ଭୁବନେଶ୍ବର: ସ୍ବାସ୍ଥ୍ୟ ହେଉଛି ଜୀବନର ସବୁଠାରୁ ବଡ଼ ସଂପଦ। ଜଣେ ସୁସ୍ଥ ବ୍ୟକ୍ତି ହିଁ ସବୁ କାମକୁ ଭଲଭାବରେ କରିପାରିବ। ତେଣୁ ସୁସ୍ଥ ରହିବା ପାଇଁ ଯାହା ଦରକାର, ତାହା କରାଯିବା ଉଚିତ। ସୁସ୍ଥ ରହିବା ପାଇଁ ଯୋଗକୁ ମଧ୍ୟ ଆଜିକାଲି ଗୁରୁତ୍ବ ଦିଆଯାଉଛି। ଗତ ୧୦ ବର୍ଷ ହେଲା ଯୋଗ ଦିବସ ପାଳନ କରାଯାଉଛି। ୨୦୧୪ ମସିହା ଠାରୁ ପ୍ରତିବର୍ଷ ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗର ପ୍ରାଚୀନ ଭାରତୀୟ କଳା ଏବଂ ଆମର ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ଉପରେ ଏହାର ମହତ୍ ପ୍ରଭାବକୁ ସାଂସ୍କୃତିକ ଏବଂ ଭୌଗଳିକ ପ୍ରତିବନ୍ଧକକୁ ଚିହ୍ନାଇ ଦେଉଛି।
ଅତୀତରେ କେବଳ ମୁନିଋଷିମାନେ ଆଶ୍ରମରେ ଯୋଗ କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ ସମସ୍ତେ ଯୋଗ କରୁଛନ୍ତି। ଜଳ, ସମତଳ, ପାହାଡ଼ରେ ଯୋଗ ହେଉଛି। ବିଦ୍ୟାଳୟ, ମଠ, ମନ୍ଦିର, ଖେଳପଡ଼ିଆ, କ୍ଲବ, ଡାକ୍ତରଖାନା, ସେନା ଶିବିର, ସମୁଦ୍ର ବେଳାଭୂମି, ବିମାନବନ୍ଦର, ହୋଟେଲରେ ମଧ୍ୟ ଯୋଗ କରାଯାଉଛି। ସାଧୁ-ସନ୍ଥଙ୍କ ଭଳି ନେତା, ମନ୍ତ୍ରୀ, ମହିଳା, ଶିଶୁ ଆଦି ଯୋଗ କରୁଛନ୍ତି। ଭାରତ ସମେତ ୱାଶିଂଟନ୍, ଅଷ୍ଟ୍ରେଲିଆ, ବ୍ରିଟେନ୍, ୟୁଏଇ, ପାକିସ୍ତାନର ନାଗରିକମାନେ ମଧ୍ୟ ଯୋଗ କରୁଛନ୍ତି। ବିଶ୍ବର ୧୯୨ଟି ଦେଶରେ ଯୋଗର ଆୟୋଜନ କରାଯାଇଛି। ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନ ବିଚାରପତି ଜଷ୍ଟିସ ୱାଇ ଚନ୍ଦ୍ରଚୂଡ଼ ଓ ଯୋଗଗୁରୁ ବାବା ରାମଦେବ ଯୋଗ କରିଛନ୍ତି।
ଯୋଗ ବ୍ୟାପକ ହୋଇଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୂରା ବିଶ୍ବକୁ ସମ୍ବୋଧିତ କରି କହିଥିଲେ, ବିଶ୍ବରୁ ଯେଉଁଠିକୁ ଯାଉଛି, ଯୋଗ ସଂପର୍କରେ ଆଲୋଚନା ହେଉଛି। ବିଶ୍ବର ଜନତା ଯୋଗ ଶିଖିବାକୁ ଭାରତ ଆସୁଛନ୍ତି। ବିଶ୍ବରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯୋଗ ପ୍ରତି ଲୋକଙ୍କର ଆକର୍ଷଣ ବଢ଼ିଛି। ଯୋଗର ପୁରୁଣା ଧାରା ବଦଳିଛି। ଯୋଗ ବ୍ୟାପକ ହୋଇଛି। ଜର୍ମାନୀରେ ଏବେ ଦେଢ଼ କୋଟି ଯୋଗ ଟ୍ରେନ୍ର ଅଛନ୍ତି। ଯୋଗକୁ ଅର୍ଥନୀତି ଦୃଷ୍ଟିରେ ମଧ୍ୟ ଦେଖାଯାଉଛି। ଏହାରି ମାଧ୍ୟମରେ ଭଲ ରୋଜଗାର ହୋଇପାରୁଛି। ଋଷିକେଶ ଠାରୁ ଆରମ୍ଭ କରି କେଳର ପର୍ଯ୍ୟନ୍ତ ଯୋଗ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପାଲଟିଛି। ବିମାନବନ୍ଦର ଠାରୁ ଆରମ୍ଭ କରି ହୋଟେଲରେ ମଧ୍ୟ ଯୋଗ ପାଇଁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି। ବଜାରରେ ଯୋଗ ପାଇଁ ବିଭିନ୍ନ ଉପକରଣ ବିକ୍ରି ହେଉଛି। ସ୍ବାସ୍ଥ୍ୟ ପାଇଁ ବ୍ୟକ୍ତିଗତ ଯୋଗ ଟ୍ରେନର ରଖାଯାଉଛି। ବଡ଼ବଡ଼ କଂପାନିଗୁଡ଼ିକ ନିଜର କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଆଜିର ଦିନରେ ବିଶ୍ବର ବଡ଼ବଡ଼ ପ୍ରତିଷ୍ଠାନରେ ଯୋଗ ପାଇଁ ଗବେଷଣା ଚାଲିଛି। ଯୋଗ କେବଳ ବିଦ୍ୟା ନୁହେଁ। ଏହା ବିଜ୍ଞାନରେ ପରିଣତ ହୋଇସାରିଛି। ଯୋଗ ଦ୍ବାରା ଏକାଗ୍ରତା ବଢ଼ିଥାଏ। ୨୦୧୪ରେ ସଂଯୁକ୍ତ ରାଷ୍ଟ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ନେଇ ପ୍ରସ୍ତାବ ରଖିଥିଲି। ଭାରତର ଏହି ପ୍ରସ୍ତାବକୁ ସେତେବେଳେ ୧୭୭ଟି ରାଷ୍ଟ୍ର ସମର୍ଥନ ଦେଇଥିଲେ। ସେହିଦିନଠାରୁ ଯୋଗ ନୂଆନୂଆ ରେକର୍ଡ କରୁଛି। ୨୦୧୫ରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଯୋଗରେ ୩୫ ହଜାର ଲୋକ ଯୋଗ କରିଥିଲେ। ଯୋଗ ପାଇଁ ମୋତେ କଶ୍ମୀର ଆସିବାକୁ ସୁଯୋଗ ମିଳିଛି। ଆମକୁ ଯୋଗରୁ ଯେଉଁ ଶକ୍ତି ମିଳୁଛି, ଶ୍ରୀନଗରରୁ ଏହା ଅନୁଭବ କରୁଛି।
ଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ମତ
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଥିଲେ, ଯମୁନା କ୍ରୀଡ଼ା ପରିସରରେ ଯୋଗ କରିବାର ସୌଭାଗ୍ୟ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆଜି ଭାରତର ଚାରିଆଡ଼େ ଯୋଗ ହେଉଛି। ବିଶ୍ବର ସବୁ କୋଣକୁ ଯୋଗ ପହଞ୍ଚି ପାରିଛି। କେନ୍ଦ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଭାଷାରେ, ଅନ୍ତର୍ଜାତୀୟ ଯୋଗ ଦିବସ ପୂରା ବିଶ୍ବରେ ଉତ୍ସାହର ସହିତ ପାଳନ କରାଯାଉଛି। ଜନସାଧାରଣଙ୍କ ନିକଟରେ ମୁଁ ଅପିଲ କରୁଛି, ଲୋକେ ପ୍ରତିଦିନ ଯୋଗ ଅଭ୍ୟାସ କରନ୍ତୁ। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ, ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ ହୋଇଥିଲା ଓ ପ୍ରତିବର୍ଷ ବିଭିନ୍ନ ଦେଶରେ ଏହା ହୋଇଆସୁଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ବହୁ ସଂଖ୍ୟାରେ ଲୋକ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ପୂରା ବିଶ୍ବର ଜନତା ଯୋଗକୁ ଗ୍ରହଣ କରିଛନ୍ତି। ଏହା ହେଉଛି ବିଶ୍ବକୁ ଭାରତର ଉପହାର।
କ’ଣ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ବ୍ୟସ୍ତବହୁଳ ଜୀବନରେ ଯୋଗ କରିବା ଜରୁରୀ। ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ। ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ଭାରତୀୟ ଋଷି ପରଂପରାର ଗୁରୁତ୍ବୂର୍ଣ୍ଣ ଅଂଶବିଶେଷ ପାଲଟିଛ ଯୋଗ। ଯୋଗ ଶରୀର ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ। ପୂରା ବିଶ୍ବରେ ଭାରତୀୟ ସଂସ୍କୃତି ଓ ପରଂପରାର ସମ୍ମାନ ହେଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଥିଲେ, ସମସ୍ତେ ଯୋଗ କରନ୍ତୁ ଓ ସୁସ୍ଥ ରୁହନ୍ତୁ।
ଯୋଗ କଲେ ଯବାନ
ସେନାର ଯବାନମାନେ ମଧ୍ୟ ଯୋଗ ସହି ଯୋଡ଼ି ହୋଇଥିଲେ। ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କାରିପା ପରେଡ ପଡ଼ିଆରେ ସେ ଯୋଗ କରିଥିଲେ। ଦିଲ୍ଲୀରେ ଭାରତୀୟ ଜଳ ସେନାର ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଯୋଗ କରିଥିଲେ। ଉତ୍ତର ସିକ୍କିମର ମୁଗୁଥାଙ୍ଗ ସବ୍ ସେକ୍ଟରରେ ଆଇଟିବିପି ଯବାନମାନେ ସମୁଦ୍ର ପତ୍ତନ ଠାରୁ ୧୫,୦୦୦ ଫୁଟ୍ ଉଚ୍ଚରେ ଯୋଗ କରିଥିଲେ। ଭାରତୀୟ ଜଳ ସେନାର ଜାହାଜ ବିକ୍ରମାଦିତ୍ୟରେ, ଅନ୍ତର୍ଜାତୀୟ ସୀମାର ଆର.ଏସ୍ ପୁରା ସେକ୍ଟରରେ ଓ ଲଦ୍ଦାଖର କୋଲ ସୋନମ ୱାଙ୍ଗଚୁକ ଷ୍ଟାଡିୟମରେ ସେନାର ଯବାନମାନେ ଯୋଗ କରିଥିଲେ।