ଭୁବନେଶ୍ବର: କଶ୍ମୀରରେ ଏବେ ଅମରନାଥ ଯାତ୍ରା ଜାରି ରହିଛି। ଆଗାମୀ ତିନିମାସ ମଧ୍ୟରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ହେବ। ଏହାରି ମଧ୍ୟରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଥରେ ମୁଣ୍ଡ ଟେକିଛନ୍ତି। ଆତଙ୍କବାଦୀମାନେ ଆତଙ୍କର ଜାଲ ବିଛାଇଛନ୍ତି। ଏକ ମାସ ମଧ୍ୟରେ ଏକାଧିକ ଘଟଣା ଘଟାଇସାରିଛନ୍ତି। ଅନେକ ପରିବାର ଉଜାଡ଼ି ଦେଇସାରିଛନ୍ତି। ସେହିଭଳି ସାଧାରଣ ସଂପତ୍ତିକୁ କ୍ଷତି ପହଞ୍ଚାଇଛନ୍ତି। ଏହି ଆକ୍ରମଣଗୁଡ଼ିକ ସହିତ ଆତଙ୍କବାଦୀମାନେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଆତଙ୍କବାଦୀମାନେ ଗତମାସ ଜୁନ୍ ୯ ତାରିଖରେ ରେସିରେ ଏକ ବସ୍କୁ ଆକ୍ରମଣ କରିଥିଲେ। ନିକଟରେ ଆତଙ୍କବାଦୀମାନେ କଠୁଆ ଜିଲ୍ଲାର ହିରାନଗରର ସାଇଡା ସୋହଲ ଗାଁରେ ଏକ ଘରକୁ ଟାର୍ଗେଟ କରି ଜଣେ ସିଆରପିଏଫ ଯବାନଙ୍କୁ ସହିଦ କରାଇଥିଲେ। ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ସୋମବାର ପୁଣି ସାମରିକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି।
ଜମ୍ମୁ-କଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାର ପାହାଡିଆ ଅଞ୍ଚଳର ଲୋହାଇ ମାହ୍ଲାରର ଜୈଣ୍ଡା ନାଲା ନିକଟରେ ଆତଙ୍କବାଦୀମାନେ ଏକ ସାମରିକ ଯାନ ଉପରକୁ ଟାର୍ଗେଟ କରିଛନ୍ତି। ନିକଟରେ ଆତଙ୍କବାଦୀମାନେ କଠୁଆ ଜିଲ୍ଲାର ହିରାନଗରର ସାଇଡା ସୋହଲ ଗାଁରେ ଏକ ଘରକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ ଏବଂ ଜଣେ ସିଆରପିଏଫ ଯବାନଙ୍କୁ ସହିଦ ହୋଇଥିଲେ। ତେବେ ସୁରକ୍ଷା ବାହିନୀ ଏଠାରେ ଦୁଇଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ଉଭୟ ଆତଙ୍କବାଦୀ ପାକିସ୍ତାନୀ ବୋଲି ଜଣାପଡିଛି।
ଯାତ୍ରୀବସ୍ ଉପରକୁ ଆକ୍ରମଣ
ଗତ ଜୁନ୍ ମାସ ୯ ତାରିଖରେ ଆତଙ୍କବାଦୀମାନେ ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀମାନଙ୍କ ବସ୍କୁ ଟାର୍ଗେଟ କରିଥିଲେ। ଶିବଖୋରୀ ମନ୍ଦିରରୁ ରିଆସି ନେଇ ଯାଉଥିବା ଯାତ୍ରୀବସ୍ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଏହି ଟାର୍ଗେଟରେ ବସ୍ର ଚାଳକ ନିୟନ୍ତ୍ରଣ ହରାଇଥିଲେ। ବସ୍ଟି ଏକ ଖାଳକୁ ଖସିବା ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସନ୍ଧ୍ୟା ସମୟରେ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତୁ ଏହା ଦୁର୍ଘଟଣା ବୋଲି କୁହାଯାଉଥିଲା। କିନ୍ତୁ ତଦନ୍ତ ପରେ ଜଣାପଡ଼ିଥିଲା ଯେ, ଆତଙ୍କବାଦୀମାନେ ବସ୍କୁ ଦୁର୍ଘଟଣାଗ୍ରସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଘାଟି ରାସ୍ତାରେ ବସ୍ ଆଗକୁ ବଢୁଥିବା ବେଳେ ଅତର୍କିତ ଭାବେ ଗୁଳି କରିଥିଲେ। ଫଳରେ ୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୩ ଜଣ ଆହତ ହୋଇଥିଲେ।
ସେନାର ସର୍ଚ୍ଚଅପରେସନ ଜାରି
ଆତଙ୍କବାଦୀମାନେ ସେନା ଓ ଜନସାଧାରଣଙ୍କୁ ଟାର୍ଗେଟ କରୁଛନ୍ତି। ସେନାର ଯବାନମାନେ ମଧ୍ୟ ଏହାର ଜବାବ ଦେଉଛନ୍ତି। ରବିବାର ଦିନ କଶ୍ମୀର ଉପତ୍ୟକାର କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। କୁଲଗାମ ଜିଲ୍ଲାର ଦୁଇଟି ଭିନ୍ନ ସ୍ଥାନରେ ଘଟିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଏହି ସଫଳତା ହାସଲ କରିଥିଲେ। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ସମ୍ପ୍ରତି କଶ୍ମୀରରେ କ୍ରମାଗତ ସର୍ଚ୍ଚଅପରେସନ ଯୋଗୁ ଆତଙ୍କବାଦୀମାନେ ଜମ୍ମୁ ଡିଭିଜନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଯବାନଙ୍କ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆତଙ୍କବାଦୀମାନେ କଠୁଆର କଣ୍ଡି ଅଞ୍ଚଳର ଲୋହାଇ ମାହ୍ଲାରର ଜୈଣ୍ଡା ନାଲା ନିକଟରେ ଏକ ସାମରିକ ଯାନକୁ ଟାର୍ଗେଟ କରିବା ନେଇ ସୂଚନା ପାଇବା ମାତ୍ରେ ପୁଲିସ୍ ଏବଂ ସୁରକ୍ଷା ବାହିନୀର ଅନ୍ୟ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ନିକଟସ୍ଥ ସଂଯୋଗ ମାର୍ଗଗୁଡ଼ିକୁ ମଧ୍ୟ ସିଲ୍ କରାଯାଇଛି।
ଖୁବ ଶୀଘ୍ର ବିଧାନସଭା ନିର୍ବାଚନ
ଅମରନାଥ ଯାତ୍ରା ପରେ ଜମ୍ମୁ କଶ୍ମୀରରେ କୌଣସି ସମୟରେ ବିଧାନସଭା ନିର୍ବାଚନ ହୋଇପାରେ। ଏହା ପୂର୍ବରୁ ନିର୍ବାଚନ କମିସନ ଜୁଲାଇ ୧୦ ତାରିଖରେ ବୈଠକ ଡାକିଛନ୍ତି। ବୈଠକରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସଂପର୍କରେ ଆଲୋଚନା ହେବ। ଆଶା କରାଯାଉଛି ଯେ, ନିର୍ବାଚନ କମିଶନ ଅଗଷ୍ଟ ୧୯ ପରେ କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିପାରେ। ନିର୍ବାଚନ କମିସନ ଜମ୍ମୁ କଶ୍ମୀରରେ ନିର୍ବାଚନ ସଂପର୍କିତ ପ୍ରସ୍ତୁତିକୁ ଆଗକୁ ନେବା ପାଇଁ ଅଣ ପଂଜୀକୃତ ଦଳକୁ ଚିହ୍ନ ଆବଣ୍ଟନ ପାଇଁ ଆବେଦନ ଗ୍ରହଣ କରାଯାଉଛି। ରାଜ୍ୟରେ ଅନ୍ତିମ ମତଦାତା ତାଲିକାର ପ୍ରକାଶନ ଅଗଷ୍ଟ ୨୦ରେ ହେବ। ଜୁଲାଇ ୧୦ ତାରିଖରେ ହେବାକୁ ଥିବା ପ୍ରସ୍ତବିତ ବୈଠକରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗ, ନିର୍ବାଚନ ପଂଜୀକରଣ ଅଧିକାରୀ ଓ ବୁଥ ସ୍ତରର ଅଧିକାରୀଙ୍କ ଭୂମିକା ଓ ମତଦାତାଙ୍କ ସତ୍ୟପାଠ ଆଦି ସମୀକ୍ଷା ହେବ।