Saturday, March 22, 2025
Homeଖବରଉତ୍ସାହଜନକ ନୁହେଁ ପ୍ରଥମ ପର୍ଯ୍ୟାୟ ମତଦାନ

ଉତ୍ସାହଜନକ ନୁହେଁ ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସୋମବାର ମତଦାନ ହୋଇଛି। ଏହି କ୍ରମରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ଏବଂ ଏହାରି ଅଧିନରେ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯାଇଛି। ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, କଳାହାଣ୍ଡି ଓ ନୂଆପଡ଼ାର ମତଦାତାମାନେ ମତଦାନରେ ଅଂଶଗ୍ରହଣ କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ଭାବେ ମତଦାନ ପ୍ରତିଶତ ବଢ଼ିବାର କଥା, ସେହିଭଳି ହୋଇନାହିଁ। ଭୋଟ ଦେବା ପାଇଁ ଲୋକଙ୍କର ମନରେ ସେହିଭଳି ଉତ୍ସାହ ଦେଖାଯାଇ ନାହିଁ। ସନ୍ଧ୍ୟା ୬ଟା ସୁଦ୍ଧା ମାତ୍ର ୬୩.୮୫ ପ୍ରତିଶତ ମତଦାନ ହୋଇଛି। ଅବଶ୍ୟ ପ୍ରକୃତ ରିପୋର୍ଟ ଆସିଲା ପରେ ଏହା ୬୫ ପ୍ରତଶତ ହୋଇପାରେ। ଭୋଟ୍ ପ୍ରତିଶତ ନବଢ଼ିବାର କାରଣ ଏକାଧିକ ହୋଇଥାଇପାରେ।

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କାର୍ଯ୍ୟରେ ଅବହେଳା ୨ ଜଣ ପୋଲିଂ ଅଧିକାରୀ ନିଲମ୍ବନ ସହ ଗିରଫ ହୋଇଛନ୍ତି। ଶ୍ରୀ ଧଳ କହିଛନ୍ତି, ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ ପାଇଁ ଗଂଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛତ୍ରପୁର ୨୭ ନମ୍ବର ବୁଥ ପ୍ରିଜାଇଡିଂ ଅଫିସର ଗିରଫ ହେବେ। ସେହିପରି ୧୬୩ ନମ୍ବର ପୁଲିଂ ଷ୍ଟେସନର ପ୍ରିଜାଇଡିଂ ଅଫିସର ମଧ୍ୟ ଗିରଫ ହେବେ। ଗୋପାଳପୁରର ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହେବେ। ୧୯୩ ନମ୍ବର ପୁଲିଂ ଷ୍ଟେସନ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହେବେ। କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଛି।ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ ହୋଇଛି।  

ଭୋଟ ବର୍ଜନ ନିଷ୍ପତ୍ତି

ରାଜ୍ୟ ସରକାର ବିକାଶର ଡେଙ୍ଗୁରା ଯଦିଓ ବଜାଉଛନ୍ତି, ତାହା ତୃଣମୂଳ ସ୍ତରରେ ଓଲଟା ଦେଖିବାକୁ ମିଳୁଛି, ଯାହାକି ଚଳିତ ନିର୍ବାଚନରେ ଉଦହାରଣ ହୋଇଛି। ମତଦାନ ପୂର୍ବରୁ କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଓ ରାୟଗଡ଼ା ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଭୋଟ୍ ବର୍ଜନ ନେଇ ଚେତାବନୀ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ପ୍ରାୟ ୫ଟି ବୁଥର ୧୦ ଗୋଟି ଗ୍ରାମର ଭୋଟରସ୍  ଭୋଟ ବର୍ଜନ କରିଛନ୍ତି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ବାହାଦୂରପଦର ଗାଁକୁ ରାଜସ୍ୱ ଗ୍ରାମ ଘୋଷଣା ନ କରିବାରୁ ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି। ଅନେକ ଦିନରୁ ଗ୍ରାମବାସୀ ଗୁହାରି କରି ଆସୁଥିବା ବେଳେ, ତାଙ୍କ ଦାବି ପୂରଣ ନହୋଇଥିବାରୁ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ।  ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା ପରେ ଭୋଟ୍ ଗ୍ରହଣ କରାଯାଇଥିଲା। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପଦୁଗୁଡ଼ା ଗ୍ରାମବାସୀ ମଧ୍ୟ ଭୋଟ ନ ଦେବାକୁ ନିଷ୍ପତି ନେଇଥିଲେ। ଗତ ୭ ମାସ ହେଲାଣି ଗାଁର ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ନେତାଙ୍କ ପାଖରେ ଗୁହାରି କରାଯାଇଥିଲେ ବି, କେହି ଶୁଣିନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ରାୟଗଡ଼ାର ୩ଟି ଗାଁରେ ମଧ୍ୟ ମତଦାଦା ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିଲେ।

ମତଦାନରେ ହିଂସା

ପୂର୍ବ ବର୍ଷ ଭଳି ଏଥର ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ନବରଂଗପୁର ଲୋକସଭା ଆସନ କ୍ଷେତ୍ର ଅଧୀନ ଝରିଗାଁ ବିଧାୟକ ପ୍ରାର୍ଥୀ ନରିସଂହ ଭତ୍ରାଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। ସେହିପରି ପରାଜୟ ଭୟରେ ନେତାମାନେ ଗଞ୍ଜାମ ଜିଲ୍ଲାର ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସାର ବାତାବରଣ ସୃଷ୍ଟି କରିଥିଲେ। ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି। ବିଜେପି ଏଜେଣ୍ଟଙ୍କୁ ବୁଥ ଭିତରକୁ ବିଜେଡି ସମର୍ଥିତ ଲୋକେ ପ୍ରବେଶ କରେଇ ଦେଉ ନଥିବା ଅଭିଯୋଗ ହୋଇଥିଲା। ଫଳରେ ଗ୍ରାମରେ ଆତଙ୍କ ଦେଖାଦେଇଥିଲା। ବିଜେଡିର ଗୁଣ୍ଡାରାଜ ଚାଲିଛି ବୋଲି ଅଭିଯୋଗ ହୋଇଥିଲା। ଠେଙ୍ଗା ଆକ୍ରମଣରେ ଦୁଇ ଜଣକ ମୁଣ୍ଡ ଫାଟିଛି। ଗୋପାଳପୁର ଅଧୀନ ଗୋଲନ୍ଥରାରେ ୩ ଜଣ ବିଜେଡି କର୍ମୀଙ୍କୁ ବିଜେପି କର୍ମୀମାନେ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ବିଜେଡି କର୍ମୀମାନେ ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଇଭିଏମ୍‌ରେ ତ୍ରୁଟି

ପ୍ରଥମ ପର୍ଯ୍ୟାୟର ମତଦାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନରେ ସମସ୍ୟା ଦେଖାଯାଇଥିଲା। ମାଲକାନଗିରିର ବଙ୍ଗାଳି ପ୍ରାଥମିକ ବିଦ୍ଯାଳୟ ମତଦାନ କେନ୍ଦ୍ରର ବୁଥ ନଂ ୬୩, ନୂଆପଡା ସଦର ୧୦୧ ନମ୍ବର ବୁଥ, ମାଟାପାକା ଠାରେ ବୁଥ୍ ନଂ ୮୫ରେ ମକ୍ ପୋଲ ବେଳେ ଭିଭିପାଟ୍‌ରେ ତ୍ରୁଟି ଦେଖାଦେଇଥିଲା। ସେକ୍ଟର ଅଫିସର ଭିଭିପାଟ୍ ବଦଳାଇ ଭୋଟ ଆରମ୍ଭ କରିଥିଲେ। କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରର ୧୩୯ ବୁଥ ନମ୍ବରରେ ଇଭିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଇଭିଏମ୍ ମେସିନ ଖରାପ ଯୋଗୁ ବୁଥ୍ ନଂ ୧୦୪,୧୦୬ ଓ ୧୦୫ରେ ମତଦାନ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments