ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବ। ପ୍ରଭୁଙ୍କ ରତ୍ନଭଣ୍ଡାରରେ କ’ଣ ରହିଛି ସାଧାରଣ ଜନତାଙ୍କୁ ଜଣାଇ ଦିଆଯିବ। ଏଥି ପାଇଁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରୁଛନ୍ତି। ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି, ଲୋକେ ଜାଣିବେ। ଏାବଦରେ ଜାଣିବା ପାଇଁ ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀ କେଉଁ କାଳରୁ ଅପେକ୍ଷା କରି ସାଧାରଣ ନିର୍ବାଚନ-୨୦୨୪ରେ ଦେଇଥିବା ପ୍ରତିଶ୍ରୁତି ଆଧାରରେ ମୋହନ ମାଝୀଙ୍କ ସରକାର ମହାପ୍ରଭୁଙ୍କର ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଯାହା ଆଶା କରାଯାଉଛି, ଚଳିତ ସପ୍ତାହ ଅଥବା ଆସନ୍ତା ସପ୍ତାହରେ ରତ୍ନଭଣ୍ଡାର ଖୋଲିପାରେ। ତେବେ ଜୁନ ୧୦ରେ ପୁରୀସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବ। ପୂର୍ବାହ୍ଣ ୧୧ଟାରେ ହେବାକୁ ଥିବା ବୈଠକ ପରେ ରତ୍ନଭଣ୍ଡାର ଖୋଲିବା ନେଇ ଅଧିକ ଅପଡେଟ୍ ଆସିବ।
ରତ୍ନଭଣ୍ଡାର ଖୋଲିବା ନେଇ ଅନେକ ଥର ତାରିଖ ବଦଳି ହୋଇସାରିଛି। ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି କୁହାଯାଉଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କମିଟିର ଦ୍ୱିତୀୟ ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଆଶା କରୁଛୁ ସରକାର ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ଦେବେ। ଅନୁମତି ମିଳିଲେ ଦିବ୍ୟ ଓ ଭବ୍ୟ ରତ୍ନଭଣ୍ଡାର ଖୋଲାଯିବ। ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଚାବି ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ଉପସ୍ଥାପନ କରାଯିବ। ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଚାବି ଉପସ୍ଥାପନ ହୋଇପାରିନି। ଚାବି କାମ କରୁ ବା ନକରୁ ନିଶ୍ଚିତ ରତ୍ନଭଣ୍ଡାର ଖୋଲାଯିବ।
ବନ୍ଦ ହେବନି ସାଧାରଣ ଦର୍ଶନ
ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ସମୟରେ ସାଧାରଣ ଦର୍ଶକମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଦରକାର ପଡ଼ିଲେ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ। ସେହିପରି ରତ୍ନଭଣ୍ଡାର ଗହଣା ରଖିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ପରିଚାଳନା କମିଟି ମନ୍ଦିର ଭିତରେ ସ୍ଥାନ ଚିହ୍ନଟ କରିଛନ୍ତି । ଅସ୍ଥାୟୀ ଭଣ୍ଡାର ଭିତରେ ଗହଣା ସିଡ୍ୟୁଲ ଅନୁସାରେ ରଖାଯିବ। ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ କହିଛନ୍ତି, ଯେମିତି ହେଲେ ରତ୍ନ ଭଣ୍ତାର ଖୋଲିବାକୁ ଚେଷ୍ଟା କରାଯିବ। ସରକାରଙ୍କ ସହ ମ୍ୟାନେଜିଂ କମିଟିର ଅନୁମତି ମିଳିଲେ ଏହି ଦିନ ହିଁ ରତ୍ନ ଭଣ୍ତାର ଖୋଲାଯିବ। ଗଣତି, ମଣତି ବେଳେ କିଏ କିଏ ରହିବେ? କ୍ୱାଲିଟି ଚେକ୍ କେମିତି ହେବ? କେଉଁ ଉପାୟରେ ଖୋଲାଯିବ? ଏସବୁ ଉପରେ ସରକାର ହିଁ ନିଷ୍ପତ୍ତି ନେବେ।
ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ ମତ
ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ବହୁଦିନ ହେବ କହି ଆସୁଥିଲି ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଉ । ଯାହାର ଅଭିଜ୍ଞତା ଥିବ ସେମାନଙ୍କୁ ଆଣି ରତ୍ନଭଣ୍ଡାର ଖୋଲାଯାଉ। ଏଣୁତେଣୁ ଲୋକଙ୍କୁ ଆଣି ରତ୍ନଭଣ୍ଡାର ଖୋଲିଲେ କିଛି ଲାଭ ନାହିଁ। ପ୍ରତ୍ୟେକ ସେବାୟତ ନିଯୋଗରୁ ଜଣେ ଲେଖାଏଁ ଅଭିଜ୍ଞ ସେବାୟତଙ୍କୁ ରଖାଯିବା ସହ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ରତ୍ନଭଣ୍ଡାର ଖୋଲାଯିବା ବେଳେ ଉପସ୍ଥିତ ରୁହନ୍ତୁ। ଯେଉଁ ବଣିଆ ଭଲଭାବେ ରତ୍ନ ଚିହ୍ନଟ କରିପାରିବେ ସେମାନଙ୍କୁ ଅଣାଯାଇ ଏହାର ଚିହ୍ନଟ କରାଯାଉ। ରତ୍ନଭଣ୍ଡାର ପାଇଁ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା କରାଯାଉ। ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ତାହାକୁ ଆଗ ଯାଞ୍ଚ କରାଯାଉ। ଏହାକୁ ମରାମତି କରି ରତ୍ନଭଣ୍ଡାରକୁ ଆହୁରି ସୁରକ୍ଷିତ କରାଯାଉ।
ଏହି ମାସରେ ଖୋଲିବ ରତ୍ନଭଣ୍ଡାର: ମନ୍ତ୍ରୀ
ରତ୍ନଭଣ୍ଡାର ଖୋଲାଯିବା ନେଇ ଏପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇ ନାହିଁ। ଏହି ମୁହୂର୍ତ୍ତକୁ ରାଜ୍ୟବାସୀ ଅପେକ୍ଷା କରିଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୂର୍ବରୁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ। ଚଳିତ ମାସରେ ହିଁ ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି ହେବ।
ସାଧାରଣ ନିର୍ବାଚନ ପ୍ରସଙ୍ଗ ଥିଲା ରତ୍ନଭଣ୍ଡାର
ରାତ୍ନଭଣ୍ଡାର ଖୋଲିବା ନେଇ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ମାମଲା ହାଇକୋର୍ଟରେ ପହଞ୍ଚିଲା ପରେ ଏନେଇ କମିଟି ଗଠନ ହୋଇଛି। ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯାଇଛି। ସ୍ଥିତି ଅନୁଧ୍ୟାନ କରାଯାଇଛି। ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ପୂର୍ବରୁ ଅନେକ ଥର କୁହାଯାଇଛି। ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନ-୨୦୨୪ରେ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ପ୍ରସଙ୍ଗ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା ପ୍ରମୁଖ ନିର୍ବାଚନ ପ୍ରଚାର ବେଳେ କହିଥିଲେ ବିଜୟୀ ହେଲେ ଶ୍ରୀମନ୍ଦିରର ୪ଦ୍ବାର ଓ ରତ୍ନଭଣ୍ଡାର ଖୋଲିବେ।