Tuesday, November 12, 2024
Homeଖବରକ୍ଷମତାକୁ ଫେରିବାକୁ ଏବେଠୁ କସରତ 

କ୍ଷମତାକୁ ଫେରିବାକୁ ଏବେଠୁ କସରତ 

ଭୁବନେଶ୍ବର: ନିରବଚ୍ଛିନ୍ନ ଭାବେ ୨୪ ବର୍ଷ କ୍ଷମତାରେ ରହିଲା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ହୋଇଛନ୍ତି। ବିରୋଧୀ ଦଳରେ ଥାଇ ସେ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ପଦକ୍ଷେପ ନେଉଛନ୍ତି। ରାଜ୍ୟବାସୀଙ୍କର ବିଭିନ୍ନ ସମସ୍ୟା ଉପରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରଙ୍କୁ ଅବଗତ କରିବାକୁ ଚାହିଁଛନ୍ତି। ଏଥି ପାଇଁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟ ବିରୋଧୀ ଦଳ ‘ବିଜୁ ଜନତା ଦଳ’ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ଏଥି ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଛନ୍ତି।

ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟ୍ଟନାୟକଙ୍କ ଯୋଜନା କରିଛନ୍ତି। ବିଜେଡି ବିଧାୟକ ଓଡିଶାବାସୀଙ୍କ ସ୍ୱରକୁ ବିଧାନସଭାରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବେ। ଏନେଇ ନବୀନ ପଟ୍ଟନାୟକ ୫୦ ଜଣ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି। ବିଜେଡି ଦ୍ବାରା ପ୍ରକାଶିତ ତାଲିକା ଅନୁସାରେ ପଟ୍ଟନାୟକ ନିଜେ କୌଣସି ବିଭାଗ ଉପରେ ନଜର ରଖିବେ ନାହିଁ। ଅର୍ଥାତ ଦାୟିତ୍ବ ପାଇଥିବା ବିଧାୟକମାନେ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ କରିବେ।

ବିଧାୟକଙ୍କୁ ବିଜେଡିରେ ମିଳୁଛି ସମ୍ମାନ

ସବୁଠାରୁ ବଡ଼ କଥା ହେଲା ଯେ, ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ସାଧାରଣ ନିର୍ବାଚନ-୨୦୨୪ରେ ପରାଜିତ ହେବା ପରେ ବିଧାୟକଙ୍କ ଗୁରୁତ୍ବ ମିଳୁଛି। ପୂର୍ବରୁ ଏହି ସୁଯୋଗ ମିଳିପାରୁ ନଥିଲା। ଆଇଏଏସ୍ ପଦବିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ତତ୍କାଳୀନ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭୈରବ କାର୍ତ୍ତିକ ପାଣ୍ଡିଆନ ସର୍ବେସର୍ବା ଥିଲେ। ଉଭୟ ସରକାରୀ ଓ ରାଜନୈତିକ କ୍ଷେତ୍ରରେ ନିଜକୁ କେନ୍ଦ୍ରୀତ କରୁଥିଲେ। ନିର୍ବାଚନ ପ୍ରଚାର ହେଉ ବା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ହେଉ ମଂଚ ଉପରେ କେବଳ ପାଣ୍ଡିଆନ ହିଁ ଦେଖାଯାଉଥିଲେ। ସ୍ଥାନୀୟ ବିଧାୟକ ଅଣଦେଖା ହେଉଥିଲେ। ଏଥି ପାଇଁ ବିରୋଧୀଙ୍କ ସମେତ ସାଧାରଣ ଜନତା ମଧ୍ୟ ସ୍ବର ଉତ୍ତୋଳନ କରୁଥିଲେ। ପାଣ୍ଡିଆନଙ୍କ ଏକଛତ୍ରବାସୀ କାରଣରୁ ବିଜେଡିକୁ ବଡ଼ କ୍ଷତି ପହଞ୍ଚାଇଥିଲା। ଅନେକଗୁଡ଼ିଏ ମାଗଣା ଯୋଜନାର ଶୁଭାରମ୍ଭ କରିଥିଲେ ମଧ୍ୟ ଜନତା ଏହାକୁ ସ୍ବୀକାର କରି ନଥିଲେ।

ନବୀନଙ୍କୁ ଭେଟୁଛନ୍ତି ନେତା

ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ଭେଟିବା ବଡ଼ କଷ୍ଟ ହେଉଥିଲା। ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ବର୍ଷବର୍ଷ ଅପେକ୍ଷା କରିବାକୁ ପଡୁଥିଲା। ପାଣ୍ଡିଆନ ଅନୁମୋଦନ ଦେଲା ପରେ ନବୀନଙ୍କ ଦେଖା ହୋଇପାରୁଥିଲା ବୋଲି ଅଭିଯୋଗ ହେଉଥିଲା। ବିଜେଡି ସୁପ୍ରିମୋଙ୍କୁ ବିଧାୟକ ତଥା ବରିଷ୍ଠ ନେତାମାନେ ସିଧାସଳଖ ଭେଟି ଆଲୋଚନା କରିପାରୁଛନ୍ତି। ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଡାକୁଛନ୍ତି। ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ସେହି ସମୟରେ ବିରୋଧୀମାନେ ଚର୍ଚ୍ଚା କରୁଥିବା ବେଳେ ଏବେ ଓଡ଼ିଶାବାସୀ କହୁଛନ୍ତି, ନବୀନ ପଟ୍ଟନାୟକଙ୍କ ଆଉ ପୂର୍ବ ଭଳି ଅବସ୍ଥା ନାହିଁ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହା ନିଶ୍ଚିତ ଭାବେ ସୁସମ୍ବାଦ। ରାଜ୍ୟବାସୀଙ୍କ ପ୍ରିୟନେତା ସୁସ୍ଥ ରୁହନ୍ତୁ ସମସ୍ତେ ଏହି କାମନା କରୁଛନ୍ତି।

କ’ଣ କହିଲେ ନବୀନ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ବିଧାୟକମାନେ ନଜର ରଖିବା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଓଡିଶାବାସୀଙ୍କ ହକ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିଜେଡିର ୫୦ ଜଣ ନିର୍ବାଚିତ ସଦସ୍ୟମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଯେଉଁମାନେ ବିଭାଗର କାର୍ଯ୍ୟକ୍ରମ ଉପରେ ନିଘା ରଖିବା ସହ ବିଧାନସଭା ଅଧିବେଶନରେ ସରକାରଙ୍କୁ ପ୍ରଶ୍ନବାଣ ମାରିବେ। ବିଧାନସଭାରେ ବିରୋଧୀ ବିଜେଡିକୁ ଅଧିକ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିବାରେ ସହାୟକ ହେବ। ତେବେ ନବୀନ ସେନାରେ ଅନେକ ବିଧାୟକ ନବାଗତ ଓ ଆହୁରି ଅନେକ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇପାରି ନଥିଲେ, ତେଣୁ କିଭଳି ଭାବେ ନଜର ରଖିବେ, ତାହା ଆଗାମୀ ସମୟ କହିବ।

ପରଦା ପଛରେ ଗୋଟି ଚଳାଉଛନ୍ତି କିଏ?

ସାଧାରଣ ନିର୍ବାଚନ-୨୦୨୪ରେ ବିପୁଳ ପରାଜିତ ହେଲା ପରେ ଆଗାମୀ ୫ ବର୍ଷ ପାଇଁ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଉଛି। ସରକାର ବଦଳିବା ପରେ ବିଜେପି ଶାସନକୁ ଆସିବାରେ ମାତ୍ର ୧ ମାସ ହୋଇଛି। ଏହାରି ମଧ୍ୟରେ ବିଜେପିର କାର୍ଯ୍ୟକଳାପ ଉପରେ ସାଧାରଣ ଜନତା ସନ୍ତୁଷ୍ଟ ଅଛନ୍ତି। ଶ୍ରୀମନ୍ଦିର ୪ ଦ୍ବାର, ରତ୍ନଭଣ୍ଡାର ଖୋଲିବା, ଅଭିଯୋଗ ଶୁଣାଣି କରିବା ନେଇ ଶତମୁଖରେ ପ୍ରଶଂସା ହେଉଛି। ତେବେ ଏହାରି ମଧ୍ୟରେ ୨୦୨୯ରେ ପୁଣି ଥରେ କ୍ଷମତାକୁ ବିଜେଡି ଫେରିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ବ କରିଛି। ବିଜେଡିର ୫୦ ବିଧାୟକଙ୍କୁ ଦାୟିତ୍ବ ମିଳିଛି। କିନ୍ତୁ ନବୀନ ପଟ୍ଟନାୟକଙ୍କ ନାମ ଏହି ତାଲିକାରେ ନାହିଁ। ତେଣୁ ପରଦା ପଛରେ କେହି ଜଣେ ଗୋଟି ଚଳାଉଥିବା ନେଇ ଚର୍ଚ୍ଚା ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments