Saturday, March 22, 2025
Homeଖବରଜମ୍ମୁ କଶ୍ମୀରରେ ଉଗ୍ର ହେଲେଣି ଆତଙ୍କବାଦୀ

ଜମ୍ମୁ କଶ୍ମୀରରେ ଉଗ୍ର ହେଲେଣି ଆତଙ୍କବାଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ତିନି ତଲାକ ବିଲ୍ ଗୃହୀତ, ନାଗରିକ ସଂହିତା ବିଲ୍ ଲାଗୁ ହୋଇଥିବା ବେଳେ ଏହାକୁ ଜନସାଧାରଣରେ ଐତିହାସିକ କୁହାଯାଉଛି। କିନ୍ତୁ ଏଭଳି ସଂସ୍କାର ଧର୍ମୀ କାମ ହୋଇଥିଲେ ମଧ୍ୟ ତୃତୀୟ ପାଳିରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ସାଧାରଣ ନିର୍ବାଚନ-୨୦୨୪ ହେଉଛି ଏହାର ପ୍ରମାଣ। ବିଜେପି ନେତୃତ୍ବ ଏନ୍‌ଡିଏ ସାଧାରଣ ନିର୍ବାଚନରେ ୪୦୦ରୁ ଊର୍ଦ୍ଧ୍ବ ଆସନ ଚାହିଁଥିବା ବେଳେ ୩୦୦ ଛୁଇଁ ପାରିଲା ନାହିଁ। ତେବେ ମୋଦୀଙ୍କ ଏହି ଦୁର୍ବଳତାର ସୁଯୋଗ ନେଇ ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଉପଦ୍ରବ ସୃଷ୍ଟି କରିଛନ୍ତି। ଆତଙ୍କବାଦୀମାନେ ଗତମାସ ୯ ତାରିଖ ଠାରୁ ଏଯାଏଁ ଏକାଧିକ ଘଟଣା ଘଟାଇ ସାରିଛନ୍ତି।

୨୦୨୪ ଜୁନ୍ ୯ ତାରିଖରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ସେହିଦିନ ଜମ୍ମୁ କଶ୍ବୀର ରିୟାସି ଜିଲ୍ଲାରେ ଆତଙ୍କବାଦୀମାନେ ଏକ ହିନ୍ଦୁ ତୀର୍ଥଯାତ୍ରୀ ବସ୍ ଉପରକୁ ଟାର୍ଗେଟ କରିଥିଲେ।  ଏଥିରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ପ୍ରଧାନମନ୍ତ୍ରୀ କାର୍ଗିଲ ବିଜୟ ଦିବସ ଅବସରରେ ୨୦୨୪ ଜୁଲାଇ ୨୬ ତାରିଖରେ ଲଦ୍ଦାଖ ଜିଲ୍ଲା ଦ୍ରାସସ୍ଥିତ କାର୍ଗିଲ ସ୍ମୁତି ସ୍ଥଳକୁ ଯାଇ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏଥି ସହିତ ଶିଙ୍କୁ ସୁଡ଼ଙ୍ଗ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। ଏଥି ସହିତ ପାକିସ୍ତାନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେବା ଅବସରରେ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ମୋଦୀଙ୍କ ଏହି ଭାଷଣ ପରେ ଆତଙ୍କବାଦୀମାନେ ଚ୍ୟାଲେଞ୍ଜ କରିଥିଲେ। ଶନିବାର ଭୋର ସକାଳୁ ନିୟନ୍ତ୍ରଣ ରେଖା ଅତିକ୍ରମ କରିଥିଲେ। ଆତଙ୍କବାଦୀମାନେ ଗୁଳି କରି ଜଣେ ଯବାନଙ୍କୁ ସହିଦ କରିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଗୋଟିଏ ସପ୍ତାହ ମଧ୍ୟରେ ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ଦୁଇ ଥର ବଡ଼ଧରଣର ଆକ୍ରମଣ କରିଛନ୍ତି। ଗତ ୨୨ ତାରିଖ ପରେ ଶନିବାର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ଯବାନ ସହିତ ପାକିସ୍ତାନୀ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି। ଏନ୍କାଉଣ୍ଟର ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ଅନ୍ୟପଟରେ ମଚ୍ଛଲ ସେକ୍ଟରସ୍ଥିତ କାମକାରୀରେ ଉପସ୍ଥିତ ବୁଦ୍ଧି ଜଟାଇ ସୁରକ୍ଷାବାହିନୀର ଯବାନମାନେ ପାକିସ୍ତାନ ସେନାର ବୋର୍ଡର ଆକ୍ସନ ଟିମ୍ (ବାଟ୍)ର ଆତଙ୍କବାଦୀକୁ ନିପାତ କରିଛନ୍ତି। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ଅନ୍ୟ ୨ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ପାକିସ୍ତାନୀ ସେନାର ବାଟ୍ ଟିମ୍ରେ ପାକିସ୍ତାନୀ ସେନାର କମାଣ୍ଡୋ ବ୍ୟତୀତ ଅଲ-ବଦର, ତହରୀକୁଲ ମୁଜାହିଦୀନ, ଲଶ୍କର ଓ ଜୈସ-ଇ ଅହମଦର ଆତଙ୍କବାଦୀମାନେ ସାମିଲ ଥିବା ଗୁଇନ୍ଦା ସଂସ୍ଥାର ସନ୍ଦେହ ହୋଇଛି। ଘାଟିରେ ଲଗାତାର ଆତଙ୍କବାଦୀ ଗତିବିଧି ନେଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ ସେନାର ଗୁଳିରେ ଜଣେ ପାକିସ୍ତାନୀ ନିପାତ ହୋଇଥିବା ବୋଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମଚ୍ଛରରେ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି।  

ସେନା ଶିବିର ଉପରେ ଆକ୍ରମଣ

ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ଗୁନ୍ଧା ଅଞ୍ଚଳରେ ଗତ ୨୨ ତାରିଖ ଦିନ ସନ୍ଦିଗ୍ଧ ଆତଙ୍କବାଦୀମାନେ ସେନା ଶିବିର ଉପରକୁ ଗୁଳିମାଡ଼ କରିଥିଲେ। ଘଟଣା ଦିନ ଭୋର ସକାଳ ୪ଟାରେ ଏହି ଗୁଳିମାଡ଼ ହୋଇଥିଲା। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ। ଆତଙ୍କବାଦୀମାନଙ୍କ ଆକ୍ରମଣ ପରେ ସୁରକ୍ଷାବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏଥି ସହିତ ସର୍ଚ୍ଚପଅରେଶନ ଆରମ୍ଭ କରାଯାଇଥିଲା। ଡୋଡାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ଯବାନ ସହିଦ ହେଲା ପରେ ଭାରତୀୟ ସେନାର ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ଗତ ୨୦ ତାରିଖ ଦିନ ଜମ୍ମୁ ଗସ୍ତରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଜୁଲାଇ ୨୧ରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୁରକ୍ଷା ସଂପର୍କୀତ ବୈଠକ କରିଥିଲେ। ସୁରକ୍ଷା ନେଇ ଯେତେ ବେଳେ ସରକାର ଓ ପ୍ରଶାସନ ସମୀକ୍ଷା କରୁଛନ୍ତି, ଆତଙ୍କବାଦୀମାନେ ଅଧିକ ସକ୍ରିୟ ହେଉଥିବା ପରିଲକ୍ଷିତ ହେଉଛି।

କ’ଣ କହିଥିଲେ ମୋଦୀ

କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଚେତାବନୀ ଦେଇଥିଲେ। ସେ କହିଥିଲେ,  କାର୍ଗିଲ ବିଜୟ ଦିବସ ଆମକୁ କହୁଛି, ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନ ଅମର ହୋଇଥାଏ। କାର୍ଗିଲରେ ଆମେ ଯୁଦ୍ଧ ଜିତିବା ସହିତ ସତ୍ୟ, ସୟମ ଓ ସାମର୍ଥର ଅଦ୍ଭୁତ ପରିଚୟ ପାଇପାରିଛେ। ଆଜି ଯେତେ ବେଳେ କାର୍ଗିଲ ମାଟିରେ ପାଦ ରଖିଛି, ସ୍ବାଭାବିକ ଭାବେ କିଛି ଗର୍ବ ଅନୁଭବ ହେଉଛି। ଏତେ ଉଚ୍ଚ, ଏତେ କଠନି ଯୁଦ୍ଧ ଅପରେଶନକୁ ସଫଳ କରାଯାଇପାରିଥିଲା। ମୁଁ ସେହି ସହିଦଙ୍କୁ ପ୍ରଣାମ କରୁଛି, ଯେଉଁମାନେ କାର୍ଗିଲରେ ମାତୃଭୂମିର ରକ୍ଷା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ। ପାକିସ୍ତାନ ଆତଙ୍କବାଦୀମାନଙ୍କ ସମର୍ଥନ ଜଣାଉଛି। ପାକିସ୍ତାନ ନିଜର ଅତିତରେ ଯେତେ ଦୁଷ୍ପ୍ରୟାସ କରିଛି, କେବେ ସଫଳ ହୋଇପାରି ନାହିଁ। ପାକିସ୍ତାନ ନିଜର ଅତିତରୁ କିଛି ଶିଖିପାରିଲା ନାହିଁ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments