Monday, October 14, 2024
Homeଖବରସ୍ମାର୍ଟ ସିଟିରେ ରୋଡ ସୋ’ କରି ଭୋଟ୍ ମାଗିଲେ ନେତା

ସ୍ମାର୍ଟ ସିଟିରେ ରୋଡ ସୋ’ କରି ଭୋଟ୍ ମାଗିଲେ ନେତା

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ମେ’ ୧୩ ତାରିଖ ମତଦାନ ଗ୍ରହଣ କରାଯିବ। ଏଥି ପାଇଁ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଜୋର ଧରିଛି। ବିଶେଷ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ରାଜ୍ୟରେ ମତଦାତାଙ୍କର ହୃଦୟ ଜିତିବା ପାଇଁ ଅଭିନବ ଚିନ୍ତା କରିଛନ୍ତି। ଏଥିରେ ରୋଡ ସୋ’ ମଧ୍ୟ ସାମିଲ ରହିଛି। ଗତ ୧୦ ତାରିଖ ଦିନ ରାତିରେ ରାଜ୍ୟର ୨ଟି ସ୍ମାର୍ଟ ସିଟିରେ ରୋଡ ସୋ’ ହୋଇଛି। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ରୋଡ ସୋ’ ଆରମ୍ଭ କରିବା ପୂର୍ବରୁ ରାଉରକେଲାରେ ବିଜେଡି ନେତା ସମାନ ପ୍ରକାରର କାମ ରାଉରକେଲାରେ କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ରୋଡ ସୋ’ରେ ଯେତି କି ଲୋକ ଯୋଡ଼ି ହୋଇଥିଲେ, ତା’ଠାରୁ ବହୁଗୁଣରେ ମୋଦୀଙ୍କ ରୋଡ ସୋ’ ଦେଖିବା ପାଇଁ ରାଜଧାନୀବାସୀ ଜନପଥରେ ଏକାଠି ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରୁ  ରୋଡ ସୋ’ ଆରମ୍ଭ କରିଥିଲେ। ଏହା ବାଣୀ ବିହାର ପର୍ଯ୍ୟନ୍ତ ଚାଲିଥିଲା। ମୋଦୀଙ୍କ ଆଗେଆଗେ ପ୍ରାୟ ୨୦୦ ମହିଳା ସମ୍ବଲପୁର ଶାଢ଼ି ପରିଧାନ କରି ଚାଲିଚାଲି ଯାଉଥିଲେ। ଜନପଥର ବିଭିନ୍ନ ମୁଖ୍ୟ ସ୍ଥାନରେ ମଂଚ ତିଆରି କରାଯାଇଥିଲା। ପୂରା ରାସ୍ତାରେ ଗେରୁଆ ରଂଗର ଦଳୀୟ ପତାକା ଉଡୁଥିଲା। ସେଠାରେ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ହେଉଥିଲା। ମୋଦୀ ଯେତେବେଳେ ରୋଡ ସୋ’ରେ ବାହାରିଥିଲେ, ଜୟ ଶ୍ରୀରାମ ନାରାରେ ଜନପଥ ଉଛୁଳି ପଡୁଥିଲା। ରାତି ପ୍ରାୟ ୯ଟାରେ ଜନପଥରେ ପୂର୍ବରୁ ଏତେ ବଡ଼ ଭବ୍ୟ ଆୟୋଜନ ହୋଇ ନଥିବାରୁ ସୋ’ରେ ପ୍ରାୟ ୨ ଲକ୍ଷ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା।

ଦୁଇ ଥର ଆସିଲେଣି ମୋଦୀ

ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଗତ ଶନିବାର ଦିନ ପ୍ରଥମ ଥର ପାଇଁ ରୋଡ  ଶୋ’ କରିଛନ୍ତି। ଆଗାମୀ ଦିନରେ ଆହୁରି ହେବ ବୋଲି ବିଜେପି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମେ’ ୨୦ ତାରିଖରେ ପୁରୀରେ ରୋଡ ସୋ’ କରିବେ। ଏହା ପରେ ମଧ୍ୟ ମୋଦୀଙ୍କ ରୋଡ ଶୋ ଉତ୍ତର ଓଡ଼ିଶାର କୌଣସି ସହରରେ ହୋଇପାରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଂଜ ଜିଲ୍ଲାର ଝିଅ ହେଇଥିବାରୁ ବିଜେପି ଉତ୍ତର ଓଡ଼ିଶାରେ ମଧ୍ୟ ଶକ୍ତି ପ୍ରଦର୍ଶନ କରିବାକୁ ପଛାଇବ ନାହଁ। ଚଳିତ ଥର ନିର୍ବାଚନ ତାରିଖ ଘୋଷଣା ହେଲା ପରଠାରୁ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ୨ ଥର ଓଡ଼ିଶାଗସ୍ତ କରିସାରିଛନ୍ତି। ଏହି ଗସ୍ତକାଳରେ ବ୍ରହ୍ମପୁର, ନବରଂଗପୁର, କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାକୁ ସମ୍ବୋଧିତ କରିସାରିଛନ୍ତି। ଭୁବନେଶ୍ବରରେ ରୋଡ ସୋ’ରେ ଯୋଗଦେଇଛନ୍ତି।  

ରୋଡ ସୋ’ରେ ପାଣ୍ଡଆନ୍‌ଙ୍କ ଭୋଟ୍ ଭିକ୍ଷା

ବିଜେଡି ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ୍ ଗତ ୧୦ ତାରିଖ ଦିନ ରାତିରେ ରାଉରକେଲା ପହଞ୍ଚି ଏକ ଭବ୍ୟ ରୋଡ୍ ସୋ’ରେ ସାମିଲ ହୋଇଥିଲେ। ଇସ୍ପାତ୍ ନଗରୀର ରାଜରାସ୍ତାରେ ପାଣ୍ଡିଆନ୍ଙ୍କ ସୋ’ଦେଖିବା ପାଇଁ ହଜାରହଜାର ଲୋକଙ୍କ ଭିଡ଼ ଲାଗିଥିଲା। ଶ୍ରୀ ପାଣ୍ଡିଆନ, ରାଉରକେଲାର ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ଲୋକସଭା ପ୍ରର୍ଥୀ ଦିଲୀପ ତିର୍କି ସ୍ବତନ୍ତ୍ର ପ୍ରଚାର ଗାଡ଼ିରେ ଛିଡ଼ା ହୋଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ଗତ ୧୦ ତାରିଖ ଦିନ ଭିନ୍ନ ଶୈଳୀରେ ନିର୍ବାଚନ ପ୍ରଚାର କରିଥିଲେ। ହାଇଟେକ୍ ଗାଡ଼ିରେ ଚଢ଼ି ସେ ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ମତଦାତାଙ୍କୁ ଭୋଟ୍ ମାଗିଥିଲେ। ଏହି ସମୟରେ ସେ କହୁଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାରେ ସରକାରୀ କର୍ମଚାରୀଙ୍କୁ ତାଲିକାଭୁକ୍ତ କରିଛନ୍ତି। ସମସ୍ତଙ୍କୁ ୧୦୦ ୟୁନିଟ ବିଦ୍ୟୁତ୍ ଛାଡ଼ ପାଇଁ ଘୋଷଣା କରିଛନ୍ତି। ନବୀନବାବୁ ତଳସରା କ୍ଷେତ୍ରର ବହୁ ବିକାଶ କରିଥିଲେ ମଧ୍ୟ ତାଙ୍କୁ ଏ ମାଟିରୁ ଏ ଯାଏଁ ଆଶୀର୍ବାଦ ମିଳିନାହିଁ। ତେଣୁ ଏଥର ବିଧାନସଭା ପ୍ରାର୍ଥୀ ବିନୟ ଟପ୍ପୋ ଏବଂ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କିଙ୍କୁ ବିପୁଳ ଭୋଟ୍ରେ ବିଜୟୀ କରାଇ ଲୋକେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ କହିଥିଲେ  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments