Tuesday, February 18, 2025
Homeଖବରବିଜେଡିରୁ ମୁହଁ ଫେରାଉଛନ୍ତି ନେତା

ବିଜେଡିରୁ ମୁହଁ ଫେରାଉଛନ୍ତି ନେତା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଦେଶରେ ମତଦାନ ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଅଧିକାଂଶ ଲୋକସଭା ଆସନରେ ମତଦାନ ଶେଷ ହୋଇସାରିଛି। ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଛି। ଏପର୍ଯ୍ୟନ୍ତ ରାଜ୍ୟର ୯ଟି ଲୋକସଭା କ୍ଷେତ୍ର ଓ ୬୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସରିଛି। ଚଳିତ ନିର୍ବାଚନରେ ବିଜେଡି ପ୍ରତି ନେତା, କର୍ମୀ, ସମର୍ଥକ ଓ ମତଦାତା ବିମୁଖ୍ୟ ହେଉଥିବା ଦୃଷ୍ଟିଗୋଚର ହେଉଛି। ଗତ ମାର୍ଚ୍ଚ ମାସ ଠାରୁ ମେ’ ମାସ ଯାଏଁ ବହୁ ନେତା ଓ କର୍ମୀ ବିଜେଡି ଛାଡ଼ି ସାରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଯଦିଓ ନେତା ଛାଡ଼ିଛନ୍ତି, ତଥାପି ଏହା ବିଜେଡି ତୁଳନାରେ କମ୍।

ଦୁଇ ଦଶନ୍ଧି ଧରି ନବୀନଙ୍କ ସହ କାମ କରିଥିବା ନେତାଙ୍କ ମଧ୍ୟରୁ ଅନେକ ଶଙ୍ଖ ପ୍ରେମରେ ନାହାନ୍ତି। କେବଳ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସମୀର ରଂଜନ ମହାନ୍ତି ନୁହଁନ୍ତି, ଅମରେନ୍ଦ୍ର ଦାସ, ଆକାଶ ଦାସନାୟକ, ଗୀତାଞ୍ଜଳି ସେଠୀ, ଅରବିନ୍ଦ ଢାଲି, ପ୍ରିୟଦର୍ଶୀ ମିଶ୍ର, ପ୍ରଶାନ୍ତ କୁମାର ଜଗଦ୍ଦେବ, ଭାଦବ ହାଂସଦା, ସିଦ୍ଧାନ୍ତ ମହାପାତ୍ର, ଡମ୍ବରୁ ସିସା, ସୀମାରାଣୀ ନାୟକ, ଅନୁଭବ ପଟ୍ଟନାୟକ, ଭତୃହରି ମହତାବ୍, ଅନୁଭବ ପଟ୍ଟନାୟକ, ରମେଶ ଚନ୍ଦ୍ର ସାଏ ପ୍ରମୁଖ ବିଜେଡି ଛାଡ଼ିଛନ୍ତି। ଏହି ନେତାମାନେ ନବୀନ ସରକାର ଗଠନରେ ଏକଦା ବଡ଼ ଭୂମିକା ନିଭାଇଥିଲେ। ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ଓ ପୂର୍ବତନ ସାଂସଦ ହୋଇଥିଲେ। ନବୀନ ଓ ନେତାଙ୍କୁ ଭରସା କରି ମତଦାତା ଭୋଟ୍ ଦେଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନଥିଲା, ଯାହା ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି। ଏହି ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା କମିବାର ଅନ୍ୟ ଏକ କାରଣ ଭିକେ ପାଣ୍ଡିଆନ୍ ବୋଲି ମଧ୍ୟ କୁହାଯାଉଛି।

ଏଥର ଚାରିଆଡ଼ୁ ନବୀନଙ୍କୁ ଟାର୍ଗେଟ

ନିର୍ବାଚନ ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ଦ୍ବାରା ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା କମିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓ ପରେ ନବୀନ ଲୋକପ୍ରିୟତା ହ୍ରାସ ପାଇଥିବା ନେଇ କିଛି ଦଳୀୟ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ଓ ପୂର୍ବତନ ସାଂସଦ, ଜିଲ୍ଲା ସଭାପତି, କର୍ମୀ ଆଦି ପ୍ରମାଣିତ କରିଥିଲେ। ବିକାଶର ନାରା ଦେଉଥିବା ନବୀନଙ୍କ ମୁହଁ ଚାହିଁ ନଥିଲେ ଏବଂ ଶଙ୍ଖ ଛାଡ଼ିଥିଲେ। ସାମାଜିକ ଗଣମାଧ୍ୟମରେ, ଚା’ ଖଟି, ଦୋକାନ, ବଜାରରେ ମଧ୍ୟ ନବୀନଙ୍କ ବିରୋଧରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଏଥର ଓଡ଼ିଆ ଅସ୍ମିତା ପ୍ରସଙ୍ଗ କରି ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧ ତାରିଖରେ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଜେଡିକୁ ଶକ୍ତ ଝଟକା ଲାଗିଛି। ବାଲେଶ୍ବର ଜିଲ୍ଲାର ଅନ୍ୟତମ ଲୋକପ୍ରିୟ ବିଧାୟକ ତଥା ପୂର୍ବତନ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଧବାର ଦିନ ବିଜେଡି ଛାଡ଼ିଛନ୍ତି। ବିଜେଡି ସୁପ୍ରିମୋଙ୍କୁ ସେ ଇସ୍ତଫାପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ମଧ୍ୟ ଭୁଲି ନାହାନ୍ତି। ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନଦେଇ ନୂଆ ଚେହେରା ଭାବେ ଶୁଭାସିନୀ ସାହୁଙ୍କୁ ସୁଯୋଗ ଦେଇଥିଲା, ଯାହାକୁ ନେଇ ଜ୍ୟୋତିପ୍ରକଶ ପାଣିଗ୍ରାହୀ ଅସନ୍ତୁଷ୍ଟ ଥିଲେ। ଦଳର କୌଣସି କାମରେ ଜ୍ୟୋତିପ୍ରକାଶ ସାମିଲ ହେଉନଥିବା ବେଳେ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ।

ବିଜେପିରେ ବିଧାୟକ ସମୀର

ଦୁଇଦିନ ପୂର୍ବରୁ ବିଜେପିରେ ମିଶିଥିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ। ଟିକେଟ ନମିଳିବା ଓ ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ। ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇ କହିଥିଲେ, ୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛନ୍ତି। ତଥାପି ଦଳ ତାଙ୍କ ଉପରେ ଭରସା କଲାନି। ତାଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ ଆଉ ଦଳରେ ରହିବାକୁ ସେ ସମୀଚିନ ମନେ କରୁନାହାଁନ୍ତି ବରଂ ଦଳ ଛାଡିବାକୁ ଉଚିତ ମନେ କରିଛନ୍ତି। ଏହାସହ ସେ ନିଜେ ମଧ୍ୟ ନିମାପଡା, ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଥର (୨୦୦୯, ୨୦୧୪ ଓ ୨୦୧୯) ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments