Tuesday, September 10, 2024
Homeଖବରଧୂଳିସାତ୍ ହୋଇଗଲା ସପ୍ନ

ଧୂଳିସାତ୍ ହୋଇଗଲା ସପ୍ନ

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ୫୦ କିଲୋଗ୍ରାମ କୁସ୍ତିରେ ନିର୍ଦ୍ଧାରିତ ସୀମା (୫୦ କିଲୋଗ୍ରାମ)ଠାରୁ ଅଧିକ ଓଜନ ଲାଗି ଅଯୋଗ୍ୟ ଘୋଷିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ୧୪୦ କୋଟି ଜନତାଙ୍କ ହୃଦୟ ଭାଙ୍ଗିଯାଇଛି। ମଙ୍ଗଳବାର ରାତିରେ ଯେଉଁ କ୍ରୀଡ଼ା ପ୍ରେମୀମାନେ ଖୁସିଥିଲେ, ବୁଧବାର ସକାଳୁ ହତାଶ ହୋଇଯାଇଥିଲେ। ତେଣୁ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ କଳା ଦାଗ ବୋଲି ଅନେକ ବର୍ଣ୍ଣନା କରିଛନ୍ତି। ଏହି ମୁହୂର୍ତ୍ତ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ନିଜ ତୃତୀୟ ଅଲିମ୍ପିକ୍ସ ଖେଳିଥିବା ଭିନେଶଙ୍କ ପାଇଁ ଏହା ଶକ୍ତ ଶକ୍କା ସଦୃଶ ହୋଇଛି।

ସେମିଫାଇନାଲ୍ ବିଜୟ ପରେ ଭିନେଶ ସୁନା ଜିତିବେ ବୋଲି ଭାରତୀୟମାନେ ସପ୍ନ ଦେଖିଥିଲେ। ଲଗାତର ଭିନେଶ ତିନୋଟି ମୁକାବିଲା ଜିତି ଫାଇନାଲ୍ରେ ପହଞ୍ଚିଥିଲେ। ବୁଧବାର ସେ ଫାଇନାଲ ମ୍ୟାଚ୍ ଖେଳିଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ୫୦ କିଲୋଗ୍ରାମ ସୀମାଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ରାତି ପାହିଲା ବେଳକୁ ସବୁକିଛି ଯେମିତି ଓଲଟପାଲଟ ହୋଇଯାଇଥିଲା। ମାତ୍ର ୧୦୦ ଗ୍ରାମ୍ ପାଇଁ କୁସ୍ତି ତାରକା ଭିନେଶ ଫୋଗଟ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଯାଇଥିଲେ। କିଛି ବୁଝିବା ପୂର୍ବରୁ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସିଯାଇଥିଲା। ସାରା ଦେଶରେ ଏଥିନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଅପ୍ରତ୍ୟାଶିତ ଖବରକୁ କେହି ବିଶ୍ବାସ କରି ପାରୁ ନଥିଲେ ମଧ୍ୟ ଉପାୟ ଶୂନ୍ୟ ହୋଇ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା।  

ହରିୟାଣା ସରକାରଙ୍କ ଘୋଷଣା

ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ପାଇଁ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବଡ଼ ଘୋଷଣା କରିଛନ୍ତି। ଭିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସରକାର ଭିନେଶଙ୍କୁ ସମ୍ମାନିତ କରିବେ। ଟୋକିଓ ଅଲିମ୍ପିକ୍ସ ୨୦୨୦ର କାଂସ୍ୟପଦକ ବିଜେତା ବଜରଙ୍ଗ ପୁନିଆ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଭିନେଶ ଆପଣ ହାରି ନାହାନ୍ତି। ଜାଣିବୁଝି ହରାଇ ଦିଆଯାଇଛି। ମୋ ନଜରରେ ଭାରତବାସୀଙ୍କ ନଜରରେ ଆପଣ ସର୍ବଦା ବିଜେତା ହୋଇ ରହିବେ। ଆପଣ ଭାରତର ଝିଅ ହେବା ସହିତ ଭାରତର ଗର୍ବ ମଧ୍ୟ।’

କୋହ ବଖାଣିଲେ ଭିନେଶ

ଭିନେଶ ଫୋଗାଟ୍ ଫ୍ୟାରିସ ଅଲିମ୍ପିକ୍ସକୁ ନେଇ ବହୁତ ବଡ଼ ବଡ଼ ଆଶା କରିଥିଲେ। ସେମିଫାଇନାଲରେ ୫-୦ରେ ବିଜୟିନୀ ହୋଇ ଫାଇନାଲରେ ପହଞ୍ଚି ଥିଲେ। ମଙ୍ଗଳବାର ଦିନ ସେମିଫାଇନାଲରେ ଚମକପ୍ରଦ ପ୍ରଦର୍ଶନ ପରେ ତାଙ୍କ ମା’ଙ୍କ ସହିତ ଭିଡିଓ କଲିଂରେ କଥା ହୋଇଥିଲେ। ସୁନା ଆଣିବି ବୋଲି ମଧ୍ୟ ଦୃଢ଼ୋକ୍ତି ବାଢ଼ିଥିଲେ। କିନ୍ତୁ ତାଙ୍କର ସ୍ବପ୍ନ ମାତ୍ର କେଇ ଘଣ୍ଟା ମଧ୍ୟରେ ଚୁରମାର ହୋଇଯାଇଥିଲା। ବୁଧବାର  ଅଯୋଗ୍ୟ ଘୋଷଣା ହେବାପରେ ଭିନେଶ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଭିନେଶ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ମା’ କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ତୁମର ଓ ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ମୋତେ କ୍ଷମା କରିଦେବ, ଆପଣଙ୍କର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪। । ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’

ଭିନେଶଙ୍କ କ୍ଷେତ୍ରରେ କ’ଣ ହେଲା?

ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲ ମୁକାବିଲା କରିପାରିବେ ନାହିଁ ବୋଲି ବୁଧବାର ସକାଳେ ଯେତେବେଳେ ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ଏହାକୁ ଆଦୌ ହଜମ କରି ପାରି ନଥିଲେ। ସମସ୍ତଙ୍କ ମନ ଦୁଃଖରେ ଭରି ଯାଇଥିଲା। କ୍ଷୁବ୍ଧ ପ୍ରଶଂସକମାନେ ଭିନେଶ ଅଯୋଗ୍ୟ ହେବାର କାରଣ ଖୋଜିବା ଆରମ୍ଭ କରିଥିଲେ। ନାନା କଳ୍କନା ଜଳ୍ପନା ପରେ ପ୍ୟାରିସ୍ରେ ଥିବା ଭାରତୀୟ ଦଳର ମୁଖ୍ୟ ମେଡିକାଲ୍ ଅଫିସର୍ ଡାକ୍ତର ଦିନସ ପାର୍ଡିୱାଲା ଏହା ଉପରେ କିଛିଟା ପରଦା ଉଠାଇଥିଲେ। ସେ କହିଥିଲେ, ପ୍ରତିପକ୍ଷ ଖେଳାଳିଙ୍କଠାରୁ ଲାଭ ଉଠାଇବା ଲାଗି କୁସ୍ତି ଖେଳାଳିମାନେ ସାଧାରଣତଃ ନିଜ ସ୍ବାଭାବିକ ଓଜନଠାରୁ କମ୍ ଓଜନ ବର୍ଗରେ ଅଂଶଗ୍ରହଣ କରିଥା’ନ୍ତି। ତେବେ ଓଜନ ସ୍ଥିର ରଖିବା ଲାଗି ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଯଦି କିଛି ଗ୍ରାମ୍ ଓଜନ ବଢ଼ିଯାଏ, ତାହେଲେ ପ୍ରବଳ ଝାଳ ବୁହାଇବା, ସୌନା ବାଥ୍ ନେବା ଓ କଠିନ ବ୍ୟାୟାମ କରିବା ଦ୍ବାରା ଓଜନ ହ୍ରାସ କରାଯାଇଥାଏ। କିନ୍ତୁ ଏହାଦ୍ବାରା ଶରୀରରେ ଦୁର୍ବଳତା ଆସିବା ସହ ଶରୀରର ଉର୍ଜା ମଧ୍ୟ ହ୍ରାସ ପାଇଯାଏ। ଏହାକୁ ଏଡ଼ାଇବା ପାଇଁ ଏବଂ ଉର୍ଜାକୁ ସଂରକ୍ଷିତ ରଖିବା ପାଇଁ ଅଳ୍ପ କିଛି ପାଣି ଓ ଅଧିକ ଶକ୍ତି ଯୋଗାଉଥିବା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଓଜନ ମପାଯିବା ପର୍ଯ୍ୟାୟ ଶେଷ ହେବା ପରେ ଏହା କରାଯାଇଥାଏ। ସେହି ଅନୁସାରେ ଭିନେଶଙ୍କ ନ୍ୟୁଟ୍ରିସନିଷ୍ଟ ମଧ୍ୟ ତାଙ୍କ ପାଇଁ ୧.୫ କିଲୋଗ୍ରାମ୍ର ପୁଷ୍ଟିକର ଖାଦ୍ୟର ଯୋଜନା କରିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments