ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରେ ଏପର୍ଯ୍ୟନ୍ତ ୨ଟି ଦଫାରେ ୯ଟି ଲୋକସଭା କ୍ଷେତ୍ର ଓ ଏହାରି ଅଧିନ ୬୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇସାରିଛି। ଆଗାମୀ ୨୫ ଓ ୧ ତାରିଖରେ ୬-୬ ଲୋକସଭା କ୍ଷେତ୍ର ଏବଂ ଏହାରି ଅଧୀନରେ ଥିବା ୮୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ତେବେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ପ୍ରଚାର ସରିଯାଇଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ତାଙ୍କର ଉତ୍ତରପ୍ରଟଦେଶ ସମକକ୍ଷ ଯୋଗୀ ଆଦିତ୍ୟନାଥ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର କାଉଣ୍ଟର କରିଛନ୍ତି।
ଚଳିତ ନିର୍ବାଚନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକସଭା ଓ ବିଧାନସଭାର ପ୍ରାର୍ଥୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ମଥୁରା ସାଂସଦ ହେମା ମାଳିନୀ ଓ ରାମାୟଣର ରାମ ଅରୁଣ ଗୋଭିଲଙ୍କ ସମେତ ଅନ୍ୟ ଷ୍ଟାର ପ୍ରଚାରକ ନିର୍ବାଚୀନ ପ୍ରଚାର କରିଛନ୍ତି। ମାତ୍ର ଗୁରୁବାର ଦିନ ଆସାମ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯେଭଳି ଭାବେ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣାତ୍ମକ ଶୈଳୀରେ କହିଛନ୍ତି, ତାହା ଭିନ୍ନ ନଜାରା ଦେଖାଯାଉଥିଲା।
୫୦ବର୍ଷ ପଛକୁ ନେଇ ବାବୁରାଜ: ଯୋଗୀ
ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଓଡ଼ିଶାରେ ବାବୁରାଜ ଚାଲିଛି। କିନ୍ତୁ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢ଼ିବ। ଗରିବମାନେ ଶୋଷଣର ଶିକାର ହେବେ। ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍ଜାକୁ ନେଇଯାଇଛି। ବିକାଶକୁ ବାବୁରାଜ ୫୦ ବର୍ଷ ପଛକୁ ନେଇଯାଇଛି। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି ଯୋଗୀ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ। ଓଡ଼ିଶାକୁ ପଛକୁ ନେବା ତାମିଲବାବୁଙ୍କ ଉଦ୍ଦେଶ୍ୟ। ତାମିଲବାବୁଙ୍କ ଉଦ୍ଦେଶ୍ୟ ବାଂଲାଦେଶୀଙ୍କୁ ଅନୁପ୍ରବେଶ କରାଇବା। ରାସନ ମୋଦୀ ପଠାଉଛନ୍ତି, ଏଠି ବାବୁମାନେ ନବୀନ ଷ୍ଟାମ୍ପ ମାରୁଛନ୍ତି। ସେହିପରି ସେ କହିଥିଲେ, ନବୀନ ବାବୁ ଏ ବୟସରେ କଣ କରୁଛନ୍ତି କିଛି ବୁଝାପଡୁନି। ଏଠାରେ ବାବୁରାଜ ଚାଲିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀକୁ ସୁରକ୍ଷା ଦିଆଯାଉଛି। ବାବୁ ରାଜ ଏଠି ଜମି, ବାଲି, ଗୋ ସଂପଦ ଓ ଖଣି ମାଫିଆଙ୍କୁ ପ୍ରଶ୍ରୟ ଦେଉଛନ୍ତି। ଏଠିକା ବିଜୁଳି ଓଡ଼ିଶା ଲୋକଙ୍କୁ ମହଙ୍ଗା, ବାହାର ରାଜ୍ୟକୁ ଶସ୍ତାରେ ଦିଆଯାଉଛି। ସୁଶାସନ ଆଧାରଶୀଳାକୁ ସୁଦୃଢ଼ କରିବାକୁ ଡବଲ ଇଂଜିନ ସରକାର ଆଣନ୍ତୁ।
ପାଣ୍ଡିଆନ ବିନା ନବୀନ କଥା ହୁଅନ୍ତୁ ୧୦ମିନିଟ
ଓଡ଼ିଶାରେ ଯେଉଁ ୫ଟି ନାମରେ ସରକାର ବଡ଼ ପ୍ରଚାର କରୁଛନ୍ତି, ଏହାର ଅର୍ଥ ତାମିଲନାଡୁ। ଆମକୁ ଏହି ଧାରା ବଦଳାଇବାକୁ ହେବ। ଓଡ଼ିଶାର ସ୍ୱାଭିମାନ ବଦଳାଇବାର ଅଛି। ବିଜେପି ସରକାର ଆଣିବାର ଅଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି। ସମ୍ବଲପୁରରେ ମା’ ସମଲେଶ୍ବରୀଙ୍କ ଦର୍ଶନ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ ସହିତ ଖେଳାଯାଉଛି। ମହାପ୍ରଭୁଙ୍କର ରତ୍ନଭଣ୍ଡାର ଚାବି ଲୁଚାଇ ରଖା ଯାଇଛି। ବିଜେଡି କହିଲେ ଏକ ଦଳ ନୁହେଁ। ପାଣ୍ଡିଆନ ହିଁ ବିଜେଡି। ରାଜ୍ୟ ସରକାରକୁ ପାଣ୍ଡିଆନ କବ୍ଜା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁସ୍ଥ ନାହିଁ। ରାଜ୍ୟରେ କ’ଣ ଘଟୁଛି ନବୀନ ବାବୁ କିଛି ଜାଣି ନାହାନ୍ତି । ପାଣ୍ଡିଆନ ଯାହା ଲେଖି ଦିଅନ୍ତି, ତାହା ପଢ଼ନ୍ତି । ପାଣ୍ଡିଆନ ବାହାରକୁ ଯାଆନ୍ତୁ ଓ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ନାଗରିକ ନବୀନଙ୍କ ସହିତ ୧୦ ମିନିଟ କଥା ହୁଅନ୍ତୁ । ନବୀନ ବାବୁ କାନ୍ଦି ପକାଇବେ। ନବୀନ ବାବୁଙ୍କୁ ନଜର ବନ୍ଦି କରାଯାଇଛି।
ଭିନ୍ନ ଶୈଳୀରେ ନବୀଙ୍କୁ ଟାର୍ଗେଟ୍
ଅନ୍ୟପଟରେ ଭି କାର୍ତ୍ତିକ ପାଣ୍ଡିଆନ୍ ଆସାମ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଦୁଇ ମୁଖ୍ୟମନ୍ତ୍ରୀ, କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। କିନ୍ତୁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ବର, ସେ ଓଡ଼ିଶାକୁ ଏକ ନମ୍ବର କରିବେ। ଋଣ ଭାରରେ ବୁଡିଥିବା ଉତ୍ତରପ୍ରଦେଶ, ଛତିଶଗଡ, ଆସାମ ଭଳି ରାଜ୍ୟ ଓଡ଼ିଶା ଠାରୁ ଢେର ପଛରେ ରହିଛନ୍ତି। ରାଜ୍ୟକୁ କେମିତି ଏକ ନମ୍ବର କରାଯାଏ ତାହା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଖିକି ଯାଆନ୍ତୁ କାମରେ ଆସିବ। ଯେତେ ଇଞ୍ଜେକସନ ଦେଲେ ବି ଓଡ଼ିଶାରେ ଫୁଲ ଫୁଟିବ ନାହିଁ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଆଗାମୀ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପ୍ରଦାନ ନେଇ ମୋହର ମାରିବେ।।