ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି ସତ। କିନ୍ତୁ ଏବେବି ଅଧିକାରୀଙ୍କ ମତିଗତି ବଦଳି ନାହିଁ। ସରକାରୀ ଅଧିକାରୀଙ୍କ ମନରେ ପରିବର୍ତ୍ତିତ ଚିନ୍ତାଧାରା ଆସିନାହିଁ। ଅଧିକାରୀ ସରକାରୀ କର୍ମଚାରୀ ନବୀନ ସରକାରରେ ଯେମିତି ଥିଲେ, ମୋହନ ସିରକାରରେ ସେମିତି ଥିବା ପରିଲକ୍ଷିତ ହେଉଛି। ରାଜ୍ୟରେ ବିଜେପି ସରକାର ଆସିଲା ପରେ ସରକାରୀ ବାବୁମାନଙ୍କର କାର୍ଯ୍ୟଶୈଳୀ ଓ ଚିନ୍ତାଧାରା ବଳଦିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇନାହିଁ ଭଳି ପରିଲକ୍ଷିତ ହେଉଛି। ବିଗତ ଏକ ମାସ ମଧ୍ୟରେ ୧୦ରୁ ଊର୍ଦ୍ଧ୍ବ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛି। ରାଜଧାନୀର ଜିଲ୍ଲା କୁହାଯାଉଥିବା ଖୋର୍ଦ୍ଧାରେ ସର୍ବାଧିକ। ମସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ।, ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଓ ସିକୋ ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା ଏଥିରେ ସାମିଲ ଅଛନ୍ତି।
ଯନ୍ତ୍ରୀଙ୍କ ୧୦୬ଟି ପ୍ଲଟ୍
ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ସରକାରୀ ଚାକିରି କରି କୁବେର ପାଲଟିଯାଇଛନ୍ତି। ଦୁଇଦିନ ପୂର୍ବରୁ ତାଙ୍କ ଘରୁ ପୁଳାପୁଳା ଟଙ୍କା ବିଡ଼ା ବାହାରିଥିଲା। ଘର ଭିତରେ ଠୁଳ କରିଥିଲେ ଆଖି ଖୋସିଦେବା ପରି ସମ୍ପତ୍ତି। ଓଡିଶା ସମେତ ପଶ୍ଚିମବଙ୍ଗରେବି ବାବୁ ଜମାଇଥିଲେ ବଡ଼ ଆଡ୍ଡା। ଓଡିଶା ସମେତ ପଶ୍ଚିମବଙ୍ଗରେ ରହିଛି ଏହି ବାବୁ ଜଣଙ୍କର ୧୦୬ ଟି ପ୍ଲଟ। କେବଳ ପ୍ଲଟ ନୁହେଁ, ମାଳମାଳ ଫ୍ଲାଟ ଆଉ ବଡ଼ ବଡ଼ କୋଠା ମଧ୍ୟ ବାବୁ ଜଣଙ୍କ ନାଁରେ ରହିଛି। ଚଢ଼ାଉ ବେଳେ ବାବୁଙ୍କର ଏପରି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ। ଖାଲି ସମ୍ପତ୍ତି ନୁହେଁ, ବାବୁଙ୍କ ଘରୁ ସୁନା, ଅଳଙ୍କାର ଓ ପୁଳାପୁଳା ନଗଦ ଟଙ୍କା ବାହାରିଥିଲା।
ହିସାବ ଦେଇପାରିଲେନି ମ୍ୟାଡମ୍
ଦୁଇ ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ୪ ଲକ୍ଷ ୯୨ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ପରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଅକ୍ଷମିତା ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜାରିଙ୍ଗ ଛକ ନିକଟରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ଗାଡ଼ିକୁ ଅଟକାଇ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲେ। ବିଡିଓ ଅକ୍ଷମିତା କାର୍ତ୍ତିକ ଗାଡ଼ି (ଓଡ଼ି ୦୨ ସିଏଚ ୨୪୨୪) ରେ ୪ଲକ୍ଷ ୯୨ ଲକ୍ଷ ଟଙ୍କା ନେଉଥିବା ନେଇ ଆଗରୁ ସୂଚନା ପାଇ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଛକି ରହିଥିଲେ। ଏହି ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ।
ପୁରୀରୁ ମଥୁରା ଯାଏ ସଂପତ୍ତି
ନିକଟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଭିଜିଲାନ୍ସ ବିଭାଗ ଯେତିକି ଖୋଳି ଚାଲିଥିଲେ, ସେତିକି ସମ୍ପତ୍ତି ବାହାରୁ ଥିଲା। ପବିତ୍ର ଜଗନ୍ନାଥ ଧାମରୁ ମଥୁରା ଯାଏ ତାଙ୍କ ସମ୍ପତ୍ତି ରହିଛି। ଭିଜିଲାନ୍ସର ଚଢ଼ଉ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତରେ ଲାଗିଛି। ଏଯାଏଁ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ୧୪କୋଟିରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି, ଯାହାକି ତାଙ୍କ ଆୟର ୨୫୮ ପ୍ରତିଶତ ବୋଲି ଭିଜିଲାନ୍ସ ହିସାବରୁ ସ୍ପଷ୍ଟ ହୋଇଛି। ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ଉ ବେଳେ ଆଜି ଭିଜିଲାନ୍ସ ଉତ୍ତରପ୍ରଦେଶର ମଥୁରାରେ ଏକ ୨ବିଏଚ୍କେ ଫ୍ଲାଟ ଥିବା ଠାବ କରିଛି। ଏହାର ମୂଲ୍ୟ ପାଖାପାଖି ୫୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ପୁଣି ଘର ଓ ଲକରକୁ ମିଶାଇ ଆହୁରି ଏକ କେଜି ସୁନା ଜବତ କରାଯାଇଛି।
ପ୍ଲଟ ଲୋଭୀ ଅଧିକାରୀ
ସେହିପରି ଭୁବନେଶ୍ୱର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ମଧ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସେ ସମସ୍ତଙ୍କୁ ଚକମା ଦେଇ ଅମାପ ସମ୍ପତ୍ତି ଠୁଳ କରିଥିଲେ। ନିଜ ନାଁରେ ସମ୍ପତ୍ତି କରିବା ସହ ନିଜ ପତ୍ନୀ, ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଛନ୍ତି। ଗତ ୩୧ ତାରିଖ ଦିନ ତାଙ୍କର ଅଫିସ ସହ ଅନ୍ୟ ୧୦ଟି ସ୍ଥାନରେ ଅତର୍କିତ ଚଢଉ ହୋଇଥିଲା। ଏହି ସମୟ ଭିତରେ ଭିଜିଲାନ୍ସ ଟିମକୁ ୨ କୋଟିରୁ ଉର୍ଦ୍ଧ୍’ବ ମୂଲ୍ୟର ସମ୍ପତ୍ତି ମିଳିଥିଲା। ଏହାସହ ଭିଜିଲାନ୍ସକୁ ମିଳିଥିଲା ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ୍ ସହ ରାଇସ୍ ମିଲର ଠିକଣା। ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍।