍ଚ୍ଚ ୨୫ ତାରିଖ ପରେ ଅନ୍ତଧ୍ୟାନ ହୋଇଗଲେ। ଶେଷରେ ବିଜେଡି ତାଙ୍କୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସ୍ଥାନ ଦେଇଥିଲା। କିନ୍ତୁ ଚଳିତ ନିର୍ବାଚନରେ ଶ୍ରୀମୟୀଙ୍କୁ ବିଜେଡିର ପ୍ରଚାରରେ ଦେଖିବାକୁ ମିଳୁନାହିଁ।

ବିରୋଧୀ ବଡ଼ବଡ଼ ପ୍ରତିଶ୍ରୁତି ଦେବେ: ପାଣ୍ଡିଆନ୍

ଚଳିତ ନିର୍ବାଚନରେ ବିଜେଡିର ଅସଲ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ପାଲଟିଛନ୍ତି। ନିର୍ବାଚନ ବିଜୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁଭଳି ବୟାନ ଦେଉନାହାନ୍ତି ଶ୍ରୀ ପାଣ୍ଡିଆନ ତାଠାରୁ ଅଧିକ ଉତ୍ତେଜିତ ଭାଷଣ ଦେଉଛନ୍ତି। ପ୍ରତିଟି ସାରେ ସେ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି। କଟକର ବାଙ୍କୀ ସମାବେଶରେ ବିରୋଧୀଙ୍କୁ ପୁଣି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ବିଜେପି ନେତାମାନେ ନିର୍ବାଚନ ଆସିଲେ ପର୍ଯ୍ୟଟକଙ୍କ ପରି ଆସିବେ। ବଡ଼ବଡ଼ ପ୍ରତିଶ୍ରୁତି ଦେବେ। ନିର୍ବାଚନ ପରେ ଆଉ ଦେଖାଦେବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶାରେ ବାଙ୍କୀ ବହୁତ ବଡ ପରିଚୟ ପାଇବ। ମୁଖ୍ୟମନ୍ତ୍ରୀ ଜୁନ ୯ରେ ଷଷ୍ଠ ଥର ପାଇଁ ଓଡିଶା ଦାୟିତ୍ବ ନେବା ପରେ ପ୍ରଥମେ ମାଗଣା ବିଜୁଳି ସମ୍ପର୍କିତ ନିଷ୍ପତ୍ତି ଘୋଷଣା କରିବେ। ବିଜେଡିର ଏହି ପ୍ରତିଶ୍ରୁତିରେ ବିଜେପି ଡରିଯାଇଛି। ସେମାନେ ବି ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ବିଜେପିର ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ରାଜ୍ୟବାସୀଙ୍କୁ ବିଜେପି ଦିନରେ ଲଣ୍ଠନ ଦେଖାଇ ଭୁଆଁ ବୁଲାଉଛି। କେନ୍ଦ୍ର ସରକାର ୨୦୧୪ ଓ ୨୦୧୯ରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର କମାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଯାଏଁ ପୂରଣ କରିନାହାଁନ୍ତି।

ପ୍ରଚାର କରୁଛନ୍ତି ତାଲିକାରେ ଥିବା ଷ୍ଟାର ପ୍ରଚାରକ

ବିଜେଡି ତୁଳନାରେ ବିଜେପି ଓ କଂଗ୍ରେସ ଯେଉଁମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନରେ ଦେଇଥିଲେ, ସେମାନଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ବିଜେପି ଷ୍ଟାର ପ୍ରଚାରକ ନରେନ୍ଦ୍ରେେ ମୋଦୀ, ଅମିତ ଶାହ, ରାଜନାଥ ସିଂହ, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ହିମନ୍ତ ବିଶ୍ବଶର୍ମା, ବିଷ୍ଣୁଦେଓ ସାୟ ଓଡ଼ିଶାରେ ପ୍ରଚାର କରୁଛନ୍ତି। ସେହିପରି କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଅନୁସାରେ ରାହୁଲ ଗାନ୍ଧୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଅଜୟ କୁମାର ଶରତ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments