Tuesday, October 8, 2024
Homeଖବରନିଲାମକୁ ଯିବ ମହାପ୍ରଭୁଙ୍କ ଅର୍ପଣ ଚାଉଳ

ନିଲାମକୁ ଯିବ ମହାପ୍ରଭୁଙ୍କ ଅର୍ପଣ ଚାଉଳ

ଭୁବନେଶ୍ବର: ଚଳିତ ବର୍ଷ ଆରମ୍ଭରୁ ରାଜ୍ୟବ୍ୟାପି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂଗୃହୀତ ‘ଅର୍ପଣ ଚାଉଳ’କୁ ରାଜ୍ୟ ସରକାର ନିଲାମ କରିବାକୁ ଯାଉଛନ୍ତି। ରାଜ୍ୟର ଦୂରଦରାନ୍ତରୁ ଭକ୍ତ ପଠାଇଥିବା ଏହି ଶ୍ରଦ୍ଧାଳ ଚାଉଳ ନିଲାମ ହେବା ନେଇ ଗଣମାଧ୍ୟମରେ ରିପୋର୍ଯ ପ୍ରକାଶ ପାଇଲା ପରେ ଭକ୍ତମାନଙ୍କ ମନରେ ତୀବ୍ର ଆଘାତ ଲାଗିଛି। ଗାଁଠୁ ନେଇ ସହର, ପାନଦୋକାନଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। ଅର୍ପଣ ଚାଉଳ ସଂଗ୍ରହ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ମଧ୍ୟ ସମାଲୋଚନା ହେଉଛି।
ବିନିଯୋଗ କରିପାରିଲାନି ବିଜେଡି

ନବୀନ ପଟ୍ଟନାୟକଙ୍କ ନେତୃତ୍ବ‌ରେ ପରିଚାଳିତ ବି‌ଜୁ ଜନତା ଦଳ (ବିଜେଡି) ଶାସନ କାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଥିଲା। ତତ୍‌କାଳନୀ ବିଜେଡି ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ରାଜ୍ୟବ୍ୟାପି ଅର୍ପଣ ଚାଉଳ ସଂଗୃହୀତ କରାଯାଇଥିଲା। ସଂଗୃହୀତ ଚାଉଳରୁ କିଛି ପରିମାଣରେ ମହାପ୍ରଭୁଙ୍କ ପାଇଁ ଖେଚୁଡ଼ି ଭୋପ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟା ଯାଇଥିଲା କିନ୍ତୁ ଏହା ପରେ ମଧ୍ୟ ବ୍ୟାପକ ମା‌ତ୍ରାରେ ଚାଉଳ ରହିଯାଇଛି। ଫେବ୍ରୁଆରିରୁ ମେ’ ମାସ ପର୍ଯ୍ୟନ୍ତ ଅର୍ପଣ ଚାଉଳକୁ ‌କିପରି ସୁବିନିଯୋଗ କରାଯାଇ ପାରିବ ନବୀନ ସରକାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ନଥିଲେ।  ତେବେ ବିଜେଡି ହାରିବା ଏବଂ ସରକାର ବଦଳିବା ପରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ଯାଉଛି।

ବ୍ୟବହାର ନହେଲେ ନଷ୍ଟ ହେବ

ମହାପ୍ରସାଦ ପାଇଁ ଗଚ୍ଛିତ ମହାପ୍ରଭୁଙ୍କ ଅର୍ପଣ ଚାଉଳ ନଷ୍ଟ ହୋଇ ଯାଉଥିବାରୁ ଶେଷରେ ପୁରୀ ଜିଲ୍ଲା ପ୍ରଶାସନ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି। ଏ ସଂକ୍ରାନ୍ତରେ ଯୋଗାଣ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛନ୍ତି। ନିଲାମ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଚାଉଳର ମାନ ସେତେଟା ଭଲ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ନିଲାମକୁ ରାଜ୍ୟ ସରକାରଙ୍କ ଅନୁମତି

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ପୂର୍ବରୁ ଗଚ୍ଛିତ ଅର୍ପଣ ଚାଉଳ ଉପରେ ରାଜ୍ୟ ସରକାରଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା। ଯେଉଁଥିରେ ଗୋଟିଏ ପ୍ରସ୍ତାବ ଥିଲା, ଏହାକୁ ବିକ୍ରି କରି ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅର୍ଥ ପ୍ରଦାନ କରିବା। ଅନ୍ୟଟି କୌଣସି ଜରାଶ୍ରମ ଅବା ଅନାଥାଶ୍ରମକୁ ଏହି ଚାଉଳ ପ୍ରଦାନ କରିବା। ରାଜ୍ୟ ସରକାର ଏହି ଚାଉଳକୁ ବିକ୍ରି ତଥା ନିଲାମ କରିବାକୁ ଅନୁମତି ଦେଇଛନ୍ତି। ଖୁବ୍‌ଶୀଘ୍ର ଯୋଗାଣ ବିଭାଗ ପକ୍ଷରୁ ନିଲାମ ପାଇଁ ବିଜ୍ଞପ୍ତି ଜାରି ହେବ। ନିଲାମରେ ଅଂଶଗ୍ରହଣ କରୁଥିବା ମିଲର୍‌ ତଥା ବ୍ୟକ୍ତିମାନେ ପ୍ରଥମେ ଯେଉଁ ସ୍ଥାନରେ ଚାଉଳ ଗଚ୍ଛିତ ରଖାଯାଇଛି, ସେ ସ୍ଥାନ ପରିଦର୍ଶନ କରିବେ ଓ ପରେ ସେହିଠାରେ ହିଁ ଏହାର ନିଲାମ(ସ୍ପଟ୍‌ ଅକ୍ସନ୍‌) ହେବ।  

ନମୁନା ଦେଖିବାକୁ ୧୫ ଦିନ ସମୟ

ସାରା ରାଜ୍ୟରୁ ଅର୍ପଣ ରଥ ଜରିଆରେ ସମୁଦାୟ ୧୪୦୧୭.୨୩ କ୍ବିଣ୍ଟାଲ୍‌ ଅର୍ପଣ ଚାଉଳ ସଂଗ୍ରହ ହୋଇ ପୁରୀକୁ ଆସିଥିଲା। ଏଥିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୬୧୦.୪୪ କ୍ବିଣ୍ଟାଲ୍‌, ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୬୧୮.୦୭ କ୍ବିଣ୍ଟାଲ୍‌ ଓ ଯୋଗାଣ ବିଭାଗର ପୁରୀ ଗୋଦାମରେ ୬୭୮୮.୭୨ କ୍ବିଣ୍ଟାଲ୍‌ ଚାଉଳ ଗଚ୍ଛିତ ରଖାଯାଇଥିଲା। ସେହିଭଳି ୩୯୪୯ଟି ନଡ଼ିଆ ଓ ୪୨୬ ବସ୍ତା ଗୁଆ ମିଳିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ୧୫୦ ବସ୍ତା ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୭୬ ବସ୍ତା ଗୁଆ ଗଚ୍ଛିତ ରଖାଯାଇଥିଲା। ଇତିମଧ୍ୟରେ କେବଳ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ଚାଉଳରୁ ୩୮୫୬.୮୪ କ୍ବିଣ୍ଟାଲ୍‌ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଛି। ଆଉ ୭୫୩.୦୭ କ୍ବିଣ୍ଟାଲ୍‌ ଚାଉଳ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଚ୍ଛିତ ରଖାଯାଇଥିବାବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏଭଳି ସର୍ବମୋଟ୍‌ ୧୦୧୬୦.୩୯ କ୍ବିଣ୍ଟାଲ୍‌ ଚାଉଳ ବଳକା ରହିଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments