ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ନେତାଙ୍କ ଭାଷଣରେ ପ୍ରଭାବିତ ହୋଇ ଓଡ଼ିଶାବାସୀ ୨୪ ବର୍ଷର ବିଜେଡି ସରକାରକୁ ବିଦାୟ ଦେଇଛନ୍ତି। ନବୀନ ସରକାରରେ ରାଜ୍ୟରୁ କୋଟିଏ ଲୋକ ବାହାର ରାଜ୍ୟରେ ଦାଦନ ଖଟିବା ଓ ବେକାର ଯୁବକଯୁବତୀଙ୍କୁ ଚାକିରି, ରୋଜଗାର ନମିଳିବା, ଚାଷଜମୀକୁ ଜଳଯୋଗାଣ ହୋଇ ନପାରିବା ଓ ଜଜ-ଜମି-ଜଙ୍ଗଲ ସବୁଥାଇ ଓଡ଼ିଶା ଗରିବ ହୋଇ ରହିବାକୁ କେନ୍ଦ୍ରୀୟ ନେତାମାନେ ପ୍ରସଙ୍ଗ କରିଥିଲେ। ସେହିପରି ଓଡ଼ିଆ ଅସ୍ମିତା, ତାମିଲ ଶାସନ, ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଓ ରତ୍ନଭଣ୍ଡାର ଚାବି ହଜିବା ମଧ୍ୟ ପ୍ରସଙ୍ଗ ଥିଲା। ବିଜେପି ନେତାଙ୍କ ଭାଷଣରେ ପ୍ରଭାବିତ ହୋଇ ଓଡ଼ିଶାର ଜନତା ସରକାର ଗଢ଼ିବା ପାଇଁ ସୁଯୋଗ ଦେଇଥିବାରୁ, ଏବେ ପ୍ରତିଶ୍ରୁତିକୁ ଅପେକ୍ଷା କରିଛନ୍ତି।
ନିର୍ବାଚନ ପ୍ରଚାର ପାଇଁ ନରେନ୍ଦ୍ର ମୋଦୀ ମେ’ ୩ ତାରିଖରେ ଓଡ଼ିଶା ଗସ୍ତ କରିଥିଲେ। ସେଦିନ ସେ ଭୁବନେଶ୍ବରରେ ପହଞ୍ଚିଲା ପରେ ରାତ୍ରିଯାପନ କରିଥିଲେ। ପରଦିନ ବ୍ରହ୍ମପୁର ଓ ନବରଂଗପୁରରେ ସଭା କରିଥିଲେ। ତାଙ୍କର ଦ୍ବିତୀୟ ଗସ୍ତ ଥିଲା ମେ’ ୧୦ ଓ ୧୧ ତାରିଖ। ଏହି ଗସ୍ତରେ ସେ ଭୁବନେଶ୍ବରରେ ରୋଡ୍ ସୋ’, ଫୁଲବାଣୀ, ବଲାଙ୍ଗୀର, ବରଗଡ଼ରେ ଜନସଭା କରିଥିଲେ। ମେ’ ୧୯ ତାରିଖ ଗସ୍ତ କାଳରେ ପୁରୀ ବଡ଼ଦାଣ୍ଡରେ ରୋଡ୍ ସୋ’ ସହିତ ଅନୁଗୁଳ ଓ କଟକରେ ଜନସଭା କରିଥିଲେ। ସେହିପରି ମେ’ ୨୫ରେ ବାରିପଦା, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ସେ ପୂର୍ବ ଥର ଭଳି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ।
ମୋଦୀଙ୍କ ନିର୍ବାଚନୀ ପ୍ରତିଶ୍ରୁତି
ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଏକାଧିକ ପ୍ରତିଶ୍ରୁତି ଦେଇଥିଲେ। ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର ଭାଉଚର, ପ୍ରତିମାସରେ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା, ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ପ୍ରତିମାସ ବାର୍ଦ୍ଧକ୍ୟ ଓ ବିଦ୍ୟାଙ୍କ ଭତ୍ତା ୩୦୦୦ ଟଙ୍କା, ଧାନର ନ୍ୟୁନତ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା, ୭୦ ବର୍ଷ ବୟସରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ୫ ଲକ୍ଷ ଟଙ୍କାର ନିଃଶୁଲ୍କ ଚିକିତ୍ସା, ଖାଲି ଥିବା ୧.୫ ଲକ୍ଷ ସରକାରୀ ପଦବିରେ ନିଯୁକ୍ତି, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାଗଣା ବିଜୁଳି, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଚାବି ଖୋଜି ଆଣିବା, ଓଡ଼ିଶାକୁ ତୃତୀୟ ସର୍ବବୃହତ ପର୍ଯ୍ୟଟନ ସ୍ଥଳ, ରାଜ୍ୟରେ ୭୫,୦୦୦ କିମି ରାସ୍ତା ନିର୍ମାଣ କରିବା, କଳକାରଖାନା ମାଧ୍ୟମରେ ବେକାରୀ ଯୁବକ-ଯୁବତୀଙ୍କୁ ରୋଜଗାର କରିବା, ଦାଦନ ସମସ୍ୟା ରୋକିବା ପାଇଁ କାମ କରିବା ଆଦି ପ୍ରତିଶ୍ରୁତି ଦେଇଥିଲେ।
ଓଡ଼ିଶାରେ କ୍ରାନ୍ତି ଆସିଛି: ମୋଦୀ
ନ୍ୟାସନାଲ ଡେମୋକ୍ରେଟିକ୍ ଆଲାଏନ୍ସ (ଏନ୍ଡିଏ) ଦ୍ବାରା ନେତା ନିର୍ବାଚିତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନବନିର୍ବାଚିତ ସାଂସଦମାନଙ୍କୁ ସମ୍ବୋଧିତ କରିଛନ୍ତି। ସଂସଦ ଭବନରେ ଆୟୋଜିତ ଏନ୍ଡିଏ ବୈଠକରେ ମୋଦୀ ଓଡ଼ିଶାରେ ନିର୍ବାଚନ ଫଳାଫଳକୁ ନେଇ ବଡ଼ କଥା କହିଛନ୍ତି। ସେ କହିଛନ୍ତି ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ। ଓଡ଼ିଶାରେ କ୍ରାନ୍ତି ଆସିଛି। ଏହି କ୍ରାନ୍ତି ହିଁ ବିକାଶକୁ ନୂଆ ଦିଶା ଦେବ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ । ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଗରିବ କଲ୍ୟାଣ ଏନ୍ଡିଏ ଶାସନର କେନ୍ଦ୍ରସ୍ଥଳ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ, ତାହା ଟ୍ରେଲର ଥିଲା। ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ। ମୋତେ ସର୍ବସମ୍ମତି କ୍ରମେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ କୃତଜ୍ଞତା ଜଣାଉଛି। ଏନ୍ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ସୁଯୋଗ ପାଇଛି। ଆମ ମହାମେଣ୍ଟ ହେଉଛି ଭାରତର ଆତ୍ମାର ପ୍ରତିବିମ୍ବ। ଆଦିବାସୀ ବହୁଳ ୧୦ ରାଜ୍ୟରୁ ୭ ରାଜ୍ୟରେ ଏନ୍ଡିଏ ସରକାର ଗଠନ କରିଛି। ଏନ୍ଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନ୍ଡିଏ । ଏନ୍ଡିଏ କଥା କହିଲା କ୍ଷଣି, ଛାଁକୁ ଛାଁ ଗୁଡ୍ ଗଭର୍ଣ୍ଣାନ୍ସ ମନକୁ ଆସିଯାଏ। ଗରିବ କଲ୍ୟାଣ ଏନ୍ଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି। ଆଗାମୀ ୧୦ ବର୍ଷରେ ଗୁଡ୍ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ। ସମସ୍ତେ ମିଶି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିକି ହିଁ ରହିବା।